Top Stories

Search here...

News

ଟ୍ରକ ଡ୍ରାଇଭରକୁ ଚାପୁଡା ମାରି ହଟହଟା ହେଲେ ଧର୍ମଶାଳା ତହସିଲଦାର 

Posted On - 1 month ago
Edited By Prabir Kumar
LAST UPDATED Jan 18, 2022 09:41 AM

ଯାଜପୁର ରୋଡ ଏସଡିପିଓ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଂଚି, ଅଟକ ତହସିଲଦାର, ଆଡିସନାଲ ତହସିଲଦାର ଏବଂ ଆରଆଇଙ୍କୁ ଉଦ୍ଧାର କରିଛନ୍ତି ।

 

BBSR Reporters

 


କଟକ: ଟ୍ରକ ଡ୍ରାଇଭରକୁ ଚାପୁଡା ମାରି ହଟହଟା ହେଲେ ଧର୍ମଶାଳା ତହସିଲଦାର । ଧର୍ମଶାଳା ତହସିଲଦାର ଟ୍ରକ ଡ୍ରାଇଭରକୁ ଚାପୁଡା ମାରିବା ଘଟଣାକୁ ନେଇ ରାସ୍ତାକୁ ଓହ୍ଲାଇଥିଲା ଗାଡି ଚାଳକ ସଂଘ । ଏପରି କି ଚଢେଇଧରା ଫାଣ୍ଡିରେ ପଶିଯାଇଥିବା ତହସିଲଦାରଙ୍କୁ ଦୀର୍ଘ ସମୟ ଧରି ଗାଡି ଚାଳକ ସଂଘ ଅଟକ ରଖିଥିଲେ । ଖବର ପାଇଁ ଯାଜପୁର ରୋଡ ଏସଡିପିଓ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଂଚି, ଅଟକ ତହସିଲଦାର, ଆଡିସନାଲ ତହସିଲଦାର ଏବଂ ଆରଆଇଙ୍କୁ ଉଦ୍ଧାର କରିଛନ୍ତି । ଗାଡି ଚାଳକ ସଂଘକୁ ବୁଝାସୁଝା କରିବା ପରେ ମାମଲା ଶାନ୍ତ ପଡିଛି ।

 

ସୂଚନା ଅନୁସାରେ ଆଜି ସକାଳେ ଧର୍ମଶାଳା ତହସିଲଦାର, ଚଢେଇ ଧରା ଫାଣ୍ଡି ନିକଟରେ କଳାପଥର ବୋଝେଇ ଦୁଇଟି ଟ୍ରକକୁ ଅଟକ ରଖି କାଗଜପତ୍ର ଯାଂଚ କରିଥିଲେ । ଜାଲ କାଗଜପତ୍ର ଦେଖାଉଥିବା କହି ତହସିଲଦାର, ଦୁଇ ଡ୍ରାଇଭରଙ୍କୁ ଚାପୁଡା ମାରିବା ସହ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଏହା ଗାଡି ଚାଳକ ସଂଘକୁ ମାଡ ଖାଇଥିବା ଦୁଇ ଡ୍ରାଇଭର ଜଣାଇବା ପରେ ଘଟଣାସ୍ଥଳରେ ପହଂଚିଥିଲେ ଶତାଧିକ ଗାଡି ଚାଳକ । ବିନା କାରଣରେ ଡ୍ରାଇଭରଙ୍କୁ ଦୁର୍ବ୍ୟବହାର କରିଥିବା ତହସିଲଦାର କ୍ଷମା ମାଗିବାକୁ ଦାବି କରିଥିଲା ସଂଘ । ସ୍ଥିତି ବିଗୁଡୁଥିବା ଦେଖି ଚଢେଇଧରା ଫାଣ୍ଡି ଭିତରେ ପଶିଯାଇଥିଲେ ରାସ୍ତାରେ ଯାଂଚ କରୁଥିବା ତହସିଲଦାର, ଆଡିସନାଲ ତହସିଲଦାର ଏବଂ ଆରଆଇ ।

 

ଏହାପରେ ଗାଡି ଚାଳକ ସଂଘର ସଦସ୍ୟ, ଚଢେଇଧରା ଫାଣ୍ଡିକୁ ଦୀର୍ଘ ସମୟ ଧରି ଘେରାଉ କରିବାରୁ, ରାଜସ୍ୱ ଅଧିକାରୀ ଦୀର୍ଘ ସମୟ ଧରି ଫାଣ୍ଡି ଭିତରେ ଫସି ରହିଥିଲେ ।ତହସିଲଦାର ଦୁଇ ଟ୍ରକ ଡ୍ରାଇଭରକୁ କ୍ଷମା ମାଗିବା ଦାବିରେ ଚଢେଇଧରା ଫାଣ୍ଡି ନିକଟ ରାସ୍ତାକୁ ମଧ୍ୟ ଅବରୋଧ କରିଥିଲେ । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଯାଜପୁର ଏସଡିପିଓ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଂଚି ବିକ୍ଷୋଭକାରୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ରାସ୍ତାରୋକ ହଟିବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି ।
 

Related News