dd dd

Top Stories

Search here...

News

ଆଜିଠାରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ: ପ୍ରଥମ ପର୍ଯ୍ୟାୟରେ ପାଠ ପଢ଼ିବେ ୟୁଜି ଓ ପିଜିର ଶେଷ ବର୍ଷର ଛାତ୍ରଛାତ୍ରୀ

Posted On - 11 hours ago

ଶ୍ରେଣୀଗୃହରେ ସାମାଜିକ ଦୂରତା ରକ୍ଷା ସହ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ କ୍ୟାମ୍ପସ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି 

BBSR Reporters

ଭୁବନେଶ୍ୱର : ଆଜିଠାରୁ ଖୋଲିବ କଲେଜ ଓ ବିଶ୍ୱବିଦ୍ୟାଳୟ । ପ୍ରଥମ ପର୍ଯ୍ୟାୟରେ ପାଠ ପଢ଼ିବେ ୟୁଜି ଓ ପିଜିର ଶେଷ ବର୍ଷର ପିଲା । ସେମିଷ୍ଟର୍ ପରୀକ୍ଷା ବ୍ୟବସ୍ଥାରେ ୟୁଜିର ୫ମ ଓ ପିଜିର ୩ୟ ସେମିଷ୍ଟର ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ହୋଇ ମାର୍ଚ୍ଚ ୧୫ ପର୍ୟ୍ୟନ୍ତ ଚାଲିବ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧୀନ ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ ଓ ପ୍ରଫେସନାଲ କଲେଜ, ଡିପ୍ଲୋମା ,ପୋଷ୍ଟ ଡିପ୍ଲୋମା ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲିବ। ପିଜି, ୟୁଜି, ଡିପ୍ଲୋମା, ପୋଷ୍ଟ ଡିପ୍ଲୋମା ଶେଷବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବା ନେଇ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନିର୍ଦେଶାବଳୀ ଜାରି ହୋଇଛି। ଓୟୁଏଟି ସମେତ ଏହା ଅଧୀନ ୯ଟି ମହାବିଦ୍ୟାଳୟରେ ମଧ୍ୟ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ୟୁଜି ଶେଷବର୍ଷ, ପିଜି ପ୍ରଥମ ଓ ଦ୍ବିତୀୟ ବର୍ଷ, ପିଏଚ୍ଡି ଛାତ୍ରଛାତ୍ରୀଙ୍କ କ୍ଲାସ ହେବ। ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ସମେତ ଏହା ଅଧୀନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ସ୍ନାତକ କଲେଜଗୁଡ଼ିକ ଖୋଲିବ। ୟୁଜି ୭ମ ଓ ପିଜି ୩ୟ ସେମିଷ୍ଟର୍ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଜାନୁଆରି ୧୧ରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୧୬ରୁ ୩୧ ମଧ୍ୟରେ ପରୀକ୍ଷା ହେବା ସହ ଏପ୍ରିଲ ୩୦ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ। ୟୁଜି ୮ମ ଓ ପିଜି ୪ର୍ଥ ସେମିଷ୍ଟର୍ ପାଠପଢ଼ା ଏପ୍ରିଲ ୨ରୁ ଆରମ୍ଭ ହୋଇ ଜୁନ୍ ୧୫ ପର୍ୟ୍ୟନ୍ତ ଚାଲିବ। ଜୁନ୍ ୧୬ରୁ ୩୦ ତାରିଖ ମଧ୍ୟରେ ପରୀକ୍ଷା ହେବ ଏବଂ ଜୁଲାଇ ୧୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ।


ରାଜ୍ୟ ସରକାରଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦେଶାବଳୀ ଅନୁଯାୟୀ, ନିୟମିତ ଭାବେ ପାଠପଢ଼ା ଅନୁଷ୍ଠିତ ହେବ। ଶ୍ରେଣୀଗୃହରେ ସାମାଜିକ ଦୂରତା ରକ୍ଷା ସହ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ କ୍ୟାମ୍ପସ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି। କ୍ଲାସରୁମ୍, ଲାଇବ୍ରେରି, ଲାବରୋଟାରି ଆଦି ସ୍ଥାନରେ ୬ ଫୁଟ୍ ସାମାଜିକ ଦୂରତା ରକ୍ଷା, ଯଦି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ରୁହନ୍ତି, ତେବେ ବ୍ୟାଚ୍ ଅନୁଯାୟୀ ବିଭକ୍ତ କରିବାକୁ କୁହାଯାଇଛି। କ୍ୟାମ୍ପସରେ ଛେପ ପକାଇବା ଉପରେ କଟକଣା ଲାଗୁ ହୋଇଛି। କାଶ-ଛିଙ୍କ ସମୟରେ ପାଟି ଓ ନାକ ଯେପରି ରୁମାଲ ଦ୍ବାରା ଆବଦ୍ଧ ରୁହେ, ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି। ସ୍ବାସ୍ଥ୍ୟ ଖରାପ ଥିଲେ କିମ୍ବା ଅସୁସ୍ଥ ଅନୁଭବ କରୁଥିଲେ, ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

 

ଅନ୍ୟପଟେ ଓଡ଼ିଶା ଇତିହାସରେ ପ୍ରଥମଥର ଲାଗି ରବିବାର ଦିନ ବିଧିବଦ୍ଧ ଭାବେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇଛି। ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଶାନୁରୂପ ହୋଇ ନଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପିଲାଙ୍କୁ ପଢ଼ାଇଛନ୍ତି। ପାଠପଢ଼ା ଯାଞ୍ଚ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମେତ ଏହା ଅଧୀନ ବିଭିନ୍ନ ନିର୍ଦେଶାଳୟର ୩୦ଜଣ ଅଧିକାରୀ ଦିନତମାମ ବିଭିନ୍ନ ଜିଲ୍ଲା ଗସ୍ତ କରିବା ସହ ଅନୁଧ୍ୟାନ କରି ବିଭାଗକୁ ରିପୋର୍ଟ ପ୍ରଦାନ କରିବେ।

 

Edit by: ବର୍ଷା ମଲ୍ଲିକ

Related News
satta king tw