Top Stories

Search here...

News

ଚଳିତବର୍ଷ ଶେଷ ଆଡ଼କୁ ହୋଇପାରେ ଆଇସିସି  ଟି-୨୦ ବିଶ୍ୱକପ୍

Posted On - 1 week ago
Edited By Team BbsrReporters
LAST UPDATED Apr 20, 2021 08:59 PM

ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଆମ ପାଖରେ "ବ୍ୟାକ୍ଅପ୍ ପ୍ଲାନ୍' ରହିଛି ବୋଲି ଆଇସିସି ଅନ୍ତରୀଣ ସିଇଓ ଜ୍ୟୋଫ୍ ଅଲର୍ଡିସ୍  କହିଛନ୍ତି ।

 

BBSR Reporters


 
ନୂଆଦିଲ୍ଲୀ: ଚଳିତବର୍ଷ ଶେଷ ଆଡ଼କୁ ଭାରତରେ ହେବାକୁ ଥିବା ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଆମ ପାଖରେ "ବ୍ୟାକ୍ଅପ୍ ପ୍ଲାନ୍' ରହିଛି ବୋଲି ଆଇସିସି ଅନ୍ତରୀଣ ସିଇଓ ଜ୍ୟୋଫ୍ ଅଲର୍ଡିସ୍ ବୁଧବାର କହିଛନ୍ତି । ତେବେ ଦେଶରେ କୋଭିଡ୍-୧୯ ମାମଲାରେ ବୃଦ୍ଧି ସତ୍ତ୍ୱେ ଦେଶରୁ ଟୁର୍ଣ୍ଣାମେଣ୍ଟ ସ୍ଥାନାନ୍ତର କରିବା ସମ୍ପର୍କରେ କୌଣସି ଚିନ୍ତା କରାଯାଇ ନାହିଁ ବୋଲି ଜଣାଇଛନ୍ତି । ଭାରତରେ ଟି-୨୦ ବିଶ୍ୱ କପ୍ ଆୟୋଜନ ଅକ୍ଟୋବର-ନଭେମ୍ବରରେ କରାଯିବ । ଏବେ ଦେଶରେ ପ୍ରତି ଦିନ ୧ ଲକ୍ଷରୁ ଊଦ୍ଧ୍ୱର୍ କୋଭିଡ୍ ସଂକ୍ରମଣ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଏପରି ସ୍ଥିତିରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ତମ ସଂସ୍କରଣ ବିନା ଦର୍ଶନରେ ଏପ୍ରିଲ୍ ୯ ତାରିଖରେ ଚେନ୍ନାଇରେ ଆରମ୍ଭ ହେବ ।

 

ବୁଧବାର ଅନୁଷ୍ଠିତ ମିଡିଆ ରାଉଣ୍ଡ୍ ଟେବଲ୍ ଅବସରରେ ଅଲାର୍ଡିସ୍ କହିଛନ୍ତି, "ଆମେ ନିଶ୍ଚିତ ଭାବେ ଟୁର୍ଣ୍ଣାମେଣ୍ଟକୁ ନେଇ ଯୋଜନା ଅନୁସାରେ ଆଗକୁ ବଢ଼ୁଛୁ । ଆମ ପାଖରେ ଦ୍ୱିତୀୟ ଯୋଜନା ରହିଛି । ମାତ୍ର ଆମେ ଏବେ ସେହି ଯୋଜନା ଉପରେ ବିଚାର କରିନାହୁଁ । ଆମେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ସହିତ କାମ କରୁଛୁ । ଆମ ପାଖରେ "ବ୍ୟାକ୍ଅପ୍' ଯୋଜନା ରହିଛି, ଯାହା ଆବଶ୍ୟକ ପଡ଼ିଲେ ଆରମ୍ଭ କରାଯିବ ।'
ମନୁ ସାହାଣୀଙ୍କୁ ଛୁଟିରେ ପଠାଇବା ପରେ ଆଇସିସି କ୍ରିକେଟ୍ ମହାପ୍ରବଦ୍ଧକ ଅଲାର୍ଡିସ୍ଙ୍କୁ ନିକଟରେ ଅନ୍ତରୀଣ ସିଇଓ ନିଯୁକ୍ତ କରାଯାଇଛି ।

 

୫୩ ବର୍ଷୀୟ ଅଲାର୍ଡିସ ନିଜ ଦେଶ ଅଷ୍ଟ୍ରେଲିଆ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳିଛନ୍ତି । ଅନ୍ୟ ଦେଶର କ୍ରୀଡ଼ା ସଂସ୍ଥା କୋଭିଡ୍ ସମୟରେ ନିଜ ଦେଶରେ କିପରି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛନ୍ତି ତାହା ଜାଣିବା ପାଇଁ ଆଇସିସି ସେମାନଙ୍କ ସମ୍ପର୍କରେ ରହିଛି ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ, ଏବେ ବହୁ ଦେଶରେ କ୍ରିକେଟ୍ ଖେଳାଯାଉଛି ଏବଂ ସେମାନଙ୍କଠାରୁ ଶିଖୁଛୁ । ଆମେ ଅନ୍ୟ କ୍ରୀଡ଼ା ସଂସ୍ଥାଙ୍କ ସହ ଆଲୋଚନା କରୁଛୁ ଯେ ସେମାନେ କ'ଣ କରୁଛନ୍ତି । ବର୍ତ୍ତମାନ  ଆମେ ଭଲ ସ୍ଥିତିରେ ଥିଲେ ମଧ୍ୟ ସାରା ବିଶ୍ୱରେ ସବୁକିଛି ବହୁ ଶୀଘ୍ର ବଦଳିବାରେ ଲାଗିଛି ତାହା ମାନିବାକୁ ପଡ଼ିବ । ସେ ଆହୁରି କହିଥିଲେ, ଦୁଇମାସ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍ଶିପ୍ ଫାଇନାଲ୍ ବି ହେବ । ଆମକୁ ଯୋଜନାନୁସାରେ ହିଁ ଚାଲିବାକୁ ପଡ଼ବ ।

 


ୟୁଏଇରେ ଗତ ଆଇପିଏଲ୍ ସଂସ୍କରଣ ଖେଳାଯାଇଥିଲା । ତେଣୁ ଏହା ବି ଏହି ବୃହତ୍ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍ ଆୟୋଜନ ପାଇଁ "ବ୍ୟାକ୍ଅପ୍' ଭେନୁ୍ୟ ହୋଇପାରେ । ଡିଆର୍ଏସ୍ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ସ୍ପଷ୍ଟ ତୃଟିକୁ ବଦଳାଇବା ପାଇଁ ଡିଆର୍ଏସ୍ ଲାଗୁ କରାଯାଇଥିଲା । ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ସେ କହିଥିଲେ, ଆପଣ ଯେତେବେଳେ ବାରମ୍ବାର ରିପ୍ଲେ ଦେଖୁଛନ୍ତି, ସେତେବେଳେ ଆମର ପ୍ରତିକ୍ରିୟା ରହୁଛି, ଏଥିରେ ସ୍ପଷ୍ଟ ଦେଖାଯାଉଥିବା ତ୍ରୁଟିକୁ ବଦଳାଇଦେବା ପାଇଁ । ଆମେ ଏପରି ଏକ ସ୍ଥିତିରେ ପହଞ୍ଚିଯାଇଛି ଯେ ଠିକ୍ ନିଷ୍ପତ୍ତି ପାଇଁ ଟେକ୍ନୋଲୋଜିର ବ୍ୟବହାର କରୁଛେ । ମାତ୍ର "ପର୍ଫେକ୍ସନ୍' ପାଇଁ ଉଦ୍ୟମ ଅସମ୍ଭବ ହୋଇଯାଉଛି । ବର୍ତ୍ତମାନ ଆମେ ଯେଉଁଠି ଅଛେ, ଠିକ୍ ଅଛେ ବୋଲି ସେ କହିଥିଲେ । ସେହିପରି କୋଭିଡ୍-୧୯ ମହିଳା କ୍ରିକେଟ୍କୁ ମଧ୍ୟ ପ୍ରଭାବିତ କରିଛି ବୋଲି ସେ ସ୍ୱୀକାର କରିଥିଲେ ।
 

Related News