Top Stories

Search here...

News

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସର ଧର୍ମଘଟ ସଫଳ

Posted On - 3 minutes ago
Edited By Prabir Kumar
LAST UPDATED Nov 13, 2021 11:25 AM

ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କଂଗ୍ରେସ ମାତ୍ର ୬ ଘଂଟା ପାଇଁ ଧର୍ମଘଟ କରିବାକୁ ଆହ୍ୱାନ ଦେଇଥିଲା । ଏହି ଆହ୍ୱାନରେ ଧର୍ମଘଟ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି ବୋଲି କଂଗ୍ରେସ କହିଛି।

 

 

BBSR Reporters

 

 


ଭୁବନେଶ୍ୱର: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ କରାଯାଇଥିବା ୬ ଘଂଟିଆ ଧର୍ମଘଟ ସଫଳ ହୋଇଛି । ମମିତା ମେହେରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନ ଜାରି ରହିବ ବୋଲି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ କହିଛନ୍ତି । 

 

 

ଆଜି ମଧ୍ୟାହ୍ନରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ୱାଳ କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ ଏବଂ ପ୍ରଦେଶ କଂଗ୍ରେସ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକର ନିଷ୍ପତିକ୍ରମେ ରାଜ୍ୟବ୍ୟାପି ୬ ଘଂଟିଆ ଧର୍ମଘଟ  କରାଯାଇଥିଲା । 

 


ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କଂଗ୍ରେସ ମାତ୍ର ୬ ଘଂଟା ପାଇଁ ଧର୍ମଘଟ କରିବାକୁ ଆହ୍ୱାନ ଦେଇଥିଲା । ଏହି ଆହ୍ୱାନରେ ଧର୍ମଘଟ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି । କଂଗ୍ରେସର ଏହି ଧର୍ମଘଟ ଡାକରାରେ ବିରୋଧି ବିଜେଡ଼ି ସରକାର ଭୟଭୀତ ହୋଇ ଧର୍ମଘଟକୁ ଭଣ୍ଡୁର କରିବା ଲାଗି ପରୋକ୍ଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହେଲେ କଂଗ୍ରେସ କର୍ମୀ ହାଇକୋର୍ଟଙ୍କ ରାୟକୁ ସମ୍ମାନ ଜଣେଇ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କଲେ । ସେଥିପାଇଁ ରାଜ୍ୟବାସୀ ଏବଂ କଂଗ୍ରେସର ସମସ୍ତ ନେତୃବୃନ୍ଦ,  ଛାତ୍ର, ମହିଳା, ଯୁବ କଂଗ୍ରେସ କର୍ମୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଶ୍ରୀ ବିଶ୍ୱାଳ । ସେ କହିଥିଲେ ସଂଗ୍ରାମ ଏଇଠି ଶେଷ ହୋଇ ନାହିଁ । ଏ ଲଢ଼େଇ ଆଗାମୀ ଦିନରେ ଜାରି ରହିବ । ମମିତା ମେହେରଙ୍କ ପରିବାରକୁ ଯେପର୍ଯ୍ୟନ୍ତ ନ୍ୟାୟ ମିଳିନି ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିନାହାନ୍ତି ଓ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇନାହାନ୍ତି ସେ ପର୍ଯ୍ୟନ୍ତ କଂଗ୍ରେସ ଚୁପ ବସିବ ନାହିଁ । ଦରକାର ପଡ଼ିଲେ କଂଗ୍ରେସ ଉଚ୍ଚନ୍ୟାୟଳୟଙ୍କ ଦ୍ୱାରସ୍ଥ ହେବ ବୋଲି ସେ କହିଛନ୍ତି ।

 

 

ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି ବିଜେଡ଼ି ସରକାର ଅହଙ୍କାର ସୀମା ପାର କରିଛି । ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ବନ୍ଦ ଡାକରା ଦେଇଥିଲା । ନୂଆକରି କଂଗ୍ରେସ ଧର୍ମଘଟ ପାଳନ କରୁନାହିଁ । ରାଜ୍ୟ ସରକାର କୋର୍ଟକୁ ଯାଇ ବନ୍ଦକୁ ଭଣ୍ଡୁର କରିବା ପାଇଁ ଚଂଚକତା କରିଛନ୍ତି । ଏଭଳି ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ । ଗୋଟିଏ ମମିତା ମେହେର ନୁହେଁ, ବେବିନା, କୁନ୍ଦୁଲି, ମାଧବିଲତା ନବନୀ ସରକାରର ଅସଲ ଚେହେରାକୁ ପଦାରେ ପକାଇଛି । ରାଜ୍ୟ ସରକାର ଯେଉଁ ଉଦ୍ୟମ କରିଥିଲେ ବନ୍ଦକୁ ବିଫଳ କରିବାପାଇଁ ତାହା ହୋଇପାରିଲା ନାହିଁ । ମମିତା ମେହେର ସମ୍ପର୍କରେ କଂଗ୍ରେସର ନିଷ୍ପତି ବନ୍ଦ ଡାକରା ଥିଲା । ଏହା ଶାନ୍ତପୂର୍ଣ୍ଣ ଭାବେ କରାଯିବାକୁ ନିଷ୍ପତି ନିଆଯାଇଥିଲା ।

 

ମୁଖ୍ୟମନ୍ତ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ କଳାହାଣ୍ଡିରେ ଗୋଟିଏ ମଂଚରେ ପାଖରେ ବସାଇ ସୁରକ୍ଷା ଦେଉଥିବା କଥା ସ୍ପଷ୍ଟ କଲେ । ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପର୍ଯ୍ୟନ୍ତ କଂଗ୍ରେସ ଲଢ଼େଇ ଜାରି ରଖିବ । ସତକୁ ଲୁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର । ରାଜ୍ୟ ନାରୀଙ୍କୁ ସୁରକ୍ଷା ମିଳୁନି ବୋଲି ସମସ୍ତେ ଜାଣି ସାରିଲେଣି ।  କେବଳ କ୍ଷମତା ଓ ନିର୍ବାଚନ ବିଜୟକୁ ଲକ୍ଷ୍ୟ କରିଛି ବିଜେଡ଼ି ।  ଏଆଇସିସି ସଂପାଦକ ଶରତ ରାଉତ କହିଛନ୍ତି କଂଗ୍ରେସ ଦିବ୍ୟଶଙ୍କର ମିଶ୍ର ଗରିଫଦାରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବନ୍ଦ ଡାକରା ଦେଇଥିଲା । ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି । ଏକ ନୂତନ ଢ଼ଙ୍ଗରେ କଂଗ୍ରେସ ବନ୍ଦ କରିଛି । ଯେଉଁମାନେ ହାଇକୋର୍ଟରେ ବନ୍ଦ ବିରୋଧରେ ମକଦ୍ଦମା ଲଢ଼ୁଥିଲେ, ସେମାନେ ବିଜେଡ଼ି ଲିଗାଲ ସେଲର କର୍ମକର୍ତା । ବିଜେଡ଼ି ଯେଉଁ ଆଶଙ୍କା କରି ହାଇକୋର୍ଟ ଯାଇଥିଲା ତାହା ସଫଳ ହେଲା ନାହିଁ । ହାଇକୋର୍ଟର ରାୟ ସମସ୍ତ ରାଜନୈତିକ ଦଳ ଗୁଡ଼ିକୁ ପାଇଁ ଲାଗୁ ହେବା ଉଚିତ୍ । କଂଗ୍ରେସର ବନ୍ଦ ଉଦ୍ଦେଶ୍ୟ ସାଧିତ ହୋଇଛି ।

 

 

 ବିଧାୟକ ସନ୍ତୋଷ ସିଂ ସାଲୁଜା ଏ ହରତାଳର ଡାକରା କାହିଁକି ଦରକାର ପଡ଼ିଲା ତାହା ଉଲ୍ଲେଖ କରିଥିଲେ । ମମିତା ମେହେରଙ୍କୁ ଯେଉଁଭଳି ଭାବେ ହତ୍ୟା କରାଗଲା ଏବଂ ଏହି ଘଟଣାରେ ଅଭିଯୁକ୍ତ ଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସ୍କୁଲରେ ରାତ୍ରିଯାପନ କରୁଥିଲେ ବୋଲି ମମିତାର ବାପା ମା କହିଛନ୍ତି କିନ୍ତୁ କେବଳ ଗୋବିନ୍ଦ ସାହୁଙ୍କୁ ପୋଲିସ୍ ଗିରଫ କରିଛି ଅନ୍ୟ ଅଭିଯୁକ୍ତମାନେ ବାହାର ବୁଲୁଛନ୍ତି ।  ଏବେ ମମିତାଙ୍କ ପରିବାରକୁ ଡରାଇ ବୟାନ ପରିବର୍ତନ କରାଯାଇଛି । ମୁଖ୍ୟମନ୍ତ୍ରୀ ଦୁର୍ନୀତିର ଛାଇ ଦେଖିଲେ ପଦକ୍ଷେପ ନେଉଥିଲେ । କିନ୍ତୁ ଏ ଘଟଣାରେ ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଘଂଟ ଘୋଡାଉଛନ୍ତି । ନବୀନ ପଟ୍ଟନାୟକ ବର୍ତମାନ ଅନ୍ଧ ଧୃତରାଷ୍ଟ୍ରର ଭୂମିକା ନିଭାଉଛନ୍ତି ବୋଲି ଶ୍ରୀ ସାଲୁଜା ଅଭିଯୋଗ କରିଛନ୍ତି । ପୋଲିସକୁ ଗୁଣ୍ଡା ଭଳି ବ୍ୟବହାର କରି ଏ ହରତାଳକୁ ଭଣ୍ଡୁର କରିବା ପାଇଁ ସରକାର ହୀନ ଉଦ୍ୟମ କରିଛନ୍ତି ।

 

 

ଆଗାମୀ ଦିନରେ ଏ ଅନ୍ଧମୁକ ସରକାରଙ୍କୁ ହଟାଇବା ପାଇଁ କଂଗ୍ରେସ ଜନତା ଦରବାରରେ ପଂହଚିବ । ଏ ନେଇ ମଧ୍ୟ ଅଗାମାୀ ଦିନରେ କଂଗ୍ରେସ ବିଧାନସଭାରେ ସରକାରଙ୍କୁ ଘେରିବ ବୋଲି ଶ୍ରୀ ସାଲୁଜା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ବରିଷ୍ଠ କଂଗ୍ରେସ ଉପସଭାପତି ଡ. ଦେବାଶିଷ ପଟ୍ଟନାୟକ, ଯଜେ୍ଞଶ୍ୱର ବାବୁ, ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ, ପିସିସି ମୁଖପାତ୍ର ଜ୍ଞାନଦେବ ବେଉରା, ମନୋରଞ୍ଜନ ଦାଶ, ମନୋଜ ମହାପାତ୍ର ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Related News
satta king tw