Top Stories

Search here...

News

ଅଧୁରା ରହିଗଲା ଦ୍ୱିତୀୟ କୋଣାର୍କ ନିର୍ମାଣର ସ୍ୱପ୍ନ; ଚିର ନିନ୍ଦ୍ରାରେ ସ୍ଥପତି ରଘୁନାଥ ମହାପାତ୍ର

Posted On - 2 minutes ago
Edited By Team BbsrReporters
LAST UPDATED May 10, 2021 12:34 PM

ଶୋକ ପ୍ରକାଶ କରି ଏପରି କହିଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

 

BBSR Reporters


ଭୁବନେଶ୍ୱର : ଅଧୁରା ରହିଗଲା ଦ୍ୱିତୀୟ କୋଣାର୍କ ନିର୍ମାଣର ସ୍ୱପ୍ନ । ନିର୍ଜୀବ ପଥର ଦେହରେ ଜୀବନ ଭରୁଥିବା ସେଇ ପଥର ପୁରୁଷ ଆଜି ନିର୍ଜୀବ ପାଲଟିଯାଇଛନ୍ତି । କରୋନା ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବା ବେଳେ ଆରପାରିକୁ ଚାଲିଯାଇଛନ୍ତି ସ୍ୱନାମଧନ୍ୟ ଭାସ୍କର୍ଯ୍ୟ ସ୍ଥପତି ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର । ସାରାବିଶ୍ୱରେ ଓଡ଼ିଶାର ଟେକ ରଖିଥିବା ଶ୍ରୀ ମହାପାତ୍ରଙ୍କ ବିୟୋଗରେ ଭାରତର କଳା ଓ ଭାସ୍କର୍ଯ୍ୟ ଜଗତରେ ଏକ ବିଶାଳ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପରଲୋକରେ ଗଭୀର ଶୋକପ୍ରକାଶ କରିଛନ୍ତି ।

 

ଶ୍ରୀ ମହାପାତ୍ର ଗତ ଏପିଲ ମାସରେ କରୋନା ସଂକ୍ରମିତ ହୋଇଥିଲେ ଗତ ୨୨ ତାରିଖରେ ଭୁବନେଶ୍ୱର ଏମ୍ସ୍ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଥିଲାବେଳେ ତାଙ୍କ ସ୍ୱାସ୍ଥ୍ୟ ଆହୁରି ଗୁରୁତର ହୋଇଥିଲା । ସେ ତିନି ଦିନ ହେଲା ଭେଣ୍ଟିଲେର୍ଟରେ ଥିଲେ । ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଥିଲେ । ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ତାଙ୍କୁ ବଞ୍ଚାଇପାରି ନ ଥିଲା । ରବିବାର ଅପରାହ୍ନ ୩ଟା ୪୯ରେ ଶ୍ରୀ ମହାପାତ୍ର ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ମୃତୁ୍ୟ ବେଳକୁ ତାଙ୍କର ବୟସ ୭୮ ବର୍ଷ ହୋଇଥିଲା । ସ୍ୱର୍ଗତ ମହାପାତ୍ରଙ୍କ ଦୁଇ ପୁଅ ଯଶୋବନ୍ତ ଓ ପ୍ରଶାନ୍ତ କରୋନା ଆକ୍ରାନ୍ତ ହୋଇ ଏମ୍ସ୍ରେ ଚିକିତ୍ସାଧୀନ ଅଛନ୍ତି । 

 

 


୧୯୪୩ ମସିହା ମାର୍ଚ୍ଚ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ ଏହି ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ସ୍ୱର୍ଗତ ମହାପାତ୍ର । ପୁରୀ ଶାସନ ପଡ଼ିଆଠାନିବାସୀ ପିତା ଦାମୋଦର ମହାପାତ୍ର ଓ ମା’ ଶକୁନ୍ତଳା ମହାପାତ୍ରଙ୍କ ପୁତ୍ର ସ୍ୱର୍ଗତ ମହାପାତ୍ର ପିଲାଦିନୁ ହିଁ ପଥର ସହ ବନ୍ଧୁତା କରି ଦେଇଥିଲେ । ସ୍କୁଲ୍ରେ ପଢ଼ୁଥିବା ବେଳେ ହିଁ ତାଙ୍କ ପାଠରେ ଡୋରି ବନ୍ଧା ହୋଇଥିଲା । ପରେ ସେ ପୁରୀ ଛାଡ଼ି ଭୁବନେଶ୍ୱର ଆସିଥିଲେ । ପ୍ରଥମେ ଓଡ଼ିଶା ସରକାର ହସ୍ତକଳା ତାଲିମ ଓ ଡିଜାଇନ୍ ସେର୍ଣ୍ଟରେ ଚାକିରି କରିଥିଲେ । କିନ୍ତୁ ତାଙ୍କର ପ୍ରଚଣ୍ଡ ପ୍ରତିଭା ଖୁବ୍ କମ୍ ବୟସରେ ପ୍ରସ୍ଫୁଟିତ ହୋଇଥିଲା । ନିଜର ହାତୁର ଯାଦୁ କେବଳ ଭୁବନେଶ୍ୱର କି ଓଡ଼ିଶା ଭିତରେ ନୁହେଁ, ଜାତୀୟ ରାଜଧାନୀ ଯାଏ ପରିବ୍ୟାପ୍ତ ହୋଇଥିଲା । ତାଙ୍କର ପଥର ଖୋଦେଇ ମୂର୍ତ୍ତି ବିଭିନ୍ନ ମହଲରେ ଉଚ୍ଚପ୍ରଶଂସିତ ହୋଇଥିଲା ।

 

ସ୍ୱର୍ଗତ ମହାପାତ୍ର ଦେଶର ଏମିତି କିଛି ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଜଣେ ଯିଏ କି, ୩ଟି ଯାକ ପଦ୍ମ ସମ୍ମାନ (ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ) ପାଇବାର ହର୍କ୍ଦା ହୋଇପାରିଥିଲେ । ମାତ୍ର ୩୩ ବର୍ଷ ବୟସରେ ଅର୍ଥାତ ୧୯୭୬ ମସିହାରେ ସେ ପଦ୍ମଶ୍ରୀ ସମ୍ମାନ ଲାଭ କରିଥିଲେ । ଏହାପରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଅନେକ ସମ୍ମାନ ହାସଲ କରି ଓଡ଼ିଶାର ଗୌରବ ବୃଦ୍ଧି କରିଥିଲେ । ୨୦୧୮ ମସିହାରେ ପ୍ରଥମ ଓଡ଼ିଆ ଭାବେ ସେ ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭାକୁ ମନୋନୀତ ହୋଇଥିଲେ । ରାଜ୍ୟସଭାରେ ତାଙ୍କ କାର୍ଯ୍ୟକାଳ ଆହୁରି ୩ ବର୍ଷ ବାକି ଥିଲା ।

 

ଗତ କିଛିବର୍ଷ ହେଲା ଶ୍ରୀ ମହାପାତ୍ର ରାଜ୍ୟରେ ଦ୍ୱିତୀୟ କୋଣାର୍କ ଗଢ଼ିବା ପାଇଁ ଲାଗି ପଡ଼ିଥିଲେ । ଏଥିପାଇଁ ସେ ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରଖିଥିଲେ । ତେବେ ଦ୍ୱିତୀୟ କୋଣାର୍କ ବାସ୍ତବ ରୂପ ନେବା ପୂର୍ବରୁ ଶ୍ରୀ ମହାପାତ୍ର ଆରପାରିକୁ ଚାଲିଗଲେ ।

 


ବିଶିଷ୍ଟ ଭାସ୍କର୍ଯ୍ୟ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ମହାପ୍ରୟାଣରେ ଶୋକବ୍ୟକ୍ତ କରିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶ୍ରୀ କୋବିନ୍ଦ ଟ୍ୱିଟ୍ ଯୋଗେ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ସ୍ୱର୍ଗତ ମହାପାତ୍ରଙ୍କ ଦେହାନ୍ତରେ ସମ୍ପୂର୍ଣ୍ଣ କଳାକ୍ଷେତ୍ର ଦୁର୍ବଳ ହୋଇଗଲା । ସେ ୩ଟି ଯାକ ପଦ୍ମ ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କ ସ୍ଥାନ ଆଉ କେହି ବି ପୂରଣ କରିପାରିବେନାହିଁ । ଏହା ଏକ ଅପୂରଣୀୟ କ୍ଷତି । ସ୍ୱର୍ଗତ ମହାପାତ୍ରଙ୍କ ଶୋକସନ୍ତପ୍ତ ପରିବାର, ବନ୍ଧୁ ଓ ଅନୁଗାମୀମାନଙ୍କ ପ୍ରତି ରାଷ୍ଟ୍ରପତି ଗଭୀର ସମବେଦନା ଜଣାଇଛନ୍ତି ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସାଂସଦ ସ୍ୱର୍ଗତ ମହାପାତ୍ର କଳା, ଭାସ୍କର୍ଯ୍ୟ ଓ ସଂସ୍କୃତି କ୍ଷେତ୍ରରେ ବିଶ୍ୱପାଇଁ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି । ପାରମ୍ପରିକ କଳାକୁ ଲୋକଲୋଚନକୁ ଆଣିବାରେ ସେ ସ୍ମରଣୀୟ ହୋଇରହିବେ ।

 

ରାଜ୍ୟପାଳ ପ୍ରଫେର୍ସ ଗଣେଶୀ ଲାଲ୍ ଶୋକବାର୍ତ୍ତରାରେ କହିଛନ୍ତି, ସ୍ୱର୍ଗତ ମହାପାତ୍ରଙ୍କ ଭାସ୍କର୍ଯ୍ୟ  ସବୁଦିନ ପାଇଁ ଅବିସ୍ମରଣୀୟ ହୋଇ ରହିବ ।

 

ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ତଥା ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ କହିଛନ୍ତି, ସ୍ୱର୍ଗତ ମହାପାତ୍ର ତାଙ୍କ ନିହାଣ ମୁନରେ ଓଡ଼ିଶାର ମହାନ କଳା ପରମ୍ପରାକୁ ବିଶ୍ୱବ୍ୟାପୀ କରିପାରିଥିଲେ । ଓଡ଼ିଶାର କଳା ଓ ଐତିହ୍ୟକୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ । ସେ ଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ । ସାରାଦେଶରେ ବହୁ ସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଥିଲା । ଗଞ୍ଜାମ ତାରାତାରିଣୀ ମନ୍ଦିର ପୁନଃନିର୍ମାଣରେ ସେ ତାଙ୍କର ଅତୁଳନୀୟ କାରିଗରୀ ଦକ୍ଷତା ପ୍ରଦର୍ଶନ କରିଯାଇଛନ୍ତି । ବାସ୍ତବରେ ସେ ଥିଲେ କଳାଜଗତର ଏକ ବିସ୍ମୟକର ପ୍ରତିଭା । ତାଙ୍କ ବିୟୋଗରେ ଭାରତର କଳା ଜଗତର ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ମହାପାତ୍ରଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି ।

 

 

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସ୍ୱର୍ଗତ ମହାପାତ୍ର ପଥରରେ ନିଖୁଣ କାରୁକାର୍ଯ୍ୟ ମାଧ୍ୟମରେ ଓଡ଼ିଶାର ଉକôୃଷ୍ଟ କଳା ଓ ସଂସ୍କୃତିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ଗୌରବାନ୍ୱିତ କରିଥିଲେ । ତାଙ୍କ ଦେହାନ୍ତ ଯୋଗୁ ଓଡ଼ିଶାରେ ଏକ ଅପୂରଣୀୟ ଶୂନ୍ୟ ସ୍ଥାନ ତିଆରି ହେଲା । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରୁଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ଜଗନ୍ନାଥ ପରିବାର ସଦସ୍ୟଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଟ୍ୱିଟ୍ ଯୋଗେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଣାଇଛନ୍ତି ।
 

Related News
satta king tw