dd dd

Top Stories

Search here...

News

ଦିନକୁ ଦିନ ନୂଆନୂଆ ଉପାୟରେ ଲୋକଙ୍କୁ ଚକମା ଦେଉଛନ୍ତି ସାଇବର ଠକ

Posted On - 1 minute ago

 ସଚେତନ ନ ହେଲେ ଖାଲି କରି ଦେବେ ଆପଣଙ୍କ ଆକାଉଣ୍ଟ 


 

BBSR Reporters

 

ଭୁବନେଶ୍ବର : ପୋଲିସ ଠାରୁ ବେଶ ଆଗରେ ରହିଛନ୍ତି ସାଇବର ଠକ।  ଦିନକୁ ଦିନ ନୂଆନୂଆ ଉପାୟରେ ଲୋକଙ୍କୁ ଲୁଟି ଚାଲିଛନ୍ତି । ଠକାମିର ଗୋଟିଏ ତରିକା ବିଷୟରେ ଲୋକଙ୍କୁ ସଚେତନ ହେଲାବେଳକୁ ସାଇବର ଠକମାନେ ପରେ ଆଉ ଏକ ଉପାୟ ଆପଣାଉଛନ୍ତି । ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି କ୍ଷେତ୍ରରେ ପୋଲିସର ବିଶେଷ ଦକ୍ଷତା ନ ଥିବାବେଳେ ଏହାର ଫାଇଦା ଉଠାଉଛନ୍ତି ସାଇବର ଠକମା‌ନେ।  ଏମାନେ ପୋଲିସଠାରୁ ବେଶ୍ କେଇ ପାଦ ଆଗୁଆ ରହୁଛନ୍ତି । ଫଳରେ ପ୍ରତିଦିନ ରାଜ୍ୟର କୋଣ ଅନୁକୋଣରୁ ସାଇବର ଠକାମିର ନୂଆ ନୂଆ ଅଭିଯୋଗମ‌ାନ ଆସିବାରେ ଲାଗିଛି । ଏଭଳି ସମୟରେ ନିଜେ ସଚେତନ ନ ହେଲେ ସାଇବର ଠକମାନେ ଆପଣଙ୍କ ଆକାଉଣ୍ଟ ଖାଲି କରି ଭିକାରି କରିଦେବାର ଆଶଙ୍କା ରହିଛି ।

 

ସାଇବର ଅପରାଧର ପାଠଶାଳା ଝାଡ଼ଖଣ୍ଡର ‘ଜମତରା’ ଗ୍ୟାଙ୍ଗ୍‌ଗୁଡ଼ିକ ଭୁବନେଶ୍ବରରେ ଶାଖା ଖୋଲିବା ନେଇ ଖବର ପ୍ରକାଶ ପାଇବା ପରେ  ଏକ ସତର୍କତାମୂଳକ ବାର୍ତ୍ତା ଦେଇଥିଲା କମିସନରେଟ ପୋଲିସ। କିନ୍ତୁ ତା’ ପ‌ରେ ବି ଲୋକେ ସାଇବର ଠକଙ୍କ ଶିକାର ହେଉଥିବା ଅଭିଯୋଗ ହେଉଛି । ଫେସ୍‌ବୁକରେ ବନ୍ଧୁତା କରି, ଉପହାର ଲୋଭ ଦେଖାଇ, ବିବାହ ପ୍ରଲୋଭନ ଦେଖାଇ ଟଙ୍କା ଠକେଇ ଘଟଣା ସାମ୍ନାକୁ ଆସୁଛି । ଏହାର ମୁକାବିଲା ଲାଗି ଓଡ଼ିଶା ଭଳି ରାଜ୍ୟର ପୋଲିସ ପ୍ରୟାସ ଜାରି ରଖିଥିବାବେଳେ ନିକଟରେ ଝାଡ଼ଖଣ୍ଡ ପୋଲିସ ଏକ ସାଇବର ସଚେତନତା ପୁସ୍ତିକା ପ୍ରକାଶ କରିଛି । ୩୬ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତିକାରେ ୩୦ରୁ ଅଧିକ ପ୍ରକାର ସାଇବର ଠକେଇ ସମ୍ପର୍କରେ ଉଲ୍ଲେଖ ରହିଛି । ଏହାବାଦ୍‌ ଝାଡ଼ଖଣ୍ଡ ପୋଲିସ ସାଇବର ସୁରକ୍ଷା ନାଁରେ ଏକ ୟୁ-ଟ୍ୟୁବ୍ ଚ୍ୟାନେଲ୍‌ କରି ଲୋକଙ୍କୁ ସଚେତନ କରୁଛି । କିନ୍ତୁ ଓଡ଼ିଶା ପୋଲିସ ପକ୍ଷରୁ କେବଳ କିଛି ଭିଡିଓ ବାର୍ତ୍ତା ଜାରି କରିବା ଏବଂ ଠକେଇର ଶିକାର ଲୋକଙ୍କୁ ସହାୟତା ପାଇଁ ଏକ ସ୍ବତନ୍ତ୍ର ସେଲ୍ ଗଠନ କରିବା ବ୍ୟତୀତ ସେଭଳି ଆଖିଦୃଶିଆ ସଚେତନତା କାର୍ଯ୍ୟକ୍ରମ କରାଯାଇନାହିଁ । ସାଇବର ଠକେଇ କେଉଁକେଉଁ ଉପାୟରେ ହେଉଛି ? କ’ଣ କଲେ ଠକଙ୍କ ହାବୁଡ଼ରୁ ବର୍ତ୍ତି ହେବ ଏବଂ ଠକେଇର ଶିକାର ହେବା ପରେ ଜଣେ କ’ଣ କରିବେ ? ଏସବୁକୁ ନେଇ  ଲୋକଙ୍କୁ ବିସ୍ତୃତ ସୂଚନା ଦିଆଯିବାକୁ ଏବଂ ସଚେତନ କରିବାକୁ ଅଭିଯାନ ଆରମ୍ଭ ହୋଇଛି ।

 

 

ଭାରତରେ ମୁଖ୍ୟତଃ ଫେସ୍‌ବୁକକୁ ଅସ୍ତ୍ର କରିଛନ୍ତି ସାଇବର ଠକ। ଫେସ୍‌ବୁକ୍ ମାଧ୍ୟମରେ ଏବେ ସର୍ବାଧିକ ଠକେଇ ହେଉଥିବା ସାମ୍ନାକୁ ଆସୁଛି । ପ୍ରଥମେ ବିଦେଶରୁ କୌଣସି ଯୁବତୀର ଫଟୋ ଥିବା ଜାଲ୍ ଆକାଉଣ୍ଟରୁ ଯୁବକଙ୍କ ପ୍ରୋଫାଇଲ୍‌ ଖୋଜି ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ଆସେ । ଏହି ରିକ୍ୟୁଏଷ୍ଟକୁ ଆକ୍ସେପ୍ଟ(ଗ୍ରହଣ) କରିବା ପରେ ବନ୍ଧୁତା ବଢ଼ିଥାଏ । ନିବିଡ଼ତା ବଢ଼ିବା ପରେ ଯୁବତୀଜଣକ ଫୋନ୍ ନମ୍ବର ଏବଂ ହ୍ବାଟ୍‌ସଆପ୍ ନମ୍ବର ନେଇଯାଆନ୍ତି । ଏହା ପରେ ଭିଡିଓ ଓ ଅଡିଓ ଚାଟିଂ ଆରମ୍ଭ ହୁଏ।

ଯୁବତୀ ନିଜ ଆଡ଼ୁ ଅନ୍ତରଙ୍ଗ ମୁହୂର୍ତ୍ତ ତିଆରି କରି ଅଶ୍ଳୀଳ ଭିଡିଓ ଚାଟିଂର ରେକର୍ଡିଂ କରାଇନିଏ । ହ୍ବାଟ୍‌ସଆପ୍‌ ଭିଡିଓ କଲ୍ ସମୟରେ ସ୍କ୍ରିନସଟ୍ ରେକର୍ଡିଂ ଅପ୍‌ସନକୁ ଯୁବତୀ ଅନ୍ କରିଦିଏ । ଆଉ ଯୁବକଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ରେକର୍ଡିଂ କରି ରଖେ । ଏହି ରେକର୍ଡିଂକୁ ଭାଇରାଲ୍‌ କରିବ ବୋଲି ଧମକ ଦିଏ ଏବଂ ବ୍ଲାକମେଲିଂ କରି ଟଙ୍କା ଆଦାୟ କରେ । ଲୋକଲଜ୍ଜା ଭୟରେ ଯୁବକ କିଛି କହିପାରେ ନାହିଁ ଏବଂ ଠକାମିର ଶିକାର ହୁଏ ।

 

ଆଇପିଏସ୍, ଆଇଏଏସ୍, ଅଭିନେତା, ନେତାଙ୍କ ଭଳି ଜଣାଶୁଣା ବ୍ୟକ୍ତିଙ୍କ ଫେସ୍‌ବୁକ ଆକାଉଣ୍ଟକୁ ସାଇବର ଠକ ହ୍ୟାକିଂ ଓ କ୍ଲୋନିଂ କରି ନିଅନ୍ତି । ସେହି ଆକାଉଣ୍ଟରୁ ଅନ୍ୟକୁ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ(ବନ୍ଧୁତା ଅନୁରୋଧ) ପଠାନ୍ତି । ଯେଉଁମାନେ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ଆକ୍ସେପ୍ଟ (ବନ୍ଧୁତା ଗ୍ରହଣ) କରନ୍ତି, ସେମାନଙ୍କ ପାଖକୁ ଦିନେ, ଦୁଇ ଦିନ ଭିତରେ ଠକ ମେସେଞ୍ଜର ଜରିଆରେ ବିଭିନ୍ନ ଜଟିଳ ସମସ୍ୟା ଦେଖାଇ ଟଙ୍କା ମାଗେ । ଚିକିତ୍ସା କିମ୍ବା କୌଣସି ଜରୁରି କାମ ଦେଖାଇ ଠକ ଟଙ୍କା ମାଗିଥାଏ ।କେହି କେହି ଟଙ୍କା ଦେଇ ଦିଅନ୍ତି । ଫେସ୍‌ବୁକ୍ କ୍ଲୋନିଂରେ ମଧ୍ୟ ସମାନ ଧରଣର ଠକେଇ ହୋଇଥାଏ।

 

ହ୍ୟାକିଂରୁ କେମିତି ରକ୍ଷା ପାଇବେ ଆକାଉଣ୍ଟଧାରୀ ଫେସ୍‌ବୁକ୍ ବ୍ୟବହାରକାରୀମାନେ ନିଜ ଜନ୍ମ ତାରିଖ, ମୋବାଇଲ ନମ୍ବର, ନାଁ କିମ୍ବା ସମ୍ପର୍କୀୟ ନାଁକୁ ପାସ୍‌ୱାର୍ଡଭାବେ ବ୍ୟବହାର କରିବା ଅନୁଚିତ । ଫେସ୍‌ବୁକ୍‌ରେ ଥିବା ଟୁ ଫ୍ୟାକ୍ଟର ଭେରିଫିକେସନ କରିବା ।ନିୟମିତ ବ୍ୟବଧାନରେ ପାସ୍‌ଵାର୍ଡ ବଦଳାଇବା । ହ୍ୟାକ୍ ହେବା ଜାଣିବା ମାତ୍ରେ ଫେସ୍‌ବୁକ୍ ଓ ଅନ୍ୟ ସୋସିଆଲ ମିଡିଆରେ ତୁରନ୍ତ ଏହାକୁ ଜଣାଇବା ଦରକାର ।

 

Edit by: ଅର୍ଚ୍ଚନା ଆଳୁକ

Related News
satta king tw