Top Stories

Search here...

News

‘ମୋ ସ୍କୁଲ୍’ ପକ୍ଷରୁ ଯୋରଦାର୍ ହେଲା ସୋସିଆଲ୍ ଅଡିଟ୍; ଲୋକେ ଜାଣିବେ ଆୟବ୍ୟୟର ହିସାବ

Posted On - 6 minutes ago
Edited By Team BbsrReporters
LAST UPDATED Dec 21, 2021 07:03 PM

କାର୍ଯ୍ୟରେ ସ୍ୱଚ୍ଛତା ଓ ନିରପେକ୍ଷତାକୁ ପ୍ରାଥମିକତା ଗୁରୁ୍ତ୍ୱ । ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୧୫୦ ସ୍କୁଲରେ  ଆରମ୍ଭ ।

 

BBSR Reporters


ଭୁବନେଶ୍ୱର: କାର୍ଯ୍ୟରେ ସ୍ୱଚ୍ଛତା ଓ ନିରପେକ୍ଷତାକୁ ଗୁରୁତ୍ୱ ଦେବାକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ‘ମୋ ସ୍କୁଲ୍ ଅଭିଯାନ’ ପକ୍ଷରୁ ଆରମ୍ଭ ହୋଇଛି ‘ସୋସିଆଲ୍ ଅଡିଟ୍’ କାର୍ଯ୍ୟକ୍ରମ । ‘ମୋ ସ୍କୁଲ୍ ଅଭିଯାନ’ ଅଧୀନରେ ରାଜ୍ୟର ଉଚ୍ଚ, ଉଚ୍ଚ ପ୍ରାଥମିକ ଏବଂ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଏବଂ ହୋଇଥିବା ଅର୍ଥ ବିନିଯୋଗର ସମୀକ୍ଷା କରିବାକୁ ମୋ ସ୍କୁଲ୍ ଅଭିଯାନ ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ‘ମୋ ସ୍କୁଲ୍’ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ରାଜ୍ୟର ୩୦ଟି ଜିଲ୍ଲାର ମୋଟ ୧୫୦ଟି ସ୍କୁଲ୍ରେ ସୋସିଆଲ୍ ଅଡିଟ୍ ଆରମ୍ଭ ହୋଇଥିବା ବେଳେ ଏଥିରେ ପ୍ରତି ଜିଲ୍ଲାରୁ ୫ଟି ଲେଖାଁଏ ସ୍କୁଲ୍ ରହିଛି । ଏହାପରେ ପର୍ଯ୍ୟାୟକ୍ରମେ ରାଜ୍ୟର ୩୫,୦୦୦ ପ୍ରକଳ୍ପ ବିଦ୍ୟାଳୟରେ ସୋସିଆଲ୍ ଅଡିଟ୍ କରାଯିବାକୁ ଯୋଜନା ରହିଛି । 

 


ଗୋଷ୍ଠୀ ସହଭାଗିତାକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍କୁଲ୍ ପରିଚାଳନା କମିଟି, ପୁରାତନ ଛାତ୍ରଛାତ୍ରୀ ଏବଂ ଅର୍ଥଦାନ କରିଥିବା ବ୍ୟକ୍ତିବିଶେଷଙ୍କ ଅର୍ନ୍ତଭୁକ୍ତିଙ୍କୁ ପ୍ରାଥମିକତା ଦିଆଯାଉଛି । ପ୍ରକଳ୍ପ ପାଇଁ କେତେ ଟଙ୍କାର ଆର୍ଥିକ ସହାୟତା ମିଳିଥିଲା, ରାଜ୍ୟ ସରକାରଙ୍କ ମ୍ୟାଚିଗ୍ରାଣ୍ଟ୍ ମିଶିବା ପରେ ମୋଟ କେତେ ଟଙ୍କାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା, ଏଥିପାଇଁ କେଉଁଠାରୁ ଏବଂ କେତେ ଟଙ୍କାରେ ସାମଗ୍ରୀ କ୍ରୟ କରାଯାଇଛି, ମୋଟ କେତେ ଅର୍ଥ ବ୍ୟୟ ହୋଇଛି, ତାହାଉରେ ସମସ୍ତ ଷ୍ଟେକ୍ହୋଲ୍ଡର ତଥା ହିତାଧିକାରୀଙ୍କୁ ଅବଗତ କରାଯିବ । ଏଥିପାଇଁ ସ୍କୁଲ୍ଗୁଡ଼ିକରେ ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇ ସମସ୍ତଙ୍କ ଉପସ୍ଥିତିରେ ପ୍ରକଳ୍ପର ବ୍ୟୟବରାଦ ସମ୍ପର୍କରେ ଆଲୋଚନା କରାଯାଉଛି । କିଛି ସ୍ଥାନକୁ ‘ମୋ ସ୍କୁଲ୍’ ବରିଷ୍ଠ ଅଧିକାରୀମାନେ ଗସ୍ତ କରି ସେଠାରେ ଅର୍ଥ ବିନିଯୋଗର ସମୀକ୍ଷା କରିବା ସହ ବିହିତ ପଦକ୍ଷେପ ନେବାକୁ ନିଦେ୍ର୍ଧଶ ଦେଇଛନ୍ତି ।  

 


ଏହି ସୋସିଆଲ୍ ଅଡିଟ୍ ପ୍ରଧାନଶିକ୍ଷକଙ୍କ ନେତୃତ୍ୱରେ ୩ଜଣ ସୋସିଆଲ୍ ଅଡିଟର୍ କମିଟିକୁ ନେଇ କରାଯାଉଥିବା ବେଳେ ଏଥିରେ ଅର୍ଥଦାନ କରିଥିବା ବ୍ୟକ୍ତିବିଶେଷଙ୍କର ଜଣେ ପ୍ରତିନିଧି, ସ୍କୁଲ୍ ପରିଚାଳନା କମିଟି ତଥା ପୁରାତନ ଛାତ୍ରଛାତ୍ରୀ ସଂଘର ଜଣେ ପ୍ରତିନିଧି ଏବଂ ଜଣେ ବରିଷ୍ଠ ଶିକ୍ଷା ଅଧିକାରୀ କିମ୍ବା ଅବସରପ୍ରାପ୍ତ ଜଣେ ପ୍ରଧାନଶିକ୍ଷକ ସଦସ୍ୟ ରହୁଛନ୍ତି । ପ୍ରତ୍ୟେକ ସ୍କୁଲ୍ରେ ୩ଦିନ ଧରି ଚାଲୁଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ସ୍କୁଲ୍ସ୍ତରରେ ରେକର୍ଡ ଯାଞ୍ଚ, ଦ୍ୱିତୀୟ ଦିନରେ ରିପୋର୍ଟ ଲିଖନ ଏବଂ ଶେଷଦିନ ପବ୍ଲିକ୍ ଡିସ୍କ୍ଲୋଜର୍ କରାଯାଉଛି । ଏଥିରୁ ନିର୍ଯ୍ୟାସକୁ ବିଦ୍ୟାଳୟଗୁଡ଼ିକ ନୋଟିସ୍ ବୋର୍ଡରେ ଲଗାଇବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ମୋ ସ୍କୁଲ୍ ରାଜ୍ୟ କାର୍ଯ୍ୟାଳୟକୁ ପଠାଇବାକୁ ନିଦେ୍ର୍ଧଶ ଦିଆଯାଇଛି । ଇତିମଧ୍ୟରେ ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲ୍ଲାରେ ସୋସିଆଲ୍ ଅଡିଟ୍ ଶେଷ ହୋଇଥିବା ବେଳେ ଡିସେମ୍ବର ଶେଷ ସୁଦ୍ଧା ଅନ୍ୟ ଜିଲ୍ଲାଗୁଡ଼ିକରେ ଶେଷ କରିବାକୁ ଲକ୍ଷ୍ୟ ରହିଛି । 

Related News
satta king tw