Top Stories

Search here...

News

ରାଜ୍ୟରେ ଟିକାକରଣର ସମୟରେ ପରିବର୍ତ୍ତନ: ସକାଳ ୮ଟା ଠାରୁ ଆରମ୍ଭ ହେବ ଟିକାକରଣ

Posted On - 2 weeks ago
Edited By Team BbsrReporters
LAST UPDATED Apr 20, 2021 10:46 PM

୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି ଅନୁରୋଧ କରିଛନ୍ତି ବିଭାଗ  ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

 

BBSR Reporters


ଭୁବନେଶ୍ୱର: ଟିକାକରଣର ସମୟରେ ସରକାର ପରିବର୍ତ୍ତନ କରିଛନ୍ତି । ସକାଳ ୮ଟାଠାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ଣ ୩ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୋଭିଡ୍ ଟିକା ପ୍ରଦାନ କରିବାକୁ ରାଜ୍ୟ ସରକାର ନିଦେ୍ର୍ଧଶ ଦେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ମାମଲା ପୁଣିଥରେ ଚିନ୍ତାଜନକ ଭାବେ ବୃଦ୍ଧି ପାଉଥିବାବେଳେ ଗ୍ରୀଷ୍ମପ୍ରବାହ ମଧ୍ୟ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ୍ ଟିକାକରଣ ଅବଧିରେ ପରିବର୍ତ୍ତନ କରିଛନ୍ତି । ଏବେ ରାଜ୍ୟରେ ଦୈନିକ ୨ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ସମସ୍ତ ସିଡିଏମଓଙ୍କୁ ଚିଠି ଲେଖି ନିଦେ୍ର୍ଧଶ ଦେଇଛନ୍ତି । ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାରୁ କୋଭିଡ୍ ଟିକାକରଣ ସମୟରେ ତୁରନ୍ତ ପରିବର୍ତ୍ତନ କରିବାକୁ ଶ୍ରୀ ମହାପାତ୍ର କହିଛନ୍ତି । ଟିକା ପ୍ରଦାନ କରାଯାଉଥିବା ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଲୋକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।

 

 

ଅନ୍ୟପକ୍ଷରେ ଓଡ଼ିଶାକୁ ଶୀଘ୍ର ୧୫ ଲକ୍ଷ ଡୋଜ୍ କୋଭିସିଲ୍ଡ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି ଅନୁରୋଧ କରିଛନ୍ତି ଶ୍ରୀ ମହାପାତ୍ର । ଶ୍ରୀ ମହାପାତ୍ର ହ୍ୱାଟ୍ସ ଆପ୍ ଜରିଆରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ତୁରନ୍ତ କୋଭିସିଲ୍ଡ ଟିକା ପ୍ରଦାନ କରିବା ଲାଗି ଅନୁରୋଧ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ କୋଭିସିଲ୍ଡ ୬ ଲକ୍ଷ ୨ହଜାର ୪୩୦ ଡୋଜ୍ ଓ କୋଭାକ୍ସିନ୍ ୧ ଲକ୍ଷ ୪୮ହଜାର ୫୫୦ ଡୋଜ୍ ରହିଛି । ଅର୍ଥାତ ରାଜ୍ୟରେ ମୋଟ ୭ ଲକ୍ଷ ୫୦ହଜାର ୯୮୦ ଡୋଜ୍ ରହିଛି । ଓଡ଼ିଶା କେବଳ ୦.୫% ଟିକା ନଷ୍ଟ କରିଛି, ଯାହାକି ଜାତୀୟସ୍ତରରେ ଓଡ଼ିଶା ସର୍ବନିମ୍ନ । କାଲି ରାଜ୍ୟକୁ ୩ ଲକ୍ଷ ୪୯ ହଜାର  ଡୋଜ୍ କୋଭିସିଲ୍ଡ ଆସିବାର ଅଛି । ହେଲେ ଏହି ଡୋଜ୍ ଟିକାକରଣ ପାଇଁ ପର୍ଯ୍ୟାପ୍ତ ହେବ ନାହିଁ । କାରଣ ରାଜ୍ୟରେ ପ୍ରତ୍ୟେକ ଦିନ ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଦିଆଯାଉଛି । ତେଣୁ ଆଗାମୀ ୨ ଦିନ ମଧ୍ୟରେ କୋଭିସିଲ୍ଡ ଟିକାର ଅଭାବ ଦେଖାଦେବ ।

 

 

ଅନ୍ୟପଟରେ ରାଜ୍ୟରେ ଆଜି ପର୍ଯ୍ୟନ୍ତ ମୋଟ ଟିକାକରଣ ସଂଖ୍ୟା ୩୫ଲକ୍ଷ ୬୭ହଜାର ୮୧୦ରେ ପହଞ୍ଚିଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୭ଲକ୍ଷ ୩୬ହଜାର ୫୪ଜଣ ୬୦ବର୍ଷରୁ ଊଦ୍ଧ୍ୱର୍ ବରିଷ୍ଠ ନାଗରିକ ପ୍ରଥମ ଡୋଜ୍ ଟିକା ନେଇଥିଲାବେଳେ ୬୦ ହଜାର ୭୨୯ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ସେହିପରି ୮ଲକ୍ଷ ୫୩ ହଜାର ୭୩୮ଜଣ ୪୫ ବର୍ଷରୁ ଊଦ୍ଧ୍ୱର୍  ବହୁବିଧ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ପ୍ରଥମ ଡୋଜ୍ ଟିକା ନେଇଥିଲା ବେଳେ ୪୮୫୯ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ଏହାବ୍ୟତୀତ ୩ ଲକ୍ଷ ୧୬ ହଜାର ୪୪୫ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିଲାବେଳେ ୨ଲକ୍ଷ ୬୨ହଜାର ୭୩୫ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ସେହିପରି ୧ଲକ୍ଷ ୮୯ହଜାର ୩୩୨ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଟିକା ନେଇଥିଲାବେଳେ ୧ଲକ୍ଷ ୪୩ହଜାର ୯୧୮ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ଆଜି ରାଜ୍ୟରେ ୨ଲକ୍ଷ ୬୩ହଜାର ୪୧ ଜଣ ସମୁଦାୟ ଟିକା ନେଇଛନ୍ତି । 
 

Related News