Top Stories
Search here...
News
ମାଟ୍ରିକ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବ ତିନିଟି ପ୍ରି-ଟେଷ୍ଟ ପରୀକ୍ଷା; ପଢ଼ନ୍ତୁ ପୁରା ଖବର
Posted On - 10 minutes ago
ପାଠ୍ୟକ୍ରମର ୪୦% ପାଠପଢ଼ା ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପରୀକ୍ଷା ଦେବାକୁ ହେବ। ୬୦% ପାଠପଢ଼ା ସରିଲେ ଦ୍ବିତୀୟ ଓ ୮୦% ପାଠପଢ଼ା ଶେଷ ହେବା ପରେ ତୃତୀୟ ପରୀକ୍ଷା କରାଯିବ। ଏହାପରେ ଯାଇ ଛାତ୍ରଛାତ୍ରୀ ମୁଖ୍ୟ ପରୀକ୍ଷା ତଥା ମାଟ୍ରିକ୍ ପରୀକ୍ଷାରେ ଅଂଶଗ୍ରହଣ କରିବେ।
BBSR Reporters
ଭୁବନେଶ୍ବର : ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ମାଟ୍ରିକ୍ ପରୀକ୍ଷା ଦେବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ୩ଟି ପ୍ରି ଟେଷ୍ଟ ପରୀକ୍ଷା ଦେବାକୁ ପଡ଼ିବ। ପାଠ୍ୟକ୍ରମର ୪୦% ପାଠପଢ଼ା ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପରୀକ୍ଷା ଦେବାକୁ ହେବ। ୬୦% ପାଠପଢ଼ା ସରିଲେ ଦ୍ବିତୀୟ ଓ ୮୦% ପାଠପଢ଼ା ଶେଷ ହେବା ପରେ ତୃତୀୟ ପରୀକ୍ଷା କରାଯିବ। ଏହାପରେ ଯାଇ ଛାତ୍ରଛାତ୍ରୀ ମୁଖ୍ୟ ପରୀକ୍ଷା ତଥା ମାଟ୍ରିକ୍ ପରୀକ୍ଷାରେ ଅଂଶଗ୍ରହଣ କରିବେ।
ବର୍ତମାନ ସୁଦ୍ଧା ଅଧିକାଂଶ ବିଦ୍ୟାଳୟରେ ୪୦% ପାଠପଢ଼ା ଶେଷ ହୋଇଥିବାରୁ ଖୁବ୍ଶୀଘ୍ର ପରୀକ୍ଷା କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଏହି ପରୀକ୍ଷା ମାର୍କକୁ କୌଣସି ପ୍ରକାର ହିସାବକୁ ନିଆଯିବ। ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅଭ୍ୟାସ ଜାଣିବା ଓ କିଭଳି ଉନ୍ନତି ଆସିପାରିବ ତାହା ଜାଣିବା ଲାଗି ସ୍କୁଲସ୍ତରରେ ଏହି ପରୀକ୍ଷା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।
ବଡ଼ ନିଷ୍ପତ୍ତିକ୍ରମେ ସବୁ ଛାତ୍ରଛାତ୍ରୀ ନିଜ ସ୍କୁଲରେ ପରୀକ୍ଷା ଦେବେନି। ଯେଉଁଠି ଭିତ୍ତିଭୂମି ଥିବ ସେଠାକାର ଛାତ୍ରଛାତ୍ରୀ ହିଁ କେବଳ ନିଜ ସ୍କୁଲରେ ପରୀକ୍ଷା ଦେଇପାରିବେ। ନ ହେଲେ ନିକଟସ୍ଥ ସ୍କୁଲରେ ସେମାନଙ୍କ ପରୀକ୍ଷା କେନ୍ଦ୍ର ହେବ। ସେଠାକୁ ଯାଇ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିବେ। ଯଦି ହିସାବକୁ ନିଆଯାଏ ତେବେ ରାଜ୍ୟରେ ୮ ହଜାରରୁ ଅଧିକ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି। ଏଥିରେ ୬ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ପଢ଼ୁଥିବାରୁ ଉକ୍ତ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ସମ୍ଭାବନା ରହିଛି।
ସମସ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା ନିଜ ସ୍କୁଲରେ କରିବା ସମ୍ଭବପର ନୁହେଁ। କାରଣ ସବୁ ହାଇସ୍କୁଲରେ ପର୍ୟ୍ୟାପ୍ତ ଭିତ୍ତିଭୂମି ନ ଥିବାରୁ ସେଠାରେ ପରୀକ୍ଷା କେନ୍ଦ୍ର କରାଯାଇପାରିବ ନାହିଁ। କେଉଁଠି ପାଚେରି ନାହିଁ ତ ଆଉ କେଉଁଠି କ୍ଲାସରୁମ୍ ଅଭାବ ରହିଛି। ପ୍ରଶ୍ନପତ୍ର ସୁରକ୍ଷା ନେଇ ବି ଆଶଙ୍କା ଅଛି। ଏମିତି ଶତାଧିକ ବିଦ୍ୟାଳୟ ରହିଛି ଯେଉଁଠାରେ ୧୫ରୁ କମ୍ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ତେଣୁ ସେଠାରେ ପରୀକ୍ଷା କେନ୍ଦ୍ର ହେବନି। ଉକ୍ତ ସ୍କୁଲର ଛାତ୍ରଛାତ୍ରୀ ନିକଟସ୍ଥ ବିଦ୍ୟାଳୟରେ ପରୀକ୍ଷା ଦେବେ। ବେସରକାରୀ ବିଦ୍ୟାଳୟଗୁଡ଼ିକରେ ପରୀକ୍ଷା କେନ୍ଦ୍ର କରାଯିବ ନାହିଁ। ସେଠାକାର ପିଲାମାନେ ନିକଟସ୍ଥ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। କେବଳ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଏଥର କୌଣସି ବି କେନ୍ଦ୍ରରେ ୨୦୦ରୁ ଅଧିକ ପରୀକ୍ଷାର୍ଥୀ ରହିବେ ନାହିଁ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ଏମିତି ନିଷ୍ପତ୍ତି ନେଇଛି। ଗୋଟିଏ ବେଞ୍ଚରେ ଜଣେ କିମ୍ବା ଦୁଇ ଜଣ ପରୀକ୍ଷାର୍ଥୀ ବସିବେ। ବେଞ୍ଚ ମଧ୍ୟରେ ୬ ଫୁଟ୍ର ଦୂରତା ରହିବ। ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହେବ। ପୂର୍ବବର୍ଷ ତୁଳନାରେ ଏଥର ପ୍ରାୟ ଏକ ହଜାର ପରୀକ୍ଷା କେନ୍ଦ୍ର ବଢ଼ାଇବାକୁ ପ୍ରାରମ୍ଭିକ ନିଷ୍ପତ୍ତି ନିଆଯାଇଛି।
Edit by: ବର୍ଷା ମଲ୍ଲିକ