Top Stories

Search here...

News

ପୌର ନିର୍ବାଚନ ପ୍ରସ୍ତୁତି; ଭୁବନେଶ୍ୱରରେ ମିଶିଲା ୬ ରାଜସ୍ୱ ଗ୍ରାମ

Posted On - 35 minutes ago
Edited By Prabir Kumar
LAST UPDATED Nov 11, 2021 09:16 PM

ନୂଆ ନକ୍ସା ସହ ରାଜଧାନୀ ଭୁବନେଶ୍ୱରର ନୂଆ ମାନଚିତ୍ର ପ୍ରସ୍ତୁତ ହୋଇଛି  । ଆସନ୍ତା ୧୫ ତାରିଖ ଦିନ ବିଏମ୍ସି କମିଶନର ସଞ୍ଜୟ ସିଂହଙ୍କ ସହ ଅନ୍ୟ ବରିଷ୍ଠ କର୍ମଚାରୀଙ୍କ ସହ ଚୁଡ଼ାନ୍ତ ବୈଠକ ହେବ  । 

 

BBSR Reporters

 

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି  । ରାଜ୍ୟରେ ଥିବା ବିଭିନ୍ନ ମ୍ୟୁନିସିପାଲିଟି ଓ ଏନଏସିରେ ପୁଣି ଥରେ ସ୍ଥାନ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ କରାଯିବ  । ଆସନ୍ତା ବର୍ଷ ଏପ୍ରିଲ ମାସ ବେଳକୁ ପୌର ନିର୍ବାଚନ ହୋଇପାରେ ବୋଲି ଆଶା କରାଯାଉଛି  । ତେଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଅଣ୍ଟାଭିଡ଼ିଛି  । ୨୦୧୧ ଜନଗଣନା ଅନୁଯାୟୀ ୱାର୍ଡର ସୀମା ନିର୍ଦ୍ଧରଣ ଓ ପୁନର୍ଗଠନ ହେବ ବୋଲି ବିଏମ୍ସି ପୂର୍ବରୁ ସ୍ପଷ୍ଟ କରିଥିଲା  । ଆଉ ଏବେ ରାଜଧାନୀ ଭୁବନେଶ୍ୱରରେ ୱାର୍ଡ ସଂଖ୍ୟା ବଢ଼ିବ ନାହିଁ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଛି  ।

 

୨୦୧୪ରେ ବିଏମ୍ସି ଅଞ୍ଚଳରେ ମିଶିଥିବା ପାତ୍ରପଡ଼ା, ଭଗବାନପୁର, ସୁବୁଦ୍ଧିପୁର, ପାଇକ୍ରାୟପୁର, ଶଙ୍କରପୁର ଓ କଳାରାହାଙ୍ଗ ଗ୍ରାମ ପଞ୍ଚାୟତକୁ ବିଧିବଦ୍ଧ ଭାବେ ଭୁବନେଶ୍ୱର ନକ୍ସାରେ ସାମିଲ କରାଯାଇଛି  । ଏଥିସହ ନୂଆ ନକ୍ସା ସହ ରାଜଧାନୀ ଭୁବନେଶ୍ୱରର ନୂଆ ମାନଚିତ୍ର ମଧ୍ୟ ପ୍ରସ୍ତୁତ ହୋଇଛି  । ଆସନ୍ତା ୧୫ ତାରିଖ ଦିନ ବିଏମ୍ସି କମିଶନର ସଞ୍ଜୟ ସିଂହଙ୍କ ସହ ଅନ୍ୟ ବରିଷ୍ଠ କର୍ମଚାରୀଙ୍କ ସହ ଚୁଡ଼ାନ୍ତ ବୈଠକ ହେବ  । ପରେ ଯାଇ କୌଣସି ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଏମ୍ସିର ଜଣେ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି  ।

 


ସୂଚନା ମୂତାବକ, ବିଏମ୍ସିର ୩ ୱାର୍ଡ ୬୦, ୬ ଓ ୭ର ସୀମା ପୁନଃ ନିର୍ଦ୍ଧାରଣ ନେଇ ନିକଟରେ ବିଜ୍ଞପ୍ତି ଜାରି ହୋଇଥିଲା  । ଏନିମିତ୍ତ ୨ ବରିଷ୍ଠ ଅଧିକାରୀଙ୍କ ସହ ୫ କନିଷ୍ଠ କର୍ମଚାରୀଙ୍କୁ ସୀମା ନିର୍ଦ୍ଧାରଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା  । ପୂର୍ବରୁ ନଭେମ୍ବର ୧୦ ସୁଦ୍ଧା ଚୁଡ଼ାନ୍ତ ତାଲିକା ସହ ୱାର୍ଡର ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ କରିବାକୁ ନିଦେ୍ର୍ଧଶ ମିଳିଥିଲା  । ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ ହୋଇପାରି ନଥିବାରୁ ବିଭାଗୀୟ ଅଧିକାରୀ କିଛି ସମୟ ମାଗିଥିଲେ  । ଫଳରେ ଏହି ପ୍ରକ୍ରିୟାକୁ ଆସନ୍ତା ୧୫ ତାରିଖ ମଧ୍ୟରେ ଶେଷ କରିବାକୁ ନିଦେ୍ର୍ଧଶ ଦିଆଯାଇଛି  । ତେବେ ଗତ ୧୦ ତାରିଖ ସୁଦ୍ଧା ୩ ୱାର୍ଡର ସୀମା ନିର୍ଦ୍ଧାରଣ ଶେଷ ହୋଇଛି  । ବାକି ଥିବା କିଛି ସମସ୍ୟାକୁ ଦିନେ ୨ ଦିନ ମଧ୍ୟରେ ଶେଷ କରାଯାଇ ଭୁବନେଶ୍ୱରର ନୂଆ ମାନଚିତ୍ର ଜାରି କରାଯିବ ବୋଲି ସୀମା ନିର୍ଦ୍ଧାରଣ ଦାୟିତ୍ୱରେ ଥିବା ଅଧିକାରୀ ଜଣକ କହିଛନ୍ତି  ।

 


ଏହି ସ୍ଥିତିରେ ବିଏମ୍ସିରେ ୱାର୍ଡ ସଂଖ୍ୟା ଆଉ ବଢ଼ିବ ନାହିଁ ବୋଲି ସ୍ପଷ୍ଟ ହୋଇଛି  । ୨୦୧୧ ମସିହାରେ ହୋଇଥିବା ଜନଗଣନା ଆଧାରରେ ଏବେ ଭୁବନେଶ୍ୱରରେ ୯ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ରହିଛନ୍ତି  । ନୂଆ ଜନଗଣନା ହୋଇପାରି ନଥିବାରୁ ନୂଆ ଭୋଟରଙ୍କୁ ଏହି ତାଲିକାରେ ସ୍ଥାନ ମିଳିନାହିଁ  । କେବଳ ୨୦୧୪ରେ ପ୍ରଥମ କରି ଭୁବନେଶ୍ୱରରେ ମିଶିଥିବା ୬ ମୌଜାର ଲୋକେ ପ୍ରଥମ ଥର ପାଇଁ ଏହି ଭୋଟ ଦାନ ପ୍ରକ୍ରିୟାରେ ସାମିଲ ହେବେ ବୋଲି ବିଏମ୍ସି ନିକଟରୁ ତଥ୍ୟ ହସ୍ତଗତ ହୋଇଛି  । କିନ୍ତୁ ବର୍ତ୍ତମାନର ଲୋକ ସଂଖ୍ୟାକୁ ଦୃଷ୍ଟିରେ ରଖିଲେ ବିଏମ୍ସି ଅଞ୍ଚଳରେ ପ୍ରାୟ ୭ରୁ ୮ ନୂଆ ୱାର୍ଡ ସାମିଲ ହେବା କଥା  । ଗୋଟିଏ ୱାର୍ଡରେ ୧୩ ହଜାର ବାସିନ୍ଦାଙ୍କୁ ଅନ୍ତର୍ଭୁକ୍ତ କରାଯିବା ବ୍ୟବସ୍ଥା ଥିବାବେଳେ ଏବେ ପ୍ରାୟ ସବୁ ୱାର୍ଡରେ ଲୋକ ସଂଖ୍ୟା ବଢ଼ିଛି  ।

 

 

କିନ୍ତୁ ପୁରୁଣା ଜନଗଣାନା ଆଧାରରେ ସୀମା ନିର୍ଦ୍ଧାରଣ କରାଯାଇଥିବାରୁ ଚଳିତଥର ୱାର୍ଡ ପୁନର୍ଗଠନ ହେବା ସମ୍ଭାବପର ନୁହେଁ ବୋଲି ଆଶଙ୍କା କରାଯାଉଛି  । ଏବେ ସରକାରଙ୍କ ନିଦେ୍ର୍ଧଶ ତଥା ବିଏମ୍ରେ ଉପଲବ୍ଧ ଥିବା ବ୍ୟବସ୍ଥାକୁ ଅନୁଧ୍ୟାନ କରାଯାଉଛି  । କୌଣସି ନିଷ୍କର୍ସ ଚୁଡ଼ାନ୍ତ ହୋଇନାହିଁ, ପ୍ରାଥମିକ ତନାଘନା ପରେ କର୍ତ୍ତୃପକ୍ଷ ପ୍ରସ୍ତାବ ରଖିବେ  । ପରେ ଉକ୍ତ ପ୍ରସ୍ତାବକୁ କମିଶନରଙ୍କ ଉଦେ୍ଧଶ୍ୟରେ ପଠାଯିବ  । ପରେ ଉକ୍ତ ପ୍ରସ୍ତାବକୁ ସ୍ୱିକୃତୀ ମିଳିଲେ ତାହା ଚୁଡ଼ାନ୍ତ ହେବ  । ଏହି ପ୍ରକ୍ରିୟାକୁ ଯଥାଶୀଘ୍ର ସାରିବାକୁ ବିଏମ୍ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ନିଦେ୍ର୍ଧଶ ଦେଇଛନ୍ତି  ।

 


ବଡ଼ କଥା ହେଲା ୨୦୧୧ ଜନଗଣନାଠାରୁ ୨୦୨୧ ଜନସଂଖ୍ୟା ବହୁ ମାତ୍ରାରେ ବଢ଼ିଛି  । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଯୋଜନା ଅନୁସାରେ ଭୋଟର ତାଲିକା ପ୍ରସ୍ତୁତି ଓ ନିର୍ବାଚନ ପୂର୍ବରୁ ପୌରସଂସ୍ଥାଗୁଡ଼ିକର ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟାକୁ ପ୍ରଥମେ ଶେଷ କରାଯିବ  । ୨୦୧୧ ଜନଗଣନାକୁ ବିଚାରକୁ ନିଆଯାଇ ପୌରସଂସ୍ଥାଗୁଡ଼ିକୁ ସମାନ ଜନସଂଖ୍ୟା ଅନୁସାରେ ୱାର୍ଡରେ ବିଭକ୍ତ କରାଯିବ  । ସେହିପରି ଅନୁସୂଚୀତ ଜାତି, ଜନଜାତି, ପଛୁଆ ବର୍ଗ ଓ ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣ କରାଯିବ  । ଏହି ପ୍ରକ୍ରିୟା ଜିଲ୍ଲାପାଳଙ୍କ ତତ୍ୱାବଧାନରେ କରାଯିବ  । ଆସନ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ ନେଇ ନଭେମ୍ବର ୯ ତାରିଖରୁ ମତାମତ ଗ୍ରହଣ କରାଯାଇଛି  । ନଭେମ୍ବର ୧୮ ତାରିଖ ମତାମତ ଦାଖଲର ଶେଷ ଦିନ ରହିଛି  । ନଭେମ୍ବର ୨୯ ତାରିଖରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ  । ୨୯ ନଭେମ୍ବରରୁ ୧୩ ଡିସେମ୍ବର ମଧ୍ୟରେ ବିଜ୍ଞପ୍ତି ଉପରେ ଆପତ୍ତି ଅଭିଯୋଗ ଦାଖଲ କରାଯାଇପାରିବ ବୋଲି ପୂର୍ବରୁ ନିଷ୍ପତ୍ତି ପ୍ରକାଶ ପାଇଛି  ।

Related News
satta king tw