Top Stories

Search here...

News

ଭୁବନେଶ୍ୱର, ପୁରୀରେ ରେକର୍ଡ ଭାଙ୍ଗିଲା ବର୍ଷା

Posted On - 1 day ago
Edited By Team BbsrReporters
LAST UPDATED Sep 14, 2021 05:21 PM

ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୧୯୫ ମିମି ବର୍ଷା ହୋଇଛି । 

 

BBSR Reporters


ଭୁବନେଶ୍ୱର: ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି । ପୁରୀ ଓ ଭୁବନେଶ୍ୱରରେ ରେକର୍ଡ ପରିମାଣର ବର୍ଷା ହୋଇଥିବା ବେଳେ  ପୁରୀରେ ୮୭ ବର୍ଷର ରେକର୍ଡ ଭାଙ୍ଗି ଥିବା ବେଳେ ଭୁବନେଶ୍ୱରରେ ୬୩ ବର୍ଷର ରେକର୍ଡ ଭାଙ୍ଗିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । 

 

ଲଗାଣ ବର୍ଷା ଯୋଗୁ ଭୁବନେଶ୍ୱରରେ ରାସ୍ତାଘାଟରେ ଲହଡ଼ି ମାରୁଛି ପାଣି । ଅନେକ ଅଞ୍ଚଳରେ ରାସ୍ତା ଉପରେ ପାଣି ଭରି ଯାଇଥିବା ଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବର୍ଷା ସାଙ୍ଗକୁ ହାଲୁକା ପବନ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପୁରୁଣା ଭୁବନେଶ୍ୱର ସ୍ଥିତି ଅନେକ ମନ୍ଦିରରେ ପାଣି ପଶିଯାଇଛି ।

 

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ରବିବାର ସକାଳ ସାଢେ଼ ୮ଟାରୁ ସୋମବାର (ଆଜି) ସକାଳ ସାଢେ଼ ୮ଟା ମଧ୍ୟରେ ଅର୍ଥାତ୍ ୨୪ ଘଣ୍ଟାରେ ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି । ଏହି ସମୟ ମଧ୍ୟରେ ଭୁବନେଶ୍ୱରରେ ୧୯୫ ମିମି ବର୍ଷା ହୋଇଛି । ସେହିପରି ପାରାଦୀପରେ ୨୧୯ ମିମି, ବାଲେଶ୍ୱରରେ ୨୪ ମିମି, ଗୋପାଳପୁରରେ ୬୪ ମିମି ଓ ଚାନ୍ଦବାଲିରେ ୪୬ ମିମି ବର୍ଷା ରେକର୍ଡ କରାଯାଇଛି ।

 

ପାରାଦୀପରେ ଜୋରରେ ବର୍ଷା ହେଉଥିବା ବେଳେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି । ବର୍ଷା ସାଙ୍ଗକୁ ପବନ ଯୋଗୁଁ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ମଧୁବନ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ହୋଇଯାଇଛନ୍ତି । ଅନେକ ତଳିଆ ଅଞ୍ଚଳରେ ପାଣି ଜମି ଯାଇଛି । ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି । କୁଜଙ୍ଗରେ ଗଛ ସାଙ୍ଗକୁ କେତେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି ।

 

ଅନ୍ୟପକ୍ଷରେ ଲଘୁଚାପ ଅବପାତର ରୂପ ନେବା ପରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇ ଚାନ୍ଦବାଲି ଦେଇ ଆଜି ଭୋରରୁ ସ୍ଥଳପଥ ଅତିକ୍ରମ କରିଛି । ଆଜି ଦିନ ତମାମ ୭ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଲାଗି ରହିବ । ସେହି ଜିଲ୍ଲା ଗୁଡ଼ିକ ହେଉଛି- ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ । ଗଭୀର ଅବପାତ ପ୍ରଭାବରେ ପଶ୍ଚିମ ଓଡ଼ିଶା ବି ପ୍ରବଳ ବର୍ଷା ହେବ । ସମ୍ବଲପୁର, ଦେବଗଡ଼, ସୋନପୁର ଓ ବରଗଡ଼, ଅନୁଗୋଳରେ ବି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି ।
 

Related News
satta king tw