Top Stories

Search here...

News

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଆଲୁମିନି ୱେବିନାରରେ କେନ୍ଦ୍ରମନ୍ତ୍ରୀ୍ଙ୍କ ଉଦବୋଧନ 

Posted On - 2 minutes ago
Edited By Team BbsrReporters
LAST UPDATED Oct 17, 2021 07:19 PM

‘ପୂର୍ବୋଦୟ’ର ସ୍ୱପ୍ନକୁ ସାକାର କରିବା ପାଇଁ ଯୁବପିଢିଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବା ଜରୁରୀ:  ଧର୍ମେନ୍ଦ୍ର ପ୍ରଧାନ  

 

BBSR Reporters


ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ଭାରତର ସାମଗ୍ରିକ ବିକାଶ ପାଇଁ ‘ପୂର୍ବୋଦୟ’ର କଳ୍ପନା କରିଛନ୍ତି ଏବଂ ଏହାର କେନ୍ଦ୍ରବିନ୍ଦୁରେ ଓଡ଼ିଶା ରହିଛି । ମାତ୍ର ‘ପୂର୍ବୋଦୟ’ର ସ୍ୱପ୍ନକୁ ସାକାର କରିବା ପାଇଁ ଯୁବପିଢିଙ୍କୁ ଗୁଣାତ୍ମକ ଶିକ୍ଷା ସହ ଉଚ୍ଚ ଶିକ୍ଷା ପାଇଁ ଆନୁସଙ୍ଗିକ ଭିତିଭୂମି ପ୍ରସ୍ତୁତ କରିବା ଜରୁରୀ ବୋଲି ରବିବାର ବଲାଙ୍ଗୀର ସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଆଲୁମିନି ଦ୍ୱାରା ଆୟୋଜିତ “ଉଚ୍ଚ ଶିକ୍ଷା କ୍ଷେତ୍ରରେ କ୍ୟାଲିଟି, କ୍ୱାଂଟିଟି ଏବଂ ଇକ୍ୱାଲିଟି” ଶୀର୍ଷକ ୱେବିନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପଶ୍ଚିମ ଓଡ଼ିଶାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ୧୯୪୪ରୁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଆସୁଅଛି । ଜ୍ଞାନ ଆଧାରରେ ଏକ ବିକଶିତ ସମାଜ ଗଠନ ଦିଗରେ ସମର୍ପିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ବଲାଙ୍ଗୀରର ଏହି ଶିକ୍ଷା ମନ୍ଦିର ପ୍ରଥମେ ମହାବିଦ୍ୟାଳୟ, ପରେ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଏବଂ ଏବେ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠିତ ହୋଇପାରିଛି । ଏହି ବିଶ୍ୱବିଦ୍ୟାଳୟକୁ ୟୁଜିସି ପକ୍ଷରୁ ମାନ୍ୟତା ଦିଆଯିବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରାଯାଇଛି । ଏହା ନିଶ୍ଚିତ ଭାବରେ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ବିଶେଷ ସହାୟକ ହେବ । ବର୍ତମାନ ସମଗ୍ର ପୃଥିବୀ “ଜ୍ଞାନ ଆଧାରିତ ଅର୍ଥନୀତି” କୁ ଗୁରୁତ୍ୱ ଦେଉଛି । ବର୍ତମାନ ଶିକ୍ଷା ଓ ଜ୍ଞାନ ସହ ଅର୍ଥନୀତି ଯୋଡ଼ି ହୋଇଛି । ସାମ୍ପ୍ରତିକ ସମୟରେ ଶିକ୍ଷା ହେଉଛି ନିରନ୍ତର ବିକାଶର ମୁଖ୍ୟ ସ୍ତମ୍ଭ । ତେଣୁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପ୍ରଣୟନ ହୋଇଥିବା ‘ଜାତୀୟ ଶିକ୍ଷା ନୀତି’ରେ ସମଗ୍ର ଭାରତବର୍ଷରେ ଶିକ୍ଷା ତଥା ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଅଣାଯାଉଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ କ୍ୟାଲିଟି, କ୍ୱାଂଟିଟି ଏବଂ ଇକ୍ୱାଲିଟିକୁ ପ୍ରାଥମିକତା ଦିଆଯାଉଛି । 

 

ଜାତୀୟ ଶିକ୍ଷା ନୀତି କେବଳ ଯୁବପିଢ଼ିଙ୍କୁ ଆଗାମୀ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବ ନାହିଁ ବରଂ ଏକବିଂଶ ଶତାବ୍ଦୀରେ ବୈଶ୍ୱିକ ନାଗରିକଙ୍କ ସମସ୍ୟାର ସମାଧାନ କରିବ । ବର୍ତମାନ ସମୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ଟେକ୍ନୋଲୋଜିର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଡିଜିଟାଲ୍ ଶିକ୍ଷା ମାଧ୍ୟମରେ ସମଗ୍ର ଶିକ୍ଷା ଇକୋସିଷ୍ଟମକୁ ବଳ ଦେବା ପାଇଁ ନ୍ୟାସନାଲ ଡିଜିଟାଲ ଏଜୁକେସନ ଆର୍କିଟେକଚର ଅଣାଯାଉଛି । ଶିକ୍ଷା ଓ ଦକ୍ଷତାକୁ ମିଶାଇ ବହୁଭାଷୀ ଶିକ୍ଷା ଆଣିବା ଦିଗରେ ମଧ୍ୟ କାର୍ଯ୍ୟ କରାଯାଉଛି । କୌଶଳ ଏବଂ ଉଦ୍ୟମିତାକୁ ସୁଦୃଢ଼ କରି ଗ୍ରାଜୁଏଟ ଛାତ୍ରଛାତ୍ରୀ ମାନଙ୍କର ନିଯୁକ୍ତିରେ ପରିବର୍ତନ ଆଣିବା ପାଇଁ ଉଦ୍ୟମ କରାଯାଉଛି । 

 

ମହିଳା ତଥା ସାମାଜିକ ଓ ଆର୍ଥôକ ଅନଗ୍ରସରଙ୍କ ମଧ୍ୟରେ ବୈଷୟିକ ଶିକ୍ଷାକୁ ବୃଦ୍ଧି କରି ସେମାନଙ୍କୁ ସମାଜରେ ସଶକ୍ତ କରିବା ଆମର ପ୍ରାଥମିକତାରେ କହିଛି । ସାଧାରଣ ଓଡିଆ ଘର ପିଲାର ବୌଦ୍ଧିକ ଶକ୍ତି ଓଡିଆ ଜାତିର ମୂଳ ସମ୍ବଳ । ଆମର ଦାୟିତ୍ୱ ଆମ ପିଲା ମାନଙ୍କ ଭିତରେ ଥିବା ବୌଦ୍ଧିକ କ୍ଷମତା ଓ ଦକ୍ଷତାକୁ ଚିହ୍ନିବା ଏବଂ ସେମାନଙ୍କୁ ଏକବିଂଶ ଶତାବ୍ଦୀରେ ନୂଆ ଓଡ଼ିଶା ଏବଂ ନୂଆ ଭାରତ ଗଠନ ପାଇଁ ପ୍ରସ୍ତୁତ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଶ୍ଚିମ ଓଡିଶାର ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାରେ ଅନେକ କ୍ଷେତ୍ରରେ ସଫଳ ହୋଇଛି ଓ ଆଗାମୀ ଦିନରେ ଅନେକ ରାସ୍ତା ଚାଲିବା ସଂକଳ୍ପ ପଥରେ ଅଛି  । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଆଗାମୀ ଶତାବ୍ଦୀ ଶତାବ୍ଦୀ ଧରି ଏହି ଶିକ୍ଷାର ମନ୍ଦିର ସଫଳତାର ଶୀର୍ଷରେ ପହଁଚିବା ସହ ବଲାଙ୍ଗୀର ଜିଲ୍ଲାର ବିକାଶରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶୀଦାର ହୁଅନ୍ତୁ ଏବଂ ଏଥିରେ ଆଲୁମିନି ସଂଘର ବଡ ଭୂମିକା ରହିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।
 

Related News
satta king tw