Top Stories

Search here...

News

ଦେଶର ବିକାଶ ପାଇଁ ଶିକ୍ଷା ସର୍ବସ୍ପର୍ଶୀ ଏବଂ ସର୍ବବ୍ୟାପୀ ହେବା ଉଚିତ୍ - ପ୍ରଧାନମନ୍ତ୍ରୀ 

Posted On - 10 hours ago
Edited By Team BbsrReporters
LAST UPDATED Sep 08, 2021 06:51 PM

ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ‘ଶିକ୍ଷକ ପର୍ବ’ର କଳ୍ପନା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱବୋଧକୁ ଦର୍ଶାଉଛି- ଧର୍ମେନ୍ଦ୍ର ପ୍ରଧାନ  

 

BBSR Reporters


ନୂଆଦିଲ୍ଲୀ: ସେପ୍ଟେମ୍ବର ୦୭ - କୌଣସି ଦେଶର ବିକାଶ ପାଇଁ ଶିକ୍ଷା ସର୍ବସ୍ପର୍ଶୀ ଏବଂ ସର୍ବବ୍ୟାପୀ ହେବା ଉଚିତ୍ । ତେଣୁ ଆଜି ଦେଶ ଟକିଂ ବୁକ୍ସ ଏବଂ ଅଡ଼ିଓ ବୁକ୍ସ ଭଳି ଟେକ୍ନୋଲୋଜି ଶିକ୍ଷାକୁ ଏକ ଅଙ୍ଗ ଭାବରେ ଗ୍ରହଣ କରୁଅଛି ବୋଲି ମଙ୍ଗଳବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ‘ଶିକ୍ଷକ ପର୍ବ’ର ଉଦ୍ଘାଟନୀ ଆଲୋଚନାଚକ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେଇଛନ୍ତି । ସେହିପରି ଚଳିତ ମାସ ଗୁରୁ ଦିବସରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ‘ଶିକ୍ଷକ ପର୍ବ’ର କଳ୍ପନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶିକ୍ଷାର ସାମଗ୍ରିକ ବିକାଶ ଥିବା ଦାୟିତ୍ୱବୋଧକୁ ଦର୍ଶାଉଛି ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ସାଙ୍କେତିକ ଭାଷାର ୧୦ ହଜାର ଶବ୍ଦର ଶବ୍ଦକୋଷ, ଦୃଷ୍ଟିହୀନ ମାନଙ୍କ ପାଇଁ କଥା କହୁଥିବା ପୁସ୍ତକ (ଟକିଂ ବୁକ୍ସ), ସିବିଏସଇର ସ୍କୁଲ ଗୁଣାତ୍ମକ ମୂଲ୍ୟାଙ୍କନ ସୁବିଧା ଢ଼ାଂଚା(ଏସକ୍ୟୁଏଏଏଫ), ବିଦ୍ୟାଞ୍ଜଳି ପୋର୍ଟାଲ, ନିପୁଣ ଭାରତ ପାଇଁ ନିଷ୍ଠା ୩.୦ରେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଶିକ୍ଷକ ପର୍ବ ଅବସରରେ ବହୁମୁଖୀ ଯୋଜନା ଆରମ୍ଭ ହୋଇଛି ।

 

ଏହି ଯୋଜନା ଏଥିପାଇଁ ମହତ୍ୱପୂର୍ଣ୍ଣ କାରଣ ଦେଶ ଏବେ ଦେଶ ଆଜାଦୀର ଆମୃତ ଉତ୍ସବ ପାଳନ କରୁଛି । ଆଜାଦୀର ୧୦୦ ବର୍ଷ ପୂରଣ ହେବା ଅବସରରେ ଭାରତ କିଭଳି ହେବ ତାହାର ସଂକଳ୍ପ ନେଉଛି । ଏ ଦିଗରେ ନୂଆ ଶିକ୍ଷାନୀତି ଶିକ୍ଷା ବ୍ୟବସ୍ଥାକୁ ନୂଆ ରୂପ ଦେବାରେ ସହାୟକ ହେବ ଏବଂ ଶିକ୍ଷାକୁ ପ୍ରତିଯୋଗିତାମୂଳକ କରିବା ସହ ପିଲାଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ଓ ସମର୍ଥ କରି ଗଢ଼ିତୋଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ‘ଆଜାଦୀ କା ଅମୃତ ମହୋତ୍ସବ’ ମଧ୍ୟରେ ସବୁ ଅଲିମ୍ପିଆନ ଏବଂ ପାରାଲିମ୍ପିଆନ ୭୫ଟି ବିଦ୍ୟାଳୟକୁ ଯିବା ନେଇ ସେ ଖୁସିବ୍ୟକ୍ତ କରିଥିଲେ । ଏହା ଦ୍ୱାରା ଛାତ୍ରଛାତ୍ରୀ ଏବଂ ଅନେକ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା କ୍ଷେତ୍ରରେ ଯିବା ପାଇଁ ପ୍ରୋତ୍ସାହନ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହିପରି ‘ଶିକ୍ଷକ ପର୍ବ’ ଅବସରରେ ସମସ୍ତ ଶିକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ସବୁ ବର୍ଗରେ ଶିକ୍ଷାର ନିରନ୍ତରତାକୁ ସୁନିଶ୍ଚିତ କରିବା ଏବଂ ଦେଶରେ ବିଦ୍ୟାଳୟ ଗୁଡ଼ିକରେ ଗୁଣାତ୍ମକ ଏବଂ ଅଭିନବ ଶିକ୍ଷା ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ପାଳନ ହେଉଥିବା ଶିକ୍ଷକ ପର୍ବକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି ।

 

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଜି ଶୁଭାରମ୍ଭ ହୋଇଥିବା ବହୁମୁଖୀ କାର୍ଯ୍ୟକ୍ରମ ଭାରତର ନୂତନ ଯୁଗର ଶିକ୍ଷାର ଚେହେରା ହେବ । ଶିକ୍ଷକମାନଙ୍କର ମହତ୍ୱ ଏବଂ ସମ୍ମାନକୁ କେବଳ ଶିକ୍ଷକ ଦିବସରେ ସୀମିତ ନରଖି ଏକ ପର୍ବ ଭାବରେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନା, ଦେଶର ଆତ୍ମା ତଥା ଶିକ୍ଷା ବ୍ୟବସ୍ଥା ପାଇଁ ତାଙ୍କର ପ୍ରତିବଦ୍ଧତା ଏବଂ ନୂଆ ପିଢ଼ିଙ୍କୁ ପ୍ରସ୍ତୁତ କରିବା ପାଇଁ ତାଙ୍କର ଥିବା ସମ୍ବେଦନଶୀଳ ଦାୟିତ୍ୱବୋଧକୁ ପ୍ରତିଫଳିତ କରୁଛି । ବିଶ୍ୱ କୋଭିଡ୍ ମାହାମାରୀରେ ନୂଆ ଚ୍ୟାଲେଞ୍ଜ ଦେଇ ଗତି କରୁଥିବା ବେଳେ ଭାରତବର୍ଷର ବିଦ୍ୟାଳୟ ଗୁଡ଼ିକ ଦୁଇ ଛକିରେ ଛିଡ଼ା ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ସମସ୍ତଙ୍କୁ ଭରସା ଦେଇଛି । ‘ପରୀକ୍ଷା ପେ ଚର୍ଚ୍ଚା’ ଭଳି ନୂଆ କାର୍ଯ୍ୟକ୍ରମ କରି ବିଦ୍ୟାର୍ଥୀ, ଶିକ୍ଷକ ଏବଂ ଅଭିଭାବକଙ୍କ ପାଇଁ ପ୍ରଧାନମନ୍ତ୍ରୀ ମାର୍ଗଦର୍ଶକ ହୋଇଛନ୍ତି । ଶିକ୍ଷକ ପର୍ବ ଅବସରରେ ଆଜି ନୂଆ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ବିବିଧ ଏବଂ ମହତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ କରିବା ଏବଂ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ରାଷ୍ଟ୍ରୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ସମୟ ସମୟରେ କରାଯାଇଥିବା ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ମାର୍ଗଦର୍ଶନ କରୁଛନ୍ତି ।

 

ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ ଏ ସମସ୍ତ ପଦକ୍ଷେପ ବିଶେଷ ଭାବରେ ନିଷ୍ଠା, ଟକିଂ ବୁକ୍ସ ଏବଂ ବିଦ୍ୟାଞ୍ଜଳି ୨.୦ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ଶିକ୍ଷାର ସମାବେଶୀ ଏବଂ ସମାନତା ଆଣିବାରେ ଏବଂ ସବକା ସାଥ୍, ସବକା ବିକାଶ ଏବଂ ସବକା ବିଶ୍ୱାସ ସହ ସବକା ପ୍ରୟାସର ସଙ୍କଳ୍ପକୁ ପୂରା କରିବାରେ ମହତ୍ୱପୂର୍ଣ୍ଣ ପ୍ଲାଟଫର୍ମ ହେବ । ଆଜି ଆମେ ସ୍ୱାଧୀନତାର ଅମୃତ ଉତ୍ସବ ପାଳନ କରୁଅଛେ । ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନରେ ନିଆଯାଇଥିବା ସମସ୍ତ ପଦକ୍ଷେପ ଭାରତ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ, ତାହାର ଆବଶ୍ୟକତାକୁ ପୂରଣ କରିବାର ମାଧ୍ୟମ ହେବ । ବିଶ୍ୱ ମହାମାରୀ କରୋନା ସମୟରେ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପହଁଚାଇବାରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ । ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ ଏବଂ ସମସ୍ତଙ୍କୁ ଶିକ୍ଷା ତଥା ଗୁଣାତ୍ମକ ଶିକ୍ଷା ପହଂଚାଇବାର ସଂକଳ୍ପକୁ ପୂରଣ କରିବା ପାଇଁ ଶିକ୍ଷକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଶିକ୍ଷା ମନ୍ତ୍ରଣାଳୟର ରାଷ୍ଟ୍ର ମନ୍ତ୍ରୀ ଡା. ରାଜକୁମାର ରଞ୍ଜନ ସିଂହ, ଶ୍ରୀମତି ଅନ୍ନପୂର୍ଣ୍ଣା ଦେବୀ, ଡା. ସୁବାଷ ସରକାର, ଜାତୀୟ ଶିକ୍ଷା ନୀତି ଚିଠା ପ୍ରସ୍ତୁତ କରିଥିବା ଡା. କସ୍ତୁରୀରଙ୍ଗନ ଓ ସଦସ୍ୟ ଏବଂ ବିଭିନ୍ନ ରାଜ୍ୟର ଶିକ୍ଷକମାନେ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ ।
 

Related News
satta king tw