Top Stories

Search here...

News

ଘରୋଇ ପୁଞ୍ଜିନିବେଶ ଅଗ୍ରଗତି ନେଇ ହେବ ସମୀକ୍ଷା

Posted On - 1 minute ago
Edited By Prabir Kumar
LAST UPDATED Nov 15, 2021 12:26 PM

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ଭର୍ଟୁଆଲ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଯୋଗ ଦେବେ। ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେବ।

 

 

BBSR Reporters

 

 

ଭୁବନେଶ୍ୱର : ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଅର୍ଥନୀତି ଧୀରେଧୀରେ ଗତି ଧରିବା ଆରମ୍ଭ କରୁଛି। ଏଥିରେ ଘରୋଇ ପୁଞ୍ଜିନିବେଶ ଏକ ବିଶେଷ ଭୂମିକା ଗ୍ରହଣ କରୁଛି। ତେଣୁ ପୁଞ୍ଜିନିବେଶ ଗୁଡିକ ଯେପରି ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିପାରିବ, ତାହା ଉପରେ ସରକାର ଦୃଷ୍ଟି ଦେଉଛନ୍ତି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

 

 

ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ଭର୍ଟୁଆଲ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀ ଯୋଗ ଦେବେ। ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହେବ। ଓଡ଼ିଶା କୈନ୍ଦ୍ରିକ ଘରୋଇ ପୁଞ୍ଜିନିବେଶ ନେଇ ସ୍ୱତନ୍ତ୍ର ଭାବେ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

 

 

 

ଇନଭେଷ୍ଟମେଣ୍ଟ (ପୁଞ୍ଜିନିବେଶ), ଇନ୍‍ଫ୍ରାଷ୍ଟ୍ରକଚର (ଭିତ୍ତିଭୂମି) ଏବଂ ଗ୍ରୋଥ (ଅଭିବୃଦ୍ଧି)କୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ। ଶିଳ୍ପାୟନରେ ରାଜ୍ୟଗୁଡିକୁ କେଉଁ ପ୍ରକାର ସହଯୋଗ ଆବଶ୍ୟକ, ତାହାକୁ ଦୃଷ୍ଟିରେ ରଖି ସହଯୋଗ କରିବା ନେଇ ଖସଡ଼ା ପ୍ରସ୍ତୁତ କରାଯିବ। ଅନୁମୋଦିତ ହୋଇସାରିଥିବା ପ୍ରକଳ୍ପ କୌଣସି ପରିସ୍ଥିତିରେ କାର୍ଯ୍ୟାନ୍ୱୟନରେ ମନ୍ଥର ନ ହେବ, ସେ ନେଇ ରଣନୀତି ପ୍ରସ୍ତୁତ କରାଯିବ।

 

 

ବୈଠକର କିଛିଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍‍ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ଓଡ଼ିଶାରେ ୨ଟି ବୃହତ ପ୍ରକଳ୍ପ ରୂପାୟନ ହେବାକୁ ଯାଉଛି।

 

 

ଏଗୁଡିକ ହେଉଛି- କେନ୍ଦ୍ରାପଡ଼ା ଠାରେ ଆର୍ସେଲର-ମିତ୍ତଲ ନିପନ୍‍ ଷ୍ଟିଲର ପ୍ରସ୍ତାବିତ ୫୦,୦୦୦ କୋଟି ଟଙ୍କାର ପୁଞିନିବେଶ ଦ୍ୱାରା ବାର୍ଷିକ ୧୨ ଏମଟିପିଏ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ଏବଂ ଜଗତସିଂହପୁର ଜିଲ୍ଲାରେ ପ୍ରସ୍ତାବିତ ଜେଏସ୍‍ଡବ୍ଲ୍ୟୁ ୫୩,୦୦୦ କୋଟି ଟଙ୍କାର ଇସ୍ପାତ ପ୍ରକଳ୍ପ। ଏହି ୨ଟି ପ୍ରକଳ୍ପର ଅଗ୍ରଗତି ନେଇ ସର୍ବିଶେଷ ଆଲୋଚନା କରାଯିବ ବୋଲି ଜଣାପଡ଼ିଛି।

Related News
satta king tw