dd dd

Top Stories

Search here...

News

ଆଜିଠୁ କରୋନା ଟିକାକରଣ ଆରମ୍ଭ

Posted On - 1 day ago

 

ଦେଶର ବିଭିନ୍ନ ସହର ସମେତ ଓଡ଼ିଶାର ୧୬୧ଟି କେନ୍ଦ୍ରରେ କରୋନା ଟିକା ପ୍ରଦାନ କରାଯିବ । ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 


 

BBSR Reporters


 

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେବ କରୋନା ବିରୋଧରେ ଶେଷ ପର୍ଯ୍ୟାୟର ଲଢ଼େଇ । ଆଉ କିଛି ଘଣ୍ଟାର ଅପେକ୍ଷା ପରେ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭାକ୍ସିନ । ଦେଶର ବିଭିନ୍ନ ସହର ସମେତ ଓଡ଼ିଶାର ୧୬୧ଟି କେନ୍ଦ୍ରରେ କରୋନା ଟିକା ପ୍ରଦାନ କରାଯିବ । ଏଥିପାଇଁ ରାଜ୍ୟର ସବୁ ଜିଲ୍ଲାରେ କରୋନା ଟିକା ପହଞ୍ଚି ସାରିଛି ।

 

ସକାଳ ସାଢ଼େ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ପରେ ଟିକାଦାନ ପ୍ରକ୍ରିୟା ଆରମ୍ଭ ହେବ । ଭୁବନେଶ୍ବର ଓ ସୁନ୍ଦରଗଡ଼ର ଦୁଇଟି ସ୍ଥାନ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଡ଼ି ହେବ । ସେହିପରି ମୁଖ୍ୟମନ୍ତ୍ରୀ ମଧ୍ୟ ଦିନ ୧୨ଟାରେ ହିତାଧିକାରୀଙ୍କ ସହିତ ଆଲୋଚନା କରିବେ । ଯେଉଁମାନେ ଟିକା ନେବେ, ସେମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମେସେଜ୍ ଦିଆଯାଇଛି । କେଉଁ ଟିକାଦାନ କେନ୍ଦ୍ରକୁ ଯିବାକୁ ହେବ, ସେ ସଂପର୍କରେ ମେସେଜ୍‌ରେ ଉଲ୍ଲେଖ ରହିଛି । ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ‌ଦୈନିକ ୧୦୦ଜଣଙ୍କୁ ଟିକା ପ୍ରଦାନ କରାଯିବ ।

 

ରାଜ୍ୟରେ ଟିକାଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଟିକା ସମସ୍ତ ଜିଲ୍ଲା ଓ କୋଲ୍ଡଚେନ୍‌ ପଏଣ୍ଟରେ ପହଞ୍ଚି ସାରିଛି । ପ୍ରଥମ ପର୍ଯ୍ୟାୟ ଟିକାଦାନ ପାଇଁ ରାଜ୍ୟରେ ପୂର୍ବରୁ ୧୬୦ଟି କେନ୍ଦ୍ର ଚିହ୍ନଟ ହୋଇଥିବା ବେଳେ ଏଥିରେ ସାମିଲ ହୋଇଛି ଏମ୍‌ସ। ଟିକାକରଣ ପାଇଁ ଟିକାଦାନ କେନ୍ଦ୍ରରେ ୫ ଜଣିଆ ଦଳ ନିୟୋଜିତ ହୋଇଛନ୍ତି। ବିଭିନ୍ନ ବର୍ଗର ୧୬,୧୦୦ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ୧୮ବର୍ଷରୁ ଅଧିକ, ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ ବ୍ୟକ୍ତି, ମେଡିକାଲରେ ଭର୍ତି ହୋଇଥିବା ରୋଗୀ ଓ ୧୪ ଦିନ ଭିତରେ କୌଣସି ଟିକା ନେଇଥିଲେ କରୋନା ଟିକା ନେଇପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଏହାସହ ସ୍ବାସ୍ଥ୍ୟକର୍ମୀ ପ୍ରଥମେ ଯେଉଁ ଟିକା ନେଇଥିବେ, ଦ୍ବିତୀୟ ଡୋଜ୍‌ରେ ସମାନ ଟିକା ନେବାକୁ ହେବ । ଏଥିରେ କୌଣସି ପ୍ରକାର ପରିବର୍ତନ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

 

ରାଜ୍ୟରେ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ୪ ଲକ୍ଷ ୮ହଜାର ଡୋଜ୍‌ର ‘କୋଭିସିଲ୍ଡ’ ଓ ଭାରତ ବାଇଓଟେକ୍‌ ଦ୍ବାରା ପ୍ରସ୍ତୁତ ‘କୋଭାକ୍ସିନ୍’ର ୨୦ ହଜାର ଡୋଜ୍ ପହଞ୍ଚି ସାରିଛି । କୋଭାକ୍ସିନ୍‌କୁ କେବଳ ଭୁବ‌ନେଶ୍ବରରେ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଭୁବନେଶ୍ବରର ୬ଟି ଟିକାଦାନ କେନ୍ଦ୍ରରେ ଆସନ୍ତାକାଲି ଟିକାକରଣ କରାଯିବ । ଏଥିପାଇଁ ସଂସ୍ଥା ପକ୍ଷରୁ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସ୍କ୍ରିନିଂ ଓ ସହମତିପତ୍ର ପ୍ରଦାନ କରାଯିବ । 

 

ଯେଉଁମାନେ କୋଭାକ୍ସିନ୍ ଟିକା ନେବେ, ସେମାନଙ୍କୁ ଟିକ ନେବା ପୂର୍ବରୁ ଏହି ଫର୍ମ ପୂରଣ କରିବାକୁ ହେବ । ଏହି ଫର୍ମକୁ କୋଲ୍‌ଡ ଚେନ୍ ପଏଣ୍ଟରେ ଦାଖଲ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସବୁ ଜିଲ୍ଲାପାଳ ଓ ନଗର ନିଗମକୁ ଚିଠି ଦିଆଯାଇଛି । ୯ହଜାର ଲୋକଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକାକରଣ କରିବାକୁ ଲକ୍ଷ୍ୟ ରହିଛି । ସମୁଦାୟ ଭାବେ ମୋଟ ୨୬ ହଜାର ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଥମ ପର୍ଯ୍ୟାୟ ପାଇଁ ପଞ୍ଜୀକୃତ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩ ଲକ୍ଷ ୩୮ ହଜାର ୭୭୭ ହିତାଧିକାରୀ ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜୀକୃତ ହୋଇଛନ୍ତି ।

 

 

କରୋନା ଟିକାକରଣ ପାଇଁ ପର୍ଯ୍ୟାପ୍ତ ଆଇଇସି(ପୋଷ୍ଟର, ବ୍ୟାନର ଓ ଷ୍ଟାଣ୍ଡ) ବିକଶିତ କରାଯାଇଛି । ଏପରିକି ମୋବାଇଲ କଲର ଟ୍ୟୁନ୍‌ରେ ଓଡ଼ିଆ ଭାଷାରେ ମଧ୍ୟ କରୋନା ଟିକା ସମ୍ବନ୍ଧରେ ସଚେତନତା କରାଯିବ ବୋଲି ସୂଚନା ମିଳିଛି । ଟିକାକରଣ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ରାଜ୍ୟର ସମସ୍ତ ଜିଲ୍ଲାକୁ ରାଜ୍ୟସ୍ତରୀୟ ମନିଟରିଂ ଦଳ ଗଠନ କରାଯାଇଛି । 

 

ସେହିପରି ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ରାଜସ୍ବ ବିଭାଗର କର୍ମଚାରୀଙ୍କ ତାଲିକା ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରଦାନ କରିବା ଲାଗି ସ୍ବାସ୍ଥ୍ୟ ବିଭାଗର ଜିଲ୍ଲାପାଳ ଓ ନଗର ନିଗମକୁ ଚିଠି ଦିଆଯାଇଛି । ଏଥିରେ ଜିଲ୍ଲା ସବ-ରେଜିଷ୍ଟ୍ରାର ଓ କର୍ମଚାରୀ, ଆରଟିଓ/ଏମ୍‌ଭିଆଇ ଓ କର୍ମଚାରୀ, ସିଏସ୍‌ଓ, ଏମ୍‌ଆଇ, ଯୋଗାଣ ସହାୟକ ଓ କର୍ମଚାରୀ, ଜିଲ୍ଲା ଅବକାରୀ ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଏଡିଡବ୍ଲୁଓ ଓ କର୍ମଚାରୀ, ଡିଆଇପିଆରଓ ଓ ଅନ୍ୟ କର୍ମଚାରୀ, ଟିଆରଓ ଓ ପ୍ରୋବେସନର, ଏସବୁ ବିଭାଗର ଡ୍ରାଇଭର ଓ ଠିକା ଓ ଆଉଟସୋର୍ସିଂ କର୍ମଚାରୀଙ୍କ ତାଲିକା ପ୍ରଦାନ କରିବା ଲାଗି ନିର୍ଦେଶ ଦିଆଯାଇଛି । ଏସବୁ କର୍ମଚାରୀଙ୍କ ତାଲିକା କୋ-ୱିନ୍ ପୋର୍ଟାଲରେ ଅପଲୋଡ୍‌ କରିବା ଲାଗି କୁହାଯାଇଛି ।

 

 

Edit by: ଅର୍ଚ୍ଚନା ଆଳୁକ

Related News
satta king tw