Top Stories

Search here...

News

‘ମମିତାକୁ ନ୍ୟାୟ’ ପ୍ରସଙ୍ଗରେ ବିଜେପି ବୁଦ୍ଧିଜୀବି ସମ୍ମିଳନୀ; ଘଟଣାର ନିରପେକ୍ଷ ତଦନ୍ତ ହେଉନାହିଁ 

Posted On - 11 minutes ago
Edited By Team BbsrReporters
LAST UPDATED Nov 12, 2021 12:28 PM

ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯାଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକରଙ୍କ ସହ ମଂଚରେ ବସିବା କାରଣରୁ ତଦନ୍ତକାରୀ ପୋଲିସ ଉପରେ ଚାପ ପଡିବ ବୋଲି ପୂର୍ବତନ ଡିଜିପି ପ୍ରକାଶ ମିଶ୍ର କହିଛନ୍ତି ।

 

 

 

BBSR Reporters

 


ଭୁବନେଶ୍ୱର: ମମିତା ହତ୍ୟାକାଣ୍ଡ ଘଟଣାର ତଦନ୍ତ ସଠିକ ଭାବେ ହେଉନାହିଁ । ଏପର୍ଯ୍ୟନ୍ତ ସେ ଘଟଣାଟି ରହସ୍ୟମୟ ହୋଇ ରହିଛି । ଘଟଣାରେ କେବଳ ଗୋବିନ୍ଦ ସାହୁ ଏବଂ ତାଙ୍କ ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିବାବେଳେ ବହୁ ପ୍ରଭାବଶାଳୀ ଅଭିଯୁକ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ । ପୋଲିସର ତଦନ୍ତ ସଂପୂର୍ଣ୍ଣ ବାଟବଣା ହୋଇଯାଇଛି । କ୍ରାଇମ ସିନ୍ ରିକ୍ରିଏସନକୁ ଗଣମାଧ୍ୟମରେ ପ୍ରକାଶ କରାଯାଇ ତଦନ୍ତ ପ୍ରକ୍ରିୟାର ଗୋପନୀୟତାକୁ ରକ୍ଷା କରାଯାଇନାହିଁ । ତଦନ୍ତ ପ୍ରକ୍ରିୟାରେ ଯାହା ହେବା କଥା, ତାହା ନକରାଯାଇ ବିଭ୍ରାନ୍ତ କରାଯିବାର ପ୍ରୟାସ ହୋଇଛି । ପୋଲିସ ତଦନ୍ତ ସମୟରେ ପ୍ରକୃତ ତଥ୍ୟ ଓ ପ୍ରମାଣ ସଂଗ୍ରହ କରିନାହିଁ । ପୋଲିସ ଦ୍ୱାରା ସଂଗୃହିତ ତଥ୍ୟ ଓ ପ୍ରମାଣର କୈାଣସି ତାତ୍ପର୍ଯ୍ୟ ନାହିଁ । ଘଟଣା ଘଟିବାର ମାସେରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ସୁଦ୍ଧା ବର୍ତମାନ ମଧ୍ୟ ଘଟଣା ଘଟିବାର କାରଣକୁ ପୋଲିସ ସ୍ପଷ୍ଟ କରିନାହିଁ । ଏହା ସାଧାରଣରେ ବହୁ ରହସ୍ୟ ସୃଷ୍ଟି କରିଛି ।

 

 

ମମିତା ପାଖରେ ଥିବା ପେନ ଡ୍ରାଇଭ / ସିଡି କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ । ଅଭିଯୁକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ର ସେହି ସ୍କୁଲକୁ କାହିଁକି ଯାଉଥିଲେ ? ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପର୍କର ନିବିଡତା କେତେ ? ମନ୍ତ୍ରୀଙ୍କ ରାୟପୁର ବାସଭବନରେ ବୈଠକ ହୋଇଥିଲା ନା ନାହିଁ ? ଏଭଳି ଏକ ବୃହତ ଅପରାଧରେ ବହୁ ଜଣଙ୍କ ସଂପୃକ୍ତି ରହିଛି ଏବଂ ଏହାର ସଠିକ ତଦନ୍ତ ହେବା ନିହାତି ଆବଶ୍ୟକ । ଘଟଣା ଘଟିବାର ମାସେ ପର୍ଯ୍ୟନ୍ତ ନୀରବ ଥିବା ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯାଇ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସହ ମଂଚରେ ବସିବା କାରଣରୁ ତଦନ୍ତ କରୁଥିବା ପୋଲିସ ଉପରେ ନିଶ୍ଚିତ ଭାବେ ଚାପ ପଡିବ ।ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ତଦନ୍ତର ଦାୟୀତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ପୂର୍ବତନ ପୋଲିସ ମହାନିଦ୍ଦେର୍ଶକ ଶ୍ରୀ ପ୍ରକାଶ ମିଶ୍ର କହିଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣାରେ ଚୁପ୍ ରହିଲେ ଭବିଷ୍ୟତରେ ମମିତା ହତ୍ୟାକାଣ୍ଡ ଭଳି ଘଟଣା ଆହୁରି ହେବ ବୋଲି ଶ୍ରୀ ମିଶ୍ର ଆଶଙ୍କା ପ୍ରକାଶ କରିଛନ୍ତି ।

 


୭୦ ଦଶକରେ ନର ହତ୍ୟାକାରୀ ଉଗାଣ୍ଡା ଶାସକଙ୍କ ଶାସନ ବ୍ୟବସ୍ଥା ସହ ଓଡିଶା ସରକାରଙ୍କ ଶାସନକୁ ତୁଳନା କରି ମମିତା ହତ୍ୟାକାଣ୍ଡରେ ଯେଉଁ ଭଳି ଭାବେ ଅପରାଧୀଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି, ତାହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଏହି ଅବସରରେ ବରିଷ୍ଠ ଆଇନଜୀବି ତଥା ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି । ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡରେ ବର୍ତମାନ ସୁଦ୍ଧା ସଂଗ୍ରହ କରାଯାଇଥିବା ସମସ୍ତ ତଥ୍ୟ ଓ ପ୍ରମାଣ କୋର୍ଟରେ ଗ୍ରହଣୀୟ ନୁହେଁ ।

 

 

ମମିତା ହତ୍ୟାକାଣ୍ଡକୁ ଚାରି ଚାରିଟି ଥାନା ଅଧିନକୁ ଆଣି ପ୍ରଥମରୁ ତଦନ୍ତ ପ୍ରକ୍ରିୟାକୁ ବାଟବଣା କରାଯାଇଛି । ପରିବାରବର୍ଗଙ୍କ ନିଖୋଜ ମମିତାର ଏତଲାକୁ କାହିଁକି ଗ୍ରହଣ କରାଗଲା ନାହିଁ ? ଗୋବିନ୍ଦ ସାହୁଙ୍କ ତତ୍ୱାବଧାନରେ ଲେଖା ଯାଇଥିବା ଏତଲାକୁ ପୋଲିସ କାହିଁକି ଗ୍ରହଣ କରିଥିଲା ? ନିଜର ଅସୁସ୍ଥ ଗୋଡ ସତ୍ୱେ ଗୋବିନ୍ଦ ସାହୁ ୧୨-୧୪ ଫୁଟ ଉଚ୍ଚ ପାଚେରୀ ଡେଇଁ ପୋଲିସ ବ୍ୟାରେକରୁ ଚଂପଟ ମାରିଲା କେମିତି ? ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ଅନୁପସ୍ଥିତିରେ ପୋଲିସ ୫-ଟି ମହାଲିଙ୍ଗ ଷ୍ଟାଡିଅମକୁ ଯାଇ ମୃତ ମମିତାର ଖଣ୍ଡ ଖଣ୍ଡ ଗଳିତ ଓ ପୋଡା ଶରୀରାଂଶ ପାଇଲା କେମିତି ? ଉଦ୍ଧାର ହୋଇଥିବା ବେଗ, ପାଇଁଜିକୁ କାହିଁକି ପରିବାରବର୍ଗକୁ ହସ୍ତାନ୍ତର କରାଗଲା ? ମୁଖ୍ୟ ଷଡଯନ୍ତ୍ରକାରୀ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କୁ ଅଢୁଆଳରେ ରଖାଯାଇ ସୁଚିନ୍ତିତ ଭାବେ ଗୋଟିଏ କାହାଣୀ ଲେଖାଯାଇଛି, ଯାହାକି କେବଳ ମନ୍ତ୍ରୀଙ୍କୁ ନୁହେଁ ବରଂ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମଧ୍ୟ ଦୋଷୀ ବୋଲି ସାବ୍ୟସ୍ତ୍ୟ କରିପାରିବ ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

 

 


ପୋଲିସର ତଦନ୍ତ ଉପରେ ସମଗ୍ର ରାଜ୍ୟବାସୀଙ୍କ ସନ୍ଦେହ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ‘କ୍ଷମତା ବଳରେ ରାଜ୍ କରିବି’ ମନୋଭାବ କାରଣରୁ ଆଜି ଓଡିଶା ରାଜ୍ୟ ହିଂସା, ହତ୍ୟା, ନିର୍ଯ୍ୟାତନା ଆଦି କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । କ୍ଷମତା ବଳରେ ସତ୍ୟକୁ ସବୁଦିନ ପାଇଁ ଲୁଚାଇ ଯାଇପାରିବ ନାହିଁ । ବିରୋଧୀଙ୍କ ଉପରେ ଦୋଷ ଲଦି ଦେଇ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡି ନିଜ ସାମ୍ବିଧାନିକ ଦାୟୀତ୍ୱରୁ ଓହରି ଯାଇପାରିବେ ନାହିଁ ।

 

 

ନିରପେକ୍ଷ ତଦନ୍ତ କରି ତଥ୍ୟ ଓ ପ୍ରମାଣ ଦେବାର ଦାୟୀତ୍ୱ ହେଉଛି ପୋଲିସର, ବିରୋଧୀ ଦଳର ନୁହେଁ । ରାଜ୍ୟରେ ସୁଶାସନ ପ୍ରଦାନ କରିବାର ଦାୟୀତ୍ୱ ହେଉଛି ଶାସକର ଧର୍ମ ଏବଂ ଏହାର ବିଚ୍ୟୁତି ହେଲେ ବିରୋଧୀ ସାମ୍ନାକୁ ଆସି ପ୍ରତିବାଦ କରିବେ । ମମିତା ହତ୍ୟକାଣ୍ଡ ପ୍ରସଙ୍ଗରେ ସମସ୍ତ ତଥ୍ୟ ଓ ପ୍ରମାଣକୁ ନଷ୍ଟ କରାଯାଇଛି । ଯେଉଁ ସରକାର ଜୀବନର ସୁରକ୍ଷା ଦେଇପାରୁ ନାହିଁ, ସେ ସ୍ୱାସ୍ଥ୍ୟର ସୁରକ୍ଷା କଣ ଦେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ପ୍ରସଙ୍ଗରେ ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି ।

Related News
satta king tw