Top Stories

Search here...

News

ପଞ୍ଚାୟତ ନିର୍ବାଚନରେ କମିଲା ବିବିସି ଭାଗ; ୧୭%ରେ ସୀମିତ ଜିଲ୍ଲା ପରିଷଦ ସଦସ୍ୟ ଆସନ

Posted On - 1 week ago
Edited By Team BbsrReporters
LAST UPDATED Oct 21, 2021 01:36 AM

ଜିଲ୍ଲା ପରିଷଦ ସଦସ୍ୟ ପଦବିରେ ବିସିସି ବର୍ଗର ସଂରକ୍ଷିତ ଆସନ ୧୭% ଭିତରେ ସୀମିତ ଥିଲା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବିରେ ଏହି ସଂଖ୍ୟା ୭.୬୪% ରହିଛି।

 

BBSR Reporters

 

 

ଭୁବନେଶ୍ବର: ନୂଆ ସଂରକ୍ଷଣ ଆଇନରେ ଏଥର ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପରିଚାଳନା କରାଯିବ। ଏଥିପାଇଁ ସାରା ରାଜ୍ୟରେ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଠା ସଂରକ୍ଷଣ ତାଲିକା ପ୍ରସ୍ତୁତ କରାଯାଇଛି। ଏଥର ରାଜ୍ୟରେ ମୋଟ୍ ଉପରେ ପଛୁଆ ବର୍ଗ(ବିସିସି)ଙ୍କ ପାଇଁ ସଂରକ୍ଷିତ ଆସନ ସଂଖ୍ୟା କମିଛି। ଜିଲ୍ଲା ପରିଷଦ ସଦସ୍ୟ ପଦବିରେ ବିସିସି ବର୍ଗର ସଂରକ୍ଷିତ ଆସନ ୧୭% ଭିତରେ ସୀମିତ ଥିଲା ବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବିରେ ଏହି ସଂଖ୍ୟା ୭.୬୪% ରହିଛି।

 

 

୨୦୧୭ ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜାତି(ଏସ୍‌ସି)ଙ୍କୁ ୧୬.୨୫%, ଅନୁସୂଚିତ ଜନଜାତି(ଏସ୍‌ଟି)ଙ୍କୁ ୨୨.୫% ଓ ପଛୁଆ ବର୍ଗଙ୍କୁ ୨୭% ସଂରକ୍ଷଣ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ହାଇକୋର୍ଟ ଏ ସଂକ୍ରାନ୍ତୀୟ ମାମଲାର ବିଚାର କରି ସଂରକ୍ଷଣକୁ ୫୦% ଭିତରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ ସରକାର ପଞ୍ଚାୟତ ଆଇନରେ ସଂଶୋଧନ କରିଛନ୍ତି। ସଂଶୋଧନ ଅନୁଯାୟୀ ଏସ୍‌ସି ଓ ଏସ୍‌ଟି ସଂରକ୍ଷଣ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। ତେବେ ପଛୁଆ ବର୍ଗ ପାଇଁ ସଂରକ୍ଷଣ ନିର୍ଦ୍ଦିଷ୍ଟ ଭାବେ କେତେ ପରିମାଣର ରହିବ, ତାହା ଆଇନରେ ସ୍ପଷ୍ଟ ଭାବେ ଉଲ୍ଲେଖ ନ ଥିଲା। କେବଳ କୁହାଯାଇଥିଲା ଯେ ଜିଲ୍ଲାରେ ଲୋକସଂଖ୍ୟାକୁ ଦେଖି ପଛୁଆ ବର୍ଗକୁ ସର୍ବାଧିକ ୨୭% ପର୍ଯ୍ୟନ୍ତ ସଂରକ୍ଷଣ ଦିଆଯାଇପାରିବ। କିନ୍ତୁ ମୋଟ୍ ସଂରକ୍ଷଣ ସୀମା ୫୦% ଭିତରେ ରହିବାକୁ ବ୍ୟବସ୍ଥା କରାଯାଇଥିଲା ।

 

 

ସଂଶୋଧିତ ଆଇନ ଅନୁଯାୟୀ ପ୍ରସ୍ତୁତ ହୋଇଥିବା ଚିଠା ସଂରକ୍ଷଣ ତାଲିକାକୁ ଦେଖିଲେ ପଛୁଆ ବର୍ଗ ପାଇଁ ସଂରକ୍ଷିତ ଆସନ ଯଥେଷ୍ଟ କମିଛି। ମୋଟ୍ ୮୫୩ ଜିଲ୍ଲା ପରିଷଦ ସଦସ୍ୟ ଆସନରେ ୨୦୧୭ ନିର୍ବାଚନରେ ପଛୁଆ ବର୍ଗ ପାଇଁ ୨୩୬ଟି ଆସନ ସଂରକ୍ଷିତ ଥିଲା। କିନ୍ତୁ ଚଳିତ ବର୍ଷ ଏହି ସଂଖ୍ୟା ୧୪୫ ହୋଇଛି। ସେହିପରି ୩୧୪ ବ୍ଲକ୍ ଅଧ୍ୟକ୍ଷ ଆସନରେ ୨୦୧୭ ନିର୍ବାଚନରେ ପଛୁଆ ବର୍ଗ ପାଇଁ ୫୮ ଆସନ ସଂରକ୍ଷିତ ଥିଲା। ଏଥର ଏହି ସଂଖ୍ୟା ୨୪କୁ ଖସିଆସିଛି। ନୂଆ ସଂରକ୍ଷଣ ବ୍ୟବସ୍ଥାରେ ପଛୁଆ ବର୍ଗର ସଂରକ୍ଷିତ ଆସନ କମିଥିବା ସ୍ପଷ୍ଟ ହୋଇଛି। 

 


ଏସ୍‌ସି ଓ ଏସ୍‌ଟି ବର୍ଗଙ୍କ ପାଇଁ ସଂରକ୍ଷିତ ଆସନ ଆପାତତଃ ସମାନ ରହିଛି। ଜିଲ୍ଲା ପରିଷଦ ସଦସ୍ୟ ଆସନରେ ୨୦୧୭ ନିର୍ବାଚନରେ ଏସ୍‌ସିଙ୍କ ପାଇଁ ୧୪୯ ଓ ଏସ୍‌ଟିଙ୍କ ପାଇଁ ୨୨୮ ଆସନ ସଂରକ୍ଷିତ ଥିଲା। ଏଥର ଏହି ସଂଖ୍ୟା ଯଥାକ୍ରମେ ୧୪୨ ଓ ୨୨୨ ହୋଇଛି। ସେହିପରି ବ୍ଲକ୍ ଅଧ୍ୟକ୍ଷ କ୍ଷେତ୍ରରେ ଗତ ନିର୍ବାଚନରେ ଏସ୍‌ସିଙ୍କ ପାଇଁ ୪୨ ଓ ଏସ୍‌ଟିଙ୍କ ପାଇଁ ୧୩୦ ଆସନ ସଂରକ୍ଷିତ ଥିଲା। ଏଥର ଏହି ସଂଖ୍ୟା ଯଥାକ୍ରମେ ୪୨ ଓ ୧୩୦ ରହିଛି। ସଂରକ୍ଷଣ କୋଟା କମିଲେ ପଛୁଆ ବର୍ଗଙ୍କ ଭିତରେ ଅସନ୍ତୋଷ ସୃଷ୍ଟି ହେବାର ଆଶଙ୍କା ଥିବାରୁ ସଂଶୋଧିତ ଆଇନରେ ଚତୁରତାର ସହ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଆସନର ପରିମାଣ ଲେଖାଯାଇ ନ ଥିଲା। ତେବେ ପଛୁଆ ବର୍ଗ କୋଟା କମିବା ଏକ ପ୍ରକାର ସ୍ପଷ୍ଟ ଥିଲା। ମୋଟ୍ ଉପରେ ପଞ୍ଚାୟତ ଆଇନ ଅନୁଯାୟୀ ସବୁ ପ୍ରକାର ଆସନରେ ୫୦% ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ରାଜ୍ୟରେ ସାତଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ଅନୁସୂଚିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ସେଗୁଡ଼ିକ ହେଲା ମୟୂରଭଞ୍ଜ, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଓ କନ୍ଧମାଳ। ସେଠାରେ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଅଧିକ ରହିଛି। ଏହା ବାଦ୍ ଦେବଗଡ଼, କେନ୍ଦୁଝର, ଗଜପତି, କଳାହାଣ୍ଡି, ବାଲେଶ୍ବର, ସମ୍ବଲପୁର ଓ ଗଞ୍ଜାମ ଜିଲ୍ଲାର କିଛି ଅଂଶକୁ ଅନୁସୂଚିତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି।

 

 

ଅବଶ୍ୟ ଚିଠା ସଂରକ୍ଷଣ ତାଲିକା ଉପରେ ସରକାର ଆପତ୍ତି, ଅଭିଯୋଗ ମଗାଇଛନ୍ତି। ତାହା ପରେ ଚୂଡ଼ାନ୍ତ ତାଲିକା ଜଣାପଡ଼ିବ। କିନ୍ତୁ ଛୋଟ ଛୋଟ ସଂଶୋଧନକୁ ବାଦ୍ ଦେଲେ ଚୂଡ଼ାନ୍ତ ତାଲିକାରେ ସେପରି କିଛି ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା କମ୍।

 

 


ସୂଚନାଯୋଗ୍ୟ,ୱାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବି ପାଇଁ ଗତ ୮ ତାରିଖରେ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଛି। ଲୋକମାନେ ଏହା ଉପରେ ସେମାନଙ୍କ ଆପତ୍ତି ଅଭିଯୋଗ ୧୬ ତାରିଖ ସୁଦ୍ଧା ଜଣାଇବେ। ଜିଲ୍ଲାପାଳମାନେ ୨୧ ତାରିଖ ସୁଦ୍ଧା ଆପତ୍ତି, ଅଭିଯୋଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବେ ଓ ୨୬ରେ ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିସନ୍‌ଙ୍କୁ ଦେବେ। ଜିଲ୍ଲା ପରିଷଦ ସଦସ୍ୟ ପାଇଁ ପ୍ରକାଶ ପାଇଥିବା ଚିଠା ସଂରକ୍ଷଣ ତାଲିକା ଉପରେ ଲୋକମାନେ ସେମାନଙ୍କ ଆପତ୍ତି ଅଭିଯୋଗ ୧୮ ତାରିଖ ସୁଦ୍ଧା ଜଣାଇପାରିବେ। ଜିଲ୍ଲାପାଳମାନେ ୨୨ ତାରିଖ ସୁଦ୍ଧା ଆପତ୍ତି, ଅଭିଯୋଗକୁ ବିଚାର କରି ଆବଶ୍ୟକ ପଦକ୍ଷେପ ନେବେ। ତାହା ପରେ ଏହି ତାଲିକାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଇବେ। ରାଜ୍ୟ ସରକାର ଆବଶ୍ୟକ ଅନୁମୋଦନ ଦେଇ ୩୦ ତାରିଖରେ ନିର୍ବାଚନ କମିସନ୍‌ଙ୍କୁ ହସ୍ତାନ୍ତର କରିବେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ଆସନ୍ତା ୧୬ ତାରିଖରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରାଯିବ। ଏହା ଉପରେ ଲୋକଙ୍କ ଆପତ୍ତି ଅଭିଯୋଗ ଆସିଲା ପରେ ସରକାର ତାହାକୁ ବିଚାର କରି ୨୬ ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବେ ଓ ୨୯ ତାରିଖରେ ତାହାକୁ ନିର୍ବାଚନ କମିସନ୍‌ଙ୍କୁ ପ୍ରଦାନ କରିବେ। ୩୦ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ କରାଯିବ।

Related News