Top Stories

Search here...

News

୪ ବର୍ଷରେ ୧୦ ହଜାର ୨୭୨ଶିଶୁ  ନିଖୋଜ: ୮୧ % ମାମଲାରେ ବାଳିକା ଶୀକାର

Posted On - 1 week ago
Edited By Team BbsrReporters
LAST UPDATED Apr 20, 2021 08:59 PM

କ୍ରମାଗତ ଭାବେ ବଢୁଛି ନିଖୋଜ ଶିଶୁୁଙ୍କ ସଂଖ୍ୟା ହେଲେ ନିଖୋଜ ତୁଳନାରେ ମାମଲା କମ୍ ରହିଛି ।

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ନିଖୋଜ ଶିଶୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଗତ ୪ ବର୍ଷରେ ୧୦ ହଜାର ୨୭୨ ଶିଶୁ ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ନେଇ କେତେକ ସ୍ଥଳେ ପୁଲିସ ମାମଲା ରୁଜୁ କରୁ ନ ଥିବା ବେଳେ ଅନ୍ୟ କେତେକ ସ୍ଥଳେ ନିଖୋଜ ରିପୋର୍ଟ ଦାଖଲ କରି ଚୁପ୍ ବସି ପଡୁଛି । ଫଳ ସ୍ୱରୁପ ରାଜ୍ୟର ୨୫ ପ୍ରତିଶତରୁ ଅଧିକ ଶିଶୁଙ୍କୁ ଉଦ୍ଧାର କରାଯାଇପାରୁ ନାହିଁ । ସବୁଠୁ ବଡ କଥା ହେଉଛି ନିଖୋଜ ଶିଶୁଙ୍କ ମଧ୍ୟରୁୁ ୮୧ ପ୍ରତିଶତରୁ ଅଧିକ ବାଳିକା । ଯାହା ଉଭୟ ସରକାର ଏବଂ ପୁଲିସ ବିଭାଗର ଚିନ୍ତାକୁ ବଢାଇ ଦେଇଛି । ବିଭିନ୍ନ ପ୍ରଲୋଭନ ଦେଖାଇ ଅବା ଅପହରଣ କରି ବାଳିକାମାନଙ୍କୁ ନେଇ ବାହାର ରାଜ୍ୟରେ ବିଭିନ୍ନ କାର୍ଯ୍ୟରେ ଲଗାଯାଉଛି ।

 


କ୍ରାଇମ ବ୍ରାଞ୍ଚରୁ ମିଳିଥିବା ସୂଚନା ଅନୁଯାୟୀ, ୧୦୧୭ରୁ ୨୦୨୦ ମଧ୍ୟରେ ମୋଟ ୧୦, ୨୭୧ ଜଣ ଶିଶୁ ନିଖୋଜ ହୋଇଛନ୍ତିି । ସେଥିମଧ୍ୟରୁ ବାଳିକାଙ୍କ ସଂଖ୍ୟା ୮୪୨୦ । ଯାହା ମୋଟ ନିଖୋଜ ସଂଖ୍ୟାର ୮୧ ଭାଗରୁ ଅଧିକ ।  ବିଗତ ୪ ବର୍ଷ ଧରି କ୍ରମାଗତ ଭାବେ ଶିଶୁ ନିଖୋଜ ସଂଖ୍ୟା ବଢିବାରେ ଲାଗିଛି । ମୋଟ  ୧୦୨୭୨ ଶିଶୁ ନିଖୋଜ ହୋଇଥିବା ବେଳେ ସେଥି ମଧ୍ୟରୁ  ୭୭୩୧ ଶିଶୁଙ୍କୁ ଉଦ୍ଧାର କରିବାରେ ପୁଲିସ ସଫଳ ହୋଇଛି । ବାକି ଶିଶୁଙ୍କ କିଛି ପତ୍ତା ମିଳିପାରି ନାହିଁ । ୨୦୧୭ରେ ମୋଟ ୧୮୫୧  ଶିଶୁ ଓଡ଼ିଶାରୁ ନିଖୋଜ ହୋଇଥିବା ବେଳେ ସେଥିରୁ ୧୩୬୦ ଜଣ ବାଳିକା ଥିଲେ  । ୧୮୫୧ ଜଣ ଶିଶୁଙ୍କ ମଧ୍ୟରୁ ପୁଲିସ  ୧୫୪୭ ଜଣଙ୍କୁ ଠାବ କରିଥିବା ବେଳେ ବାକି ଶିଶୁଙ୍କୁ ଠାବ କରିପାରିନାହିଁ । ସେହିପରି ୨୦୧୮ରେ ଏହି ସଂଖ୍ୟା ବଢି ୨୩୩୪ ପହଞ୍ଚିଥିଲା । ମୋଟ ୨୩୩୪ ଶିଶୁଙ୍କ ମଧ୍ୟରୁ  ୧୮୭୫ ବାଳିକା ନିଖୋଜ ହୋଇଥିଲା । ସେଥିମଧ୍ୟରୁ ପୁଲିସ ୧୮୪୭ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ୨୦୧୯ରେ ଏହି ସଂଖ୍ୟା ୩ ହଜାର ପାର କରି ୩୧୫୧ ରେ ପହଞ୍ଚିଥିଲା । ମୋଟ ୩୧୫୧ ଶିଶୁଙ୍କ ମଧ୍ୟରୁ  ୨୫୯୧ ବାଳିକା ନିଖୋଜ ହୋଇଥିଲେ । ସେମାନଙ୍କ ମଧ୍ୟରୁ ପୁଲିସ  ୨୩୩୫ଙ୍କ ଉଦ୍ଧାର କରିଥିଲା । ୨୦୨୦ରେ ୨୯୩୬ ଜଣ ଶିଶୁ ସାରା ଓଡ଼ିଶାରୁ ନିଖୋଜ ହୋଇଥିବା ବେଳେ ସେଥିରୁ ୨୫୯୪ ଥିଲେ ବାଳିକା  । ସେଥି ମଧ୍ୟରୁ ପୁଲିସ ୨୦୦୨ ଜଣଙ୍କୁ ଠାବ କରିବାରେ ସଫଳ ହୋଇଥିବା ବେଳେ ବାକି ଶିଶୁଙ୍କ ପତ୍ତା ମିିଳିନାହିଁ । କରୋନା ଭାଇରସ ଯୋଗୁ ୨୦୨୦ରେ ୬ ମାସରୁୁ ଅଧିକ ସମୟ ଧରି ଲକ୍ଡାଉନ ଜାରୀ କରାଯାଇଥିବା ବେଳେ ଯାତାୟତ ମଧ୍ୟ ବନ୍ଦ ରହିଥିଲା । କହିବାକୁ ଗଲେ ବାକି ୬ ମାସରେ ହିଁ ଏହି ଶିଶୁ ନିଖୋଜ ହୋଇଛନ୍ତି ।

 


ଓଡ଼ିଶାରୁ ଶିଶୁମାନଙ୍କୁ ବିଭିନ୍ନ ଚାକିରିର ପ୍ରଲୋଭନ ଦେଖାଇ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି ।  ଏହା ଛଡା ପୁଲିସ ନିଖୋଜ ନେଇ ମାମଲା ରୁଜୁ କରୁଥିଲେ ମଧ୍ୟ ଅଧିକାଂଶ ମାମଲାରେ ଶିଶୁଙ୍କୁ ବଳପୂର୍ବକ ଅପହରଣ କରି ନିଆଯାଉଛି ଅବା ବିକ୍ରି କରି ଦିଆଯାଉଥିବା ଦେଖିବାକୁ ମିଳୁଛି ।  ନିଖୋଜ ଶିଶୁଙ୍କ ମଧ୍ୟରୁ ବାଳିକାଙ୍କ ସଂଖ୍ୟା ଅଧିକ ରହୁଛି । କାରଣ ବାଳିକାମାନଙ୍କୁ ଏଠାରୁ ନେଇ ବାହାର ରାଜ୍ୟରେ ବିଭିନ୍ନ ଅନୈତିକ କାର୍ଯ୍ୟରେ ଲଗାଯାଉଛି । କେତେକ ସ୍ଥଳେ ସେମାନଙ୍କୁ ବଳପୂର୍ବକ ବିହାର, ରାଜସ୍ଥାନ, ଉତ୍ତର ପ୍ରଦେଶ ଆଦି ରାଜ୍ୟରେ ବିବାହ କରାଇ ଦିଆଯାଉଛି । ଏଠାରୁ ସେମାନଙ୍କୁ କୌଣସି ପ୍ରକାରରେ ବାହାର ରାଜ୍ୟକୁ ନେବା ପରେ ସେଠାରେ ବାଳିକାମାନଙ୍କ ସହ ଅକଥନୀୟ ଅତ୍ୟାଚାର କରାଯାଉଛି । ସେମାନଙ୍କୁ ନେଇ ବଡ ବଡ ହୋଟେଲରେ ବିଭିନ୍ନ କାର୍ଯ୍ୟରେ ଲଗାଯାଉଛି ।  ଯାହା ନିକଟ ଅତୀତରେ ଉଦ୍ଧାର ହୋଇଥିବା କିଛି ନାବାଳିକାଙ୍କ ଘଟଣାରୁ ଦେଖିବାକୁ ମିଳୁଛି । ସବୁଠୁ ବଡ କଥା ହେଉଛି ଅଭିଯୋଗ ଆସୁଥିବା କେତେକ ଘଟଣାରେ ପୁଲିସ ମାମଲା ରୁଜୁ କରୁନାହିଁ । ଯେଉଁ ଘଟଣା ଗଣମାଧ୍ୟମରେ ପ୍ରଚାର ପ୍ରସାର ହେଉଛି ସେକ୍ଷେତ୍ରରେ ପୁଲିସ ମାମଲା ରୁଜୁ କରୁଛି । ବାକି ଘଟଣାରେ ମାମଲା ରୁଜୁ କରୁ ନ ଥିବା ନେଇ ମଧ୍ୟ ଅଭିଯୋଗ ହେଉଛି ।

 


ଶିଶୁ ନିଖୋଜ ପଛରେ ସେମାନଙ୍କ ସମ୍ପର୍କୀୟଙ୍କ ଭୂମିକା ରହୁଛି । ନିକଟ  ସମ୍ପର୍କୀୟମାନେ ଏହି କାରବାରର ମୁଖ୍ୟ ଭୂମିକା ନିଭାଉଥିବା ଦେଖିବାକୁ ମିଳିଛି । ବିଶେଷକରି ଗରିବ ପରିବାରର ଶିଶୁମାନେ ହିଁ ନିଖୋଜ ହେଉଥିବା ନେଇ ଅଭିଯୋଗ ହେଉଛି । କାରଣ ଟଙ୍କା ପାଇଁ ସେମାନଙ୍କୁ କିଛି କାର୍ଯ୍ୟ କରିବାକୁ ପଡୁଛି । ଯାହାର ଫାଇଦା ଉଠାଇ ଦଲାଲମାନେ ତାଙ୍କ ପରିବାର ଅବା ସମ୍ପର୍କୀୟକୁ କିଛି ଟଙ୍କା ଦେଇ ଶିଶୁମାନଙ୍କୁ ଏଠାରୁ ନେଇ ଯାଉଛନ୍ତି । ଓଡ଼ିଶାରୁ ବିଶେଷ କରି ଭୁବନେଶ୍ୱର, କଟକ, ରାଉଲକେଲା, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼, ସମ୍ବଲପୁର, ମୟୁରଭଞ୍ଜରୁ ଅଧିକ ଶିଶୁ ନିଖୋଜ ହେଉଥିବା ନେଇ କ୍ରାଇମ ପକ୍ଷରୁ ସୂଚନା ମିଳିଛି । ଏପରି ସ୍ଥଳେ ରାଜ୍ୟ ସରକାର ଏଭଳି ମାମଲା ଉପରେ ଗୁରୁତ୍ୱ ଦେଇ ତଦନ୍ତ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ହେଲେ ପୁଲିସ ମାମଲାକୁ ଗୁରୁତ୍ୱ ଦେଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସର୍ବସାଧାରଣରେ ଅଭିଯୋଗ ହେଉଛି ।


 

Related News