dd dd

Top Stories

Search here...

News

ଡାକ୍ତରଖାନାରେ ପାଞ୍ଚ ବର୍ଷ ହେଲା ନାହାନ୍ତି ଡାକ୍ତର: ଏବେ ହଠାତ ଦରଦ କାହିଁକି ?

Posted On - 1 hour ago

 

ରାଜ୍ୟରେ ଫାଙ୍କା ପଡିଛି ୫୧.୫୩% ଡାକ୍ତର ପଦବୀ । ଶିଶୁ ମୃତ୍ୟୁହାର, ଅପପୃଷ୍ଟି ପ୍ରବଣ ଜିଲ୍ଲାରେ ମଧ୍ୟ ଅବହେଳା,୬୨% ଡାକ୍ତର ପଦ ଫାଙ୍କା ।
 

 

BBSR Reporters

 

ଭୁବନେଶ୍ୱର: ରାଜ୍ୟରେ ସୁଶାସନ,ଲୋକପ୍ରିୟତାର ଡିଣ୍ଡିମ ପିଟୁଥିବା ସରକାରଙ୍କ ଅସଲି ଚେହେରା କିନ୍ତୁ କିଛି ଭିନ୍ନ । ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇବାରୁ ଆଜିବି ବଞ୍ଚିତ ନିରୀହ ଜନସାଧାରଣ । ପାଖାପାଖି ୫୧% ସରକାରୀ ମେଡିକାଲରେ ନାହାଁନ୍ତି ଡାକ୍ତର । ୨୦ବର୍ଷ ଶାସନ ଗାଦିରେ ବସି ମଧ୍ୟ ବିଫଳ ପ୍ରାୟ ନିର୍ଦିଷ୍ଟ ସରକାର । ଏକ ଆରଟିଆଇ ତଥ୍ୟ ମୁତାବକ ୨୦୨୦ ଏପ୍ରିଲ ମାସ ସୁଦ୍ଧା ରାଜ୍ୟର ୮,୭୧୯ ଡାକ୍ତର ପଦରୁ ୪,୪୯୩ ପଦ ପଡିଛି ଫାଙ୍କା । କେବଳ ୩୬୮୨ ରେଗୁଲାର,୫୧ ଆଡ-ହକ୍,୪୦୭ ଚୁକ୍ତିଭିତ୍ତିକ ଏବଂ ଜିଲ୍ଲା ମିନେରାଲ ଫଣ୍ଡ ଦ୍ୱାରା ନିଯୁକ୍ତ ୮୦ ଡାକ୍ତର ରାଜ୍ୟର ସାହା ଭରସା । ସେହି ପରି ଭାବେ ନର୍ସ ମାନଙ୍କ କାଥା ନ କହିବା ଭଲ, ଅଧାଦିନ ଏମାନଙ୍କର ଆନ୍ଦୋଳନରେ ବିତେ । ତେବେ ସ୍ୱାସ୍ଥ୍ୟ ବ୍ୟବସ୍ଥା କିପରି ଚାଲୁଛି ତାହା ବେଶ ଅନୁମେୟ ହେଉଥିବ ।

 

ବର୍ଷ ବର୍ଷ ଧରି ଡାକ୍ତର ପଦ ପୂରଣ ପାଇଁ ବିଭିନ୍ନ ରାଜନୈତିକ ଦଳ, ଜନସାଧାରଣ, ସାମାଜିକ କର୍ମୀ ଦାବି, ଆନ୍ଦୋଳନ, ସୁପାରିଶ କରୁଥିଲେ ମଧ୍ୟ ଏହା ବନ୍ଦ ଲଫାପା ରେ ପଡି ଥାଉଛି । ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀର ବିଘ୍ନରାଜ କରଙ୍କ ପ୍ରଚେଷ୍ଟା ପ୍ରଶାସନର ନିଦ ଭାଙ୍ଗିବାରେ ମଧ୍ୟ ସଫଳ ହୋଇପାରି ନାହିଁ । ଗଦା ଗଦା ଦାବିପତ୍ର,ଜିଲ୍ଲାପାଳଙ୍କ ପ୍ରତିଶୃତି, ମନ୍ତ୍ରୀଙ୍କ ଦୃଷ୍ଟିପାତ, ସିଏମଓ,୫ଟିଓ ବିଭାଗୀୟ ଅଧିକାରୀଙ୍କୁ ଟ୍ୱିଟ କିଛି ହେଲେ ଫରକ ପଡିଲାନି ସରକାରଙ୍କ ହୃଦୟ ପଟ୍ଟରେ ।

 

 

ଉତ୍ତରଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ବର୍ଷ ହେଲା ଡାକ୍ତର ନାହାନ୍ତି । ଜଣେ କମ୍ପାଉଣ୍ଡରଙ୍କ ହାତରେ ସ୍ୱାସ୍ଥ୍ୟ ଭାର,୧୫କିମି ଜିବାକୁ ପଡିଥାଏ ଲୋକଙ୍କୁ ,ରୋଗ ଟିକେ ଦେଖାଇବା ପାଇଁ । ଏନେଇ ବିଘ୍ନଜିତ ଖୁବ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇ ଲୋକଙ୍କ ହକ୍ ପାଇଁ ଲଢ଼ିଥିଲେ, ଡାକ୍ତର ଖାନାକୁ ଡାକ୍ତର ଗୋଟାଏ ଆଣିବା ପାଇଁ । ହେଲେ ସରକାରୀ କଳର ମନ୍ଥରତା ପାଇଁ ଏହା ଆଜିବି ସମ୍ଭବପର ହୋଇପାରି ନାହିଁ । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(CDMO) କହନ୍ତି " ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ମିଶାଇ ମୋଟ ୨୬୩ ପୋଷ୍ଟରୁ ୧୨୨ରେ ଡାକ୍ତର ଅଛନ୍ତି । ଆଉ ସବୁ ପୋଷ୍ଟ ବହୁଦିନ ଧରି ଫାଙ୍କା ପଡିଛି । ଆମେ ପ୍ରତେକ ୧୫ଦିନରେ ଥରେ ଏ ବାବଦରେ ରିପୋର୍ଟ ସରକାରଙ୍କୁ ଦେଇଥାଉ । ସରକାରଙ୍କ ହାତର କାଥା ଏସବୁ, ପ୍ଲେସ ଅଫ ପୋଷ୍ଟିଂ ସେମାନଙ୍କ ହାତରେ, ଆମ ହାତରେ କିଛି ହିଁ ନାହିଁ । ମୋର ୮ଟି ସିଏଚସିରେ ଇନଚାର୍ଜ ନାହାନ୍ତି ୪ଟା ସି ଏସସିରେ ଡାକ୍ତର ନାହାଁନ୍ତି । ବିଂଝାରପୁର ଭଳିଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଡେଣ୍ଟିଷ୍ଟଙ୍କୁ ଦାଇତ୍ୱ ଦେଇଛି, ଭଲ ଡାକ୍ତର ଜାଗାରେ"। ସେହିପରି ଭାବେ ନିଜର ୨୯ ବର୍ଷ ବୟସରୁ ରାଜନୀତିରେ ନିଜ ପଦ ବଜାୟ ରଖିଥିବା ବିଂଝାରପୁର ବିଧାୟିକା ମଧ୍ୟ ଏନେଇ ମୌନ । ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

 

କଣ କ୍ରାଇସିସ ମ୍ୟାନେଜମେଣ୍ଟରେ ବ୍ୟସ୍ତ ବିଜେଡି ?

 

ନିକଟରେ ପରି ହତ୍ୟାକାଣ୍ଡ,ଚାରା ଘୋଟାଲା,ଆରଟିଆଇ କର୍ମୀ ହତ୍ୟା ମାମଲା ସୋସିଆଲ ମିଡ଼ିଆରେ ଖୁବ ଟ୍ରେଣ୍ଡ ହୋଇ ଦଳକୁ ଅଡୁଆରେ ପକାଇଛି । ସରକାରଙ୍କ ବ୍ୟକ୍ତିଗତ ବିଶ୍ୱସ୍ଥ ଗୁଇନ୍ଦା ବିଭାଗ ଦଳର ଛବି ସାଧାରଣରେ ଖରାପ ହେଉଥିବା ନେଇ ଚେତାଇବା ପରେ ,ଜୋର ଦାର ଆରମ୍ଭ ହୋଇଛି କ୍ରାଇସିସ ମ୍ୟାନେଜମେଣ୍ଟ । କ୍ରାଇସିସ ମ୍ୟାନେଜର ଓ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଆଂଶିକ ନିଦ ଭାଙ୍ଗିଛି । ଏବେ ଯଦି ଛବି ନସଜଡ଼ାଯାଏ ତେବେ ଜନ ଆକ୍ରୋଶର ଶିକାର ହେବାକୁ ପଡିବା ଭୟ ରହୁଛି । ଅନ୍ୟପଟେ ବିରୋଧୀମାନେ ଚିଟ ଫଣ୍ଡ ଟଙ୍କା ଫେରସ୍ତ, ସାମୁଦ୍ରିକ ହାଇୱେ,ବାଲିଆପାଳ ବନ୍ଦର ନିର୍ମାଣ,ଚାଷୀକୁ ପ୍ରାଇସ-ପ୍ରେଷ୍ଟିଜ-ପେନସନ ଭଳି ମୁଖ୍ୟ ପ୍ରସଙ୍ଗ ଦୋହରାଇ ଅଡ଼ୁଆ ସୃଷ୍ଟି ମଧ୍ୟ କରିବା ଡର ରହୁଛି । 

 

 

ଏବେ,ବିଭିନ୍ନ ପ୍ରକଳ୍ପ ଉପରେ ନଜର ପକାଇ ବିଳମ୍ବରେ ହେଲେ ମଧ୍ୟ ରାଜ୍ୟରେ ପୁଣି ଜୋରଧରିଛି ଉନ୍ନତି,ପ୍ରଗତିର ଦେଖାଣିଆ ନାରା । ମୁଖ୍ୟମନ୍ତ୍ରୀଙ୍କ କିଛି ଖାସ ଲୋକ ମଧ୍ୟ ସତ୍ତା ହାତେଇବା ଲକ୍ଷ୍ୟରେ ଥିବା ରାଜନୀତିକ ସମୀକ୍ଷକ ମତ ଦେଉଛନ୍ତି । ବିଶେଷ ସୂତ୍ର ମୁତାବକ ଗୀତା ମେହେତା ମଧ୍ୟ ଏନେଇ ନବୀନଙ୍କୁ ସଜାଗ କରିଛନ୍ତି । ଦଳୀୟ ବିଶୃଙ୍ଖଳାକୁ ଯେମିତିଭି ହେଲେ ଚାପିବା ପାଇଁ କ୍ରାଇସିସ ମେନେଜମେଣ୍ଟ ଟିମ କାମ କରୁଛି । 'ଜାନ ଯାଉ କିନ୍ତୁ ମାନ ନଯାଉ' ଏହି ସୂତ୍ରକୁ ଦଳ ନିଜର ଅସ୍ତ୍ର କରି ନୂତନ ରଣନୀତିରେ ପାଦ ଥାପିଛି । ସେହିପରି ଭାବେ ପିପିଲି ଉପନିର୍ବାଚନ ଆଗକୁ ଥିବା ହେତୁ ଦଳ କୌଣସି ରିସ୍କ ନେବାକୁ ଚାହୁଁନି । ପିପିଲିର ଟିକେଟକୁ ନେଇ ରୁଦ୍ର ଏବଂ ତାଙ୍କ ମା ଉଭୟଙ୍କ ନାମ ସମ୍ନାକୁ ଆସିବା ପରେ  ପାରିବାରିକ କନ୍ଦଳକୁ ଚାପିବା ପାଇଁ ମଧ୍ୟ ଉଦ୍ୟମ ଦଳ କରୁଥିବା ଜାଣିବାକୁ ମିଳିଛି । ଶୁଣିବାକୁ ମିଳୁଛି ମହାରଥୀଙ୍କ ଝିଅ ପଲ୍ଲବୀ ଏହି ରେସରେ ଦୌଡିବା ପାଇଁ ଆଗ୍ରହୀ ମଧ୍ୟ ।

 

ଏଭଳି ସମୟରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ, ଇମୋସନାଲ ମାର୍କେଟିଂ,ସର୍ଭେ ରେଟିଙ୍ଗ ବଢାଇବା,ଘନ ଘନ ସାଧାରଣ ସ୍ଥଳୀ ଗସ୍ତ,୨୦୦୦ଡାକ୍ତର ପଦବୀ ପୂରଣ ପାଇଁ ସମୀକ୍ଷା,ଛାତ୍ରଙ୍କୁ ଆରକ୍ଷଣ,ସ୍କୁଲ ଫି ଛାଡ଼ ଭଳି କାର୍ଡ ଖେଳି କ୍ରାଇସିସ ମ୍ୟାନେଜର ପୁଣି ଆସ୍ଥାଭାଜନ ହେବାପାଇଁ ଅଣ୍ଟା ଭିଡି ଦିନ ରାତି ଏକ କରିଦେଇଛନ୍ତି । ବିପର୍ଯ୍ୟୟ ପରିଚାଳନାରେ ମାହିର ମ୍ୟାନେଜର ଏହି ଅନ୍ତରୀଣ ଦୁର୍ବିପାକକୁ କେମିତି ହ୍ୟାଣ୍ଡେଲ କରୁଛନ୍ତି ଏହା ହିଁ ପ୍ରତୀକ୍ଷା । କେବଳ ଦଳୀୟ ଛବି, ଅନ୍ତରୀଣ ବ୍ୟାପାର ସୁଧୁରିବ କି ସମ୍ପୂର୍ଣ୍ଣ ରାଜ୍ୟର ମେରୁଦଣ୍ଡରେ ପଡୁଥିବା ବୋଝର ବି ସୁଧାର ଆସିବ ଏହା ଦେଖିବା ପାଇଁ ଜନତା ଚାହିଁ ବସିଛନ୍ତି ନିଜର ମୂଲ୍ୟବାନ ଭୋଟ ଖଣ୍ଡେକୁ ଧରି ।

 

Report By: ଜଳେନ୍ଦ୍ର ମହାଳିକ

Related News
satta king tw