Top Stories

Search here...

News

ଦ୍ୱାଦଶ ଶ୍ରେଣୀ ଯାଏ କ୍ଲାସ୍ ବନ୍ଦ; ରାତି ୯ରୁ ଲାଗୁ ହେବ କର୍ଫ୍ୟୁ; ଶହେ ଲୋକଙ୍କ ଭିତରେ ସାମାଜିକ କାର୍ଯ୍ୟକ୍ରମ

Posted On - 7 minutes ago
Edited By Prabir Kumar
LAST UPDATED Jan 05, 2022 07:45 PM

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟରେ କୋଭିଡ କଟକଣା କଡାକଡି କରିଛନ୍ତି ଏସଆରସି ।

 

BBSR Reporters

 

ଭୁବନେଶ୍ୱର: ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟରେ କୋଭିଡ କଟକଣା କଡାକଡି କରାଯାଇଛି । ନୂଆ ଗାଇଡଲାଇନ୍ ନେଇ ଏସଆରସି କହିଛନ୍ତି,  ଏଣିକି ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ନାଇଟ୍ କର୍ଫ୍ୟୁ କେବଳ ସହରାଞ୍ଚଳରେ ଲାଗୁ କରାଯିବ  । ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରଖିବାକୁ ନିଷ୍ପତି ହୋଇଛି । କ୍ଲାସ ବନ୍ଦ ରହିଲେ ବି ଅନଲାଇନ ପାଠପଢ଼ା ଚାଲୁ ରହିବ  ।  ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ଛୋଟ ଛୋଟ ବ୍ୟାଚ୍ ଡାଉଟ୍ କ୍ଲିୟରିଂ କ୍ଲାସ କରିପାରିବେ  । କିନ୍ତୁ ମାଟ୍ରିକ ଆସେସମେଣ୍ଟ ପରୀକ୍ଷା ଚାଲୁ ରହିବ ବୋଲି ଏସଆରସି କହିଛନ୍ତି ।


ଏସଆରସି କହିଛନ୍ତି ଯେ, ହାଟ, ବଜାରରେ ଜମୁଥିବା ଭିଡ଼କୁ ହ୍ରାସ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କୁ ଦାୟିତ୍ୱ ଦିଆଯିବ । ଯଦି କୌଣସି ମଲରେ ଭିଡ଼ ହେବ, ତାହେଲେ ଏଥିପାଇଁ ଦୋକାନ ମାଲିକ ଦାୟୀ ହେବେ । ଆଉ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଦୋକାନକୁ ୭ ଦିନ ଯାଏ ବନ୍ଦ କରାଯିବ ବୋଲି ଏସ୍ଆର୍ସି କହିଛନ୍ତି । 

 

ସେହିପରି ରାଜନୈତିକ, ଶୈକ୍ଷିକ ସମାବେଶରେ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ଦିଆଯାଇଛି । ଇଣ୍ଡୋର ହଲରେ କୌଣସି କାର୍ଯ୍ୟକ୍ରମ ହେଉଥିଲେ, ସେଥିରେ ୫୦% ଉପସ୍ଥିତ ରହିପାରିବେ । ପର୍ଯ୍ୟଟନ ସ୍ଥାନ ଗୁଡ଼ିକରେ ପିକନିକକୁ ସଂପୂର୍ଣ୍ଣ ବାରଣ କରାଯାଇଛି । ହୋଟେଲ ଓ ପାର୍କରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲଗାଯାଇଛି । ସ୍କୁଲ କିମ୍ବା କଲେଜର ପିକନିକ୍, ଏସକର୍ସନ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି । ନନ୍ଦନକାନନ ଆଦି ସ୍ଥାନରେ ଟିକେଟ୍ ପାଇଁ ଅନଲାଇନରେ ବୁକ୍ କରିବାକୁ ପଡ଼ିବ । 

 

ହୋଟେଲ, ବାର୍ ରାତି ୯ଟା ଯାଏ ଖୋଲା ରହିବ । ତେବେ ଏହାକୁ ୫୦% କ୍ଷମତାରେ ଚଲାଇବାକୁ ନିଦେ୍ର୍ଧଶ ଦିଆଯାଇଛି । ତେବେ ରାସ୍ତାକଡ଼ ଦୋକାନ ୯ଟା ଯାଏ ଖୋଲିବ । ସର୍ବାଧିକ ୫ ଜଣ ଗ୍ରାହକ ରହିବେ ବୋଲି ଏସଆରସି କହିଛନ୍ତି । ସେହିପରି ଯାତ୍ରା ୧ହଜାର ଦର୍ଶକଙ୍କୁ ନେଇ ଚାଲିବ । ତେବେ ଏହି ସମୟରେ ଯାତ୍ରା ମାଲିକମାନଙ୍କୁ ନିୟମର କଡ଼ା ପାଳନ କରିବାକୁ ପଡ଼ିବ । ସିନେମା ହଲ୍ ଗୁଡ଼ିକ ୫୦% ସିଟ୍ କ୍ଷମତାରେ ଚାଲିପାରିବ ।

 

ସରକାରୀ ମିଟିଂ ବା ଟ୍ରେନିଂ କାର୍ଯ୍ୟକ୍ରମରେ ୧୦୦ ଲୋକ ରହିପାରିବେ । ରାଜ୍ୟର ସମସ୍ତ ସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ । କେନ୍ଦ୍ର ସରକାର ଓ ଘରୋଇ ଅଫିସ ଅଳ୍ପ ଲୋକରେ ଚାଲିବାକୁ କୁହାଯିବ । ଇଣ୍ଡୋର, ଆଉଟଡୋର ଫିଲ୍ମ ସୁଟିଂ ସର୍ବାଧିକ ୫୦ ଲୋକଙ୍କୁ ନେଇ ହୋଇପାରିବ । ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ମଧ୍ୟ କଟକଣା କରାଯାଇଛି । ବାହାଘର ଓ ବ୍ରତଘରରେ ସର୍ବାଧିକ ୧୦୦ ଲୋକ ଉପସ୍ଥିତ ରହିପାରିବେ । ସେହିପରି ଶୁଦ୍ଧିକାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି ମିଳିଛି । ଏହାଛଡ଼ା ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି ଦିଆଯାଇଛି । ତେବେ ବାହାଘର ଏବଂ ରିସେପ୍ସନ ଛଡ଼ା ଅନ୍ୟ କାର୍ଯ୍ୟକ୍ରମକୁ ଅନୁମତି ନାହିଁ । ଯେପରିକି ହଳଦୀ, ମେହେନ୍ଦି ଭଳି କାର୍ଯ୍ୟକ୍ରମ ଆଦିକୁ ସଂପୂର୍ଣ୍ଣ ଭାବେ ମନା କରାଯାଇଛି ।

Related News
satta king tw