Top Stories
Search here...
News
ପୁରୀରେ ମେଡିକାଲ କଲେଜ ଓ ହସ୍ପିଟାଲ ନେଇ ତେଜିଲା ରାଜନୀତି; ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ସମ୍ବିତ ପାତ୍ର
Posted On - 1 minute ago
ବ୍ୟଙ୍ଗାତ୍ମକ ଟୁଇଟି କରି ସମ୍ବିତ ପାତ୍ର ଲେଖିଛନ୍ତି ଯେ, ଏକାକୀ ଶ୍ରେୟ ନେବା ପରିବର୍ତେ ପୁରୀ ମେଡିକାଲ କଲେଜର ଉଦଘାଟନ ପାଇଁ ସୌଜନ୍ୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ ବୋଲି ସେ ଆଶା କରୁଛନ୍ତି । ଯାହା ସବକା ସାଥ, ସବକା ବିଶ୍ୱାସ, ସବକା ବିକାଶ ଓ ସବକା ପ୍ରୟାସ ମନ୍ତ୍ରକୁ ସାକାର କରିବ ।
BBSR Reporters
ଭୁବନେଶ୍ୱର: ପୁରୀରେ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନ ପୂର୍ବରୁ ତେଜିଲା ରାଜନୀତି । ଟୁଇଟ୍ କରି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ବ୍ୟଙ୍ଗାତ୍ମକ ଟୁଇଟି କରି ସମ୍ବିତ ପାତ୍ର ଲେଖିଛନ୍ତି ଯେ, ଏକାକୀ ଶ୍ରେୟ ନେବା ପରିବର୍ତେ ପୁରୀ ମେଡିକାଲ କଲେଜର ଉଦଘାଟନ ପାଇଁ ସୌଜନ୍ୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ ବୋଲି ସେ ଆଶା କରୁଛନ୍ତି । ଯାହା ସବକା ସାଥ, ସବକା ବିଶ୍ୱାସ, ସବକା ବିକାଶ ଓ ସବକା ପ୍ରୟାସ ମନ୍ତ୍ରକୁ ସାକାର କରିବ ।
ନିକଟରେ ଏକ ପତ୍ର ଲେଖି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ସତର୍କ କରାଇଥିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏଥିରେ କୁହାଯାଇଥିଲା ଯେ, କେନ୍ଦ୍ରୀୟ ଅନୁଦାନରେ ହସ୍ପିଟାଲ ପ୍ରତିଷ୍ଠା ହେଉଥିଲେ କିମ୍ବା ଜିଲ୍ଲା ହସ୍ପିଟାଲର ବିକାଶ କରାଯାଉଥିଲେ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ । କେନ୍ଦ୍ରୀୟ ଅନୁଦାନରେ ଏହା କରାଯାଉଥିବାରୁ ଶିଳାନ୍ୟାସ କିମ୍ବା ଉଦଘାଟନୀ ଉତ୍ସବକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବା ବାଧ୍ୟତାମୂଳକ । ତେବେ ଆସନ୍ତାକାଲି ପୁରୀ ମେଡିକାଲ କଲେଜର ଉଦଘାଟନ ବେଳେ କେନ୍ଦ୍ରୀୟ ପ୍ରତିନିଧି ଉପସ୍ଥିତ ରହିବେ କି ନାହିଁ ତାହା ଜଣା ପଡିନାହିଁ ।
ଏହା ପୂର୍ବରୁ ଟୁଇଟି କରି ରାଜ୍ୟ ସରକାରଙ୍କୁ ବ୍ୟଙ୍ଗାତ୍ମକ ଆକ୍ଷେପ କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର । କୁହାଯାଉଛି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା- ପିଏମଏସଏସୱାଇରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିକାଶ କରାଯାଇଛି । ରୋଗୀ ଚିକିତ୍ସା ପାଇଁ ଏହାକୁ ମେଡିକାଲ କଲେଜ ସହ ମଧ୍ୟ ସଂଯୋଗ କରାଯାଇଛି । ଅବଶ୍ୟ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ରାଜ୍ୟ ସରକାର ମଧ୍ୟ ଅତିରିକ୍ତ ବଜେଟ ବନେ୍ଦାବସ୍ତ କରିଛନ୍ତି । କିନ୍ତୁ କେନ୍ଦ୍ରୀୟ ଅନୁଦାନ ବିନିଯୋଗ ହୋଇଥିବାରୁ ଏଭଳି କହିଥାଇ ପାରନ୍ତି ସମ୍ବିତ ପାତ୍ର । ତେବେ ଆସନ୍ତା ଶିକ୍ଷାବର୍ଷରୁ ଏଠାରେ ଏମବିବିଏସ ପଢିବା ପାଇଁ ୧୦୦ ଜଣ ଛାତ୍ରଛାତ୍ରୀ ମାନ ଲେଖାଇଛନ୍ତି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ଅବସରରେ ଏହି ଛାତ୍ରଛାତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।