Top Stories

Search here...

News

ଆଇପିଏଲ୍-୧୪: ଜାଣନ୍ତୁ ଶ୍ରେଷ୍ଠ-୧୦ ବ୍ୟାଟିଂ ପ୍ରଦର୍ଶନ ଉପରେ 

Posted On - 2 weeks ago
Edited By Archana Aluk
LAST UPDATED Apr 20, 2021 10:34 PM

ସମୁଦାୟ ୬ଟି ସ୍ଥାନରେ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ହୋମ୍ ଓ ଆୱେ ଫର୍ମାଟ୍କୁ ଜଳାଞ୍ଜଳି ଦିଆଯାଇଛି ।

 

BBSR Reporters


ଆସନ୍ତା ଦିନ କେଇଟା ପରେ ବାଜିବ କ୍ରିକେଟ ମହାସମର ବୋଲାଉଥିବା ଆଇପିଏଲ୍-୧୪ର ଦୁନ୍ଦୁଭି । ୫୨ ଦିନ ବ୍ୟାପୀ ହେବାକୁ ଥିବା ଏହି ମୁକାବିଲାରେ ନିଜର ଦମ୍ଭ ଦେଖାଇବା ସକାଶେ ୮ଟିଯାକ ଦଳ ସେମାନଙ୍କ ପ୍ରସ୍ତୁତିକୁ ବେଶ୍ ଜୋର୍ଦାର କରିଛନ୍ତି । ଦୁଇ ମାସ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ପ୍ଲେଅଫ୍ ଓ ଫାଇନାଲ୍ ମ୍ୟାଚ୍ ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ସମୁଦାୟ ୬ଟି ଭେନୁ୍ୟରେ ଏହି ମ୍ୟାଚ୍ଗୁଡିକ ଖେଳାଯିବାକୁ ଥିବା ବେଳେ ଆଇପିଏଲ୍ ଇତିହାସରେ ପ୍ରଥମ ଥର ପାଇଁ ହୋମ୍ ଓ ଆୱେ ଫର୍ମାଟ୍କୁ ଜଳାଞ୍ଜଳି ଦିଆଯାଇଛି । ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ମ୍ୟାଚ୍ଗୁଡ଼ିକ ଖେଳାଯିବ । ଏଥିସହ ଦୁଇଟି ବିକଳ୍ପ ଭେନୁ୍ୟ ମଧ୍ୟ ଚୟନ କରାଯାଇଛି । ୬୦ଟି ମୁକାବିଲାରେ ୧୧ଟି ଡବଲ ହେଡର ରହିଛି । ଅପରାହ୍ଣର ମ୍ୟାଚ୍ଗୁଡିକ ୩.୩୦ରୁ ଓ ସନ୍ଧ୍ୟା ମ୍ୟାଚ୍ଗୁଡିକ ୭.୩୦ରୁ ଆରମ୍ଭ ହେବ । ପ୍ରତ୍ୟେକ ଦଳ ସମୁଦାୟ ୪ଟି ଷ୍ଟାଡିୟମରେ ନିଜର ଲିଗ୍ ମ୍ୟାଚ୍ ଖେଳିବେ ।

 

 

ପ୍ରଥମ ଥର ପାଇଁ ଭାରତ ମାଟିରେ ଆଇପିଏଲ ବିନା ଦର୍ଶକଙ୍କ କରତାଳିରେ ଖେଳାଯିବ । ଅବଶ୍ୟ ଗତ ସଂସ୍କରଣରେ ମଧ୍ୟ କୋଭିଡ୍ କଟକଣାା କାରଣରୁ ଦର୍ଶକଙ୍କୁ ଷ୍ଟାଡିୟମ୍ରେ ପ୍ରବେଶ ପାଇଁ ଅ୍ନୁମତି ମିଳି ନ ଥିଲା । କିନ୍ତୁ ଉକ୍ତ ସଂସ୍କରଣଟି୍ ସମ୍ପୂର୍ଣ୍ଣ ଭାବେ ୟୁଏଇରେ ଖେଳାଯାଇଥିଲା । ତେବେ ଆଇପିଏଲ୍ ବିଶ୍ୱର ସବୁଠାରୁ ଲୋକପ୍ରିୟ ଲିଗ୍ ଭାବେ ପରିଚିତ ଥିବାରୁ ଏଥିରେ ଅନେକ ଏପରି ବ୍ୟାଟିଂ ପ୍ରଦର୍ଶନ ଦେଖିବାକୁ ମିଳିଛି, ଯାହା ବିଷୟରେ ଆଲୋଚନା କରିବା ଯଥାର୍ଥ । ଏଥିରେ ୟୁନିଭର୍ସାଲ୍ ବସ୍ ଭାବେ ପରିଚିତ ଟି-୨୦ର ସବୁଠାରୁ ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ ଭାବେ ପରିଚିତ କ୍ରିସ୍ ଗେଲଙ୍କ ନାମରେ ୪ଟି ରେକର୍ଡ ରହିଛି । ସେ ସର୍ବାଧିକ ଶତକ ସହ ସର୍ବାଧିକ ବ୍ୟକ୍ତିଗତ ରନ୍, ସର୍ବାଧିକ ଛକା ଓ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିଛନ୍ତି । ଆସନ୍ତୁ ଗେଲଙ୍କ ରେକର୍ଡ ସହ ଆଇପିଏଲର ଶ୍ରେଷ୍ଠ ୧୦ଟି ଶ୍ରେଷ୍ଠ ବ୍ୟାଟିଂ ପ୍ରଦର୍ଶନ ଉପରେ ନଜର ପକାଇବା ।

 


ସର୍ବାଧିକ ଶତକ:

ଟି-୨୦ ଫର୍ମାଟରେ ଶତକ ହାସଲ କରିବା ଏତେ ସହଜସାଧ୍ୟ ହୋଇନଥିଲେ ହେଁ କ୍ୟାରିବିୟାନ୍ ବ୍ୟାଟ୍ସମ୍ୟାନ୍ ତଥା ୟୁନିଭର୍ସାଲ୍ ବସ୍ ଭାବେ ପରିଚିତ କ୍ରିସ୍ ଗେଲ୍ ଆଇପିଏଲ୍ରେ ୬ଟି ଶତକ ହାସଲ କରିଛନ୍ତି । ଗେଲ୍ଙ୍କ ପଛକୁ ରହିଛନ୍ତି ଆରସିବି ତଥା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ହାଇଦ୍ରାବାଦର ଡେଭିଡ୍ ୱାର୍ଣ୍ଣର ଏବଂ ଶେନ୍ ୱାଟ୍ସନ୍ ୪ଟି ଲେଖାଏଁ ଶତକ ସହ ଯଥାକ୍ରମେ ୩ ଓ ୪ ନମ୍ବରରେ ରହିଛନ୍ତି । ଏହାଛଡ଼ା ଆରସିବିର ମିଷ୍ଟଣ୍ ୩୬୦ ଡିଗ୍ରୀ ଭାବେ ପରିଚିତ ଏବି ଡିଭିଲିୟର୍ସ ୩ଟି ଶତକ ସହ ପଞ୍ଚମ ସ୍ଥାନରେ ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ କୋହଲି ତାଙ୍କର ସମସ୍ତ ଶତକ ଗୋଟିଏ ଫ୍ରାଞ୍ଚାଇଜି (ରୟାଲ୍ ଚାଲେର୍ଞ୍ଜ ବାଙ୍ଗାଲୋର୍) ପାଇଁ ହାସଲ କରିଛନ୍ତି ।


ସର୍ବାଧିକ ରନ୍:

ଆରସିବି ଅଧିନାୟକ ବିରାଟ କୋହଲି ଆଇପିଏଲ୍ରେ ସର୍ବାଧିକ ରନ୍ ସ୍କୋର୍ କରି ଏହି ତାଲିକାର ଏକ ନମ୍ବର ସ୍ଥାନରେ ରହିଛନ୍ତି । କୋହଲି ୧୯୨ଟି ମ୍ୟାଚ୍ରେ ୫ ହଜାର ୮୭୮ ରନ୍ କରିଥିବା ବେଳେ ସିଏସ୍କେର ସୁରେଶ ରାଇନା ୧୯୩ଟି ମ୍ୟାଚରେ ୫ ହଜାର ୩୬୮ ରନ୍ କରି ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଡେଭିଡ୍ ୱାର୍ଣ୍ଣର ୧୪୨ଟି ମ୍ୟାଚ୍ରେ ୫ ହଜାର ୨୫୪ ରନ୍ କରିଥିବା ବେଳେ ଆଇପିଏଲ୍ରେ ସର୍ବାଧିକ ମ୍ୟାଚ୍ ଖେଳିଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ୨୦୦ ମ୍ୟାଚ୍ରେ ୫ ହଜାର ୨୩୦ ରନ୍ କରିଛନ୍ତି । ରୋହିତଙ୍କ ଟିମ୍ ଇଣ୍ଡିଆ ସାଥୀ ଶିଖର ଧୱନ୍ ୧୭୬ ମ୍ୟାଚ୍ରେ ୫ ହଜାର ୧୯୭ ରନ୍ କରି ଏହି ତାଲିକାରେ ୫ମ ସ୍ଥାନରେ ରହିଛନ୍ତି ।


ସର୍ବାଧିକ ଆଭରେଜ୍:

ଟି-୨୦ କ୍ରିକେଟରେ ଷ୍ଟ୍ରାଇକ୍ ରେଟ୍ ଉପରେ ସମସ୍ତଙ୍କ ନଜର ରହୁଥିବା ବେଳେ ଆଭରେଜ୍ (ହାରାହାରି) ଉପରେ ବିଶେଷ କେହି ଦୃଷ୍ଟିପାତ କରନ୍ତି ନାହିଁ । କିନ୍ତୁ ଆଇପିଏଲ୍ରେ ଏ ସଂକ୍ରାନ୍ତରେ ଆଲୋଚନା କଲେ, ସର୍ବାଧିକ ରନ୍ ସଂଗ୍ରହ କରିଥିବା ଉପରୋକ୍ତ ୫ ବ୍ୟାଟ୍ସମ୍ୟାନ୍ଙ୍କ ଆଭରେଜ୍ ସର୍ବଧିକ ରହିଛି । ଅଷ୍ଟ୍ରେଲୀୟ ଓପ୍ନର ୱାର୍ଣ୍ଣରଙ୍କ ଆଭରେଜ୍ ୪୨.୭୧ ରହିଛି । ୱାର୍ଣ୍ଣରଙ୍କ ପରେ କୋହଲି ୩୮.୧୬ ହାରରେ ରନ୍ ସଂଗ୍ରହ କରି ଦ୍ୱିତୀୟ ସ୍ଥାନରେ ଥିବା ବେଳେ  ତୃତୀୟ ସ୍ଥାନରେ ଅଛନ୍ତି ଧୱନ ଯାହାଙ୍କର ରନ୍ ସଂଗ୍ରହ ହାର ୩୪.୪୧ ରହିଛି । ସେହିପରି ଶର୍ମା ୫ମ ସ୍ଥାନରେ ରହିଥିବା ବେଳେ ସେ ୩୧.୩୧ ହାରରେ ରନ୍ ସଂଗ୍ରହ କରିଛନ୍ତି ।
 

ସର୍ବାଧିକ ଛକା:

ସବୁଠାରୁ ଅଧିକ ଶତକ ହାସଲ କରିଥିବା ୟୁନିଭର୍ସ ବସ୍ ଗେଲ୍ ୩୪୯ଟି ଛକା ସହ ପ୍ରଥମ ସ୍ଥାନରେ ରହିଛନ୍ତି । ଅନ୍ୟ କୌଣସି ଖେଳାଳି ଗେଲ୍ଙ୍କ ଆଖପାଖରେ ନଥିବା ବେଳେ ୨୩୫ ଛକା ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଡିଭିଲିୟର୍ସ । ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୧୬ ଛକା ସହ ତୃତୀୟ ସ୍ଥାନରେ ଥିବା ବେଳେ ହିଟ୍ମ୍ୟାନ୍ ରୋହିତ ୨୧୩ ଛକା ସହ ଚତୁର୍ଥ ସ୍ଥାନରେ ଅଛନ୍ତି । ଆରସିବି ଅଧିନାୟକ କୋହଲି ୨୦୧ ଛକା ସହ ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି ।


ଦ୍ରୁତତମ ଶତକ:

ମାତ୍ର ୩୦ ବଲ୍ରେ ଶତକ ହାସଲ କରି ଆଇପିଏଲର ଦ୍ରୁତତମ ଶତକ ହାସଲକାରୀ ଭାବେ ରେକର୍ଡ ବୁକ୍ରେ ରହିଛନ୍ତି ଗେଲ୍ । ଏକମାତ୍ର ଭାରତୀୟ ଭାବେ ଏହି ତାଲିକାରେ ରହିଥିବା ୟୁସୁଫ୍ ପଠାନ୍ ୩୭ ବଲ୍ରେ ଶତକ କରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଡେଭିଡ୍ ମିଲର ୩୮ ବଲ୍ରେ,  ଆଡାମ୍ ଗିଲକ୍ରିଷ୍ଟ ୪୧ ବଲରେ ଓ ଡିଭିଲିୟର୍ସ ୪୩ ବଲରେ ଶତକ କରି ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି ।


ସର୍ବାଧିକ ବ୍ୟକ୍ତିଗତ ସ୍କୋର:

ଆଇପିଏଲ୍ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ବିଗତ ୭ ବର୍ଷ ହେବ ଗେଲ୍ଙ୍କ ନାମରେ ରହିଛି । ୨୦୧୩ ସଂସ୍କରଣରେ ପୁଣେ ୱାରିୟର୍ସ ବିପକ୍ଷରେ ୧୭୫ ରନ୍ କରଥିଲେ । ସେହିପରି ୨୦୦୮ ଉଦ୍ଘାଟନୀ ସଂସ୍କରଣର ପ୍ରଥମ ମ୍ୟାଚ୍ରେ ନୁ୍ୟଜିଲାଣ୍ଡର ବ୍ରେଣ୍ଡନ୍ ମ୍ୟାକ୍କୁଲମଙ୍କ ୧୫୮ ରନ୍ ଦ୍ୱିତୀୟ ସର୍ବାଧିକ ବ୍ୟକ୍ତିଗତ ସ୍କୋର ରହିଛି । ୧୩୩ ଓ ୧୨୯ର ଅପରାଜିତ ସ୍କୋର ସହ ଏବି ଡିଭିଲିୟର୍ସ ତୃତୀୟ ଓ ପଞ୍ଚମ ସ୍ଥାନରେ ରହିଥିବା ବେଳେ ୧୩୨ ରନ୍ର ଅପରାଜିତ ଇନିଂସ ଖେଳି ଭାରତର ଲୋକେଶ ରାହୁଲ ଚତୁର୍ଥରେ ଅଛନ୍ତି ।


ସର୍ବାଧିକ ଅର୍ଦ୍ଧଶତକ:

ଆଇପିଏଲ୍ର ଗତ ୧୩ଟି ସିଂସ୍କରଣରେ ଅର୍ଦ୍ଧଶତକ ହାସଲ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି ୱାର୍ଣ୍ଣର । ୱାର୍ଣ୍ଣର ଆଇପିଏଲ୍ରେ ସର୍ବାଧିକ ୫୨ଟି ଅର୍ଦ୍ଧଶତକ କରିଥିବା ବେଳେ କୋହଲି ୪୪ଟି ଅର୍ଦ୍ଧଶତକ ମାରିଛନ୍ତି । ସେହିପରି ଧୱନ୍ ୪୩ଟି ଅର୍ଦ୍ଧଶତକ ସହ ତାଲିକାରେ ତୃତୀୟରେ ରହିଛନ୍ତି ।


ଇନିଂସରେ ସର୍ବାଧିକ ଛକା:

୧୭ଟି ଛକା ସହ ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବାର ରେକର୍ଡ ଗେଲ୍ଙ୍କ ନାମରେ ରହିଛି । ୧୩ଟି ଛକା ସହ ମ୍ୟାକ୍କୁଲମ ଓ ଗେଲ୍ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୧୨ଟି ଲେଖାଏଁ ଛକା ମାରି ଗେଲ୍ ଓ ଡିଭିଲିୟର୍ସ ତୃତୀୟ ସ୍ଥାନରେ ଅଛନ୍ତି । ସେହିପରି ୧୧ଟି ଛକା ସହ ମୁରଲୀ ବିଜୟ ଏକମାତ୍ର ଭାରତୀୟ ଭାବେ ଏହି ତାଲିକାରେ ରହିଛନ୍ତି । ବିଜୟଙ୍କ ସହ ସନତ୍ ଜୟସୁରିଆ, ଆନେ୍ଦ୍ର ରସେଲ୍ ଓ ଗେଲ୍ ଯୁଗ୍ମ ଭାବେ ଚତୁର୍ଥ ସ୍ଥାନରେ ରହିଛନ୍ତି ।


ସର୍ବାଧିକ ଚୌକା:

ଆଇପିଏଲ୍ରେ ତିନି ଜଣ ବ୍ୟାଟ୍ସମ୍ୟାନ୍ ୫୦୦ରୁ ଅଧିକ ଚୌକା ମାରିଛନ୍ତି । ଭାରତୀୟ ଖେଳାଳି ଧୱନ୍ ୫୯୧ଟି ଚୌକା ମାରିଛନ୍ତି । ୱାର୍ଣ୍ଣର ୫୧୦ଟି ଚୌକା ମାରି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଆରସିବି ଅଧିନାୟକ କୋହଲି ୫୦୩ଟି ଚୌକା ସହ ତୃତୀୟ ସ୍ଥାନରେ ରହିଛନ୍ତି ।


ସର୍ବାଧିକ ଶୂନ:

ଆଇପିଏଲ୍ରେ ୪ ଜଣ ଖେଳାଳି ସର୍ବାଧିକ ଥର ଶୂନରେ ଆଉଟ ହୋଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଶର୍ମା, ହରଭଜନ ସିଂ, ପାର୍ଥିବ ପଟେଲ ଓ ଆଜିଙ୍କ୍ୟ ରାହାଣେ ସର୍ବାଧିକ ୧୩ ଥର ଲେଖାଏଁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଛନ୍ତି ।

Related News