Top Stories

Search here...

News

ଆଉ ନାହାନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକର

Posted On - 7 minutes ago
Edited By Prabir Kumar
LAST UPDATED Feb 06, 2022 12:30 PM

ମୁମ୍ବାଇର ବ୍ରିଚ୍‌କ୍ୟାଣ୍ଡି ହସ୍‌ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

 

BBSR Reporters

 

ମୁମ୍ବାଇ: ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ପରଲୋକ। ବ୍ରିଚ୍‌କ୍ୟାଣ୍ଡି ହସ୍‌ପିଟାଲ୍‌ ସିଇଓ ଡାକ୍ତର ଏନ୍‌ ସନ୍ଥନାମ ଏହି ଖବର ସ୍ପଷ୍ଟ କରିଛନ୍ତି। ଆଜି ସକାଳ ୮ଟା ୧୨ ମିନିଟ୍‌ରେ ସମସ୍ତଙ୍କ ପ୍ରିୟ ଲତାଙ୍କ ପରଲୋକ ହୋଇଥିଲା। ମୁମ୍ବାଇର ବ୍ରିଚ୍‌କ୍ୟାଣ୍ଡି ହସ୍‌ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।

 

ଜାନୁଆରୀ ୮ ତାରିଖରେ ଲତା ମଙ୍ଗେଶକର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ବୟସାଧିକ ଯୋଗୁ ତାଙ୍କୁ ସଙ୍ଗେ ସଙ୍ଗେ ବ୍ରିଚ୍‌କ୍ୟାଣ୍ଡି ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତା’ପରେ ସେ ନିମୋନିଆରେ ମଧ୍ୟ ପୀଡ଼ିତ ଥିବା ଜଣାପଡ଼ିଥିଲା। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଜାନୁଆରୀ ୨୮ ତାରିଖରେ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଡାକ୍ତର କହିଥିଲେ। ତେବେ ହଠାତ୍ ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଯାଇଥିଲା। ତାଙ୍କୁ ପୁଣି ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ତାଙ୍କଠାରେ ଆଉ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା। ଆଉ ଆଜି ସକାଳେ ସେ ଆଖି ବୁଜି ଦେଇଥିଲେ।

 

ଲତା ମଙ୍ଗେଶକରଙ୍କ ପରଲୋକରେ ପୂରା ଦେଶ ମ୍ରିୟମାଣ ହୋଇଯାଇଛି। ବିଭିନ୍ନ ବର୍ଗର ଲୋକେ ତାଙ୍କର ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି କହିଛନ୍ତି ଯେ ଏହି ଖବର ପାଇ ବିଶ୍ୱର କୋଟି କୋଟି ଲୋକଙ୍କ ଭଳି ତାଙ୍କ ହୃଦୟ ବି ଭାଙ୍ଗି ଯାଇଛି। ସେ ଅତୁଳନୀୟ ହୋଇ ରହିବେ ବୋଲି ରାଷ୍ଟ୍ରପତି କହିଛନ୍ତି। ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଦୁଃଖକୁ ପ୍ରକାଶ କରିବାକୁ ତାଙ୍କ ପାଖରେ ଶବ୍ଦ ନାହିଁ। ଲତା ମଙ୍ଗେଶକରଙ୍କ ପରଲୋକରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ତାହା କେବେ ପୂରଣ ହୋଇପାରିବ ନାହିଁ। ପିଢ଼ି ପରେ ପିଢ଼ି ତାଙ୍କୁ ଲୋକେ ମନେ ରଖିବେ।

Related News
satta king tw