Top Stories
Search here...
News
ଇଡି ଜାଲରେ ଫଶିଲେ ଐଶ୍ୱର୍ଯ୍ୟା
Posted On - 7 minutes ago
ପାନାମା ପେପର୍ସ ଲିକ୍ ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ୍। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରା ଉଚରା ଲାଗି ସମନ ପଠାଇଛି।
BBSR Reporters
ମୁମ୍ବାଇ: ଆଇନ୍ ଜାଲରେ ବର୍ତ୍ତମାନ ପୂର୍ବତନ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ l ପାନାମା ପେପର୍ସ ଲିକ୍ ମାମଲାରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡିର ସମନ୍। ପାନାମା ପେପର୍ସ ଲିକ ଘଟଣାରେ ବଚ୍ଚନ ପରିବାରର ଚିନ୍ତା ବଢ଼ି ଚାଲିଛି। ଏହି ସମନର ଉତ୍ତର ଦେବା ପାଇଁ ଆଜି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଦିଲ୍ଲୀ ଇଡି ଅଫିସରେ ହାଜର ହୋଇଥା’ନ୍ତେ। ଦିଲ୍ଲୀର ଲୋକନାୟକ ଭବନରେ ସେ ହାଜର ହୋଇଥାନ୍ତେ। କିନ୍ତୁ ସେ ଆଜି ଇଡିରେ ହାଜର ହେବାକୁ ମନା କରିଦେଇଛନ୍ତି। ଏନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୂଚନା ଦେଇଛନ୍ତି। ତେବେ ଖୁବ୍ଶୀଘ୍ର ଇଡି ଐଶ୍ୱର୍ଯ୍ୟାଙ୍କୁ ପୁଣି ଏକ ନୂଆ ସମନ ପଠାଇବ ବୋଲି କହିଛି।
ସୂଚନା ମୁତାବକ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପୂର୍ବରୁ ମଧ୍ୟ ଦୁଇଥର ଡକାଯାଇଥିଲା, କିନ୍ତୁ ଉଭୟ ଥର ସେ ନୋଟିସକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଥିଲେ। ପାନାମା ପେପର ଲିକ୍ ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳକୁ ସେ ଏହି ଅନୁରୋଧ କରିଥିଲେ। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଇଡି ଚଳିତ ବର୍ଷ ନଭେମ୍ବର ୯ରେ ଧାରା ୩୭ ଫେମା ଜରିଆରେ ସମନ କରିଥିଲା। ଏହି ସମନକୁ ମୁମ୍ବାଇ ସ୍ଥିତ ବଚ୍ଚନ ପରିବାରର ଘର `ପ୍ରତୀକ୍ଷା’କୁ ପଠାଇଥିଲା ଇଡି। ୧୫ ଦିନ ଭିତରେ ଏହି ସମନର ଜବାବ ଦେବାକୁ ମଧ୍ୟ କୁହାଯାଇଥିଲା। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଇମେଲ ମାଧ୍ୟମରେ ଏହି ସମନର ଉତ୍ତର ଦେଇଥିବା ସୂଚନା ମିଳିଛି।
ପାନାମା ପେପର୍ସ ଲିକ୍ ମାମଲାରେ ଏକ କମ୍ପାନୀର ଆଇନଗତ ଡକ୍ୟୁମେଣ୍ଟ୍ (ମୋସାକ୍ ଫୋନ୍ସେକା) ଲିକ୍ ହୋଇଥିଲା। ଏହି ଲିକ୍ ଘଟଣା ପରେ ୪୨୪ ଜଣ ଭାରତୀୟଙ୍କ ବିଦେଶୀ ବ୍ୟାଙ୍କରେ ଆକାଉଣ୍ଟ ଥିବା କଥା ସାମ୍ନାକୁ ଆସିଥିଲା। ଏଥିରେ କିଛି ରାଜନେତାଙ୍କ ସମେତ ବଡ ବଡ ଫିଲ୍ମ ଷ୍ଟାରଙ୍କ ନାଁ ମଧ୍ୟ ସାମିଲ ଥିଲା। ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ନାମ ମଧ୍ୟ ଏଥିରେ ସାମିଲ ଥିବା ନେଇ ଖୁଲାସା ହୋଇଥିଲା।
ଏପରିକି ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ତା’ପରେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ଏକ ମଲ୍ଟି ଏଜେନ୍ସି ଗ୍ରୁପ୍ (MAG) ଗଠନ କରିଥିଲେ। ଏଥିମଧ୍ୟରେ CBDT, RBI, ED ଏବଂ FIU ସାମିଲ କରାଯାଇଥିଲା। MAG ସମସ୍ତ ନାଁର ଯାଂଚ କରି କଳା ଟଙ୍କାର ତଦନ୍ତ ପାଇଁ ଗଠିତ SIT ଏବଂ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଉଥିଲା। ପାନାମା ପେପର୍ସ ମାମଲାର ତଦନ୍ତ ସଂପର୍କରେ ଅନେକ ବଡ଼ ବଡ଼ ସେଲେବ୍ରିଟି ଜେରାର ସମ୍ମୁଖୀନ ହୋଇଛନ୍ତି। ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ଏକ ମାସ ପୂର୍ବରୁ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତାଙ୍କୁ ଏହି ମାମଲରେ ଇଡି ପଚରାଉଚରା କରିଥିଲା। ସୂଚନାନୁସାରେ, ମାମଲାର ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅମିତାଭ ବଚ୍ଚନଙ୍କୁ ମଧ୍ୟ ନୋଟିସ ପଠାଇପାରେ।