Top Stories

Search here...

News

ଏସଟିଏଫ୍ ହାତରେ ବଜ୍ରକାପ୍ତା ଚୋରା ଚାଲାଣ ରାକେଟ , ୧୪ କେଜିର  ବଜ୍ରକାପ୍ତା ଉଦ୍ଧାର

Posted On - 3 weeks ago
Edited By Team BbsrReporters
LAST UPDATED May 12, 2021 03:51 AM

ଓଡ଼ିଶାରୁ ଅଧିକାଂଶ ବଜ୍ରକାପ୍ତା ଚୀନ୍କୁ ଚୋରାଚାଲାଣ ହେଉଛି ।

 

BBSR Reporters

 

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚର ଏସଟିଏଫ୍  ଜଣେ ବଜ୍ରକାପ୍ତା ଚୋରାଚାଲାଣ ରାକେଟକୁ ଠାବ କରିବା ସହ ଜଣେ ଚୋରାଚାଲାଣକାରୀକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ କଟକ ଜିଲ୍ଲା ଆଠଗଡ଼ ଅଭିମାନପୁର ଅଞ୍ଚଳର କେଶବ ସାହୁ । ତା’ ଠାରୁ ଗୋଟିଏ ଜୀବିତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଯାହାର ଓଜନ ୧୪ କେଜି  ବୋଲି ଏସ୍ଟିଏଫ୍ ପକ୍ଷରୁ ସୂଚନା ମିଳିଛି ।  ଏହି ବଜ୍ରକାପ୍ତାଟି ୩୦ରୁ ୪୦ଲକ୍ଷ ଟଙ୍କା ହେବ ବୋଲି ଏସ୍ଟିଏଫ୍ କହିଛି । ଏନେଇ ଏସ୍ଟିଏଫ୍ ପୁଲିସ କେସ ନଂ ୧୪/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । 

 


ସୂଚନା ଅନୁଯାୟୀ, ଗତ ଶୁକ୍ରବାର ବିଳମ୍ବିତ ରାତିରେ ଅଭିଯୁକ୍ତ କେଶବ ବଜ୍ରକାପ୍ତାକୁ ଏକ ବ୍ୟାଗରେ ଭର୍ତ୍ତି କରି ଆଠଗଡ଼ ଅଞ୍ଚଳରେ ବିକ୍ରି କରିବା ନେଇ ଯାଉଥିଲା । ପରେ ସେ ରାସ୍ତାରେ ବଜ୍ରକାପ୍ତା ଧରି ଗ୍ରାହକକୁ ଅପେକ୍ଷା କରିଥିଲା । ଏସମ୍ପର୍କରେ ଏସ୍ଟିଏଫ୍ ଖବର ପାଇ ସେଠାରେ ଚଢ଼ାଉ କରିଥିଲା । ଏସ୍ଟିଏଫ୍କୁ ଦେଖି ଅଭିଯୁକ୍ତ ଥରହର ହୋଇଯାଇଥିଲା । ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା । ଏହାପରେ ଏସ୍ଟିଏଫ୍ ଟିମ୍ ତାକୁ କାବୁ କରି ପଚରାଉଚରା କରିବା ସହ ବ୍ୟାଗ୍ଟିକୁ ଯାଞ୍ଚ କରିଥିଲେ । ପରେ ସେଥିରୁ ଏକ ଜୀବିତ ବଜ୍ରକାପ୍ତା ମିଳିଥିଲା । ବଜ୍ରକାପ୍ତା ରଖିବା ନେଇ ଅଭିଯୁକ୍ତ କୌଣସି ଠିକ୍ ଉତ୍ତର ଦେଇପାରିନଥିଲା । ଏହାପରେ ପୁଲିସ ଜେରା କରିବାରୁ ବଜ୍ରକାପ୍ତା ଜଣଙ୍କ ଠାରୁ କିଣି ଆଣିଥିବା ସେ କହିଥିଲା । ଏହାପରେ ପୁଲିସ ତାକୁ ଗିରଫ କରିବା ସହ ବଜ୍ରକାପ୍ତାକୁ ଉଦ୍ଧାର କରି ଜବତ କରିଥିଲା ।

 


ପରେ ସେହି ଜୀବିତ ବଜ୍ରକାପ୍ତାକୁ ବନ ବିଭାଗକୁ ହସ୍ତାନ୍ତର କରିଦିଆଯାଇଛି । ଏସ୍ଟିଏଫ୍ ଘଟଣାର ତଦନ୍ତ କରିବାକୁ ଯାଇ ଅଭିଯୁକ୍ତ କେଶବର ମୋବାଇଲ କଲ୍ ଡିଟେଲ୍ସ ଯାଞ୍ଚ କରିବା ସହ ତାଙ୍କ ଘରେ ଲୋକଙ୍କୁ ପଚରାଉଚରା କରିଛି । ବଜ୍ରକାପ୍ତା ସମେତ କାତିଗୁଡ଼ିକ କେଉଁଠୁ ଆଣିଲା? ଏହା କାହାକୁ ଦେଇଥାନ୍ତା? ଏହି ରାକେଟ୍ରେ ଆଉ କିଏ ସମ୍ପୃକ୍ତି ଅଛି ନା ନାହିଁ? ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଏସ୍ଟିଏଫ୍ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରୁଛି । ଓଡ଼ିଶାରୁ ଅଧିକାଂଶ ବଜ୍ରକାପ୍ତା ଚୀନ୍କୁ ଚୋରାଚାଲାଣ ହେଉଛି । ସେଠାରେ ବଜ୍ରକାପ୍ତା ମାଂସ ସମେତ କାତିର ବେଶ୍ ଚାହିଦା ରହିଛି । ମାଂସକୁ ଚୀନବାସୀ ସ୍ୱତନ୍ତ୍ର ଖାଦ୍ୟ ଭାବେ ଖାଉଥିବାବେଳେ କାତିକୁ ଅଳଙ୍କାର କରି ପିନ୍ଧୁଛନ୍ତି । ଅନ୍ୟପକ୍ଷରେ ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ଏସ୍ଟିଏଫ୍ ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ଜାରି ହୋଇଥିଲା । ଏହି ନମ୍ବର ଜାରି ହେବା ପରେ ବନ୍ୟଜନ୍ତୁ ଶିକାରୀଙ୍କ ସମ୍ପର୍କରେ ତଥ୍ୟ ମିଳୁଥିବା ଏସ୍ଟିଏଫ୍ ପକ୍ଷରୁ କୁହାଯାଇଛି ।

 

 

ସୂଚନାଯୋଗ୍ୟ, ଗତବର୍ଷ ଆଠଗଡ଼ ବନବିଭାଗ ଏକ ବନ୍ୟଜନ୍ତୁ ଚୋରାଚାଲାଣ ରାକେଟ୍କୁ ଠାବ କରିଥିଲା । ସେମାନଙ୍କ ଠାରୁ ୨୨ଟି ବଜ୍ରକାପ୍ତା କାତି, ହରିଣ ସିଂଘ ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିଥିଲା । ସେହିପରି ବାରଙ୍ଗ ଅଞ୍ଚଳରୁ ଏକ ଗ୍ୟାଙ୍ଗକୁ ଠାବ କରିବା ସହ ୧୦ଟି ବଜ୍ରକାପ୍ତା କାତି ଓ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଥିଲା । 

Related News