Top Stories

Search here...

News

ଦୁଇଟି ପ୍ରସଙ୍ଗ ଉପରେ ନିର୍ଭରଶୀଳ କୋଭିଡର ତୃତୀୟ ଲହର

Posted On - 1 month ago
Edited By Team BbsrReporters
LAST UPDATED Aug 03, 2021 03:15 PM

ଯଦି ସଂପୃକ୍ତ ମହାମାରୀର ଭୂତାଣୁ ରୂପାନ୍ତରିତ ହୋଇ ଅଧିକ ସଂକ୍ରମଣ କରେ, ତେବେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ବୋଲି ପ୍ରଫେସର ଡାଃ ନୀରଜ ନିଶ୍ଚଲ କହିଛନ୍ତି ।

 

BBSR Reporters

 

ନୂଆଦିଲ୍ଲୀ: କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ବର୍ତ୍ତମାନ ଦେଶରେ ଆତଙ୍କର ବାତାବରଣ ଅବ୍ୟାହତ ରହିଛି । ସରକାର ଓ ଜନସାଧାରଣ ଏହାକୁ ନେଇ ଏକପ୍ରକାର ଚିନ୍ତିତ ହୋଇପଡିଛନ୍ତି । ତେବେ ଦୁଇଟି ମୁଖ୍ୟ ପ୍ରସଙ୍ଗ ଉପରେ ଆଗାମୀ ଲହର ନିର୍ଭର କରୁଛି ବୋଲି ଦିଲ୍ଲୀ ଏମ୍ସର ଭେଷଜ ବିଭାଗରେ କାର୍ଯ୍ୟରତ ସହକାରୀ ପ୍ରଫେସର ଡାଃ ନୀରଜ ନିଶ୍ଚଲ କହିଛନ୍ତି । ତାଙ୍କ ମତରେ ଯେକୌଣସି ମହାମାରୀ ଦୁଇଟି ପ୍ରସଙ୍ଗକୁ ନେଇ ଉତ୍ସଟ ରୂପ ଧାରଣ କରିଥାଏ । ଏଥିମଧ୍ୟରୁ ଗୋଟିଏ ଭୂତାଣୁ ଜନିତ ହୋଇଥିବାବେଳେ ଅନ୍ୟଟି ମାନବ ଜନିତ । ଯଦି ସଂପୃକ୍ତ ମହାମାରୀର ଭୂତାଣୁ ରୂପାନ୍ତରିତ ହୋଇ ଅଧିକ ସଂକ୍ରମଣ କରେ, ତେବେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ବୋଲି ସେ କହିଛନ୍ତି ।

 

ଯଦି ଆମେ ନିଜ ଶରୀରରେ ଏହି ଭୂତାଣୁକୁ ପ୍ରତିରୂପ ସୃଷ୍ଟି କରିବାକୁ ସୁଯୋଗ ନ ଦେବା, ତାହାହେଲେ ଏହି ରୂପାନ୍ତରିତ ଭୂତାଣୁକୁ ଏଡାଇ ଦିଆଯାଇପାରିବ । ଏଥିପାଇଁ ଆମର ଜୀବନଶୈଳୀକୁ ନିୟନ୍ତ୍ରିତ କରିବାକୁ ପଡିବ ବୋଲି ସେ କହିଛନ୍ତି । ବିଗତ ୧୫/୧୬ ମାସ ହେଲା ଆମେ କୋଭିଡ୍ ଭୂତାଣୁର ପ୍ରକୃତ ଆଚରଣକୁ ନେଇ ଚର୍ଚ୍ଚା କରିଆସୁଛୁ । ତେଣୁ ଶୃଙ୍ଖଳିତ ଜୀବନଶୈଳୀ ଆପଣାଇ ଆମେ ଏହି ଲହରର ମୁକାବିଲା କରିବାରେ ସମର୍ଥ ହେବୁ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଦ୍ୱିତୀୟ ଲହରରେ ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ।

 

ବର୍ତ୍ତମାନ ଦେଶରେ କୋଭିଡ୍ ଜନିତ ଦୈନିକ ସଂକ୍ରମଣ କ୍ରମଶଃ ହ୍ରାସ ପାଉଥିବାରୁ ଅଧିକାଂଶ ରାଜ୍ୟରେ କଟକଣାକୁ କୋହଳ କରାଯାଉଛି । ଏଥିଯୋଗୁଁ ବଜାର ଘାଟରେ ପୁଣି ଲୋକଙ୍କ ଭିଡ ପରିଲକ୍ଷିତ ହେଉଛି । କୋଭିଡ୍ର ପରିସମାପ୍ତି ଘଟିଲାଣି ବୋଲି ଲୋକେ ବିଶ୍ୱାସ କରିବା ସହ କଟକଣାକୁ ମାନିବାକୁ ମାନସିକସ୍ତରରେ ଆଦୌ ପ୍ରସ୍ତୁତ ନଥିବା ସେ କହିଛନ୍ତି । ତେବେ ଲୋକଙ୍କ ଏଭଳି ଆଚରଣ ଦ୍ୱାରା ପୁଣି ଏକ ଲହର ଆସିବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇସାରିଲେଣି । କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଲକ୍ଡାଉନର ଆବଶ୍ୟକତା ରହିଛିି ବୋଲି ଡାଃ ନୀରଜ କହିଛନ୍ତି ।

 

ଲୋକେ ଯଦି ଏହି ମହାମାରୀର ଭୟାବହତାକୁ ହୃଦୟଙ୍ଗମ କରି କଟକଣାକୁ ମାନି ଚଳିବେ, ତେବେ ଆଗାମୀ ଲହର ଏତେଟା ପ୍ରଭାବଶାଳୀ ହେବ ନାହିଁ ବୋଲି ସେ ଆଶ୍ୱାସନା ମଧ୍ୟ ଦେଇଛନ୍ତି । ଏଥିସହିତ ବ୍ୟାପକ ଟିକାକରଣ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି । ଏହାଦ୍ୱାରା ସଂକ୍ରମଣର ଭୟାବହତାକୁ ଅକ୍ଲେଶରେ ମୁକାବିଲା କରାଯାଇପାରିବ । ଟିକା ନେଇଥିବା ବ୍ୟକ୍ତି ପରବର୍ତ୍ତୀ ସମୟରେ ସଂକ୍ରମିତ ହେଲେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏତେଟା ଗୁରୁତର ହେବନି ବୋଲି ସେ କହିଛନ୍ତି ।


 

Related News