Top Stories

Search here...

News

ପୋଲିସ ଏସକର୍ଟରେ କଳା ଟଙ୍କା ପିପିଲି ନିର୍ବାଚନରେ  ଲଗାଉଛି ଶାସକ ବିଜେଡି : ମନମୋହନ ସାମଲ

Posted On - 1 week ago
Edited By Team BbsrReporters
LAST UPDATED Apr 19, 2021 11:32 PM


ଶାସକ ବିଜେଡି ବିରୁଦ୍ଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲା ବିଜେପି


BBSR Reporters


ଭୁବନେଶ୍ୱର: ନିର୍ବାଚନରେ ବିଜେଡି ବିପୁଳ ଅର୍ଥ ଖର୍ଚ୍ଚ କରି ଭୋଟ ହାତେଇବାର ଏକ ଉଦାହରଣ ଆଜି ସମସ୍ତଙ୍କୁ ଆଚମ୍ବିତ କରିବା ସହ ତାଙ୍କର ମିଛ ବାହାଷ୍ପୋଟ ଆଜି ୪.୫ କୋଟି ଓଡିଆଙ୍କ ସମ୍ମୁଖରେ ପଦାରେ ପଡିଛି । ସରକାରୀ କଳ ଓ ପୋଲିସ ପ୍ରଶାସନକୁ ଅପବ୍ୟବହାର କରି ନିର୍ବାଚନ ଜିତିବା ତାଙ୍କ ଅଭ୍ୟାସରେ ପରିଣତ ହୋଇଛି । କେବଳ ଅର୍ଥ ବଳ ବିଜେଡି ପାଇଁ ଏକମାତ୍ର ମାଧ୍ୟମ ହୋଇ ରହିଯାଇଛି ବୋଲି ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲ କହିଛନ୍ତି ।

 

ପିପିଲି ଜନମତ ବିଜେପି ଆଡକୁ ଢଳିବା ଦେଖି ଶାସକ ବିଜୁ ଜନତା ଦଳ ଛାନିଆ ହୋଇପଡିଛି । ପିପିଲି ଉପ ନିର୍ବାଚନକୁ ହାତେଇବା ନିମନ୍ତେ ବିଜେଡି ସମସ୍ତ ପ୍ରକାରର କଳ, ବଳ, ଅର୍ଥ ଓ ଅନୈତିକ କୈାଶଳକୁ ବ୍ୟବହାର କରୁଥିବାର ଆଜି ପୁଣି ଥରେ ପ୍ରମାଣିତ ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।


ଆଜି ପିପିଲି ନିର୍ବାଚନମଣ୍ଡଳୀ ହାଟସାହି ଅନ୍ତର୍ଗତ ବାଜପେୟୀ ଛକଠାରେ ଏକ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ଗାଡିରେ ଥିବା କଳା ବ୍ୟାଗରେ ବିପୁଳ ଟଙ୍କା ସହ ଶାସକ ବିଜେଡି ଦଳୀୟ ପ୍ରଚାର ସାମଗ୍ରୀ, ଶଙ୍ଖ ଚିହ୍ନ ଥିବା ଟୋପି ଓ ଉତରୀୟ ଆଦି ଅନ୍ୟ ଏକ ଗାଡିକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହି ଗାଡିରେ ଶାସକ ଦଳ ଲୋକ ଏବଂ ସେମାନଙ୍କ ସହ କିଛି କର୍ମୀ ଥିଲେ । ଦୁର୍ଘଟଣା ପରେ ପୋଲିସର ଉପସ୍ଥିତି ଓ ସହାୟତାରେ ବିଜେଡି କର୍ମୀମାନେ ଦୁର୍ଘଟଣା ହୋଇଥିବା ଗାଡିରୁ ଅନ୍ୟ ଏକ ଗାଡିକୁ ଟ୍ରାନ୍ସଫର କରିଥିଲେ । ପୋଲିସ ଏସକର୍ଟରେ ଶାସକ ବିଜେଡିର ବିପୁଳ ଟଙ୍କାକୁ ଅନ୍ୟତ୍ର ସ୍ଥାନାନ୍ତର କରାଗଲା । ପୋଲିସ ଏସକର୍ଟରେ ଶାସକ ବିଜେଡି ବିପୁଳ କଳା ଟଙ୍କା ନିର୍ବାଚନରେ ବ୍ୟବହାର କରୁଛି ଯାହାକି ଗଣତନ୍ତ୍ର ପ୍ରତି ଏକ ଉପହାସ ବୋଲି ଶ୍ରୀ ସାମଲ କହିଛନ୍ତି । ଦୁର୍ଘଟଣାଗ୍ରସ୍ତ ଗାଡିର ଫଟୋ ଓ ନମ୍ବର, ପର୍ଯ୍ୟାପ୍ତ ପରିମାଣ ଅର୍ଥ ଥିବା କଳା ରଙ୍ଗର ବ୍ୟାଗର ଫଟୋ ସହ ଦଳୀୟ ପ୍ରଚାର ପାଇଁ ବ୍ୟବହୃତ ପ୍ରଚାର ସାମଗ୍ରୀର ଫଟୋ ଆଦି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭେଟି ପ୍ରଦାନ କରିଛୁ । 

 

ଏହି ସଂପର୍କରେ ଏକ ନିରପେକ୍ଷ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବୀ କରାଯାଇଛି ବୋଲି ଶ୍ରୀ ସାମଲ ଜଣାଇଛନ୍ତି । ଆଜିର ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି, ସୋନାଲୀ ସାହୁ ଏବଂ ଲିଗାଲ କୋର୍ଟିନେଟର ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Related News