Top Stories

Search here...

News

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବ୍ୟାପୀ ସାମାଜିକ ବାସନ୍ଦ କରାଯିବ: ପୃଥ୍ୱୀରାଜ 

Posted On - 19 minutes ago
Edited By Team BbsrReporters
LAST UPDATED Nov 06, 2021 06:10 PM

‘କଟା ଘା ରେ ଚୁନ’ ଲଗାଇବା ପାଇଁ ଆସନ୍ତା ୮ତାରିଖରେ ମୁଖ୍ୟମନ୍ତ୍ରୀ ରାଜନୀତି କରିବାକୁ କଳାହାଣ୍ଡି ଯାଉଛନ୍ତି ବୋଲି ବିଜେପି କହିଛି ।


BBSR Reporters

 

ଭୁବନେଶ୍ୱର:କଳାହାଣ୍ଡିରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ମାସେ ବିତିବାକୁ ଗଲାଣି । ଏତେ ବଡ ବିଭତ୍ସ ଘଟଣା ଘଟିବା ସତ୍ୱେ ମୁଖ୍ୟମନ୍ତ୍ରୀ ମୈାନରହିବା ଦୁର୍ଭାଗ୍ୟଜନକ । ଆଇନ୍କୁ ତା ବାଟରେ ଯିବାକୁ ନଦେଇ ଧ୍ରୃତରାଷ୍ଟ୍ର ସାଜିଥିବା ମୁଖ୍ୟମନ୍ତ୍ରୀ ନିଜ ଦଳର ଅପରାଧୀ ମନ୍ତ୍ରୀ, ବିଧାୟକ ତଥା ନେତାମାନଙ୍କୁ ସୁରକ୍ଷା ଦେଉଛନ୍ତି । ଅହଂକାର ସ୍ୱରୁପ‘କଟା ଘା ରେ ଚୁନ’ ଲଗାଇବା ପାଇଁ ଆସନ୍ତା ୮ତାରିଖରେ ମୁଖ୍ୟମନ୍ତ୍ରୀ ରାଜନୀତି କରିବାପାଇଁ କଳାହାଣ୍ଡି ଯାଉଛନ୍ତି ।‘ଧିକ୍କାର୍ ଆପଣଙ୍କ ସରକାରକୁ’ ।ଅସମ୍ବେଦନତାର ସମସ୍ତ ସୀମା ଟପିଛି ରାଜ୍ୟ ସରକାର । ମମିତାକୁ ମାରି, ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ପୋଡି ଓ ପୋତି ଦିଆଯାଇଥିବାବେଳେ ମମିତା ପରିବାରକୁ ନ୍ୟାୟ ଦେବା ପରିବର୍ତେ ସେହି ସ୍ଥାନକୁ ନିଜ କ୍ଷମତାର ଦମ୍ଭ ଦେଖାଇବା ପାଇଁ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରୁଛନ୍ତି । ଏହାକୁ ଭାରତୀୟ ଜନତା ପାର୍ଟୀ ଆଦୈା ବରଦାସ୍ତ କରିବ ନାହିଁ ।

 

ମମିତାଙ୍କ ନ୍ୟାୟ ପାଇଁ ଶେଷ ପର୍ଯ୍ୟନ୍ତ ଲଢେଇ ଜାରୀ ରଖିବ ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଛଳନା ଓ ଅହଂକାରକୁ ରାଜ୍ୟବାସୀ କେବେହେଲେ କ୍ଷମା ଦେବେ ନାହିଁ । ଓଡିଶାର ଝିଅ ମମିତା ଯାହାର ନିର୍ମମ ହତ୍ୟା ହୋଇଛି, ତାକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆମେ ସମସ୍ତେ ମିଳିମିଶି ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରିବା ସହ ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ବର୍ଜନ କରିବା । ତେଣୁ ୮ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ଅବସରରେ ଏହି ବାସନ୍ଦ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରୀ ରହିବ । ସେହି ଦିନ ରାଜ୍ୟର ସମସ୍ତ ବ୍ଲକ, ଏନଏସି, ମୁ୍ୟନିସିପାଲିଟି, ଜିଲ୍ଲା ସଦର ମହକୁମାଠାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତଳିକା ଦାହ ଓ ପ୍ରତିବାଦ କରାଯିବ ।

 

ଆଇନକୁ ବାଟବଣା ନକରି ମୁଖ୍ୟମନ୍ତ୍ରୀ ତୁରନ୍ତ ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରନ୍ତୁ । ଯେତେଦିନ ପର୍ଯ୍ୟନ୍ତ ମମିତା ଓ ତାଙ୍କ ପରିବାରକୁ ନ୍ୟାୟ ନମିଳିଛି, ସେତେଦିନ ପର୍ଯ୍ୟନ୍ତ ଏ ସାମାଜିକ ବାସନ୍ଦ ରାଜ୍ୟବ୍ୟାପୀ ଜାରି ରହିବ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘୋଷଣା କରିଛନ୍ତି ।

 


କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓ ଏବଂ ସାଂସଦ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଆସନ୍ତା ୮ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିଜେପି ସମ୍ପୂର୍ଣ୍ଣ ବିରୋଧ କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।


ଶାସକ ବିଜେଡି ଶାସନ କ୍ଷମତାକୁ ଆସିବା ପରେ ବିଗତ ୨୧ ବର୍ଷରେ ରାଜ୍ୟରେ ୧ଲକ୍ଷରୁ ଉଦ୍ଧ୍ୱର୍ ମହିଳା ଓ ଶିଶୁ ହତ୍ୟା, ନିର୍ଯ୍ୟାତନା ଓ ଅପହରଣ ମାମଲା ହୋଇଛି । ଏନସିଆରବି ରିପୋର୍ଟ ଅନୁଯାୟୀ ରାଜ୍ୟରେ ମହିଳା ହିଂସା ଓ ନିର୍ଯ୍ୟାତନା କ୍ରମାଗତ ଭାବେ ବୃଦ୍ଧି ପାଉଥିବାବେଳେ ଦଣ୍ଡବିଧାନ ହାର ହ୍ରାସ ପାଇଚାଲିଛି ।ପବିତ୍ର ଶିକ୍ଷାନୁଷ୍ଠାନକୁ ରଙ୍ଗଶାଳାରେ ପରିଣତ କରିବା ଏବଂ ପରେ କଳା କାରନାମା ଧରାପଡିବା ଭୟରେ ନିର୍ମମ ଭାବରେ ଶିକ୍ଷୟିତ୍ରୀ ମମିତାକୁ ହତ୍ୟା କରି ସାକ୍ଷ୍ୟ ପ୍ରମାଣ ନଷ୍ଟ କରିବା ଏବଂ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଗୃହରାଷ୍ଟ୍ର ମନ୍ତ୍ରୀଠାରୁ ଆରମ୍ଭ କରି ସମ୍ପୃକ୍ତ ଥିବା ପ୍ରଭାବଶାଳୀ ବଡପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେବାରାଜ୍ୟ ପାଇଁ ସବୁଠୁ ବଡ ଦୁର୍ଭାଗ୍ୟର କଥା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

 


ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନା, ପରୀ ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁ, ଏସିଏଫ ସୈାମ୍ୟରଂଜନ ହତ୍ୟାକାଣ୍ଡରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ, ସ୍ମିତାରାଣୀ ହତ୍ୟାକାଣ୍ଡରେ ବିଧାୟକ ପ୍ରଣବ ବଳବନ୍ତରାୟ, ଶିକ୍ଷୟିତ୍ରୀ ମାଧବୀଲତା ହତ୍ୟାକାଣ୍ଡରେ ତକ୍ରାଳୀନ ମନ୍ତ୍ରୀ ସଂଜୟ ଦାସବର୍ମା, ବେବିନା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତକ୍ରାଳୀନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ସଂପୃକ୍ତିରେ ମୁଖ୍ୟମନ୍ତ୍ରୀ ନିରବ ରହିଆସିଛନ୍ତି ଏବଂ କୈାଣସି ପୀଡିତାକୁ ନ୍ୟାୟ ଦେଇପାରି ନାହାନ୍ତି ।

 


ନିଜ କ୍ଷମତାର ଅପବ୍ୟବହାର କରି ଶାସକ ବିଜେଡି ପୋଲିସର ସହାୟତା ନେଇ ସମସ୍ତ ସାକ୍ଷୀପ୍ରମାଣକୁ ନଷ୍ଟ କରିବାର ପ୍ରୟାସ ଜାରି ରଖିଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମନ୍ତ୍ରୀ ପଦରେ ଥିବା ପର୍ଯ୍ୟନ୍ତ ଘଟଣାର ନିରପେକ୍ଷ ତଦନ୍ତ ସମ୍ଭବ ନୁହେଁ । ଘଟଣା ଘଟିବାର ମାସେ ବିତିବା ପରେ ଆଜି ହଠାତ୍ ବିଜେଡି ମୁଖପାତ୍ରମାନେ ଘଟଣାକୁ ଭିନ୍ନ ମୋଡ ଦେବା ପାଇଁ ଅପଚେଷ୍ଟା ଏବଂ ଅପରାଧୀମାନଙ୍କ ସପକ୍ଷରେ ଓକିଲାତି ଆରମ୍ଭ କରିଦେଇଛନ୍ତି । ଯାହାକି ସାଧାରଣରେ ବିଜେଡିର ଅସଲ ମୁଖାକୁ ଖୋଲି ଦେଇଛି । ବିଜେଡି ସରକାରରେ ମହିଳା ଅସୁରକ୍ଷିତ’ ଏ କଥା ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରମୁଖ ଦିଲୀପ ମଲ୍ଲିକ୍ ଓ ସହ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ ।
 

Related News
satta king tw