Top Stories

Search here...

News

ଆଜି ପବିତ୍ର ଅକ୍ଷୟ ତୃତୀୟା: ଜାଣନ୍ତୁ ଏହି ଦିନକୁ ନେଇ କଣ ରହିଛି ଚାଷୀଙ୍କ ବିଶ୍ୱାସ 

Posted On - 3 minutes ago
Edited By Team BbsrReporters
LAST UPDATED May 15, 2021 12:30 PM

ଅକ୍ଷୟ ତୃତୀୟା ଅବସରରେ ଆଜି ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ କରାଯିବାର ପ୍ରଥା ରହିଛି ।

 

BBSR Reporters

 


ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଓଡ଼ିଶା ସବୁ ଗାଁରେ ଅଖମୁଠି ବିଲକୁ ନେବା ପାଇଁ ସକାଳୁ ପ୍ରସ୍ତୁତି ହୋଇଥାଏ ।  ଆଜିର ଦିନରେ ଅଖି ମୁଠି ଅନୁକୂଳ କରି ବର୍ଷର କୃଷି କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ  । ସକାଳୁ ସକାଳୁ ଚାଷୀମାନେ ବିଲକୁ ଯାଇ ଅକ୍ଷିମୁଠି ଅନୁକୁଳ କରିଛନ୍ତି  । କୃଷି ଭିତ୍ତିକ ଏ ପର୍ବରେ ଗାଁ ପରିବେଶରେ ଏକ ପ୍ରକାର ଉସôବ ଦେଖିବାକୁ ମିଳିଥାଏ । ଚାଷୀମାନଙ୍କର ବିଶ୍ୱାସ ରହିଛି ଯେ ଆଜି ଭଳି ପବିତ୍ର ଦିନରେ ଶସ୍ୟ ବୁଣା ହେଲେ ଭଲ ଫସଲ ଅମଳ ହୁଏ । ତେଣୁ ଏହି ଦିନରେ ଚାଷୀମାନେ ବିଲକୁ ଧାନ ନେଇ ଅଖମୁଠି ଅନୁକଳୂଳ କରିଥାନ୍ତି ।

 


ଆଜିର ଦିନକୁ ମଧ୍ୟ  କୃଷକ ଦିବସ ରୂପେ ପାଳନ କରାଯାଉଛି  । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ରୂପେ ପାଳନ କରିଥାନ୍ତି  । ଏହି ଦିନରେ ବଳଦଙ୍କୁ ଗାଧୋଇ ଦେଇ  ତାଙ୍କ ମୁଣ୍ଡରେ ସିନ୍ଦୁର ହଳଦୀ ଲଗାଇ ପୂଜାର୍ଚ୍ଚନା କରାଯାଇଥାଏ ।  ଆଉ ଅକ୍ଷୟ ତୃତୀୟା ତିଥିରେ ହଳ ଲଙ୍ଗଳ ଧରି କ୍ଷେତକୁ ବାହାରି ଯାଇଥାନ୍ତି ଚାଷୀ । ମାଟି ମାକୁ ମୁଣ୍ଡିଆ ମାରି ସୁନା ଫସଲ ଫଳାଇବାକୁ ଆରମ୍ଭ କରିଥାନ୍ତି ପରିଶ୍ରମ । କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟାର ମହତ୍ତ୍ୱ ଓଡ଼ିଆ ପରମ୍ପରାରେ ଆଜି ବି ଉଜ୍ଜିବିତ ରହିଛି ।

 


ଅକ୍ଷୟ ତୃତୀୟା ଅବ୍ୟବହିତ ପୂର୍ବରୁ ଚାଷୀ ଘରେ କୃଷି ସରଞ୍ଜାମ ସାଜସଜା କରିବା ପରମ୍ପରା ବହୁ ପୁରୁଣା । ସେହିଭଳି ଅକ୍ଷୟ ତୃତୀୟାକୁ ଶୁଭଦିନ ଭାବେ ଗ୍ରହଣ କରାଯାଇ ଗୃହ ନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ହୋଇଥାଏ  । ଚାଷୀ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂଆ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଇଥାଏ  । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଦେଇ ହଳ ବୁଲାଇ ବିହନ ବୁଣିଥାଏ ଚାଷୀ  ।

 

ସେହିପରି ଆଜି ଅକ୍ଷୟ ତୃତୀୟା ଅବସରରେ ଆଜି ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ କରାଯିବାର ପ୍ରଥା ରହିଛି । ଶ୍ରୀମନ୍ଦିର ସମ୍ମୁଖରେ ବିଜେ କରିଥିବା ଦେବୀ ଚର୍ଚ୍ଚିକାଙ୍କ ଆଗରେ ରଥଖଳା କରାଯାଇ ରଥ ନିର୍ମାଣ ଆରମ୍ଭ ହେବ  । ବିଶ୍ୱକର୍ମା ମହାରଣାଙ୍କ ଦ୍ୱାରା ଶ୍ରୀଜୀଉଙ୍କ ରଥ ନିର୍ମାଣ କରାଯିବ  । ଦେବୀ ଚର୍ଚ୍ଚିକାଙ୍କ କରୁଣାରୁ ଶାସ୍ତ୍ରୀୟ ବିଧିରେ ନିର୍ମାଣ କାମ ସୁରୁଖୁରୁରେ ସଂପନ୍ନ ହୋଇଥାଏ ବୋଲି ବିଶ୍ୱାସ ରହିଛି  । ଅକ୍ଷୟ ତୃତୀୟା ତିଥିରେ ଅକ୍ଷି ପୂଜା ହେବା ପରେ ବିଶ୍ୱକର୍ମା ଓ ତାଙ୍କର ସହଯୋଗୀମାନେ ରଥ ନିର୍ମାଣରେ ଲାଗିଥାନ୍ତି  । କରୋନା ସଂକ୍ରମଣ ସତ୍ତ୍ୱେ ଓଡ଼ିଶାର ପ୍ରତି ଗାଁରେ ଆଜି ଏହି ଦିବସ ପାଳନ ହେଉଥିବା ଦେଖିବାକୁ ମିଳିଛି ।


 

Related News
satta king tw