Top Stories

Search here...

News

ପୁରୀ ଠାରୁ ୯୦ କିମି ଦୂରରେ ଯିବ ବାତ୍ୟା ଅସାନି; ୧୦ ସନ୍ଧ୍ୟାରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବ

Posted On - 1 week ago
Edited By Prabir Kumar
LAST UPDATED May 16, 2022 12:03 AM

ବାତ୍ୟା ଅତିକ୍ରମ କରିବା ବେଳେ ପବନର ସର୍ବାଧିକ ଘଣ୍ଟାପ୍ରତି ବେଗ ୫୦ କିମି ଯାଏ ରହିବ । ୧୦ ତାରିଖରେ ବାତ୍ୟା ଯୋଗୁ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ହେଲେ ସ୍ଥଳ ଭାଗକୁ ଆସିବ ନାହିଁ । ସମୁଦ୍ର ମଧ୍ୟରେ ସମାନ୍ତରଳ ଭାବେ ଏହା ଉତ୍ତର ବଙ୍ଗୋପସାଗର ମୁହଁ ହେବ ।

 

BBSR Reporters


ଭୁବନେଶ୍ୱର: ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ବାତ୍ୟା ଅସାନି ସମ୍ପର୍କରେ ବଡ଼ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ପୁରୀ ଠାରୁ ଏହା ପ୍ରାୟ ୯୦ରୁ ୧୦୦ କିମି ଦୂରରେ ଅତିକ୍ରମ କରିବ । ବାତ୍ୟା ଅସାନି ଏବେ ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୯୨୦ କିମି ଦୂରରେ ରହିଛି । ବାତ୍ୟା ୧୦ ତାରିଖ ସନ୍ଧ୍ୟା ସମୟରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବ । 


ବାତ୍ୟା ଅତିକ୍ରମ କରିବା ବେଳେ ପବନର ସର୍ବାଧିକ ଘଣ୍ଟାପ୍ରତି ବେଗ ୫୦ କିମି ଯାଏ ରହିବ । ୧୦ ତାରିଖରେ ବାତ୍ୟା ଯୋଗୁ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବ । ହେଲେ ସ୍ଥଳ ଭାଗକୁ ଆସିବ ନାହିଁ । ସମୁଦ୍ର ମଧ୍ୟରେ ସମାନ୍ତରଳ ଭାବେ ଏହା ଉତ୍ତର ବଙ୍ଗୋପସାଗର ମୁହଁ ହେବ ।  ସେହିପରି ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ୧୨ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରର ଗୋଟିଏ ଦୁଟି ସ୍ଥାନରେ ୭ରୁ ୧୧ ସେମି ଯାଏ ବର୍ଷା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି ।

 

ଏସଆରସି ଆହୁରି କହିଛନ୍ତି, ସମୁଦ୍ର ଭିତରକୁ ଯାଇଥିବା ଓଡ଼ିଶା ସବୁ ମାଛଧରା ଡଙ୍ଗା ଆଜି ସୁଦ୍ଧା ଫେରି ଆସିଛି । ପ୍ରାୟ ୫୬ଟି ବୋଟ ସମୁଦ୍ର ମଧ୍ୟରେ ରହିଥିଲା । ସେହିପରି ଚିଲିକାରେ ଚଳାଚଳ କରୁଥିବା ୧୦୦୦ ବୋଟ ମଧ୍ୟରୁ ଅନେକ ଆଜି ଫେରି ଆସିଛନ୍ତି । କାଲି ବିଭାଗ ଏହା ଉପରେ ଗୁରୁତ୍ୱ ଦେଇ ସବୁ ଡଙ୍ଗାକୁ ଫେରାଇ ଆଣିବ ।

 

ବାତ୍ୟା ଯୋଗୁ ୭ରୁ ୧୧ ସେମି ଭିତରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ଗ୍ରୀଷ୍ମ କାଳରେ ବର୍ଷା ହେବ । ଏବେ ଖରା ଯୋଗୁ ନଦୀ ନାଳ ଓ ମାଟି ଶୁଖିଲା ରହିଛି । ତେଣୁ ବର୍ଷା ହେଲେ ମଧ୍ୟ ବନ୍ୟାର ଆଶଙ୍କା ନାହିଁ । ତଥାପି ଜିଲ୍ଲା ଓ ମନ୍ୟୁସିପାଲ ଅଧିକାରୀମାନଙ୍କୁ ପାଣି ଜମି ରହିବା ସମସ୍ୟା ଉପରେ ଦୃଷ୍ଟି ରଖିବାକୁ କହିଛୁ । ଦରକାର ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ।

 

ସତର୍କତା ସ୍ୱରୂପ ଗଞ୍ଜାମ ଜିଲ୍ଲାରେ ୨ଟି, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ସାତପଡ଼ା, ପୁରୀ, ଅସ୍ତରଙ୍ଗ-କୋଣାର୍କରେ ଗୋଟିଏ ଲେଖାଏ ଓଡ୍ରାଫ ଟିମ୍ ମୁତୟନ ହେବେ । ଏହାବାଦ ଜଗତସିଂହପୁରରେ ଗୋଟିଏ, କେନ୍ଦ୍ରାପଡ଼ାର ମହାକାଳପଡ଼ା ଓ ରାଜନଗରରେ ଗୋଟିଏ ଲେଖାଏ ଓଡ୍ରାଫ ଟିମ୍ ରହିବେ । ସେହିପରି ବାଲେଶ୍ୱରରେ ରହିଥିବା ଗୋଟିଏ ଏନଡିଆରଏଫ ୟୁନିଟ୍କୁ ମଧ୍ୟ ଆଲର୍ଟରେ ରଖାଯିବ ବୋଲି ସେ କହିଛନ୍ତି ।
 

Related News
satta king tw