Top Stories

Search here...

News

ଦକ୍ଷିଣ ଆଫ୍ରିକାରେ ନୂଆ ଭୂତାଣୁକୁ ‘ଓମିକ୍ରନ୍‌’ ନାଁରେ ନାମିତ କରିଛି ହୁ 

Posted On - 19 hours ago
Edited By Team BbsrReporters
LAST UPDATED Nov 28, 2021 12:36 AM

ଆଶଙ୍କା କରାଯାଉଛି ଆଗକୁ ଏହାର ପ୍ରଭାବ ୟୁରୋପୀୟ ଦେଶଗୁଡିକରେ ପଡିପାରେ । କାରଣ ୟୁରୋପରେ ଏବେ ହୁ ହୁ ହୋଇ ବଢି ଚାଲିଛି କରୋନାର ଡେଲ୍ଟା ଭୂତାଣୁ ।

 

 

BBSR Reporters

 

 

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ନୂଆ ଭୂତାଣୁକୁ ଭାରିଆଂଟ ଅଫ୍ କନ୍‌ସର୍ଣ୍ଣ କହିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ନୂଆ ଭୂତାଣୁକୁ ‘ଓମିକ୍ରନ୍‌’ ନାଁରେ ନାମିତ କରିଛି ହୁ । ଏପଟେ କରୋନାର ଏହି ନୂଆ ପ୍ରଜାତି ୟୁରୋପକୁ ବ୍ୟାପିଛି । ବେଲ୍‌ଜିୟମ୍‌ରେ ପ୍ରଥମ ମାମଲା ଚିହ୍ନଟ ହୋଇଥିବା ଜଣାପଡିଛି ।

 

 

ଆଶଙ୍କା କରାଯାଉଛି ଆଗକୁ ଏହାର ପ୍ରଭାବ ୟୁରୋପୀୟ ଦେଶଗୁଡିକରେ ପଡିପାରେ । କାରଣ ୟୁରୋପରେ ଏବେ ହୁ ହୁ ହୋଇ ବଢି ଚାଲିଛି କରୋନାର ଡେଲ୍ଟା ଭୂତାଣୁ । ଜର୍ମାନୀ, ଅଷ୍ଟ୍ରିଆ, ନେଦରଲ୍ୟାଣ୍ଡ, ବ୍ରିଟେନ୍‌, ଫ୍ରାନ୍ସ ସମେତ ଅନେକ ଦେଶରେ କରୋନା ଗ୍ରାଫ ଏବେ ଉପରମୁହାଁ ରହିଛିି । ୨୦୨୦ ମାର୍ଚ୍ଚ ମାସରେ ପ୍ରଥମେ କରୋନା ଭୂତାଣୁ ୟୁରୋପରେ ପ୍ରବେଶ କରିଥିଲା । କରୋନାର ଆଲଫା ଭାରିଆଂଟ ଅଧିକ ବିପଦ ସୃଷ୍ଟି କରିଥିଲା ।

 

 

ଏହା ପରେ ପରେ ୨୦୨୧ ମସିହାର ଜୁନ୍‌, ଜୁଲାଇ ବେଳକୁ ଏଠାରେ ଡେଲଟା ଭାରିଆଂଟ ଚିହ୍ନଟ ହେଲା । ଟିକା ନେବାକୁ ଅନିଚ୍ଛା, ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ଏବଂ ଲୋକେ କରୋନା କଟକଣାକୁ ନମାନିବା ଫଳରେ ଅଧିକ ବ୍ୟାପକ ହେଉଛି ସଂକ୍ରମଣ । ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନାର ନୂଆ ଭୂତାଣୁ ଆଗକୁ ୟୁରୋପରେ ବ୍ୟାପିଲେ ପରିସ୍ଥିତି ଆହୁରି ଭୟଙ୍କର ହୋଇପଡିବ । ଅଧିକ ମୃତ୍ୟୁ ଓ ଅଧିକ ଆର୍ଥିକ କ୍ଷତି ସହିବେ ୟୁରୋପର ଅପେକ୍ଷାକୃତ ବିକଶିତ ଦେଶ । କରୋନାର ଏହି ନୂଆ ପ୍ରଜାତିକୁ ଦୃଷ୍ଟିରେ ରଖି ଫ୍ରାନ୍‌ସ, ବ୍ରିଟେନ୍ ଓ ଇସ୍ରାଏଲ ଆଦି ଦେଶ, ଦକ୍ଷିଣ ଆଫ୍ରିକା ସହ ବିମାନ ଚଳାଚଳ ଉପରେ ସାମୟିକ କଟକଣା ଲଗାଇଛନ୍ତି । ଭାରତ ମଧ୍ୟ କଡା ଆଭିମୁଖ୍ୟ ଗ୍ରହଣ କରିଛି ।

 

 

ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋସ୍ୱାନାରୁ ଆସୁଥିବା ଯାତ୍ରୀଙ୍କର ସ୍କ୍ରିନିଂକୁ କଡାକଡା କରାଯାଇଛି । ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷା କରାଇବାକୁ କୁହାଯାଇଛି ।ପାଖାପାଖି ୫୦ ଥର ରୂପ ବଦଳାଇଥିବା ଏହି ନୂଆ ପ୍ରଜାତିର ପ୍ରତିରୋଧ ଶକ୍ତିକୁ ଭେଦ କରିବାର କ୍ଷମତା ରହିଛି । ଭୂତାଣୁ ଉପରେ ଥିବା ଏହାର ସ୍ପାଇକ ପ୍ରୋଟିନ ୩୦ରୁ ଅଧିକ ଥର ରୂପ ବଦଳାଇଛି । ଯାହା ଟିକା ସୁରକ୍ଷା ବଳୟକୁ ମଧ୍ୟ ଭେଦ କରିବାକୁ କ୍ଷମତା ରଖିଥିବା ଆଶଙ୍କା କରାଯାଉଛି । ଯଦିଓ ଏହା କେତେ ସଂକ୍ରାମକ ଏବଂ ଏହାର ପ୍ରଭାବ କଣ ରହିବ ତାକୁ ନେଇ ଅଧିକ ଗବେଷଣା ଚାଲିଛି ।

Related News
satta king tw