Top Stories

Search here...

News

ବିଦ୍ୟୁତ୍  ଦର ବୃଦ୍ଧି ହ୍ରାସ କରିବା ଦାବିରେ ଆଜିଠୁ ବିଜେପିର ରାଜ୍ୟବ୍ୟାପି ପ୍ରତିବାଦ

Posted On - 4 minutes ago
Edited By Team BbsrReporters
LAST UPDATED Jul 14, 2021 09:08 AM

 ‘ସେବା କମ୍ ଟିକସ ଅଧିକା’ ନୀତି ଆପଣାଇଛନ୍ତି ରାଜ୍ୟ ସରକାର : ସମୀର ମହାନ୍ତି  

 

BBSR Reporters


 ଭୁବନେଶ୍ୱର: କରୋନା ସମୟରେ ରାଜ୍ୟ ସରକାର ବିଦ୍ୟୁତ୍  ବିଲ ବୃଦ୍ଧି କରିବା ବୋଝ ଉପରେ ନଳିତା ବିଡା ସଦୃଶ । ଓଇଆରସିର ବିଦୁ୍ୟତ ଦର ବୃଦ୍ଧି କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ଏପ୍ରିଲ ୪,୨୦୨୧ରୁ ରାଜ୍ୟ ସରକାର ବିଦୁ୍ୟତ ବିଲରେ ୟୁନିଟ ପିଛା ୩୦ ପଇସା ବୃଦ୍ଧି କରି ନିରୀହ ସାଧାରଣ ଜନତାଙ୍କୁ ଶୋଷଣ କରୁଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । 

 

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ପୂର୍ବରୁ ବିଦୁ୍ୟତ ଦର ବୃଦ୍ଧି ପ୍ରତିବାଦରେ ବିଜେପି ବିଧାନସଭା ଗୃହ ଭିତରେ ଓ ବାହାରେ ପ୍ରତିବାଦ କରିବା ପରେ ବି ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେଲେ ନାହିଁ । ରାଜ୍ୟରେ ହୋଇଥିବା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟରେ ହଜାର ହଜାର କୋଟି ଟଙ୍କା କେନ୍ଦ୍ରୀୟ ସହାୟତା ଓଡିଶାକୁ ପ୍ରଦାନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଭିତିଭୂମି ସୁଦୃଢ ନକରି ଏହି ଅର୍ଥକୁ ହରିଲୁଟ୍ କରିଛନ୍ତି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ୯୨ ଲକ୍ଷ ବିଦୁ୍ୟତ ଉପଭୋକ୍ତା ଏବେ କଷ୍ଟରେ ଅଛନ୍ତି । ରାଜ୍ୟ ସରକାର ସେବା କମ୍ ଏବଂ ଟିକସ ଅଧିକା ନେବା ନୀତି ଆପଣାଇଛନ୍ତି । ବିଶେଷ କରି କରୋନା ମହାମାରୀ ସମୟରେ ବିଦୁ୍ୟତ ଦର ବୃଦ୍ଧି କରିବା ଆଦୌ ଗ୍ରହଣୀୟ ନୁହେଁ । ବିଦୁ୍ୟତ ଦର ବୃଦ୍ଧି ହ୍ରାସ କରିବା ଏବଂ ଓଡିଶାର ସାଧାରଣ ଜନତାକୁ ନିରବିଚ୍ଛିନ୍ନ ଭାବେ ବିଦୁ୍ୟତ ଯୋଗାଇବା ଦାବିରେ ବିଜେପି ପକ୍ଷରୁ ସାଧାରଣ ଉପଭୋକ୍ତାଙ୍କୁ ସାଙ୍ଗରେ ଧରି ୭ ଦିନ ଧରି ସାରା ରାଜ୍ୟରେ ବିଦୁ୍ୟତ ବିତରଣ କମ୍ପାନୀଗୁଡିକ ଆଗରେ ପ୍ରତିବାଦ କରାଯିବ ବୋଲି ଶ୍ରୀ ସମୀର ମହାନ୍ତି ଚେତାବନୀ ଦେଇଛନ୍ତି । 

 

ଆଜି ଠୁ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମ ଚାଲୁ ରହିବ । ଏହା ସହ ବାତ୍ୟା ପରେ ପରେ ମିଳିଥିବା କେନ୍ଦ୍ରୀୟ ସହାୟତାକୁ କିଭଳି ଖର୍ଚ୍ଚ କରାଯାଇଛି, କେଉଁ ଠିକାଦାରକୁ କାମ ଦିଆଯାଇଛି ଏବଂ କେତେ ପରିମାଣରେ କାମ ହୋଇଛି ତାହାର ସବିଶେଷ ତଥ୍ୟ ଏକ ଶ୍ୱେତପତ୍ର ମାଧ୍ୟମରେ ରାଜ୍ୟ ସରକାର ପ୍ରକାଶ କରନ୍ତୁ । ବିଧାନସଭାରେ ରାଜ୍ୟ ସରକାର ଆଡଜନମେଂଟ ମୋସନର ଉତର ରଖି ବିଦୁ୍ୟତ ଦର କମାଇବା ନେଇ ଯେଉଁ ପ୍ରତିଶୃତି ଦେଇଥିଲେ ତାହା ଏବେ ପାଳନ କରନ୍ତୁ ଏବଂ ବର୍ଦ୍ଧିତ ଟାରିଫକୁ ରାଜ୍ୟ ସରକାର ତୁରନ୍ତ କମ୍ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି । 

 

ରାଜ୍ୟରେ ୨୬ଟି ବଡ ଶିଳ୍ପ ସଂସ୍ଥା ଉପରେ ୨୯୪୯.୬୬ କୋଟି ଟଙ୍କାର ବକେୟା ବିଦୁ୍ୟତ ବିଲ୍ ପଡି ରହିଛି । ରାଜ୍ୟ ସରକାର ଓ ପ୍ରଶାସନର ପ୍ରଚ୍ଛନ୍ନ ଷଡଯନ୍ତ୍ରରେ ଏହି କମ୍ପାନୀମାନେ କୋର୍ଟରୁ ରହିତାଦେଶ ଆଣି ରାଜ୍ୟ ରାଜକୋଷକୁ ରୁଗ୍ନ କରିଦେଇଛନ୍ତି । ରାଜ୍ୟର ୪ଟି ବିଦୁ୍ୟତ ବିତରଣ କଂପାନୀ ଉପରେ ୫୪୧.୧୧ କୋଟି ଟଙ୍କା ବକେୟା ରହିଛି । ବାହାର ରାଜ୍ୟକୁ ଓଡିଶା ସରକାର ଯେଉଁ ବିଜୁଳି ବିକୁଛନ୍ତି ତାହାର ହାରାହାରି ୟୁନିଟ ପିଛା ମୂଲ୍ୟ ୩ଟ ୨୧ପଇସା ରହିଛି । ମାତ୍ର ବାହାର ରାଜ୍ୟ ମାନଙ୍କରୁ ଯେଉଁ ବିଜୁଳି ରାଜ୍ୟ ସରକାର କିଣୁଛନ୍ତି ତାହାର ୟୁନିଟ ପିଛା ହାରାହାରି ମୂଲ୍ୟ ୩ଟ ୮୧ପଇସା ରହିଛି  । କିଣାବିକାରେ ଏହି ତାରତମ୍ୟ କାରଣରୁ ରାଜ୍ୟର ରାଜକୋଷ ଦୁର୍ବଳ ହୋଇଛି । ରାଜ୍ୟର ୩୩୨ଟି କମ୍ପାନୀ ଉପରେ ଜଳକର ବାବଦରେ ୫୧୫କୋଟିରୁ ଅଧିକ ଟଙ୍କା ଦୀର୍ଘ ଦିନରୁ ପଡି ରହିଛି ମାତ୍ର ଏହାକୁ ଆଦାୟ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି  ବୋଲି ବିଜେପି କହିଛି । 

 

ରାଜ୍ୟରେ ଅନେକ ସ୍ଥାନରେ ବିଦୁ୍ୟତ ସଂଯୋଗ ନହୋଇ ମଧ୍ୟ ହଜାର ହଜାର ଟଙ୍କାର ବିଲ୍ ଆସୁଛି । ଚାଷୀମାନେ କିପରି ସୁବିଧାରେ ଜମିରେ ଜଳସେଚନ ସୁବିଧା ପାଇବେ ଏଥିପାଇଁ ବିଜୁ କୃଷକ ଯୋଜନାରେ ଡିପ ବୋର ୱେଲ ଗଭୀର ନଳକୂପ ଖନନ କରିଥିଲେ । ଏହାପରେ ବିଦୁ୍ୟତ ବିଭାଗ ପକ୍ଷରୁ ଖମ୍ବପୋତା ସହ ତାର ମଧ୍ୟ ଟଣା ହୋଇଛି । କିନ୍ତୁ ବିଦୁ୍ୟତ ସଂଯୋଗ ହୋଇନି । ହେଲେ ଚାଷୀଙ୍କ ପାଖକୁ ଆସିଛି ଲକ୍ଷାଧିକ ଟଙ୍କାର ବିଲ । ଯାହାକୁ ଦେଖି ଚାଷୀ ମୁଣ୍ଡରେ ଚଡକ ପଡିଛି । ବୌଦ୍ଧ ସଦର ବ୍ଲକ ବ୍ରାହ୍ମଣିପାଲି ପଂଚାୟତରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ବୌଦ୍ଧ ଉଠାଜଳସେଚନ ବିଭାଗ ପକ୍ଷରୁ ୨୦୧୪-୧୫ ମସିହାରେ ଜମିକୁ ଜଳସେଚନ କରିବା ପାଇଁ ଗଭୀର କୂଅ ଖନନ କରାଯାଇଥିଲା । ହେଲେ ମୋଟର ବସିନି କି ବିଦୁ୍ୟତ ମଧ୍ୟ ସଂଯୋଗ ହୋଇନି । ଏହା ପରେ ବି ୧୨ଜଣ ଚାଷୀଙ୍କ ନାଁରେ ଲକ୍ଷାଧିକ ଟଙ୍କାର ବିଲ୍ ଆସିଛି ।
 

Related News
satta king tw