Top Stories

Search here...

News

ଦେଶରେ ପ୍ରଥମ ସ୍ଥାନ ଭାବେ କେନ୍ଦ୍ରାପଡ଼ାରେ ୩ ପ୍ରଜାତିର କୁମ୍ଭୀର ଚିହ୍ନଟ

Posted On - 2 minutes ago
Edited By Team BbsrReporters
LAST UPDATED Aug 30, 2021 10:31 AM

ଗାଁର ଶାରଦା ପ୍ରସାଦ ମହାନ୍ତି ଆଜି ନଦୀରେ ଜାଲ ପକାଇବାବେଳେ ତାଙ୍କ ଜାଲରୁ ଏହି କୁମ୍ଭୀର ଧରାଯାଇଛି । ବଉଳା କୁମ୍ଭୀରଙ୍କ ଅନ୍ତୁଡ଼ିଶାଳ ଭାବେ ପ୍ରସିଦ୍ଧ ଏହି ଜିଲ୍ଲାରେ ଏବେ ମଗର ଓ ଘଡ଼ିଆଳ କୁମ୍ଭୀରଙ୍କୁ ଚିହ୍ନଟ କରାଯାଇଛି ।

 

BBSR Reporters


କେନ୍ଦ୍ରାପଡ଼ା: ବିରଳ ବଉଳା କୁମ୍ଭୀରଙ୍କ ଭୂସ୍ୱର୍ଗ ହେଉଛି ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ । ବଉଳା କୁମ୍ଭୀରଙ୍କ ଅନ୍ତୁଡ଼ିଶାଳ ଭାବେ ପ୍ରସିଦ୍ଧ ଏହି ଜିଲ୍ଲାରେ ଏବେ ମଗର ଓ ଘଡ଼ିଆଳ କୁମ୍ଭୀରଙ୍କୁ ଚିହ୍ନଟ କରାଯାଇଛି । ଯଦିଓ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ବଉଳା, ମଗର ଓ ଘଡିଆଳ କୁମ୍ଭୀର ଦେଖିବାକୁମିଳେ । କିନ୍ତୁ ଗୋଟିଏ ଅଂଚଳରେ ଏକାବେଳକେ ୩ ପ୍ରଜାତିର କୁମ୍ଭୀର ଦେଖାଯିବା ବିରଳ ଏବଂ ସାରା ଦେଶରେ କେନ୍ଦ୍ରାପଡ଼ା ଜିଲ୍ଲା ଏ କ୍ଷେତ୍ରରେ ବ୍ୟତିକ୍ରମ ବୋଲି କୁହାଯାଇଛି ।

 

୧୯୭୦ ମସିହା ମଧ୍ୟଭାଗ୍ୟରେ କରାଯାଇଥିବା ଏକ ସର୍ଭେରେ ଭାରତରେ କୁମ୍ଭୀରମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡ଼ିଥିଲା । ଏହାପରେ କୁମ୍ଭୀରମାନଙ୍କର ବଂଶ ବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି ଯୋଜନା ଅନୁଯାୟୀ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡକ୍ଟର ଏଚ୍. ଆର. ବଷ୍ଟାର୍ଡ ଓଡ଼ିଶା ସମୁଦ୍ର ଉପକୂଳ ପରିଦର୍ଶନ କରି ଭିତରକନିକା କୁମ୍ଭୀର ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ ।

 

୨୦୧୬ ମସିହାରେ କେନ୍ଦ୍ରାପଡା ଜିଲ୍ଲାର ଲୁଣାନଦୀର ଗୋପ ନିକଟରେ ୧୪ଫୁଟ ୭ ଇଞ୍ଚର ଏକ ମଗର ଜାତିର କୁମ୍ଭୀର ଧରାଯାଇଥିଲା । ଆଜି ମହାକାଳପଡ଼ା ବ୍ଲକ୍ ଅମେଇପାଳ ପଂଚାୟତ ସାମଝରି ଗାଁ ନିକଟ ପାଇକା ନଦୀରୁ ଘଡ଼ିଆଳ ବା ଥଂଟିଆ କୁମ୍ଭୀର ଉଦ୍ଧାର କରାଯାଇଛି । ଏହି ଗାଁର ଶାରଦା ପ୍ରସାଦ ମହାନ୍ତି ଆଜି ନଦୀରେ ଜାଲ ପକାଇବାବେଳେ ତାଙ୍କ ଜାଲରୁ ଏହି କୁମ୍ଭୀର ଧରାଯାଇଛି । ୨୩୦ ଗ୍ରାମ ଓଜନ ଓ ଦେଢ଼ଫୁଟ ଲମ୍ବର କୁମ୍ଭୀରକୁ ବନବିଭାଗ ନିଜ ହେପାଜତକୁ ନେଇଛି । କେନ୍ଦ୍ରାପଡା ରେଞ୍ଜ୍ ଅଫିସର ଗୋବିନ୍ଦ ରଥ ଏହି କୁମ୍ଭୀରଙ୍କୁ ଉଦ୍ଧାର କରି ମହାକାଳପଡ଼ା ରେଂଜ ଅଫିସର ସାହାଜୀ ଚରଣ ବିଶ୍ୱାଳଙ୍କୁ ହସ୍ତାନ୍ତର କରିଥିଲେ ।

 

ରାଜନଗର ଡିଏଫଓ ଡକ୍ଟର ଯଜ୍ଞଦତ ପତିଙ୍କ ନିଦେ୍ର୍ଧଶ କ୍ରମେ ଏହି ପ୍ରଜାତିର କୁମ୍ଭୀର ବିରଳ ହୋଇଥିବାରୁ ଏହି କୁମ୍ଭୀରକୁ ନନ୍ଦନକାନନକୁ ହସ୍ତାନ୍ତର କରାଯାଇଛି । କୌଣସି ଜିଲ୍ଲାରେ ଦେଶରେ ଦେଖାଯାଉଥିବା ସମସ୍ତ ପ୍ରଜାତିର କୁମ୍ଭୀର ଚିହ୍ନଟ କରାଯିବାରେ କେନ୍ଦ୍ରାପଡ଼ା ପ୍ରଥମ ଜିଲ୍ଲା ବୋଲି ଡିଏଫ୍ଓ ଡକ୍ଟର ପତି ସୂଚନା ଦେଇଛନ୍ତି ।


 ୧୯୭୫ ମସିହାରେ କେନ୍ଦ୍ରାପଡ଼ା ଜିଲ୍ଲାର ଡାଙ୍ଗମାଳଠାରେ ୧୧୫ ବର୍ଗ କିଲୋମିଟର ଅଂଚଳରେ ୫୦ ଲକ୍ଷ ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢ଼ି ଉଠିଥିଲା । ପ୍ରଥମେ ୩୪ଟି ପରିପକ୍ୱ କୁମ୍ଭୀରଙ୍କ ସହିତ ୯୬ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ସଂଖ୍ୟା ୧୭୬୮ରେ ପହଁଚିଛି ।

 

କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପରିବେଶପ୍ରେମୀଙ୍କୁ ବିମୋହିତ କରିଥିବାବେଳେ ଏବେ ଆଉ ଏକ ଖୁସି ଖବର ଆସିଛି । କେନ୍ଦ୍ରାପଡ଼ା ଦେଶର ଏକମାତ୍ର ଜିଲ୍ଲା, ଯେଉଁଠି ସାରା ଭାରତ ବର୍ଷରେ ଦେଖାଯାଉଥିବା ସମସ୍ତ ୩ ପ୍ରଜାତିର କୁମ୍ଭୀର ବଉଳା ବା ଲୁଣିପାଣି କୁମ୍ଭୀର, ଘଡ଼ିଆଳ ବା ଥଂଟିଆ କୁମ୍ଭୀର ଓ ମଗର ପ୍ରଜାତିର କୁମ୍ଭୀର ଚିହ୍ନଟ କରାଯାଇଛି ।

Related News
satta king tw