Top Stories

Search here...

News

ଜଣେ ବ୍ୟକ୍ତିଙ୍କୁ ଦୁଇ ପ୍ରକାର କୋଭିଡ୍ ଟିକା ଦିଆଯିବା ପରେ ମିଳୁଛି ଉତ୍ତମ ଫଳ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

Posted On - 1 month ago
Edited By Team BbsrReporters
LAST UPDATED Aug 03, 2021 10:39 AM

ଜଣେ ବ୍ୟକ୍ତିଙ୍କୁ ଦୁଇ ଭିନ୍ନ ପ୍ରକାର ଟିକା ଦେବାକୁ ଯୋଜନା କରୁଥିବା ରାଷ୍ଟ୍ରଗୁଡିକ ଏହାଦ୍ୱାରା ଲାଭବାନ ହେବେ ବୋଲି ବରିଷ୍ଠ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ  କହିଛନ୍ତି ।

 

BBSR Reporters


ଜେନିଭା : ଜଣେ ବ୍ୟକ୍ତିଙ୍କୁ ଦୁଇ ପ୍ରକାର କୋଭିଡ୍ ଟିକା ଦିଆଯିବା ଫଳରେ ଉତ୍ତମ ଫଳ ମିଳୁଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ବରିଷ୍ଠ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ କହିଛନ୍ତି । ଯେଉଁ ଦେଶରେ ଲୋକେ ଗୋଟିଏ ମାତ୍ର ଡୋଜ୍ ନେଇସାରିଛନ୍ତି ଏବଂ ଟିକା ଅଭାବ ଯୋଗୁଁ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଅଛନ୍ତି, ସେମାନେ ଏଥିପାଇଁ ବ୍ୟତିବ୍ୟସ୍ତ ହେବା ଉଚିତ ନୁହେଁ ବୋଲି ସୌମ୍ୟା କହିଛନ୍ତି । ଜଣେ ବ୍ୟକ୍ତିଙ୍କୁ ଦୁଇ ଭିନ୍ନ ପ୍ରକାର ଟିକା ଦେବାକୁ ଯୋଜନା କରୁଥିବା ରାଷ୍ଟ୍ରଗୁଡିକ ଏହାଦ୍ୱାରା ଲାଭବାନ ହେବେ ବୋଲି ସେ କହିଛନ୍ତି ।

 

ଏହାକୁ ଡାକ୍ତରୀ ଭାଷାରେ ‘ହେଟେରୋଲୋଗସ ପ୍ରାଇମ-ବୁଷ୍ଟ୍’ କୁହାଯାଉଛି । ତେଣୁ ଯେଉଁ ରାଷ୍ଟ୍ର ଗୋଟିଏ ପ୍ରଥମ ଡୋଜ୍ଭାବେ ନିର୍ଦ୍ଧିଷ୍ଟ କମ୍ପାନୀର ଟିକା ଲୋକଙ୍କୁ ଦେଇସାରିଛନ୍ତି, ସେମାନେ ଉକ୍ତ କମ୍ପାନୀର ଟିକାକୁ ଅପେକ୍ଷା କରିବା ଅନୁଚିତ । ସୁଯୋଗ ମିଳିଲେ, ସେମାନଙ୍କୁ ଦ୍ୱିତୀୟ ଡୋଜ୍ଭାବେ ଅନ୍ୟ କୌଣସି କମ୍ପାନୀର ଟିକା ଦେଇହେବ ବୋଲି ସୌମ୍ୟା କହିଛନ୍ତି । ଏହି ପ୍ରସଙ୍ଗରେ ବ୍ରିଟେନ, ସ୍ପେନ ଓ ଜର୍ମାନୀରୁ ମିଳିଥିବା ସୂଚନା ସମ୍ପର୍କରେ ସୌମ୍ୟା ଉଲ୍ଲେଖ କରିଛନ୍ତି । ଏହି ଦେଶଗୁଡିକରେ ଲୋକଙ୍କୁ ଦୁଇ ଭିନ୍ନ କମ୍ପାନୀର ଟିକା ଦିଆଯାଇଥିବାବେଳେ ବେଶ ସୁଫଳ ମିଳିଥିବା ସୌମ୍ୟା କହିଛନ୍ତି ।

 

ଦୁଇ ଭିନ୍ନ ପ୍ରକାର ଟିକା ନେଇଥିବା ବ୍ୟକ୍ତିଙ୍କ ଶରୀରରେ ପ୍ରତିଷେଧକ ଶକ୍ତି ଯଥେଷ୍ଟ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି । ଅବଶ୍ୟ ଅନ୍ୟ ଟିକା ଭଳି ଭିନ୍ନ କମ୍ପାନୀର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିଙ୍କ ଶରୀରରେ ଜ୍ୱର, ଦେହବ୍ୟଥା ଭଳି ସାମାନ୍ୟ ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଦେଶରେ ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ମାଲେସିଆ ବର୍ତ୍ତମାନ ଲୋକଙ୍କୁ ଆଷ୍ଟ୍ରାଜେନିକା ଓ ଫାଇଜର କମ୍ପାନୀର ଟିକା ଦେବାକୁ ପ୍ରସ୍ତୁତି ଚଳାଇଛି । ସୌମ୍ୟାଙ୍କ ଏହି ଯୁକ୍ତିକୁ ଏକାଧିକ ବିଶେଷଜ୍ଞ ସମର୍ଥନ କରିଛନ୍ତି ।


   ବର୍ତ୍ତମାନ ବିଭିନ୍ନ ରାଷ୍ଟ୍ର ଓ ଫାର୍ମା କମ୍ପାନୀ ରୂପାନ୍ତରିତ ଭୂତାଣୁର ମୁକାବିଲା କରିବାକୁ ବୁଷ୍ଟର ଡୋଜ୍ ପ୍ରସ୍ତୁତି ଲକ୍ଷ୍ୟରେ ରହିଛନ୍ତି । ଭାରତରେ ବର୍ତ୍ତମାନ କୋଭିସିଲ୍ଡ ଓ କୋଭାକ୍ସିନ ଭଳି ଦୁଇଟି କୋଭିଡ୍ ଟିକା ଲୋକଙ୍କୁ ଦିଆଯାଉଛି । ପ୍ରଚଳିତ ଗାଇଡ୍ଲାଇନ ଅନୁଯାୟୀ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ଗୋଟିଏ ପ୍ରକାର ଟିକାର ଦୁଇଟି ଡୋଜ୍ ଦିଆଯାଉଛି । ଅର୍ଥାତ ଯେଉଁ ବ୍ୟକ୍ତି ପ୍ରଥମ ଡୋଜ୍ଭାବେ କୋଭିସିଲ୍ଡ ନେଇଛନ୍ତି, ତାଙ୍କୁ ବାଧ୍ୟତାମୂଳକଭାବେ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ମଧ୍ୟ ଦିଆଯିବ । ତେବେ କିଛି ମାସ ପୂର୍ବେ ଭାରତରେ ଟିକାର ଅଭାବ ପରିଲକ୍ଷିତ ହୋଇଥିଲା ।

 

ବିଶେଷକରି ସେରମ୍ ଇନ୍ଷ୍ଟିଚୁ୍ୟଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଆବଶ୍ୟକ ପରିମାଣରେ ଉପଲବ୍ଧ ହୋଇନପାରିବାରୁ ଏହି ଟିକାର ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଥିବା ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଆବଶ୍ୟକତା ତୁଳନାରେ ଯୋଗାଣ କମ୍ ଥିବାରୁ ଲୋକେ ଅସନ୍ତୁଷ୍ଟ ହୋଇଥିଲେ । କୋଭିସିଲ୍ଡର ଦୁଇଟି ଡୋଜ୍ ମଧ୍ୟରେ ଅତିକମରେ ୪ ସପ୍ତାହ ବ୍ୟବଧାନ ରହିବ ବୋଲି ପ୍ରଥମେ କୁହାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ବ୍ୟବଧାନ ୬ରୁ ୮ ସପ୍ତାହକୁ ବୃଦ୍ଧି କରାଯାଇଥିଲା ।

 

ତେବେ ଗତ ମେ’ରେ ଭାରତ ସରକାର ଏହି ବ୍ୟବଧାନ ୧୨ରୁ ୧୬ ସପ୍ତାହକୁ ବୃଦ୍ଧି କରିବା ଫଳରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଟିକା ଅଭାବ ପ୍ରସଙ୍ଗକୁ ଘଣ୍ଟ ଘୋଡାଇବାକୁ ଯାଇ ସରକାର ଦୁଇଟି ଡୋଜ୍ ମଧ୍ୟରେ ସମୟ ବ୍ୟବଧାନ ବୃଦ୍ଧି କରୁଛନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଥିଲା । ସରକାର ଅବଶ୍ୟ ଏହା ପଛରେ ଥିବା ବିଜ୍ଞାନସମ୍ମତ କାରଣ ଦର୍ଶାଇଥିଲେ । ତେବେ ଲୋକଙ୍କ ମନରୁ ଏହି ଦ୍ୱନ୍ଦ୍ୱ ଦୂର କରିବାରେ ଏହା ଏତେଟା ସଫଳ ହୋଇପାରିନଥିଲା ।

Related News