Top Stories

Search here...

News

ତୈଳ, ରନ୍ଧନଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ଦରବୃଦ୍ଧି ପ୍ରତିବାଦରେ ପ୍ରଦେଶ ଛାତ୍ର କଂଗ୍ରେସର ବିକ୍ଷୋଭ

Posted On - 4 minutes ago
Edited By Team BbsrReporters
LAST UPDATED Jul 13, 2021 11:09 AM

କଂଗ୍ରେସ ଅମଳରେ ତେଲ ଦର ଟଙ୍କାଟେ  ବଢିଲେ ବିଜେଡ଼ି ରାଜରାସ୍ତାରେ ଚିତ୍କାର କରେ, ଆଜି ଚୁପ୍ କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି  ।

 

BBSR Reporters


ଭୁବନେଶ୍ୱର:  ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସୀର ନୱାଜଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅନୁଲେଖା ବୋଷାଙ୍କୁ ବିମାନ ବନ୍ଦର ଠାରେ ସ୍ୱାଗତ କରାଯିବା ସହ ବର୍ଦ୍ଧିତ ତୈଳ, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ପଦାର୍ଥର ଦର ବୃଦ୍ଧି ପ୍ରତିବାଦରେ ଏୟାରପୋର୍ଟ ଛକରୁ ହସ୍ପିଟାଲ ଛକ ପର୍ଯ୍ୟନ୍ତ ଏକ ବିକ୍ଷୋଭ ପଦଯାତ୍ରା ହୋଇଥିଲା ।


ହସ୍ପିଟାଲ ଛକରେ ଛାତ୍ର କଂଗ୍ରେସ ନେତୃବୃନ୍ଦ ପୋଲିସ୍ ବ୍ୟାରିକେଡ଼ ଭାଙ୍ଗି ରାସ୍ତାରେ ବସି ବିକ୍ଷୋଭ କରିଥିଲେ ।ଏହି ପରିପ୍ରେକ୍ଷୀରେ ୟାସୀର ନୱାଜ କହିଥିଲେ ଯେ ମୋଦିଙ୍କ ‘ଆଚ୍ଛାଦିନ’ ଓ ନବୀନଙ୍କ ‘ବିଜୁବାବୁଙ୍କ ସ୍ୱପ୍ନ’ର ବାସ୍ତବ ରୂପ ଏବେ ଦେଶ ଓ ରାଜ୍ୟବାସୀ ଦେଖୁଛନ୍ତି । ହାଣ୍ଡିଶାଳରେ ମହାଙ୍ଗା ମାଡ଼ । ପେଟ୍ରୋଲ,ଡ଼ିଜେଲ, ରନ୍ଧନ ଗ୍ୟାସର ଦରରେ ହିଟଲର ଶାସନର ପ୍ରତିଫଳନ ହୋଇଛି । ମୋଦି ଓ ନବୀନ ସାଧାରଣ ଜନତାଙ୍କ ରକ୍ତ ଶୋଷଣ କରୁଛନ୍ତି । ମୋଦି ଓ ନବୀନଙ୍କ ଅମଳରେ ଓଡ଼ିଶାବାସୀଙ୍କ ଅବସ୍ଥା ରସାତଳଗାମୀ ହୋଇଛି । ଏତଦ୍‌ଭିନ୍ନ ଶ୍ରୀ ନୱାଜ ରାଜ୍ୟର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ତୁରନ୍ତ ଟୀକାକରଣ ପାଇଁ ଦାବି କରିଛନ୍ତି ।


ସୁଶ୍ରୀ ଅନୁଲେଖା ବୋଷା କହିଛନ୍ତି ଯେ ମୋଦି ଓ ନବୀନଙ୍କ ରାଜତ୍ୱରେ ଓଡ଼ିଶାର ଜନସାଧାରଣ ଅତିଷ୍ଠ । ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନଗ୍ୟାସର ଦର ବୃଦ୍ଧି ବିରୁଦ୍ଧରେ ନବୀନ ବାବୁ ମୁହଁ ଖୋଲୁ ନାହାଁନ୍ତି । ତେଲ ଦର ଲିଟର ପିଛା ୪୦ ଟଙ୍କା ହେବା ଉଚିତ୍ ବୋଲି ବିଜେପି ସାଂସଦ ସୁବ୍ରମନ୍ୟମ ସ୍ୱାମୀ ଗଣମାଧ୍ୟମକୁ କହିଛନ୍ତି ।


କଂଗ୍ରେସ ଅମଳରେ ତେଲ ଦର ଟଙ୍କାଟେ  ବଢିଲେ ବିଜେଡ଼ି ରାଜରାସ୍ତାରେ ଚିତ୍କାର କରେ, ଆଜି ଚୁପ୍ କାହିଁକି? ବିଜୁ ଛାତ୍ର ଜନତା ଗରୀବ ଜନସାଧାରଣଙ୍କ ପ୍ରତି ହେଉଥିବା ଅନ୍ୟାୟର ପ୍ରତିବାଦ କରେନି । କରୋନା ସମୟରେ ଲୋକ ବରୋଜଗାର ହେଉଥିବା ବେଳେ ନବୀନ-ମୋଦି ଦର ଦାମ୍ ବୃଦ୍ଧି କରି ଲୋକଙ୍କୁ ଲୁଟୁଛନ୍ତି । ଛାତ୍ର କଂଗ୍ରେସ ଏହା ବିରୁଦ୍ଧରେ ଧାରାବାହିକ ଆନ୍ଦୋଳନ କରିବ ।


ଏହି କାର୍ଯ୍ୟକ୍ରମରେ ଜାତୀୟ ସଂଯୋଜକ ଆଦିତ୍ୟ ଚୌଧୁରୀ, ନିହାର ବେହେରା, ସୁନିଲ ମାଟିଆ, ପ୍ରୀତମ ପରିଜା, ନିରଞ୍ଜନ ଦାସ, ସାଗର ପଟ୍ଟନାୟକ, ବାବୁ ଜେନା, ଅବିନାଶ ନନ୍ଦ, କାର୍ତ୍ତିକ କାଣ୍ଡି, ଅଭିରାମ ଗୌଡ଼,ବିଶ୍ୱଭୂଷଣ ମହାପାତ୍ର, ମହମ୍ମଦ ଗୁଲଫାମ, ଅଖିଳେଶ ଯାଦବ, ଶ୍ରୀ ମହାନ୍ତି, ଦେବବ୍ରତ ମହାନ୍ତି, ନିତେସ ବେହେରା,ବାଦଲ ମହାନ୍ତି, ଅଜିତ ବାରିକ, ସୂର୍ଯ୍ୟକାନ୍ତ ସାହୁ, ଶାହାରୁଖ ଖାନ, ରଣଜିତ ସେନାପତି, ପ୍ରତ୍ୟୁରଞ୍ଜନ ପ୍ରଧାନ,ଶିବଶକ୍ତି ଡ଼ିଗାଲ, ସମିଉଲ ହକ୍ ଓ ସନ୍ଦିପ ରାଉତରାୟ ପ୍ରମୁଖ ବହୁ ଛାତ୍ରନେତା ଅଂଶଗ୍ରହଣ କରିଥିଲେ ।

Related News
satta king tw