Top Stories

Search here...

News

ଚାକିରି କରାଇ ଦେବାକୁ କହି ଦେଢ଼ କୋଟି ଟଙ୍କା ହଡପ:  ଦୁଇ ଜଣ ଠକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ 

Posted On - 3 minutes ago
Edited By Prabir Kumar
LAST UPDATED Nov 13, 2021 11:33 AM

ଠକେଇର ଶିକାର ହୋଇଥିବା ୩୮ ପରୀକ୍ଷାର୍ଥୀ ଲିଖିତ ଶାରୀରିକ ଓ ମୌଖିକ ପରୀକ୍ଷା ଦେଇଥିଲେ । ପରେ ଚାକିରୀ ପାଇବା ପାଇଁ ୫ ରୁ ୧୦ ଲକ୍ଷ ଟଙ୍କା ଦେଇଥିଲେ ।

 

 

BBSR Reporters

 

 

ଭୁବନେଶ୍ୱର: ଓଡିଶା ପବ୍ଲିକ୍‍ ସର୍ଭିସ୍‍ କମିଶନରେ ଚାକିରି କରାଇ ଦେବାକୁ କହି ଦେଢ଼ କୋଟି ଟଙ୍କା ହଡପ ଘଟଣାରେ କ୍ରାଇମ୍‍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଦୁଇ ଜଣ ଠକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭୀମସେନ ମହାରଣା ଓ ବୈକୁଣ୍ଠ ନାଥ ନାୟକ । ଦୁହେଁ ୩୮ ଜଣଙ୍କଠାରୁ ପ୍ରାୟ ୧ କୋଟି ୫୦ ଲକ୍ଷ ଟଙ୍କାରୁ ଅଧିକ ଠକେଇ କରିଥିବା ଜଣାପଡିଛି । ଦୁଇ ଅଭିଯୁକ୍ତଙ୍କୁ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହୋଇଯିବାରୁ ଦୁହିଁଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।

 

 


ସୂଚାନଯୋଗ୍ୟ ଯେ, ୨୦୧୩ରେ ଯୁଗ୍ମ ପୁଲିସ ସେବା ପରୀକ୍ଷା ହୋଇଥିଲା । ୨୦୧୬ରେ ଏହାର ଚୂଡାନ୍ତ ତାଲିକା ପ୍ରକାଶ ପାଇଥିଲା । ଠକେଇର ଶିକାର ହୋଇଥିବା ୩୮ ପରୀକ୍ଷାର୍ଥୀ ଲିଖିତ ଶାରୀରିକ ଓ ମୌଖିକ ପରୀକ୍ଷା ଦେଇଥିଲେ । ହେଲେ ସେମାନଙ୍କ ନା ତାଲିକାରେ ନ ଆସିବାରୁ ଖାଲି ଥିବା ୬୭ ପଦବୀ ପାଇଁ ସପ୍ଲିମେଣ୍ଟାରୀ ତାଲିକା ବାହାରିବା ବେଳେ ତାଙ୍କ ନା ଯୋଡି ଦିଆଯିବ ବୋଲି ଉପରୋକ୍ତ ୨ ଅଭିଯୁକ୍ତ ଆଶାୟୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏପରିକି ଗୃହ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ଯୋଗୁଁ ନିଜେ ମଧ୍ୟ ସଚିବାଳୟରେ ଚାକିରୀ ପାଇଥିବା କହି ଭରସା ଜନ୍ମାଇଥିଲା ବୈକୁଣ୍ଠ । ବୈକୁଣ୍ଠଙ୍କ ଘରେ ଚଢଉ ବେଳେ ୧୨ଟି ଏଟିଏମ କାର୍ଡ ସହ ନକଲି ପରିଚୟ ପତ୍ର ମଧ୍ୟ ଇଓଡବ୍ଲ୍ୟୁ ଜବତ କରିଛି ।

 

 

ତେବେ ୬ ଲକ୍ଷ ଟଙ୍କା ଦେଲେ ଠକ ଦେଉଥିଲା ଏସଆଇ, ସର୍ଜେଣ୍ଟ ଓ ସୁବେଦାର ଚାକିରି । ସଚିବାଳୟ ପଛପଟେ ହେଉଥିଲା ଟଙ୍କା ଡିଲ । ୩୮ ପରୀକ୍ଷାର୍ଥୀଙ୍କ ଠାରୁ ୧ କୋଟି  ୪୭ ଲକ୍ଷ ଲୁଟି ନେଇଛନ୍ତି ୪ ଠକ । ଅନ୍ୟପଟେ ଠକ ବୈକୃଣ୍ଠନାଥ ନାୟକଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩ । ନିଜକୁ ସେ ଗୃହ ବିଭାଗର ଆସିଷ୍ଟାଣ୍ଡ ସେକ୍ସନ ଅଫିସର ପରିଚୟ ଦେଇଥିଲା । ସେହିପରି ଭୀମସେନ ମହାରଣା ଉଚ୍ଚଶିକ୍ଷା ବିଭାଗରୁ ଜଣେ ଅବସର ପ୍ରାପ୍ତ କର୍ମଚାରୀ ନିଜକୁ କହିଥିଲା । ଗୃହ ବିଭାଗର ଉପରିସ୍ଥ ଅଧିକାରୀ ଓ ସଚିବାଳୟ ଭଳି ହାଇ ସିକ୍ୟୁରିଟି ଜୋନରେ ୨ ଠକଙ୍କ ଅବାଧ ପ୍ରବେଶ ଥିଲା ବୋଲି ପ୍ରାଥମିକ ତଦନ୍ତରୁ ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି । ଓଏସଏସସି କିରାଣୀ ବିରଞ୍ଚି ସାହୁଙ୍କ ଘରୁ ଭିଜିଲାନ୍ସ କୋଟି କୋଟି ଟଙ୍କା ସମ୍ପତ୍ତି ଜବତ ହେବା ପରେ ଓଏସଏସସି ଚାକିରିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା ।

 

 

ଏବେ ପୁଲିସ ଚାକିରି ନାଁରେ ଦେଢ଼ କୋଟି ଠକେଇ ଘଟଣାରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ଆଡକୁ ଇସାରା କରୁଛି । ଗିରଫ ୪୨୦ଙ୍କୁ କିଏ ସହଯୋଗ କରୁଥିଲା? ଏହି ଠକଙ୍କ ଜରିଆରେ କିଏ ଚାକିରି ପାଇଛନ୍ତି କି? ପୁଲିସ ବିଭାଗର କୌଣସି ଉପରିସ୍ଥ ଅଧିକାରୀଙ୍କ ସମ୍ପୃକ୍ତି ରହୁଛି କି? ଏପରି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ସୃଷ୍ଟି ହୋଇଛି । ଘଟଣାର ଖୋଳତାଡ କରାଗଲେ ଏହି ଠକେଇ ର‌୍ୟାକେଟରେ ଆହୁରୀ ଅନେକ ଠକ ସମ୍ପୃକ୍ତି ପଦାକୁ ଆସିପାରିବ ବୋଲି ଆଶଙ୍କା କରାଯାଇପାରେ । ଅନ୍ୟ ଏକ ଠକେଇ ଘଟଣାରେ ଦୁଇ ଦିନ ତଳେ ଚାରି ଜଣଙ୍କୁ କ୍ରାଇମ୍‍ବ୍ରାଞ୍ଚ ଗିରଫ କରିଥିଲା ।

Related News
satta king tw