Top Stories

Search here...

News

ଓଡ଼ିଶା ଇତିହାସରେ ପ୍ରଥମ; ଅଧୀକ୍ଷଣ ଯନ୍ତ୍ରୀ ଘରୁ ବାହାରିଲା ୧.୧୫ କୋଟିର ନଗଦ ଟଙ୍କା, ୧.୨ କିଲୋ ସୁନା

Posted On - 1 hour ago
Edited By Prabir Kumar
LAST UPDATED Mar 28, 2022 09:38 PM

ଆକ୍ସିସ ବ୍ୟାଙ୍କରେ ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ପରିବାର ଲୋକ ଓ ସଂପର୍କୀୟଙ୍କ ନାଁରେ ୧୨ଟି ଆକାଉଣ୍ଟ ରହିଛି । ଏ ସବୁ ଆକାଉଣ୍ଟରେ ସେ ୨.୨୫ କୋଟି ଟଙ୍କା ଜମା କରିଛନ୍ତି । ତାଙ୍କ ଠାରୁ ୪ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ବୀମାରାଶି ଠାବ କରାଯାଇଛି । 

 

BBSR Reporters


ଭୁବନେଶ୍ୱର : ଆଜି ଜଣେ ଯନ୍ତ୍ରୀଙ୍କ ଘରେ ରେଡ୍ ବେଳେ ଯେତିକି ନଗଦ ଟଙ୍କା ଜବତ ହୋଇଛି, ତାହା ଓଡ଼ିଶା ଭିଜିଲାନ୍ସର ଇତିହାସରେ କେବେ ହୋଇ ନଥିଲା । ତାଙ୍କ ଘରୁ କୋଟିଏରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଠାରୁ  ଏଭଳି ଟଙ୍କା ଜବତ କରିଛି ଭିଜିଲାନ୍ସ ।

 

ଚାରି ଦିନ ତଳେ ଭିଜିଲାନ୍ସ ପ୍ରଥମେ ତାଙ୍କ ଘରେ ଚଢ଼ାଉ କରିଥିଲା । ଆଉ ଆଜି ଚଢ଼ାଉର ଚତୁର୍ଥ ଦିନରେ ତାଙ୍କର କଟକ ଜିଲ୍ଲା ତ୍ରିଶୂଳିଆର ବେଲଗଛି ସ୍ଥିତ ଶାନ୍ତିବନ ଆପାର୍ଟମେଣ୍ଟରୁ ବାହାରିଛି ନଗଦ ୧ କୋଟି ୧୫ ଲକ୍ଷ ଟଙ୍କା । କେବଳ ସେତିକି ନୁହେଁ, ଏହା ପୂର୍ବରୁ ଚଢ଼ାଉର ପ୍ରଥମ ଦିନରେ ମାଲକାନଗିରି ସ୍ଥିତ ତାଙ୍କ ଘରୁ ନଗଦ ୨୧ ଲକ୍ଷ ୭୫ ହଜାର ୪୭୦ ଟଙ୍କା ମିଳିଥିଲା । ଅର୍ଥାତ୍ ତାଙ୍କ ପାଖରୁ ମୋଟ ୧ କୋଟି ୩୬ ଲକ୍ଷ ୭୫ ହଜାର ନଗଦ ଟଙ୍କା ଜବତ କରାଯାଇଛି ।


ଏହା ସହିତ ତାଙ୍କ ପାଖରୁ ମୋଟ ୧.୨ କେଜି ସୁନା ଜବତ କରାଯାଇଛି । ତା’ଭିତରେ ସୁନା ଗହଣା ସହିତ ସୁନା କଏନ ଓ ବିସ୍କୁଟ୍ ରହିଛି । ଆଜି ତାଙ୍କର ଶାନ୍ତିବନ ଆପାର୍ଟମେଣ୍ଟରୁ ୬୩୨ ଗ୍ରାମ ସୁନା ଜବତ କରାଯାଇଥିବା ବେଳେ ପୂର୍ବରୁ ମାଲକାନଗିରି ସ୍ଥିତ ଘରୁ ୬୦୨ ଗ୍ରାମ ସୁନା ଜବତ କରାଯାଇଥିଲା ।

 

ସେହିପରି ଆକ୍ସିସ ବ୍ୟାଙ୍କରେ ଶ୍ରୀ ଦାସଙ୍କ ପରିବାର ଲୋକ ଓ ସଂପର୍କୀୟଙ୍କ ନାଁରେ ୧୨ଟି ଆକାଉଣ୍ଟ ରହିଛି । ଏହି ସବୁ ଆକାଉଣ୍ଟର ପରିଚାଳନା ନିଜେ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ଦାସ କରୁଥିଲେ । ଏ ସବୁ ଆକାଉଣ୍ଟରେ ସେ ୨.୨୫ କୋଟି ଟଙ୍କା ଜମା କରିଛନ୍ତି । ଏହା ପୂର୍ବରୁ ତାଙ୍କର ୧.୭୭ କୋଟିର ଜମା ଟଙ୍କା ଠାବ କରାଯାଇଥିଲା । ତାଙ୍କ ଠାରୁ ୪ କୋଟି ଟଙ୍କାର ବ୍ୟାଙ୍କ ଜମା ଓ ବୀମାରାଶି ଠାବ କରାଯାଇଛି । ତାଙ୍କର ଆଉ କିଛି ବ୍ୟାଙ୍କରେ ଥିବା ଆକାଉଣ୍ଟର ଯାଞ୍ଚ କରାଯିବା ବାକି ଅଛି । ସେହିପରି ବ୍ୟାଙ୍କରେ ତାଙ୍କର ଦୁଇଟି ଲକର ରହିଛି । ଲକର ଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଇନି । ତାଙ୍କର ମୋଟ ସଂପତ୍ତିର ପରିମାଣ ଆହୁରି ବଢ଼ିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

 

ସୂଚନାଯୋଗ୍ୟ, ଭିଜିଲାନ୍ସ ନିଦେ୍ର୍ଧଶକ ୱାଇ କେ ଜେଠୱା ଆଜି ଦେଇଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟ ଭିଜିଲାନ୍ସ ଦୁର୍ନୀତି ନେଇ ୬୨ ମାମଲା ରୁଜୁ କରିଥିବା ବେଳେ ୪୩ ଜଣ ସରକାରୀ କର୍ମଚାରୀ ଗିରଫ ହୋଇସାରିଲେଣି । ଗିରଫ ସରକାରୀ କର୍ମଚାରୀଙ୍କ ମଧ୍ୟରେ ୧୪ ଜଣ ହେଉଛନ୍ତି ପ୍ରଥମ ଶ୍ରେଣୀ ଅଧିକାରୀ ।
 

Related News
satta king tw