Top Stories

Search here...

News

ସାଇବର ଠକେଇରେ ଲାଗୁନି ରୋକ; ମାସକରେ ଭୁବନେଶ୍ୱରରୁ ଠକିନେଲେ ୭୭ ଲକ୍ଷ

Posted On - 1 month ago
Edited By Team BbsrReporters
LAST UPDATED Jan 07, 2022 09:49 AM

ନଭେମ୍ବର ମାସରେ ସାଇବର ଠକମାନେ ଭୁବନେଶ୍ୱରର ଲୋକଙ୍କ ଠାରୁ ୭୭ଲକ୍ଷ ୪୨ହଜାର ୬୯୬ଟଙ୍କା ଲୁଟି ନେଇଛନ୍ତି ।

 

 

BBSR Reporters

 


ଭୁବନେଶ୍ୱର: ଯେତେ ସଚେତନ କଲେ ବି ଲୋକମାନେ ସୁଧୁରିନାହାନ୍ତି । ବାରମ୍ବାର ସାଇବର ଠକଙ୍କ ଜାଲରେ ଛନ୍ଦି ହୋଇ ନିଜ ଉପାର୍ଜିତ ଧନ ହରାଇ ବସୁଛନ୍ତି । ନଭେମ୍ବର ମାସରେ ସାଇବର ଠକମାନେ ଭୁବନେଶ୍ୱରର ଲୋକଙ୍କ ଠାରୁ ୭୭ଲକ୍ଷ ୪୨ହଜାର ୬୯୬ଟଙ୍କା ଲୁଟି ନେଇଛନ୍ତି । ଏଥିମଧ୍ୟରୁ ୨୬ଲକ୍ଷ ୯୭ହଜାର ୨୪୮ଟଙ୍କା ବ୍ଲକ୍ ବା ଫେରାଇ ଆଣିବାରେ ପୋଲିସ ସଫଳ ହୋଇଛି । ଏଥିସହ ନଭେମ୍ବରରେ ଭୁବନେଶ୍ୱର ସାଇବର ସହାୟତା ଡ଼େସ୍କକୁ ସମୁଦାୟ ୪୬୦ଟି ଅଭିଯୋଗ ଆସିଥିବା କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।

 


ସୂଚନା ଅନୁଯାୟୀ, ୪୬୦ଟି କଲ୍ ମଧ୍ୟରୁ ୨୪୬ଟି ଅଭିଯୋଗକାରୀ ଭୁବନେଶ୍ୱରର । ସାଇବର ଠକମାନେ ୯୭ଟି ୟୁପିଆଇ ଠକେଇ, କ୍ରେଡ଼ିଟ୍‌/ଡ଼େବିଟ୍ କାର୍ଡ଼ ଠକେଇ ୩୬ଟି, ଅନ୍ୟାନ୍ୟ ଉପାୟରେ ୧୧୩ଟି ଠକେଇ କରିଛନ୍ତି । ଏନେଇ ଅଭିଯୋଗ ହେବା ପରେ ପୁଲିସ ୧୩ଟି ମାମଲା ରୁଜୁ କରିଥିବାବେଳେ ୫୯ଟି ନମ୍ବରକୁ ବ୍ଲକ୍ କରିଦେଇଛି । ମାସକରେ ଘଟିଥିବା ୩ଟି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ଦେଖିଲେ, ଇନ୍‌ଫୋସିଟି ଥାନା ଅଞ୍ଚଳର ଜଣେ ମହିଳାଙ୍କଠୁ ସାଇବର ଠକ ୭୫ହଜାର ଟଙ୍କା ଲୁଟି ନେଇଥିଲା । ସେ ଅଭିଯୋଗ କରିବା ପରେ ତାଙ୍କର ୭୦ହଜାର ଟଙ୍କା ଫେରିପାଇଛନ୍ତି । ସେହିପରି ନୟାପଲ୍ଲୀ ଅଞ୍ଚଳର ଜଣେ ବ୍ୟକ୍ତି ୧ଲକ୍ଷ ୪୦ହଜାର ଟଙ୍କା ଠକେଇ ହୋଇଥିବାବେଳେ ୯୭ହଜାର ଟଙ୍କା ଫେରିପାଇଥିଲେ । ଏହାସହ ଭରତପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରୁ ସାଇବର ଠକ ୧ଲକ୍ଷ ୧୮ହଜାର ଟଙ୍କା ଲୁଟି ନେଇଥିବାବେଳେ ପୁଲିସ ସମସ୍ତ ଟଙ୍କା ଫେରାଇ ଆଣିବାରେ ସଫଳ ହୋଇଛି । ତେବେ ଆଗାମୀ ଦିନରେ ଲୋକମାନେ ସମସ୍ତ ସତର୍କତା ଅବଲମ୍ବନ କରି ସାଇବର ଠକଙ୍କ ଠାରୁ ଦୂରେଇ ରହିବାକୁ ପୋଲିସ ପରାମର୍ଶ ଦେଇଛି ।

Related News