Top Stories

Search here...

News

ମୋଦିଙ୍କ ଗସ୍ତ ପୂର୍ବରୁ ଜମ୍ମୁ-କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା;୨ ଆତଙ୍କୀ ମୃତ

Posted On - 8 minutes ago
Edited By Jyotirmayee Patanaik
LAST UPDATED Apr 22, 2022 08:08 PM

ଗତକାଲି ବିଳମ୍ବିତ ରାତିରୁ ହିଁ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ଉପସ୍ଥିତିର ଖବର ପାଇ ସର୍ଚ୍ଚ ଅପରେସନ କରିଥିଲେ । ଭୋର ସମୟରେ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ୯ ଜଣ ଯବାନ ଆହତ ହୋଇଛନ୍ତି । ଆହତ ହୋଇଥିବା ୯ ଜଣ ଯବାନଙ୍କ ମଧ୍ୟରେ ଓଡ଼ିଶାର ପ୍ରମୋଦ ପାତ୍ର ରହିଛନ୍ତି ।

 

BBSR Reporters

 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜମ୍ମୁ-କଶ୍ମୀର ଗସ୍ତ ପୂର୍ବରୁ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାର ପର୍ଦାଫାସ କରିଛି ।  ଏନକାଂଉଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ସେହିପରି ଆହତ ହୋଇଥିବା ୯ ଜଣ ଯବାନଙ୍କ ମଧ୍ୟରେ ଓଡ଼ିଶାର ପ୍ରମୋଦ ପାତ୍ର ରହିଛନ୍ତି । ପ୍ରମୋଦ ସିଆଇଏସଏଫରେ କାମ କରନ୍ତି । ଆତଙ୍କବାଦୀଙ୍କ ମୁକାବିଲା କରି ସେ ଗୁଳିମାଡ଼ର ଶିକାର ହୋଇଥିବା ଜଣାପଡ଼ିଛି । ତାଙ୍କୁ ଅନ୍ୟ ଯବାନଙ୍କ ସହ ସ୍ଥାନୀୟ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।


ତେବେ ନିହତ ଦୁଇ ଆତଙ୍କବାଦୀ ବଡ଼ଧରଣର ହମଲା କରିବାକୁ ଯୋଜନା କରିଥିଲେ । ସେମାନେ ଆତ୍ମଘାତୀ ହମଲା ଦ୍ୱାରା ସୁରକ୍ଷାକର୍ମୀ ଓ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବାକୁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ସେମାନଙ୍କ ସବୁ ଯୋଜନାକୁ ସୁରକ୍ଷାକର୍ମୀ ପଣ୍ଡ କରିଦେଇଛନ୍ତି । ନିହତ ଦୁଇ ଆତଙ୍କୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଭୋର ସମୟରେ ଜଲାଲାବାଦ ସୁଞ୍ଜୱାନ ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ଗତକାଲି ବିଳମ୍ବିତ ରାତିରୁ ହିଁ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ଉପସ୍ଥିତିର ଖବର ପାଇ ସର୍ଚ୍ଚ ଅପରେସନ କରିଥିଲେ । ଭୋର ସମୟରେ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ୫ ଜଣ ଯବାନ ଆହତ ହୋଇଥିଲେ । ଏମାନଙ୍କ ମଧ୍ୟରେ ଥିବା ସିଆଇଏସଏଫର ଆସିସଷ୍ଟାଣ୍ଟ ସବ୍ ଇନସପେକ୍ଟର ଏସ୍ପି ପଟେଲ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

 

ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଅଣ୍ଡର ବାରେଲ ଗ୍ରେନେଡ ଲର୍ଞ୍ଚରୁ ଗ୍ରେନେଡ ମାଡ଼ କରିବାରୁ ଆଉ ୫ ଜଣ ଯବାନ ଆହତ ହୋଇଛନ୍ତି । ଆତଙ୍କବାଦୀଙ୍କ ସହ ଲଢେ଼ଇ କରି ଆହତ ହୋଇଥିବା ଯବାନଙ୍କ ମଧ୍ୟରେ କାଠୁଆର ପୁଲିସ ହେଡକନଷ୍ଟେବଲ ବରାଜ ସିଂହ, ଅଖର୍ନୋର ଏସ୍ପିଓ ସାହିଲ ଶର୍ମା, ସିଆଇଏସ୍ଏଫରେ କାମ କରୁଥିବା ଓଡ଼ିଆ ପୁଅ ପ୍ରମୋଦ ପାତ୍ର ଓ ଆସାମର ଆମୀର ସୋରାନ ରହିଛନ୍ତି । ଗ୍ରେନେଡ ମାଡ଼ ପରେ ସୁରକ୍ଷାକର୍ମୀମାନେ ପାଲଟା ଆକ୍ରମଣ କରିଥିଲେ । ଫଳରେ ଉଭୟ ପକ୍ଷ ମଧ୍ୟରେ କିଛି ସମୟ ଧରି ଗୁଳି ବିନିମୟ ହୋଇଥିଲା । ଶେଷରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ତେବେ ଆତଙ୍କବାଦୀଙ୍କ ସହ ଲଢେ଼ଇ କରିବା ପରେ ସିଆଇଏସଏଫର ଏଏସ୍ଆଇ ଏସପି ପଟେଲଙ୍କ ଜୀବନ ଯାଇଛି । ସେହିପରି ଦୁଇ ଜଣ ଯବାନ ଆହତ ହୋଇଛନ୍ତି ।

 


ପୁଲିସ୍ର ସୂଚନା ଅନୁଯାୟୀ, ନିହତ ଦୁଇ ଆତଙ୍କୀ ବିଦେଶୀ ନାଗରିକ । ସେମାନେ ବଡ଼ଧରଣର ଆତଙ୍କୀ ହମଲା କରିବାକୁ ଆସିଥିଲେ । ସେମାନେ ନିଜ ସହ ବିପୁଳ ପରିମାଣର ବିସ୍ଫୋରକ ଆଣିଥିଲେ । ତେଣୁ ଫିଦାୟିନ ବା ଆତ୍ମଘାତୀ ହମଲାର ଯୋଜନା ସେମାନଙ୍କର ଥିଲା । ଏବେ ବି ସେନା ଯବାନମାନେ ଘଟଣାସ୍ଥଳରେ ରହିଛନ୍ତି । ସର୍ଚ୍ଚ ଅପରେସନ ଜାରି ରହିଥିବାରୁ ଆତଙ୍କୀଙ୍କ ପରିଚୟ ସାର୍ବଜନୀନ କରାଯାଇନି ।

 

ଅନ୍ୟପକ୍ଷରେ ସିଆଇଏସଏଫ ପକ୍ଷରୁ କୁହାଯାଇଛି ଯେ ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନକୁ ୧୫ ଜଣ ସିଆଇଏସଏଫ ଯବାନ ଗୋଟିଏ ଗାଡ଼ିରେ ଯାଉଥିଲେ । ଅଧା ରାସ୍ତାରେ ହିଁ ଗାଡ଼ିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଥିଲେ । ଭୋର ପ୍ରାୟ ୪.୨୫ରେ ଜମ୍ମୁର ଚାଧା ଠାରେ ଏପରି ଘଟଣା ଘଟିଥିଲା । ସୂଚନାଯୋଗ୍ୟ, ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଜମ୍ମୁ-କଶ୍ମୀରର ସାମ୍ବା ଜିଲ୍ଲାକୁ ଗସ୍ତ କରିବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ କରାଯାଉଛି । ଏହି ସମୟରେ ହିଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀମାନେ ମୁହାଁମୁହିଁ ହେଉଛନ୍ତି ।
 

Related News
satta king tw