Top Stories

Search here...

News

କେତେ ଶୋଷିଲେ ସନ୍ତୁଷ୍ଟ ହେବ ବିଜେପି ? : କଂଗ୍ରେସ

Posted On - 9 minutes ago
Edited By Team BbsrReporters
LAST UPDATED Jul 06, 2021 02:39 PM

ମହଙ୍ଗାମାଡର ଜବାବ ଦେବେ ଲୋକେ: ନିରଞ୍ଜନ ପଟ୍ଟନାୟକ

BBSR Reporters


ଭୁବନେଶ୍ୱର: କରୋନା ଏବଂ ତଦ୍‌ଜନିତ ତାଲାବନ୍ଦ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଚୁରମାର କରିସାରିଲାଣି । ଆର୍ଥିକ ଅନାଟନ ଲୋକଙ୍କୁ ମହାମାରୀଠୁ ଅଧିକ କଷ୍ଟ ଦେଲାଣି । ଏହି ସମୟରେ ପେଟ୍ରୋଲ, ଡିଜେଲ ଓ 
ରନ୍ଧନ ଗ୍ୟାସର ବାରମ୍ବାର ଦରବୃଦ୍ଧି ଲୋକଙ୍କ ପାଇଁ ବେଡି ଉପରେ କରୋଡା ସାଜିଛି । ଲୋକଙ୍କୁ କେତେ ଆଉ ଶୋଷଣ କଲେ ସନ୍ତୁଷ୍ଟ ହେବ କେନ୍ଦ୍ରର ବିଜେପି ସରକାର? ବିଜେପି ସରକାରଙ୍କର ଏପରି ଜନମାରଣ ନୀତିର ଜବାବ ଲୋକମାନେ ଦେବେ ବୋଲି ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ 
ପ୍ରକାଶ କରିଛନ୍ତି । 

 

ସେ କହିଛନ୍ତି ପେଟ୍ରୋଲ ଏବେ ୧୦୦ଟଙ୍କା ପାର ହୋଇ ସାରିଲାଣି । ଡିଜେଲ ୧୦୦ଟଙ୍କା ଛୁଇଁବ । ରନ୍ଧନ ଗ୍ୟାସ ୮୩୪ଟଙ୍କା । ୟୁପିଏ ସରକାର ସମୟରେ ୨୦୧୩ ମସିହା ଜୁଲାଇ ମାସରେ ପେଟ୍ରୋଲ ଲିଟର ପିଛା ଦାମ ୭୪ ଟଙ୍କା 
୨୪ ପଇସା ଥିଲା ବେଳେ ଡିଜେଲର ଦାମ ଥିଲା ୬୭ ଟଙ୍କା ୫୭ ପଇସା । ସେତେବେଳେ ଅଶୋଧିତ ତୈଳର ଦାମ ବ୍ୟାରେଲ ପିଛା ଥିଲା ୧୦୨.୯୨ ଡଲାର । ମାତ୍ର ବର୍ତମାନ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ଦାମ ବ୍ୟାରେଲ ପିଛା ୭୫ ଡଲାର ଏବଂ ପୂର୍ବ ବର୍ଷମାନଙ୍କରେ ଏହାର ଦାମ ବ୍ୟାରେଲ ପିଛା ୪୦ ଡଲାର ହୋଇ ଯାଇଥିବାର ନଜିର ରହିଛି । 

 

ମାତ୍ର ତା ସତ୍ୱେ ପେଟ୍ରୋଲ ଓ ଡିଜେଲର ଦାମ କମିବା ପରିବର୍ତେ କ୍ରମାଗତ ଭାବରେ ବଢିଚାଲିଛି ଏବଂ ତାହା ଆଜି ୧୦୦ ଟଙ୍କା ଉପରେ ପହଂଚିଲାଣି । ଏହାର ମୂଳ କାରଣ ହେଉଛି ଏହି ସମୟ ଭିତରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଅତ୍ୟଧିକ ଟ୍ୟାକ୍ସ ବସାଇଛନ୍ତି, ଯାହାକି ଜିଜିଆ କର ବୋଲି କୁହାଯାଇପାରେ । କହିବା ବାହୁଲ୍ୟ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ସିଧାସଳଖ ଭାବରେ ଖାଉଟି ଉପରେ ପଡିବା ସହିତ ଦରଦାମ ବୃଦ୍ଧି ଉପରେ ପ୍ରଭାବ ପକାଇଥାଏ । ସେଇଥି ପାଇଁ ଆଜି ସବୁ ଜିନିଷର ଦାମ ଆକାଶ ଛୁଆଁ । ଯାହା ସାଧାରଣ ଲୋକଙ୍କୁ ଅତିଷ୍ଟ କରିସାରିଲାଣି । ଲୋକଙ୍କ ଅସନ୍ତୋଷ କ୍ରମଶଃ ପ୍ରତିବାଦ, ଆନ୍ଦୋଳନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିସାରିଲାଣି । ଲୋକଙ୍କର ଏହି ଦୁର୍ଦ୍ଦିନ ସମୟରେ କଂଗ୍ରେସ ଦଳ ସେମାନଙ୍କ ପାଖରେ ଛିଡା ହେବ । ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସ ତଥା ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରବୃଦ୍ଧି ବିରୁଦ୍ଧରେ ଆସନ୍ତା ୭ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଦେଶ ତମାମ ପ୍ରତିବାଦ ଆନ୍ଦୋଳନ ସଂଗଠିତ କରିବ ଜାତୀୟ କଂଗ୍ରେସ । 

 

ଜୁଲାଇ ୭ ତାରିଖ (ବୁଧବାର)ରେ ପ୍ରତିବ୍ଲକ ସାମ୍ନାରେ ମହଙ୍ଗାମାଡର ପ୍ରତିବାଦରେ ଲୋକେ ଝାଞ୍ଜ, ଘଂଟ ମାଡ କରି ପ୍ରତିବାଦ କରିବେ । ଜୁଲାଇ ୯ ତାରିଖ (ଶୁକ୍ରବାର) ରେ ଜିଲ୍ଲା ସଦର ମହକୁମାରେ ସାଇକେଲ ଯାତ୍ରା କରି ଏହାର 
ପ୍ରତିବାଦ ହେବ । ଜୁଲାଇ ୧୪ ତାରିଖ (ବୁଧବାର) ରେ ରାଜ୍ୟସ୍ତରୀୟ ପ୍ରତିବାଦ, ଆନ୍ଦୋଳନ ମଧ୍ୟ ଆୟୋଜିତ ହେବ ଯେଉଁଥିରେ ରାଜ୍ୟ ନେତୃମଣ୍ଡଳୀ ଯୋଗ ଦେବେ । 

 

ଜୁଲାଇ ୧୫ ତାରିଖ (ଗୁରୁବାର) ଦିନ ମହଙ୍ଗା ମାଡର ପ୍ରତିବାଦ ସ୍ୱରୂପ କୌଣସି ବି ପେଟ୍ରୋଲ ଟାଙ୍କିରୁ ପେଟ୍ରୋଲ ଓ ଡିଜେଲ ନପକାଇବା ଓ ସେହିଦିନ ରନ୍ଧନ ଗ୍ୟାସ ନକିଣିବା ପାଇଁ ଓଡିଶାବାସୀଙ୍କୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

 

 ଜୁଲାଇ ୧୭ ତାରିଖ (ଶନିବାର) ଦିନ ସମସ୍ତ ପେଟ୍ରାଲ ପମ୍ପ ସାମ୍ନାରେ ଦସ୍ତଖତ ଅଭିଯାନ ଆୟୋଜିତ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏତ୍ୟବ୍ୟତୀତ ଏଆଇସିସିର ନିର୍ଦ୍ଦେଶକ୍ରମେ ମାସ ବ୍ୟାପି ରାଜ୍ୟରେ ପ୍ରତ୍ୟେକ ବ୍ଲକ ଓ ପଂଚାତୟ ଠାରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ମାନେ ଘରକୁ ଘର ବୁଲି ଜନସାଧାରଣଙ୍କୁ ସଚେତନ କରାଇବା ସହିତ କଂଗ୍ରେସର ଆଭିମୁଖ୍ୟ ଲୋକଙ୍କ ପାଖରେ ପଂହଚାଇ ଜନଜାଗରଣ ସୃଷ୍ଟି କରିବେ। ଏହି ସମୟରେ କଂଗ୍ରେସ ନେତୃବୃନ୍ଦ କରୋନା ମହାମାରୀରେ ସଂକ୍ରମିତ ହୋଇଥିବା ଏବଂ ପ୍ରାଣ ହରାଇଥିବା ପରିବାର ବର୍ଗଙ୍କୁ ଭେଟିବା ସହିତ ତାଙ୍କର ସମସ୍ୟାକୁ ସଂପୂର୍ଣ୍ଣ ରୂପେ ବୁଝିବା ସହିତ ସମସ୍ତ ତଥ୍ୟ ସଂଗ୍ରହ କରି 
ପିସିସିକୁ ଦେଲେ ଏଆଇସିସିକୁ ପଠାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ମହଙ୍ଗାମାଡ ପ୍ରସଙ୍ଗ ସହିତ ଚାଷୀମାନଙ୍କ ଧାନ ବିକ୍ରି ନେଇ ସମସ୍ୟା ଓ ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟା ବିରୋଧରେ ମଧ୍ୟ ଏହି ପ୍ରତିବାଦ, ଆନ୍ଦୋଳନ ହେବ ।

 

କଂଗ୍ରେସ ଦଳର ସମସ୍ତ କର୍ମୀ ଓ ନେତା ତଥା ବିଭିନ୍ନ ଛାମୁଆ ସଂଗଠନ ଯଥା ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ସେବାଦଳ ତଥା ଅନ୍ୟାନ୍ୟ ବିଭାଗ ଓ ପ୍ରକୋଷ୍ଠ ମାନେ ଏହାକୁ ପୂର୍ଣ୍ଣମାତ୍ରାରେ ସଫଳ କରିବାକୁ ମଧ୍ୟ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ମାନସ ଚୌଧୁରୀ ଉପସ୍ଥିତ ରହି ଉପରୋକ୍ତ କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ବୋଲି ପ୍ରକାଶ କରିଥିଲେ ।

Related News
satta king tw