Top Stories

Search here...

News

ସାରଳା ସାହିତ୍ୟ ସଂସଦର ୪୦ ତମ ବାର୍ଷିକ ସମାରୋହରେ ଉପରାଷ୍ଟ୍ରପତିଙ୍କ ସହ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Posted On - 2 weeks ago
Edited By Team BbsrReporters
LAST UPDATED Apr 20, 2021 08:58 PM

 

‘କଳିଙ୍ଗ ରତ୍ନ’ ଉପାଧିରେ ସମ୍ମାନିତ ହୋଇଥିବା ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ ।

 

BBSR Reporters

 

ଆଜିକୁ ଠିକ୍ ୧୫ ବର୍ଷ ପରେ ଅର୍ଥାତ ୨୦୩୬ ମସିହାରେ ଓଡ଼ିଶାକୁ ଭାଷାଭିତିକ ରାଜ୍ୟ ଭାବେ ୧୦୦ ବର୍ଷ ପୂରିବ ଏବଂ ୨୬ ବର୍ଷ ପରେ ୨୦୪୭କୁ ଦେଶ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତି ହେବ । ତେଣୁ ଏହି ସମୟରେ ଓଡ଼ିଆ ଭାଷାର ସୁରକ୍ଷା ଓ ପ୍ରଚାର ପ୍ରସାର ସହ ଏକ ନୂଆ ଓଡ଼ିଶା ଗଠନ କରିବା ପାଇଁ ମାର୍ଗଦର୍ଶନ କରିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ଶୁକ୍ରବାର କଟକର ସାରଳା ଭବନଠାରେ ଓଡ଼ିଆ ଭାଷାର ମହାନ ଆଦିକବି ଶୂଦ୍ରମୁନି ସାରଳା ଦାସଙ୍କ ୬୦୦ତମ ପୂଣ୍ୟ ଜନ୍ମବାର୍ଷିକୀ ଏବଂ ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକୀ ସମାରୋହରେ ମାନ୍ୟବର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ସହ ଯୋଗଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ମାନ୍ୟବର ଉପରାଷ୍ଟ୍ରପତିଙ୍କ ଦ୍ୱାରା ସାରଳା ସାହିତ୍ୟ ସଂସଦର ସର୍ବୋଚ୍ଚ ସମ୍ମାନ ‘କଳିଙ୍ଗ ରତ୍ନ' ଉପାଧିରେ ସମ୍ମାନିତ ହୋଇଥିବା ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଅଭିନନ୍ଦନ ଜଣାଇ ଏହା ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି ।

 

ସେହିପରି ଇଂରାଜୀ ଓ ହିନ୍ଦି ଭାଷା ପରେ ବିଶେଷତଃ ଓଡ଼ିଆ ଭାଷାକୁ ପ୍ରଧାନ୍ୟ ଦେଉଥିବାରୁ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତିଙ୍କ ପ୍ରଚେଷ୍ଟା କାରଣରୁ ସଂସଦୀୟ ପ୍ରତିନିଧିମାନେ ରାଜ୍ୟସଭାରେ ଔପଚାରିକତା ନୁହେଁ ବରଂ ଆଗ୍ରହର ସହ ନିଜ ଭାଷାରେ ଅଭିଭାଷଣ ଦେଇପାରୁଛନ୍ତି ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଗୋଟିଏ ଜାତିର ସବୁଠୁ ବଡ ପରିଚୟ ଓ ସଂସ୍କୃତିର ନାଭି କେନ୍ଦ୍ର ହେଉଛି ଭାଷା ଓ ସାହିତ୍ୟ । ଏହି ମର୍ମରେ ଆମ ଭାଷାର ଆଦିପୁରୁଷ ସାରଳା ଦାସଙ୍କ ଜୟନ୍ତୀ ପାଳନ କରିବା ଓ ଦୀର୍ଘ ୪୦ ବର୍ଷ ଧରି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିବା ପାଇଁ ନିୟମିତ ପ୍ରଚେଷ୍ଟା କରିଚାଲିଛି ।

 

ପଂଚଦଶ ଶତାବ୍ଦୀରେ ବାଦଦେବୀ ତନୟ ସାରଳା ଦାସ ପ୍ରଥମ ଥର ପାଇଁ ଓଡ଼ିଆ ଭାଷାରେ ନିଜ ଲେଖନୀ ମୁନରେ ମହାଭାରତ ରଚନା କରିବା ସହ ଏହାକୁ ବ୍ୟାପକ କରିଥିଲେ । ବିଭିନ୍ନ ଦୃଷ୍ଟିରୁ ବିଚାରକୁ ନେଲେ ଆଦିକବି ସାରଳା ଦାସ କେବଳ ଓଡ଼ିଆ ସାହିତ୍ୟର ଜନ୍ମଦାତା ନୁହେଁ ବରଂ ରକ୍ଷାକର୍ତା ମଧ୍ୟ ଥିଲେ । ବିଶିଷ୍ଟ ସାହିତ୍ୟିକଙ୍କ କହିବାନୁସାରେ ବାଲ୍ମୀକିଙ୍କ ରାମାୟଣ ପରେ ଭାରତବର୍ଷରେ ଆଂଚଳିକ ଭାଷାରେ ରାମାୟଣ ଲେଖିବାରେ ବଳରାମ ଦାସକୃତ ଓଡ଼ିଆ ରାମାୟଣ ହେଉଛି ପ୍ରଥମ ।

 

ସେହିପରି ଭାରତବର୍ଷରେ ଆଂଚଳିକ ଭାଷାରେ ଭାଗବତ ଲେଖାହେବାରେ ଜଗନ୍ନାଥ ଦାସକୃତ ଓଡ଼ିଆ ଭାଗବତ ହେଉଛି ପ୍ରଥମ । ଏହିସବୁ କାରଣରୁ ଓଡ଼ିଆ ଭାଷା ଏକ ଅତ୍ୟନ୍ତ ପ୍ରାଚୀନ, ମୌଳିକ ଓ ସମୃଦ୍ଧ ଭାଷା ବୋଲି ପ୍ରମାଣିତ ହୋଇ ଏହାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ଓଡ଼ିଆଙ୍କ ପାଇଁ ଗୌରବର ବିଷୟ । ପ୍ରାଚ୍ୟ ଆର୍ଯ୍ୟ ଭାଷାମାନଙ୍କ ମଧ୍ୟରେ ଶାସ୍ତ୍ରୀୟ ମାନ୍ୟତା ପାଇବାରେ ଓଡ଼ିଆ ଭାଷା ପ୍ରଥମ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Related News
satta king tw