Top Stories

Search here...

News

କୋଭିଡ ମୃତକଙ୍କୁ ପରିବାରକୁ ୪ ଲକ୍ଷ ଲେଖାଏଁ ଦେବାକୁ କେନ୍ଦ୍ର ସରକାରଙ୍କ ପାଖରେ ଟଙ୍କା ନାହିଁ

Posted On - 1 month ago
Edited By Team BbsrReporters
LAST UPDATED Aug 03, 2021 04:06 AM

ଏହା ଦ୍ୱାରା ବିପର୍ଯ୍ୟୟ ରିଲିଫ୍ ପାଣ୍ଠି ଶୂନ୍ୟ ହୋଇଯିବ ବୋଲି ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର ।

 

BBSR Reporters


ନୂଆଦିଲ୍ଲୀ: କୋଭିଡ୍-୧୯ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ  ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇ ହେବ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି । ଏହା ଦ୍ୱାରା ବିପର୍ଯ୍ୟୟ ରିଲିଫ୍ ପାଣ୍ଠି ଶୂନ୍ୟ ହୋଇଯିବ ବୋଲି ସୁପ୍ରିମ୍ କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର ।

 

 କୋଭିଡ୍-୧୯ଜନିତ ମୃତ୍ୟୁ ବାବଦ କ୍ଷତିପୂରଣ ଦାବି କରି ଦାଏର ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଉତ୍ତର ଦେଇ କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟରେ ଗତକାଲି ବିଳମ୍ବିତ ରାତ୍ରୀରେ ସତ୍ୟପାଠ ଦାଖଲ କରିଛନ୍ତ ।  ୧୮୩ ପୃଷ୍ଠାର ସତ୍ୟପାଠରେ ଉପରୋକ୍ତ କଥା ଉଲ୍ଲେଖ ରହିଥିବା ବେଳେ ସୋମବାର ଦିନ ଏହି ମାମଲାର ଶୁଣାଣି ହେବ ବୋଲି ସୂଚନା ମିଳିଛି । 

 

କେନ୍ଦ୍ର ସରକାର କହିଛନ୍ତି, ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ, ଅନୁକମ୍ପାମୂଳକ ବା କ୍ଷତିପୂରଣ ରାଶି କେବଳ ଭୂମିକମ୍ପ ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ପ୍ରଯୁଜ୍ୟ । କୋଭିଡ୍-୧୯ ଜନିତ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇ ପାରିବ ନାହିଁ ।

 

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ତଥ୍ୟାବଳି ଅନୁସାରେ, ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ପ୍ରାୟ ୪ ଲକ୍ଷ ହେବ । କେନ୍ଦ୍ର ସରକାର କହିଛନ୍ତି, କୋଭିଡ୍-୧୯ଦ୍ୱାରା ଆକ୍ରାନ୍ତ ହୋଇ ଜୀବନ ହରାଇଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦିଆଗଲେ, କେବଳ ଏହି ଗୋଟିଏ ବିପର୍ଯ୍ୟୟ ବାବଦରେ ସମ୍ଭବତଃ ସବୁତକ ‘ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି’ ଖର୍ଚ୍ଚ ହୋଇଯିବ । ଆବଶ୍ୟକ ସ୍ଥଳେ ଏଥିପାଇଁ ଆହୁରି ଅଧିକ ଅର୍ଥ ମଧ୍ୟ ଦରକାର ହୋଇପାରେ ।

 

କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ ମୃତ୍ୟୁଜନିତ କ୍ଷତିପୂରଣ ବାବଦକୁ ‘ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି’ ଖର୍ଚ୍ଚ ହୋଇଗଲେ, ରାଜ୍ୟମାନଙ୍କ ପାଖରେ କୋଭିଡ୍-୧୯ ମୁକାବିଲା, କେତକ ଅତ୍ୟାବଶ୍ୟକ ଡାକ୍ତରୀ ଓ ଅନ୍ୟାନ୍ୟ ସାମଗ୍ରୀ ଖର୍ଚ୍ଚ, ବନ୍ୟା ଓ ବାତ୍ୟା ଭଳି ଅନ୍ୟାନ୍ୟ ବିପର୍ଯ୍ୟୟ ଭରଣା ଖର୍ଚ୍ଚ ପାଇଁ ଯଥେଷ୍ଟ ପାଣ୍ଠି ନ ରହିପାରେ । ସୁତରାଂ, କୋଭିଡ୍-୧୯ଜନିତ ମୃତ୍ୟୁ ଘଟିଥିବା ବ୍ୟକ୍ତିବିଶେଷଙ୍କ ଲାଗି ଆବେଦନକାରୀ ଅନୁରୋଧ କରିଥିବା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବା ରାଜ୍ୟ ସରକାରମାନଙ୍କ ଆର୍ଥôକ କ୍ଷମତା ବାହାରେ ।

 

କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍-୧୯ ଏକ ଗତିଶୀଳ ପରିସ୍ଥିତି ହୋଇଥିବାରୁ ଅନ୍ୟାନ୍ୟ ବିପର୍ଯ୍ୟୟ ଠାରୁ ଏ କ୍ଷେତ୍ରରେ ସର୍ବନିମ୍ନ ରିଲଫ୍ ଓ ଅନୁକମ୍ପା ରାଶି ମାନ ମଧ୍ୟରେ ତାରତମ୍ୟ ରହିବ । ତେବେ ଜିଲ୍ଲାପାଳମାନେ ‘ବୀମା ଦାବି’ର କାଗଜପତ୍ର ପ୍ରସ୍ତୁତ କରି ଦାବିଦାରମାନଙ୍କୁ ଅର୍ଥ ପ୍ରଦାନ ପାଇଁ ବୀମା କମ୍ପାନିମାନଙ୍କୁ ପଠାଉଛନ୍ତି ବୋଲି ମଧ୍ୟ କେନ୍ଦ୍ର ସରକାର କହିଛନ୍ତି । ଏ ବାବଦରେ ବୀମା କମ୍ପାନିମାନଙ୍କ ପାଇଁ ୪୪୨.୪ କୋଟି ଟଙ୍କା ରିଲିଜ୍ କରାଯାଇଛି । 

 

ସେହିପରି, କୋଭିଡ୍-୧୯ ପରିଚାଳନା ଓ କଣ୍ଟେନ୍ମେଣ୍ଟ୍ ଲାଗି ୨୦୧୯-୨୦ ବର୍ଷରେ ‘ଜାତୀୟ ସ୍ୱାସ୍ଥ୍ୟ ମିସନ୍’ ଜରିଆରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ପାଣ୍ଠି ଭାବେ ୧,୧୧୩.୨୧ କୋଟି ଟଙ୍କା ପଠାଯାଇଛି । ଏଥିସହିତ ‘ଜାତୀୟ ସ୍ୱାସ୍ଥ୍ୟ ମିସନ୍’ ମାଧ୍ୟମରେ ‘ଇଣ୍ଡିଆ କୋଭିଡ୍-୧୯ ଏମର୍ଜେନ୍ସି ରେସ୍ପନ୍ସ୍ ଆଣ୍ଡ୍ ହେଲ୍ଥ୍ ସିଷ୍ଟମ୍ ପ୍ରିପାର୍ଡନେସ୍ ପ୍ୟାକେଜ୍’ରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୮,୨୫୭.୮୯ କୋଟି ଟଙ୍କା ପଠାଯାଇଛି ।
 

Related News