Top Stories

Search here...

News

ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି; ପକ୍କା ଘର ମରାମତି ପାଇଁ ମିଳିବ ୩ ରୁ ୫ ହଜାର ଟଙ୍କା

Posted On - 8 minutes ago
Edited By Team BbsrReporters
LAST UPDATED Dec 21, 2021 06:53 PM

ଏହି ସହାୟତା ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ । ୩୦ ଲକ୍ଷ ପରିବାର ଉପକାର ପାଇବେ ।

 

BBSR Reporters


ଭୁବନେଶ୍ୱର: ପଂଚାୟତ ନିର୍ବାଚନ ପୂର୍ବରୁ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି ସରକାରୀ ସହାୟତାରେ ପକ୍କା ଘର କରିଥିବା ଲୋକଙ୍କୁ ମରାମତି ପାଇଁ ମିଳିବ ୩ରୁ ୫ ହଜାର ଟଙ୍କା ।

 

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ଉପରେ ସବୁବେଳେ ବାତ୍ୟା ଓ ବନ୍ୟାର ଭୟ ରହୁଛି  । ଏବେ ପ୍ରତି ବର୍ଷ ଆମେ ବାତ୍ୟାର ସାମ୍ନା କରୁଛୁ  । ତେଣୁ ଆଶ୍ରୟ ସୁରକ୍ଷା ସବୁ ସୁରକ୍ଷାର ଆଧାର  । ସବୁ ପରିବାରର ମୁଣ୍ଡ ଉପରେ ଭଲ ଛାତ ଥିଲା ବିଜୁ ବାବୁଙ୍କ ସ୍ୱପ୍ନ  । ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ବିଜୁ ପକ୍କା ଘର ଯୋଜନା ଆରମ୍ଭ କରିଛୁ  । ସବୁ କଚ୍ଚା ଘରକୁ ପକ୍କା କରିବା ପାଇଁ ୨୦୧୪ର ପ୍ରଥମ କ୍ୟାବିନେଟରେ ଆମେ ନିଷ୍ପତ୍ତି ନେଇଥିଲୁ  । ଏ ଦିଗରେ ମଧ୍ୟ ବହୁତ ଭଲ କାମ ହୋଇଛି  । ଗ୍ରାମାଞ୍ଚଳରେ ଘର ତିଆରିରେ ଓଡିଶା ସାରା ଦେଶରେ ଏକ ଆଗୁଆ ରାଜ୍ୟ  । ଏଥିପାଇଁ ରାଜ୍ୟ ସରକାର ୨୦୧୪ରୁ ଏ ପର୍ଯ୍ୟନ୍ତ ବାଇଶ ହଜାର କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ କଲେଣି  ।

 

ଗାଁର ଗରିବ ଲୋକଙ୍କୁ ପକ୍କା ଘର ଖଣ୍ଡିଏ ଦେବା ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନା କରିଛନ୍ତି  । ତା ସହିତ କେନ୍ଦ୍ର ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରହିଛି  । କେନ୍ଦ୍ର ଗୃହ ନିର୍ମାଣ ଯୋଜନା ପାଇଁ ରାଜ୍ୟ ସରକାର ମଧ୍ୟ ପାଖାପାଖି ଅଧା ଖର୍ଚ୍ଚ ବହନ କରୁଛନ୍ତି  ।


ମୁଖ୍ୟମନ୍ତ୍ରୀ କହିଛନ୍ତି  କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅନେକ ଯୋଗ୍ୟ ପରିବାର ବହୁ ଦିନ ଧରି ଅପେକ୍ଷା କରିଛନ୍ତି  । ଏ ସଂପର୍କରେ ମୁଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି  । ଦୁଃଖର କଥା ଆମର ଜନଜାତି ଅଞ୍ଚଳ ଓ ପଶ୍ଚିମ ଓଡିଶା ପରି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଲୋକମାନେ ଏଥିରେ ବିଶେଷ ପ୍ରଭାବିତ  ହୋଇଛନ୍ତି  । ଏବିଷୟରେ ମୁଁ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି  ।

 

ମୁଁ ଜାଣେ କୋଭିଡ ଯୋଗୁ ଆମର ଗରିବ ଲୋକମାନେ ବହୁତ କଷ୍ଟରେ ଅଛନ୍ତି  । ଛୋଟ ଛୋଟ ମରାମତି କରିବା, ଏପରିକି ଚୂନ ଦେବା ପାଇଁ ମଧ୍ୟ ଆପଣଙ୍କ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆପଣମାନଙ୍କର ଏ କଷ୍ଟକୁ ମୁଁ ଅନୁଭବ କରୁଛି  । ଏଥିପାଇଁ ରାଜ୍ୟ କ୍ୟାବିନେଟ ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇ ଗରିବ ଲୋକଙ୍କୁ ସହାୟତା ଦେବା ପାଇଁ ସ୍ଥିର କରିଛି  । ଏଭଳି ନିଷ୍ପତ୍ତି ନେବାରେ ଆପଣଙ୍କ ରାଜ୍ୟ ସରକାର ସାରା ଦେଶରେ ପ୍ରଥମ  ।

 

ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩୦୦୦ ଟଙ୍କା ସହାୟତା ଦେବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି  । ସେହିପରି କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ମୋ ସରକାର ୫୦୦୦ ଟଙ୍କା ଲେଖାଏ ସହାୟତା ଦେବାକୁ ନିଷ୍ପତ୍ତି ନେଇଛି  । ଏହି ଉଭୟ ସହାୟତା ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ । ୩୦ ଲକ୍ଷ ପରିବାର ଉପକାର ପାଇବେ  । ଏଥିପାଇଁ ୧୪୪୪ କୋଟି ଟଙ୍କା ଖର୍ଚ୍ଚ ହେବ  । ବିଜୁ ପକ୍କା ଘର ଯୋଜନାରୁ ଏ ଖର୍ଚ୍ଚ ବହନ କରାଯିବ ।

 

ମୋ ସରକାର ଥିବା ପର୍ଯ୍ୟନ୍ତ ମୋ ରାଜ୍ୟର ଭାଇ ଭଉଣୀ ମାନଙ୍କୁ ଘର ପାଇଁ ହଇରାଣ ହେବାକୁ ମୁଁ ଦେବି ନାହିଁ  । ମୁଁ ଚାହେଁ ସମସ୍ତେ ସମ୍ମାନ ର ସହ ବଞନ୍ତୁ  । ଆପଣମାନଙ୍କ ପାଇଁ କେନ୍ଦ୍ର ଯୋଜନାରୁ ଘର ଆଣିବା ପାଇଁ ଆମେ ଚେଷ୍ଟା କରୁଛୁ  । କିନ୍ତୁ ଯଦି କେନ୍ଦ୍ର ସରକାର ଆପଣମାନଙ୍କର ନ୍ୟାୟପୂର୍ଣ୍ଣ ଦାବୀକୁ ଗ୍ରହଣ ନ କରନ୍ତି, ତେବେ ଆପଣମାନେ ଚିନ୍ତା କରନ୍ତୁ ନାହିଁ  । ରାଜ୍ୟ ସରକାର ଆପଣମାନଙ୍କ ସାଥିରେ ଅଛି  । ଆପଣଙ୍କୁ ଘର ଦେବା ପାଇଁ ଆମେ ପଦକ୍ଷେପ ନେବୁ  । 

 

ଆଜି କ୍ୟାବିନେଟ୍ ବୈଠକରେ ମୁଖ୍ୟାଂଶ –

 

•    ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩୦୦୦ ଟଙ୍କା ସହାୟତା


•    ସେହିପରି କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦୦୦ ଟଙ୍କା ଲେଖାଏ ସହାୟତା 


•    ଏହି ଉଭୟ ସହାୟତା ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ । ୩୦ ଲକ୍ଷ ପରିବାର ଉପକାର ପାଇବେ 

•     ଏଥିପାଇଁ ୧୪୪୪ କୋଟି ଟଙ୍କା ଖର୍ଚ୍ଚ ହେବ  । ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନାରୁ ଏ ଖର୍ଚ୍ଚ ବହନ କରାଯିବ


•    କେନ୍ଦ୍ର ଯୋଜନାରୁ ଘର ଆଣିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିବ । ଯଦି କେନ୍ଦ୍ର ସରକାର ରାଜ୍ୟବାସୀଙ୍କ ନ୍ୟାୟପୂର୍ଣ୍ଣ ଦାବୀକୁ ଗ୍ରହଣ ନ କରନ୍ତି, ତେବେ କେନ୍ଦ୍ର ଯୋଜନା ରୁ ବଞ୍ଚିତ ଲୋକଙ୍କୁ ରାଜ୍ୟ ସରକାର ଘର ଦେବାପାଇଁ ପଦକ୍ଷେପ ନେବେ


•    ୨୦୧୪ରୁ ରାଜ୍ୟରେ ଗ୍ରାମାଞ୍ଚଳ ଗୃହ ନିର୍ମାଣ କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ବାଇଶ ହଜାର କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି
 

Related News
satta king tw