Top Stories

Search here...

News

ଆଖି ବୁଜିଲେ ବିଶ୍ୱର ସର୍ବବୃହତ ପରିବାର ମୁଖିଆ; ଘର ପାଲଟିଥିବା ପର୍ଯ୍ୟଟନ ସ୍ଥଳୀ

Posted On - 6 minutes ago
Edited By Team BbsrReporters
LAST UPDATED Jun 14, 2021 11:27 AM

ମୃତ୍ୟୁ ବେଳକୁ ଜିଓନାଙ୍କ ପରିବାରରେ ୩୯ ଜଣ ପତ୍ନୀ, ୯୪ ସନ୍ତାନ, ୩୩ ନାତିନାତୁଣୀ ଓ ଗୋଟିଏ ଅଣନାତି ଏକାଠି ବାସ କରୁଥିଲେ ।

 

BBSR Reporters

 

ଆଇଜଲ: ବିଶ୍ୱର ସର୍ବବୃହତ ପରିବାରର ମୁଖିଆ ମାନ୍ୟତା ପାଇଥିବା ମିଜୋରାମ ନିବାସୀ ଜିଓନା ଚାନାଙ୍କର ରବିବାର ୭୬ ବର୍ଷ ବୟସରେ ପରଲୋକ ଘଟିଛି । ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଟ୍ୱିଟର ଜରିଆରେ ଜିଓନାଙ୍କ ମୃତୁ୍ୟକୁ ନେଇ ଗଭୀର ଶୋକପ୍ରକାଶ କରିଛନ୍ତି । ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ହୋଇ ଜିଓନା କିଛି ଦିନ ହେବ ରାଜଧାନୀ ଆଇଜଲ୍ର ଟ୍ରିନିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୃତୁ୍ୟ ବେଳକୁ ଜିଓନାଙ୍କ ପରିବାରରେ ୩୯ ଜଣ ପତ୍ନୀ, ୯୪ ସନ୍ତାନ, ୩୩ ନାତିନାତୁଣୀ ଓ ଗୋଟିଏ ଅଣନାତି ଏକାଠି ବାସ କରୁଥିଲେ ।

 

 ଆଇଜଲଠାରୁ ୧୦୦ କିମି ଦୂର ବକ୍ତାୱଙ୍ଗ୍ ତିଆଙ୍ଗ୍ନୁଆମ୍ ଗ୍ରାମରେ ଥିବା ଜିଓନାଙ୍କ ଘର ଏକ ପର୍ଯ୍ୟଟନ ସ୍ଥଳୀ ପାଲଟିଥିଲା । ମିଜୋରାମ ବୁଲିଆସୁଥିବା ଅଧିକାଂଶ ପର୍ଯ୍ୟଟକ ଏହି ଗ୍ରାମକୁ ଆସି ଜିଓନାଙ୍କ ବିଶାଳକାୟ ପରିବାର ସଦସ୍ୟଙ୍କୁ ଭେଟିବାର ସୁଯୋଗ ହାତଛଡା କରୁନଥିଲେ । ଜିଓନା ଗ୍ରାମର ‘ଚାନା ପଲ୍’ ନାମକ ଏକ ଖ୍ରିଷ୍ଟିଆନ୍ ସଂପ୍ରଦାୟର ମୁଖ୍ୟ ଦାୟିତ୍ୱ ତୁଲାଉଥିଲେ ।  ୧୯୪୫ ଜୁଲାଇ ୨୧ରେ ତାଙ୍କର ଜନ୍ମ । ତାଙ୍କୁ ମାତ୍ର ୧୭ ବର୍ଷ ବୟସ ହୋଇଥିବାବେଳେ ସେ ତାଙ୍କଠାରୁ ତିନି ବର୍ଷ ବଡ ଜାଥିଆଙ୍ଗ୍ ନାମକ ଯୁବତୀଙ୍କୁ ପ୍ରଥମ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ସେ ଜଣକ ପରେ ଜଣେ ମହିଳାଙ୍କୁ ବିବାହ କରି ପରିବାର ବୃଦ୍ଧିି କରିଥିଲେ । ଗୋଟିଏ ବର୍ଷ ସେ ସର୍ବାଧିକ ୧୦ ଜଣଙ୍କୁ ବିବାହ କରିଥିଲେ । ପର୍ବତଘେରା ଏହି ଗ୍ରାମରେ ଜିଓନାଙ୍କ ଚାରି ମହଲା ବିଶିଷ୍ଟ କୋଠାଘରେ ପରିବାରର ଶତାଧିକ ସଦସ୍ୟ ବାସ କରୁଛନ୍ତି ।

 

ଏହାର ନାମ ‘ଛୁଆନ୍ ଥାର୍ ରନ୍’ ଅର୍ଥାତ ନୂଆ ପିଢିଙ୍କ ପାଇଁ ଗୃହ ଭାବେ ନାମିତ କରାଯାଇଛି । ପୃଥକ ପ୍ରକୋଷ୍ଠରେ ତାଙ୍କର ପୁଅ, ବୋହୁ ଓ ନାତିନାତୁଣି ବାସ କରୁଥିଲେ ସୁଦ୍ଧା ସମସ୍ତଙ୍କ ପାଇଁ ଏକାଠି ରୋଷେଇ ହେଉଥିଲା । ୩୯ ପତ୍ନୀଙ୍କ ମଧ୍ୟରୁ ୨୨ ଜଣଙ୍କ ବୟସ ୪୦ରୁ କମ ହୋଇଥିବାବେଳେ ସେମାନେ ଜିଓନାଙ୍କ ବ୍ୟକ୍ତିଗତ ପ୍ରକୋଷ୍ଠକୁ ଲାଗିଥିବା ଏକ ଡର୍ମିଟୋରିରେ ବାସ କରୁଥିଲେ । ପ୍ରତ୍ୟେକ ପତ୍ନୀଙ୍କ ଔରସରୁ ଜନ୍ମିତ ସନ୍ତାନମାନେ ନିଜସ୍ୱ ରୋଜଗାର ଉପରେ ନିର୍ଭର କରୁଥିବାବେଳେ ପର୍ଯ୍ୟଟକଙ୍କ ତରଫରୁ ମଧ୍ୟ ଅନୁଦାନ ମିଳୁଥିଲା । ଜିଓନା ପରିବାର ପାଇଁ ଗ୍ରାମରେ ଏକ ସ୍କୁଲ ସ୍ଥାପନ କରିଥିଲେ ।  ଜ୍ୟେଷ୍ଠ ପତ୍ନୀ ଜାଥିଆଙ୍ଗ ଘରର ସବୁ କଥା ବୁଝୁଥିବାବେଳେ ଅନ୍ୟ ସମସ୍ତେ ତାଙ୍କୁ ଗୃହକର୍ତ୍ତୀଙ୍କ ସମ୍ମାନ ଦେଉଥିଲେ ।

 

ସବୁ ପତ୍ନୀ ମିଳିମିଶି ରୋଷେଇ ଦାୟିତ୍ୱ ତୁଲାଉଥିବାବେଳେ ଝିଅ ଓ ନାତୁଣିମାନେ ଘରଦ୍ୱାର ପରିଷ୍କାର ରଖିବା ଓ ଲୁଗାପଟା ସଫାସଫି କାର୍ଯ୍ୟ କରୁଥିଲେ । ପୁରୁଷ ସଦସ୍ୟମାନେ ଚାଷକାର୍ଯ୍ୟ ବ୍ୟତୀତ କୁକୁଡା ଫାର୍ମ, ଫର୍ନିଚର ଦୋକାନ, ଆଲୁମିନିୟନ ବାସନ ଦୋକାନ ଚଳାଉଥିଲେ । ୨୦୧୧ରେ ଆମେରିକୀୟ ଟେଲିଭିଜନ ଶୋ ‘ରିପ୍ଲେଜ୍ ବିଲିଭ୍ ଇଟ୍ ଅର୍ ନଟ୍’ କାର୍ଯ୍ୟକ୍ରମରେ ଜିଓନାଙ୍କ ପରିବାର ସମ୍ପର୍କିତ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଜିଓନା ପ୍ରତ୍ୟେକ ସଦସ୍ୟଙ୍କ ନାମ ମନେ ରଖିଥିଲେ । ପରିବାର ଲୋକଙ୍କ ପାଇଁ ଦୈନିକ ୧ କ୍ୱିଣ୍ଟାଲ ଚାଉଳ ଓ ୭୦ କିଲୋ ଆଳୁ ରୋଷେଇ କରାଯାଉଥିଲା ।
 

Related News
satta king tw