Top Stories
Search here...
News
ଝୁଣ୍ଟିଆ:- ଡଃ ଉଷାରାଣୀ ଦାଶ
Posted On - 10 minutes ago
ଆତ୍ମୀୟତାର ବନ୍ଧନ ଯେତେବେଳେ ମଣିଷ ଠାରୁ ମଣିଷର ଛିନ୍ନ ହୋଇଯାଏ , ସେତେବେଳେ ପଶୁପକ୍ଷୀ ଜଗତ ସହିତ ବଂଧୁତ୍ୱର ରଜ୍ଜୁଟି ଶକ୍ତ ହୋଇଯାଏ, ଅଲକ୍ଷ୍ୟରେ, ଅଗୋଚରରେ । ସେହିପରି ଏକ ଏକଲାପଣରେ ଅଜିତ ଆପଣାଇ ନେଇଥିଲା ପାରାଗୁଡ଼ିକୁ ।
ଖୁବ୍ ସୁନ୍ଦର ଥିଲେ ପାରାଗୁଡ଼ିକ । ଧଳା ଓ ପାଉଁଶିଆ ଫେଣ୍ଟାଫେଣ୍ଟି ରଙ୍ଗ । ସବୁଗୁଡ଼ିକ ଯେମିତି ଗୋଟିଏ ଛାଞ୍ଚରେ ଗଢା । ଗୋଲାପୀ ଓଠ ସାଙ୍ଗକୁ ଅଳତାମଖା ପାଦଗୁଡ଼ିକ ବେଶ ଆକର୍ଷଣୀୟ ।ବେକରେ ଫିକା ନାଲି ରଙ୍ଗର ପଟା । କଲେଜ୍, ଟ୍ୟୁସନ ଓ ପାଠପଢା ସମୟକୁ ଛାଡ଼ି ଦେଲେ ବାକି ସମୟ ଅଜିତ ବସି ରହେ ଏମାନଙ୍କ ପାଖରେ । ତାଙ୍କୁ ମନ ଭରି ସଜାଏ, ଗେଲ କରେ , କୁଣ୍ଢାଇ ଧରେ, ଛାତିରେ ଆଉଯାଏ, ମନ ଭିତରେ ତା’ର କୋଳାହଳ ଭରିଯାଏ ।
ଏହା ହିଁ ତା’ର ଦୁନିଆଁ , ଏମାନେ ହିଁ ତା’ର ସୁଖ, ଦୁଃଖ ବାଣ୍ଟିବାର ସାଥି । ବନ୍ଧୁ, ସାହା , ଭରସା ସବୁ କିଛି। ଏମାନଙ୍କ ସ୍ପର୍ଶରେ ସେ ପାଏ ମାଆର ସ୍ନେହ, ବାପାଙ୍କର ଆଶୀଷ । ସମବୟସ୍କ ସାଥିମାନଙ୍କ ସାନ୍ନିଧ୍ୟ ଅପେକ୍ଷା ଅଧିକ ସୁଖକର ହୋଇଥାଏ ଏମାନଙ୍କ ସହିତ କଟୁଥିବା ମୁହୂର୍ତ୍ତ ଗୁଡ଼ିକ ।
ବାପା ମା’ଙ୍କର ଏକମାତ୍ର ସନ୍ତାନ ଥିଲା ଅଜିତ । ସମ୍ପୂର୍ଣ୍ଣ ଏକୁଟିଆ ପରିବାର ତାଙ୍କର । ଜେଜେ-ଜେଜେମା’ଙ୍କୁ ସେ ଫଟୋରେ ଦେଖିଛି। ତା’ ଦୁନିଆ ଥିଲା କେବଳ ମାମା । ପାପା ସବୁବେଳେ ଅଫିସ କାମରେ ବାହାରେ । ଖୁବ କମ ସମୟ ପାଏ ସେ ପାପାଙ୍କର ସାନ୍ନିଧ୍ୟ । ରଙ୍କ ପରି ଲାଗେ । ‘ପାପା , ଆଜି ଯାଅନି’ , ‘ପାପା , ଆଜି ମୋ ପାଖରେ ରୁହ’ କଅଁଳ ମନର ଦରୋଟି କଥା ପାପାଙ୍କ ହୃଦୟ ପାଖରେ ପାହଞ୍ଚିବା ଆଗରୁ ପବନରେ ମିଳାଇଯାଏ । ପିଲାଦିନର ଖେଳକୁଦ, ହସଖୁସି ,ଅଳିଅର୍ଦ୍ଦଳି ସବୁ ମାମା ପଣତ ତଳେ ।
ମଝିରେ ମଝିରେ ଅଜା ଆଈ ଆସନ୍ତି । ଘରଟା ପୁରି ଉଠେ । ଅଜିତ ମନ ଭରି ଉପଭୋଗ କରେ କୋଳାହଳକୁ । ଖେଳାବୁଲା, ପିଠାମିଠା, ଗପ-ଗେହ୍ଲାରେ ପିଲାମନଟା ତା’ର ଚହଲି ଯାଏ ।
ବୁଝିବା ବୟସ ହେବାରୁ ଅଜିତ ମାପି ପାରୁଥିଲା ମାମାର ଏକଲାପଣକୁ। ଏ ସମ୍ପର୍କରେ ତା’ର ପ୍ରଶ୍ନକୁ ମାମା ଏଡ଼ାଇଯାଏ । ଆଈ ବାରମ୍ବାର ବାଆଁରେଇ ଦିଅନ୍ତି । ଅଜିତ କିନ୍ତୁ ଆଈ ପାଖରେ ନଛୋଡ଼ବନ୍ଧା । ନାତିର ଜିଦ ଆଗରେ ହାର ମାନି ଆଈ ତା’ ଆଗରେ ଖୋଲି ଦେଇଥିଲେ ନିଜ ଅଲିଅଳି ଝିଅର ଜୀବନର ଦସ୍ତାବିଜ ।
ଆଈର ତିନି ସନ୍ତାନ ମଧ୍ୟରୁ ମାମା ଥିଲା ସବୁଠାରୁ ସାନ । ଉପରେ ବଡ଼ଭାଈ ଦୁଇଜଣ । ସେ ସମସ୍ତଙ୍କର ଗେହ୍ଲା । ମାତ୍ର ଅଭାବ ଥିଲା ତା’ର ରୂପ ଓ ରଙ୍ଗରେ । ପାଠ ବି ଏତେ ଭଲ ହେଉ ନ ଥିଲା । ତେଣୁ ତା’ର ବାହାଘର ଚିନ୍ତା ଭିତରେ ଭିତରେ ଘାରୁଥିଲା ଅଜା ଆଈଙ୍କୁ ।
ଏହାଭିତରେ ତା’ ପାପା ଆଈଙ୍କ ଘରେ ଗୋଟିଏ କୋଠରୀ ଭଡ଼ା ନେଇ ରହିଥିଲେ ୟୁନିଭର୍ସିଟିରେ ପଢିବା ପାଇଁ । ଉଦ୍ଦେଶ୍ୟ ଥିଲା ପାଠ ପଢା ସହିତ ଟିଉସନ କରି ନିଜର ପଢା ଖର୍ଚ୍ଚ ଉଠେଇବେ । ପିଲା ଦିନରୁ ତ ବାପାମା’ଙ୍କୁ ହରେଇ ସାରିଥିଲେ । ଏ ପର୍ଯ୍ୟନ୍ତ ଦାଦା ସବୁ ଦାୟିତ୍ୱ ନେଇ ଆସିଥିଲେ । ପାପା ମେଧାବୀ ଛାତ୍ର ହୋଇଥିଲେ ମଧ୍ୟ ତାଙ୍କୁ ଆଉ ଅଧିକ ପଢେଇବା ଦାଦାଙ୍କ ପକ୍ଷେ ସମ୍ଭବ ନଥିଲା । ନିଜର ଉଚ୍ଚ ଶିକ୍ଷା ଇଚ୍ଛାକୁ ପୂରଣ କରିବା ସହିତ ଦାଦାଙ୍କ ଉପରେ ଆର୍ଥିକ ବୋଝ କମ୍ କରିବା ଉଦ୍ଦେଶ୍ୟରେ ସେ ଏହି ନିଷ୍ପତି ନେଇ ଥିଲେ ।
ପାପାଙ୍କର ବ୍ୟବହାର ଓ ଚାଲିଚଳନ ଅଜାଆଈଙ୍କୁ ତାଙ୍କ ପ୍ରତି ଆକୃଷ୍ଟ କଲା । ନିଜର ପୁଅ ଭଳି ସ୍ନେହ ମମତା ଅଜାଡ଼ି ଦେଇଥିଲେ ତାଙ୍କ ଉପରେ । ପିଲାଦିନରୁ ଆପଣାର ଲୋକର ଉଷୁମ କୋଳର ଅନୁଭୂତି ପାଇ ନଥିବା ମଣିଷ ଏକା ଥରେ ଏତେ ଆତ୍ମୀୟତାକୁ ସହଜରେ ଗ୍ରହଣ କରିପାରୁ ନଥିଲେ । ଆଈ କିନ୍ତୁ ନଛୋଡବନ୍ଧା । ପୁନେଇ ପରବରେ ପିଠାପଣା କି ଭଲମନ୍ଦ ଘରେ ଯାହା ବି ତିଆରି କରୁଥିଲେ ,ପ୍ଲେଟ୍ ରେ ସଜାଡ଼ି ପାପାଙ୍କ ପାଖରେ ପହଞ୍ଚିଯାଉଥିଲେ । ପରିସ୍ଥିତିର ତାଡ଼ନାରେ ପାପାଙ୍କର ସ୍ୱଭାବ ଥିଲା ଚୁପଚାପ, ସବୁଥିରେ ଅନାସକ୍ତ ଭାବ । ସେ କାହା ସହିତ ଭଲଭାବରେ ମିଶି ପାରୁ ନଥିଲେ କି ଅଜା ଆଈଙ୍କର କୌଣସି କଥାକୁ କାଟି ପାରୁ ନଥିଲେ । ମାମା ସେତେବେଳେ ଦ୍ୱାଦଶରେ ପଢୁଥାଏ । ଆଈ ପାପାଙ୍କୁ ତାର ପାଠ ପଢା ଦେଖିବାକୁ କହିଲେ । ଅନିଛା ସତ୍ତ୍ୱେ ପାପା ସମ୍ମତି ଦେଲେ । ଏସବୁ ପରିସ୍ଥିତି ପାପାଙ୍କୁ ଅପ୍ରୀତିକର ଲାଗିଲେ ମଧ୍ୟ ସେ ଥିଲେ ନିରୂପାୟ । ଭଲ ଜାଗାରେ ,ଶସ୍ତାରେ ଘରଟା ମିଳିଛି । ୟୁନିଭରସିଟି ପାଖ ଆଉ ପାଖରେ ବି ଟିଉସନ ମିଳିଯାଇଛି ।
ଏମିତି ଏମିତିରେ କଟିଗଲା ତିନି ବର୍ଷ । ପାପା ଗୋଟେ ଭଲ କମ୍ପାନୀରେ ଚାକିରୀ ପାଇଗଲେ । ଆଈ ମନରେ ଏକ ସ୍ୱପ୍ନ ଉଙ୍କି ମାରିଲା । ନିଜ ଝିଅର ଭବିଷ୍ୟତ ତାଙ୍କ ସହିତ ଯୋଡ଼ିବାକୁ ଚାହିଁଲେ । ପରୋକ୍ଷରେ ପ୍ରସ୍ତାବ ମଧ୍ୟ ଦେଲେ । ପାପା ସମ୍ମତି ନ ଦେଇ ବରଂ ତାଙ୍କ ଦାଦାଙ୍କ ମତାମତ ଉପରେ ଛାଡ଼ି ଦେଇଥିଲେ। ଅଜାଆଈଙ୍କର ଧନ ସମ୍ପତ୍ତିର ବିଶାଳସମ୍ଭାର ଦାଦାଙ୍କୁ ଆକର୍ଷିତ କରିଥିଲା । ସେ ପାପାଙ୍କର ମତାମତ ନ ନେଇ ନିଜର ସମ୍ମତି ଜଣାଇ ଦେଲେ। ମୁରବୀ ଦାଦାଙ୍କର ନିଷ୍ପତି ବିରୁଦ୍ଧରେ ସେ ଯାଇପାରୁ ନ ଥିଲେ କିମ୍ବା ମାନସିକ ସ୍ତରରେ ସେ ଏ ପ୍ରସ୍ତାବକୁ ଗ୍ରହଣ କରି ପାରୁ ନ ଥିଲେ । ନିଜର ଇଛା, ରୁଚିକୁ ଜଳାଞ୍ଜଳି ଦେଇ ସେ ବେଦୀରେ ବସିଲେ ।
ମାମାର ରୂପ ରଙ୍ଗ ପାପାଙ୍କର ପ୍ରଥମରୁ ପସନ୍ଦ ନ ଥିଲା । ବୋଧହୁଏ ବିବାହ ପରେ ଏଥିପାଇଁ ପାପାଙ୍କ ମନରେ ସରସତା ନଥିଲା ଏବଂ ଏହାହିଁ କାରଣ ଥିଲା ମାମାର ମାନସିକ ଅବସାଦର ।
ମାମୁ ଦୁଇଜଣଙ୍କର ବିବାହ ପରେ ସେମାନଙ୍କର ହସିଲା ପୂରିଲା ସଂସାର ଦେଖି ମାମା ମନରେ ଭାବାନ୍ତର ସୃଷ୍ଟି ହୁଏ ।କିନ୍ତୁ ନିଜ ମନର ଅଭାବବୋଧକୁ ସେ କାହା ଆଗରେ ପ୍ରକାଶ କରେ ନାହିଁ । ମନ କଥା ମନରେ ମାରେ। ଉପରେ ଉପରେ ହସୁଥାଏ ଯାହା।
ଆଈ ସବୁ ବୁଝିପାରେ । ଅଲିଅଳୀ ଝିଅ ଜୀବନର ନିର୍ଜନତାକୁ ଅନୁଭବ କରେ । ତା’ର ଏକଲାପଣକୁ ଦୂର କରିବାକୁ ଯଥାସାଧ୍ୟ ଚେଷ୍ଟା କରେ । ସବୁ ବେଳେ ତା’ ପାଖେପାଖେ ରହେ । ମାତ୍ର ମନ ତଳର ନିଆଁ ଆଉ ମନ ଭିତର ଘା’ ଉପରକୁ ଦିଶେ ନାହିଁ ସିନା , ଭିତରେ ଭିତରେ ନେଇ ଚାଲିଥାଏ ଆୟୁଷରୁ ଦିନ ପରେ ଦିନ ।
ଅଜିତ ଏହା ଭିତରେ ଚାରିବର୍ଷର ହୋଇଗଲାଣି । ସତେ ଯେପରି ସେ ମାମାର କାର୍ବନ କପି । ଖାଲି ଆଖିଯୋଡ଼ାକ ଯାହା ପାପାଙ୍କ ପରି । ମାମା ଭାବିଥିଲା ଅଜିତର ଜନ୍ମ ପରେ ପାପା ଓ ତା’ ଭିତରର ଦୂରତ୍ୱ କମିଯିବ । ପିଲାଟା ପ୍ରତି ଆକର୍ଷଣ ସେମାନଙ୍କର ଅସଜଡ଼ା ସମ୍ପର୍କର ଡୋରିକୁ ମଜଭୂତ କରି ଦେବ । ମାତ୍ର ଏମିତି କିଛି ବି ଘଟିଲାନି । ମାମା ମନରେ ଭାବାନ୍ତର- ପିଲାଟା ତା’ ପରି ହୋଇଛି ବୋଲି ବୋଧେ...। ଆଈ ଯଦି କେବେ ପୁଅକୁ ଧରିବାକୁ ପାପାଙ୍କୁ କହୁଥିଲେ –“ମୋତେ ଛୋଟ ପିଲା ଧରି ଆସେନି, ପଡ଼ିଯିବ, ତା’କୁ ନେଇ ଯାଆନ୍ତୁ” । କହି ଆଈ କଥାକୁ ପାପା ବାଆଁରେଇ ଦେଉଥିଲେ ।
ପୁଅର ସ୍କୁଲରେ ଆଡମିଶନ ହେବ , ପାପାଙ୍କର ସେଥିପାଇଁ ଚିନ୍ତା ନାହିଁ । ଅଜା ଓ ମାମା ଯାଇ ଆଡ଼ମିଶନ କରି ଆସିଲେ । ସ୍କୁଲ ଭ୍ୟାନର ବ୍ୟବସ୍ଥା କରାଗଲା । ଅଜିତ ଦେଖିଲା ତା’ ସାଙ୍ଗମାନେ ତା’ଙ୍କ ପାପାଙ୍କ ସହିତ ସ୍କୁଲ ଆସୁଛନ୍ତି , ବୁଲୁଛନ୍ତି,ମଜା କରୁଛନ୍ତି। ପିଲାମନରେ ତା’ର ଭାବାନ୍ତର ସୃଷ୍ଟି ହୁଏ । ମାମାକୁ ପଚାରେ । ମାମା ପାଖରେ ଏ ପ୍ରଶ୍ନର ଉତ୍ତର ନଥାଏ । ପୁଅକୁ ଆଶ୍ୱାସନା ଦିଏ- “ପାପାଙ୍କର ବହୁତ କାମ । ତୁ ମନ ଦୁଖ କରନା ,ମୁଁ ତତେ ବୁଲେଇ ନେବି” ।
ମାମା କଥାରେ ପିଲାମନ ତା’ର ବୁଝିଯାଏ । ଆଗାମୀ ଆଶାରେ ଆହ୍ଲାଦିତ ହୋଇ ଉଠେ । ମାମା ତା’ କଥା ରଖେ ।ପାପା ଅଫିସ କାମରେ ବାହାରକୁ ଗଲେ ମାମା ତା’କୁ ବୁଲାଇ ନିଏ, ପାର୍କକୁ, ମନ୍ଦିରକୁ, ମ୍ୟୁଜିୟମକୁ । ପିଲା ମନ ତା’ର ବହଲି ଯାଏ । ପାପା ଆସିଲେ ତାଙ୍କ ଆଗରେ ସବୁକଥା ବଖାଣେ । ମାତ୍ର ଟୁର ଫେରନ୍ତା କ୍ଳାନ୍ତ ପାପା ଏସବୁ କଥାକୁ ଶୁଣିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । “ହଁ” , “ଠିକ୍ ଅଛି” , “ବଢିଆ” ଆଦି ଶବ୍ଦ କେତୋଟି କେବଳ ବାହାରି ଆସେ ତା’ଙ୍କ ଓଠରୁ ଅବାଞ୍ଛିତ ଭାବରେ, ଅନାଗ୍ରହରେ ।
ପାପାଙ୍କର ଅଧିକାଂଶ ସମୟ କଟେ ବାହାରେ । ଅଫିସ କାମ ପରେ ସାଙ୍ଗ ସାଥୀ, ହସଖୁସି ସାରି ସେ ଘରକୁ ଫେରନ୍ତି । ମାମାକୁ କୁଆଡ଼େ ସାଙ୍ଗରେ ନିଅନ୍ତି ନାହିଁ । ଯଦି କେହି କେବେ ଘରକୁ ଚାଲି ଆସନ୍ତି ତେବେ ମାମାକୁ ସ୍ତ୍ରୀ ବୋଲି ଚିହ୍ନାଇବାକୁ ବି କୁଣ୍ଠାବୋଧ କରନ୍ତି।
ମାମା ଅଭିମାନରେ ଭାଙ୍ଗି ପଡ଼େ । ତା’ ରୂପ ରଙ୍ଗ ସେ ସୃଷ୍ଟି କରି ନାହିଁ । ମନେ ମନେ ଭଗବାନଙ୍କୁ ଅଜସ୍ର ଗାଳି ବାହାରିଯାଏ ପାଟିରୁ ତା’ର । ପରକ୍ଷଣରେ ସେ ଅନୁତାପ କରେ , କ୍ଷମାଭିକ୍ଷା କରେ । ତାକୁ ଏମିତି ଏକ ଅପୂର୍ଣ୍ଣ ଜୀବନ ଦେବା ଅପେକ୍ଷା ଜନ୍ମ ନ ଦେଇ ଥିଲେ କ’ଣ କ୍ଷତି ହୋଇଥାନ୍ତା –ପଚାରେ ଭଗବାନଙ୍କୁ । ଧୀରେ ଧୀରେ ମାମାର ଜୀବନ ପ୍ରତି ମୋହ କମି କମି ଆସେ । ମନର ବେଦନା ଶରୀରରେ ପ୍ରତିଫଳିତ ହୁଏ । ଶରୀର କ୍ରମଶଃ କ୍ଷୀଣ ଓ ଅବଶ ହୋଇପଡ଼େ ।
ଡାକ୍ତର ପରୀକ୍ଷାରୁ ଜଣାପଡ଼େ ରୋଗ ଶରୀରର ନୁହେଁ , ମନର । ମାନସିକ ଅବସାଦ ହିଁ ରୋଗର ମୂଳ କାରଣ ।ମାମାର ବିଷର୍ଣ୍ଣ ମୁହଁଟାକୁ ଦେଖି ଆଈର ଛାତି ଫାଟିଯାଏ। ଝିଅର ଭାଗ୍ୟ ଓ ନିଜର ଭୁଲ ନିଷ୍ପତି ପାଇଁ ଅନୁତାପ କରେ । ସେ ପାପାଙ୍କୁ ବୁଝାଇବାକୁ ଚେଷ୍ଟା କରି ଅନୁନୟ କରେ- “ବାପା, ତୁମେ ଦୁଇଜଣ ଜମା ବାହାରକୁ କୁଆଡ଼େ ଯାଇନ । ଆଗକୁ ତ ଛୁଟି ଆସୁଛି । ସ୍ୱପ୍ନା ଆଉ ଅଜିତକୁ ନେଇ କୁଆଡ଼େ ଟିକିଏ ବୁଲି ଆସ” । ପାପା ସବୁ ଶୁଣନ୍ତି । ବିନମ୍ରତାର ସହ କହନ୍ତି- “ମତେ ତ ସମୟ ନାହିଁ । ଆପଣମାନେ ଯାଇ ବୁଲି ଆସନ୍ତୁ । ପରେ କେବେ ସୁବିଧା ହେଲେ ମୁଁ ଯିବି” ।
ଆଈ ତା’ ସାଙ୍ଗରେ ଦୁଇ ଚାରି ଦିନ କୁଆଡ଼େ ବାହାରେ ବୁଲି ଆସିବାକୁ ମାମାକୁ କହେ । ମାମା ମନା କରେ । ଭିତର କୋହକୁ ଚାପି ରଖି କହେ- “ ମୁଁ ଚାଲି ଗଲେ ସେ ହଇରାଣ ହେବେ । ତାଙ୍କର ଖାଇବା ପିଇବାରେ ସମସ୍ୟା ହେବ । ସେ ଯେମିତି ଲୋକ ତ ଜାଣିଛୁ” । ଝିଅର ଏହି ମିଛ ଘରଣୀପଣ ଆଈକୁ ଅଛପା ନ ଥାଏ । ସେ ଜାଣେ ତା’ ଝିଅ ଭିତରେ ଭିତରେ ଜଳି ଯାଉଛି ପଛେ ତା’ର ସାମାନ୍ୟତମ ଆଭାସ କାହାକୁ ଦେବାକୁ ଚାହୁଁନି ।
ଆଈଠାରୁ ସବୁ ଶୁଣିବା ପରେ ମାମାକୁ ଜୀବନର ସବୁ ଖୁସି ଦେବା ପାଇଁ ଅଜିତ ପଣ କଲା । ମାମା ପାଖେ ପାଖେ ଛାଇ ପରି ଲାଗି ରହିଲା । ବନିଗଲା ମାମାର ସାଙ୍ଗ , ସାଥୀ, ପିୟ ,ପରିଜନ ସବୁକିଛି । କେତେବେଳେ ମାମାକୁ କୁତୁକୁତୁ କରେ ତ କେତେବେଳେ ପାଦ ତଳିପାକୁ ସଲ ସଲ କରେ ହସେଇବା ଉଦ୍ଦେଶ୍ୟରେ । ମାମା ହସି ଉଠେ । ହସିଲେ ତା ମୁହଁଟା ପୁନେଇ ଚାନ୍ଦ ପରି ଦେଖାଯାଏ । ତାକୁ କଦାପି ଉଦାସ ରହିବାକୁ ସୁଯୋଗ ଦିଏ ନାହିଁ । ମାମାର ପାଦ ପାଖରେ ବସି ରହେ। ଏହା ଭିତରେ ମାମାର ସୁନ୍ଦର ପାଦ ଯୋଡ଼ାକ ଓ ପାଦର ଝୁଣ୍ଟିଆ ଗୁଡ଼ିକ ଅଜିତର ଅତି ପ୍ରିୟ ହୋଇଯାଇଥିଲା । ମାମା ପାଇଁ ନୂଆ ନୂଆ ଝୁଣ୍ଟିଆ ଆଣିବାକୁ ସେ ଆଈକୁ ବରାଦ କରେ । ସେଗୁଡ଼ିକୁ ମାମା ପାଦରେ ପିନ୍ଧାଇ ସଜାଇବାକୁ ତାକୁ ଭାରି ଭଲ ଲାଗେ ।
ସମସ୍ତଙ୍କ ଅଲକ୍ଷ୍ୟରେ କେତେବେଳେ ଦୁଇଟି ପାରା ତାଙ୍କ ବାଲକୋନିରେ ବସା ବାନ୍ଧିଥିଲେ । ସେମାନଙ୍କର ଫୁର୍ ଫୁର୍ ଶବ୍ଦରୁ ହିଁ ସେମାନଙ୍କର ଉପସ୍ଥିତି ସମ୍ପର୍କରେ ପ୍ରଥମେ ଅଜିତ ଜାଣିଲା ।ବଡ଼ କୌତୁହଳରେ ସେ ସେମାନଙ୍କର ଆଚରଣକୁ ନିରେଖି ଚାହିଁଲା । କୁନି କୁନି ଥଣ୍ଟରେ ଡାଳ,କାଠିକୁଟା ନେଇ ସେମାନେ ଉଡି ଆସୁଥିଲେ ଥରକୁ ଥର । କେତେବେଳେ ଥଣ୍ଟରୁ ଖସି ପଡୁଥିବା କାଠିକୁଟାକୁ ଉଠାଇବାର ପ୍ରଯତ୍ନ । ଅଜିତକୁ ଏ ଦୃଶ୍ୟ ଖୁବ ନୂଆ ଓ ଅସାଧାରଣ ଲାଗୁଥିଲା । ସେ ଘଣ୍ଟା ଘଣ୍ଟା ଧରି ଚାହିଁ ରହୁଥିଲା ପାରା ଦୁଇଟିକୁ ଓ ସେମାନଙ୍କର କାର୍ଯ୍ୟକଳାପକୁ । କୋଟି ନିଧି ପାଇବା ପରି ସେ ଆନନ୍ଦରେ ଆତ୍ମହରା ହୋଇଯାଉଥିଲା । ତା’ ସଂସାର ପରିଧିକୁ ଆସିଥିବା ଏହି ନୂତନ ଆଗନ୍ତୁକଙ୍କୁ ଦେଖାଇବା ପାଇଁ ମାମାକୁ ଟାଣି ଟାଣି ଆଣିଥିଲା ବାଲକୋନିକୁ । ପାରା ଦୁଇଟିଙ୍କର ହାବଭାବକୁ ଦେଖାଇ ଖୁସିରେ ଫାଟି ପଡୁଥିଲା ସେ । ତା’ ହସରେ ହସ ମିଶାଇ ମାମା କହିଲା- “ ସତରେ ଖୁବ ସୁନ୍ଦର। ତା’ଙ୍କୁ କ’ଣ ଖାଇବାକୁ ଦଉନୁ” । ଜିଜ୍ଞାସୁ କଣ୍ଠରେ ଅଜିତ ପଚାରିଲା- ସେମାନେ କ’ଣ ଖାଆନ୍ତି ମାମା ? “ଖୁଦ,ଚାଉଳ......” ମାମା ପାଟିରୁ କଥା ନସରୁଣୁ ସେ ଘର ଭିତରକୁ ଦୌଡ଼ିଯାଇ ମୁଠାଏ ଚାଉଳ ଧରି ପହଞ୍ଚିଗଲା । ଗୋଟେ କାଗଜ ବିଛାଇ ତା’ ଉପରେ ଅଜାଡ଼ି ଦେଲା ଚାଉଳ ମୁଠାକ। ଦୂରକୁ ଯାଇ ନିରୀକ୍ଷଣ କରୁଥିଲା ତାଙ୍କର କାର୍ଯ୍ୟକଳାପ ।
ପାରା ଦୁଇଟି ସାଙ୍ଗ ହୋଇ ଉଡ଼ି ଆସୁଥିଲେ ଚାଉଳ ପାଖକୁ । ଥଣ୍ଟରେ ଉଠାଇ ନେଉଥିଲେ ଗୋଟି ଗୋଟି କରି ଚାଉଳ । ଚଞ୍ଚୁରେ ଚଞ୍ଚୁ ଘଷି ପରସ୍ପରକୁ ସ୍ନେହ ସମ୍ଭାଷଣ କରୁଥିଲେ । ଜଣଙ୍କ ପାଟିରୁ ଖସି ପଡୁଥିବା କୁଟାକାଠିକୁ ଅନ୍ୟ ଜଣେ ଉଠାଇ ନେଉ ଥିଲା । ବିଶ୍ୱକର୍ମା ଭଳି କୁଟା କାଠିକୁ ଛନ୍ଦି ତିଆରି କରୁଥିଲେ ନୀଡ଼, ନିଜ ପାଇଁ,ନିଜ ଭବିଷ୍ୟତ ର ସୁଖ ସ୍ୱପ୍ନ ପାଇଁ। ଏକ ଲୟରେ ଚାହିଁ ରହିଥିଲା ଅଜିତ ସେମାନଙ୍କୁ । ଖୁସିରେ ଆତ୍ମହରା ପୁଅକୁ ଚାହିଁ ସ୍ୱପ୍ନା ଆନମନା ହୋଇଯାଉଥିଲା । ନିଜ ଜୀବନର ଖୁସିକୁ ଅଣ୍ଡାଳୁ ଥିଲା ଭିତରେ ଭିତରେ । ପାରା ଯୋଡ଼ିକଙ୍କର ବସା ବାନ୍ଧିବାର ପ୍ରଯତ୍ନ, ପରସ୍ପର ମଧ୍ୟରେ ସ୍ନେହ ମମତାର ବିନିମୟ ,ଜଣେ ଅନ୍ୟକୁ ଖୁସି କରିବାର ଅନନ୍ୟ ପ୍ରଚେଷ୍ଟା ,ଭବିଷ୍ୟତର ସୁଖ ସ୍ୱପ୍ନ ପାଇଁ ପ୍ରସ୍ତୁତିକୁ ଟିକିନିଖି ଭାବେ ନିରେଖି, ପରଖୁ ଥିଲା ନିଜ ଜୀବନର ଶୂନ୍ୟସ୍ଥାନକୁ ।ଅନ୍ୟମନସ୍କ ହୋଇପଡୁଥିଲା ମାମା । ପକ୍ଷୀଦୁଇଟା ମଧ୍ୟରେ କି ଆତ୍ମୀୟତା,ନିବିଡ଼ତା, ଭଲପାଇବାର ସୃହା ।ହେଲେ ମଣିଷ ହୋଇ ମଧ୍ୟ କେମିତି ଜଣେ ଅନ୍ୟ ଜଣଙ୍କର ଦରଦ,ଯନ୍ତ୍ରଣା, ଅବସାଦକୁ ବୁଝିପାରୁ ନାହାନ୍ତି !
ଏହି ଅବସାଦ ଓ ଅନ୍ୟମନସ୍କତାରୁ ହିଁ ଦିନେ ମାମାର ଜୀବନ ଦୀପ ଲିଭିଗଲା । କାର ଚଳାଇଲା ବେଳେ ଆକ୍ସିଡେଣ୍ଟ , ସ୍ପଟ ଡେଥ୍ । ଉଜୁଡ଼ି ଗଲା ଅଜିତର ସୁଖର ସଂସାର । ମାମା ଉପରେ ଅଜାଡ଼ି ହୋଇ ପଡ଼ି କେତେ କାନ୍ଦିଲା ଅଜିତ । କେତେ ଡାକିଲା ,ହେଲେ ମାମା ଶୋଇଯାଇଥିଲା ନିରବରେ ସବୁ ଯନ୍ତ୍ରଣା, ଏକଲାପଣ, ଅବହେଳା, ଅବସାଦକୁ ଅଣଦେଖା କରି ।
ଅଜିତକୁ କୋଳେଇ ନେଇ ଥିଲା କାହାର ଦୁଇଟା କୋମଳ ହାତ । ଅଜିତ ବୁଲି ପଡ଼ି ଚାହିଁଲା । ପାପା ଠିଆ ହୋଇଥିଲେ । ଆଖିରେ ତାଙ୍କର ଆଖିଏ ଅନୁତାପର ଅଶ୍ରୁ । ଅଜିତ ପ୍ରଶ୍ନିଳ ଦୃଷ୍ଟିରେ କିଛି କ୍ଷଣ ଚାହିଁଲା ପାପାଙ୍କୁ । ତା’ପରେ ଖୁବ ଜୋରରେ କୁଣ୍ଢାଇ ଧରି କାନ୍ଦି ଉଠିଲା । “ମାମା କ’ଣ ଆଉ ଉଠିବନି, କଥା କହିବନି ପାପା”- କୋହ ଭରା କଣ୍ଠରେ ପଚାରୁଥିଲା ପାପାଙ୍କୁ ।
ପାପାଙ୍କ ପାଖରେ ଉତ୍ତର ନ ଥିଲା । ସେ ଆହୁରି ଜୋରରେ ଭିଡ଼ି ଧରି ଥିଲେ ଅଜିତକୁ । ତା ଆଖିରୁ ଲୁହ ପୋଛୁଥିଲେ। ତା’ ମୁଣ୍ଡରେ ହାତ ରଖି ଆଉଁଷି ଦେଉଥିଲେ । ପ୍ରଥମଥର ପାଇଁ ଅଜିତ ପାପାଙ୍କର ଏ ରୂପ ଦେଖିଲା । ମୁହୂର୍ତ୍ତକ ପାଇଁ ହେଉ ପଛେ ଭରସା ଓ ବିଶ୍ୱାସର ଚାଦରଟିଏ ଢାଙ୍କି ହୋଇଗଲା ତା ମନରେ । ପାପାଙ୍କ ମୁହଁକୁ ଚାହିଁଲା ।ଖୁବ ଅସହାୟ ଲାଗୁଥିଲେ ସେ ।
ଆଈ କାନ୍ଦୁଥିଲେ ରାହା ଧରି ଆଉ ଅଜା ମୂକ ପ୍ରାୟ ହୋଇଯାଇଥିଲେ । ମାମାକୁ ନୂଆ ଲୁଗା ପିନ୍ଧାଇ ସଜାଇ ଦେଉଥିଲେ ମାଇଁମାନେ । ପାଦରେ ଅଳତା, ମଥାରେ ସିନ୍ଦୁର । ଏ ସବୁର ଅର୍ଥ ଅବୁଝା ଥିଲା ଅଜିତ ପାଖରେ । ମାମାକୁ ସଜାଇବା ଉଦ୍ଦେଶ୍ୟରେ ସେ ଧାଇଁଗଲା ଘର ଭିତରକୁ । ହାତରେ ତାର ମୁଠାଏ ଝୁଣ୍ଟିଆ । ଗୋଟି ଗୋଟି କରି ପିନ୍ଧାଇ ଦେଲା ମାମାର ଅଳତାମଖା ପାଦର ଆଙ୍ଗୁଠିଗୁଡ଼ିକରେ ।
ମାମା ଚାଲିଗଲା । ରହିଗଲା ଅଜିତର ସ୍ମୃତିରେ । ସ୍ମୃତିକୁ ପାଥେୟ କରି ବଞ୍ଚୁଥିଲା ସେ । ଆଈର ସ୍ନେହ ଓ ପାପାଙ୍କ ସହଯୋଗରେ ବିତିଯାଉଥିଲା ତା’ର ଜୀବନ । ତା ଜୀବନ ପରିଧିରେ ତା ଅଗୋଚରରେ ପଶି ଆସିଥିଲେ ପାରା ଯୋଡ଼ିକ, ଯେଉଁମାନଙ୍କ ପାଖରେ ତାର ବିତୁଥିଲା ସବୁଠାରୁ ଅଧିକ ସମୟ । ସେମାନେ ଅଜିତର ମନ ବୁଝି ତା’ର ସାଥୀ ପାଲଟି ଯାଇଥିଲେ। ଠିକ୍ ମାମା ପରି ତା ପାଖେ ପାଖେ ରହୁଥିଲେ । ଅଜିତ ବି ସେମାନଙ୍କ ଆଙ୍ଗୁଳିରେ ପିନ୍ଧାଇ ଦେଇଥିଲା ହଳେ ହଳେ ଝୁଣ୍ଟିଆ ଠିକ୍ ମାମାକୁ ପିନ୍ଧାଇବା ପରି।
ମାମା ଯିବାର କିଛି ଦିନ ପରେ ହଠାତ ପାପା ଅସୁସ୍ଥ ହୋଇ ପଡ଼ିଲେ । ପରୀକ୍ଷାରୁ ଜଣା ପଡ଼ିଲା ପାପା ମହାମାରୀ କରୋନା କବଳରେ କବଳିତ । ପାପାଙ୍କର କୋଭିଡ଼ ହସପିଟାଲରେ ଆଡମିଶନ କରି ଦିଆଗଲା । ଫୁସଫୁସରେ ଗୁରୁତର ସଙ୍କ୍ରମଣ । ଟ୍ରିଟମେଣ୍ଟ ଚାଲିଲା । ଆଈ ଅଧୈର୍ଯ୍ୟ ହୋଇ ପଡ଼ିଲେ । ଦିନ ରାତି ଠାକୁରଙ୍କ ପାଖରେ ଗୁହାରୀ କଲେ । ପାଣି ପରି ପଇସା ଖର୍ଚ୍ଚ କରି ଦେଲେ ତାଙ୍କ ଟ୍ରିଟମେଣ୍ଟରେ । ଇକମୋ ଚିକିତ୍ସା ପାଇଁ ହାଇଦ୍ରାବାଦ ଯିବାର ସବୁ ବନ୍ଦୋବସ୍ତ କରାଗଲା । ମାତ୍ର ସବୁ ଅର୍ଥହୀନ । ଅଳ୍ପ ଦିନ ଭିତରେ ମାମା ପରି ପାପା ମଧ୍ୟ ତାକୁ ଅଧାରାସ୍ତାରେ ଏକୁଟିଆ କରି ଚାଲିଗଲେ । ଅଜିତ ଅବାକ୍ ହୋଇଗଲା । ତା ଆଖି ଆଗରେ ଅନ୍ଧକାର ଭରିଗଲା। ଏତେ ବଡ଼ ଦୁନିଆଁରେ ଏକା ଏକା ବଞ୍ଚିବ କେମିତି ? ଅଜା ଆଈ କୋଳେଇ ନେଲେ ତା’ଙ୍କ ଅଲିଅଳୀ ଝିଅର ଦୁର୍ଲଭ ସନ୍ତକଟିକୁ । ଆଖିରୁ ଲୁହ ଧାର ଶୁଖେନି ଅଜିତର । ଜୀବନ କ’ଣ ଜାଣିବା ଆଗରୁ ହରାଇ ଦେଲା ସବୁକିଛି।
କେଜାଣି କେତେ ଦିନ ବିତିଯାଇଛି ଏହା ଭିତରେ ଅଜିତର ମନେ ନାହିଁ । ଘର ଭିତରୁ ବାହାରକୁ ବାହାରିନି। ମାମା ପାପାଙ୍କ ଫଟୋ ପାଖରେ ବସି ଅହରହ ଲୁହ ଗଡ଼େଇଛି । ଏକାନ୍ତରେ କେତେ କଥା ହୋଇଛି । ଅଭିମାନ କରିଛି। ଫେରି ଆସିବାକୁ ଅନୁରୋଧ କରିଛି । ନ ହେଲେ ଖାଇବିନି ବୋଲି ଅଝଟ କରିଛି । କେତେ ରାତି ନ ଖାଇ ବି ଶୋଇପଡ଼ିଛି । ଫଟୋକୁ କୁଣ୍ଢାଇ ରାହା ଧରି କାନ୍ଦିଛି , ପୁଣି କେତେବଳେ ମାମା ଫଟୋ ଉପରେ ମୁଣ୍ଡ ଦେଇ ଶୋଇ ପଡ଼ିଛି ଭରସାରେ , ବିଶ୍ୱାସରେ । ଅପେକ୍ଷା କରିଛି ମାମାର କୋମଳ ହାତର ସ୍ପର୍ଶକୁ । ପାପାଙ୍କର ନିବିଡ଼ ଆଲିଙ୍ଗନକୁ । କିନ୍ତୁ ତା’ର ସବୁ ଚେଷ୍ଟା ବିଫଳ । ନିଷ୍ଠୁର ନିୟତି । ସେ କାହୁଁ ବୁଝିବ, ଏକ କୋମଳମତି ଶିଶୁମନର କଅଁଳ ବିଶ୍ୱାସକୁ । ସେ ତ ତାର ସର୍ବଗ୍ରାସୀ କ୍ଷୁଧାନଳରେ ଦଗ୍ଧୀଭୂତ କରିଦିଏ ସବୁ ଆଶା , ଆଶ୍ରା, ଆଶ୍ୱାସନାକୁ ।
ବାସ୍ତବତାକୁ ଫେରି ଆସିଲା ଅଜିତ । ଅନ୍ଧାର ଭିତରୁ ମୁକ୍ତ କଲା ନିଜକୁ ଆଉ ନିଜ ଚେତନାକୁ । ବାଲକୋନିରେ ଆସି ବସିଲା । ଏକ ନୂଆ ପ୍ରକାର ସ୍ୱର ତା’ କାନରେ ବାଜିଲା । ତା’ ପ୍ରିୟ ପାରାଯୋଡ଼ିଙ୍କର ବସାରୁ ଆସୁଥିଲା ଏ ସ୍ୱର । କୌତୁହଳରେ ବସା ଭିତରକୁ ନିରେଖି ଚାହିଁଲା । “ଆରେ,ଏ କ’ଣ, ଏତେ ଗୁଡ଼େ କୁନି କୁନି ଗୁଲୁଗୁଲିଆ ପାରା ଶାବକ” । ସେମାନଙ୍କ କଳରବରେ ବାଲକୋନି ପରିବେଶ ମୁଖରିତ ହୋଇ ଉଠୁଥିଲା । ସେମାନେ ବସାରୁ ଖଣ୍ଡି ଉଡ଼ା ଦେଇ ବାହାରକୁ ଯିବାର ପ୍ରୟାସ କରୁଥିଲେ । ଉଡ଼ୁ ଉଡ଼ୁ କେତେବେଳେ ତଳେ ଖସି ପଡ଼ୁଥିଲେ , ପୁଣି ଉଡ଼ିଯାଇ କୁନି କୁନି ଥଣ୍ଟରେ ଖୁଦ ଖୁଣ୍ଟିବାକୁ ଚେଷ୍ଟା କରୁଥିଲେ । ତା’ ମୁହଁରେ ହସ ଫୁଟି ଉଠିଲା ଅନେକ ଦିନ ପରେ । ସେ ଥିଲା ବିଶ୍ୱାସର ହସ, ଭରସାର ହସ, ଗଭୀର ପ୍ରଶାନ୍ତିର ହସ ।
ସମୟ ଗଡ଼ି ଚାଲିଛି । ତା ସହିତ ବଢିଛି ଅଜିତର ପ୍ରିୟ ସାଥିଙ୍କର ପରିବାର । ସକାଳେ ସନ୍ଧ୍ୟାରେ ସେମାନଙ୍କୁ ଖାଇବାକୁ ଦେବା, ଆଉଁସିବା, କାନ୍ଧରେ ବସାଇବା, ଗେଲ କରିବା, ଯତ୍ନ ନେବା ଯେମିତି ତା’ର ନିତିଦିନିଆ କାମ । ସମସ୍ତଙ୍କ ଗୋଡ଼ରେ ପିନ୍ଧାଇ ଦେଇଛି ରଙ୍ଗବେରଙ୍ଗର ଝୁଣ୍ଟିଆ । ସମସ୍ତଙ୍କୁ ଦେଇଛି ଗୋଟିଏ ଗୋଟିଏ ସୁନ୍ଦର ନାଁ । ନାଁ ଧରି ଡାକିଲେ ଉଡ଼ି ଆସି ତା ଚାରିପଟେ ଡେଣା ମେଲାଇ ବିଞ୍ଚି ଦିଅନ୍ତି ମମତ୍ୱର ଫଗୁ, ଟାଣି ଦିଅନ୍ତି ଅନୁରାଗର ଚନ୍ଦ୍ରାତପ, ତିଆରି କରି ଦିଅନ୍ତି ଏକ ଆତ୍ମୀୟତାର ଅଭେଦ୍ୟ ବଳୟ। ଏମାନଙ୍କ ପାଖରେ ଥିଲେ ସେ ଭୁଲିଯାଏ ତା' ଜୀବନର ସମସ୍ତ ଦୁଃଖ, ବେଦନା ଓ ଏକଲାପଣ।
ଏତେ ବଡ଼ ଦୁନିଆଁରେ ଏକୁଟିଆ କରି ଛାଡ଼ି ଚାଲିଯିବା ମଣିଷମାନଙ୍କ ଠାରୁ ଏମାନେ କେଉଁ ଗୁଣରେ କମ୍ ଯେ ! ସ୍ୱାର୍ଥପର ଅନ୍ଧମୋହର ମଣିଷ ସମାଜଠାରୁ ଏମାନେ ବହୁ ଊର୍ଦ୍ଧ୍ୱରେ । ଏମାନେ ବୁଝନ୍ତିନି ଭଲ ମନ୍ଦ । ବାଣ୍ଟି ଚାଲନ୍ତି ଖୁସି ଆଉ ଖୁସି , ଜୀବନ ଥିବା ଯାକେ, ଜୀଇଁ ଥିବା ଯାକେ । ସଦା ହସ ହସ, କର୍ମଯୋଗୀ, ଉତ୍ସାହ, ଉଦ୍ଦୀପନାପୂର୍ଣ୍ଣ ପକ୍ଷୀଗୁଡ଼ିକ ଆଗତ ବିପତ୍ତି ପାଇଁ ବ୍ୟସ୍ତତା ନାହିଁ, ଭବିଷ୍ୟତ ପାଇଁ ଚିନ୍ତା ନାହିଁ , ନାହିଁ ବି ଆଶା ଆକାଂକ୍ଷା । ଏମାନେ ବଞ୍ଚନ୍ତି ବର୍ତ୍ତମାନରେ । ହସନ୍ତି, ଖୁସି ହୁଅନ୍ତି, ଉଲ୍ଲସିତ ହୁଅନ୍ତି । ଜୀଇଁବାର ବାଟ ଦେଖାନ୍ତି ନିଃସଙ୍ଗ ମଣିଷମାନଙ୍କୁ ।
ସେଇଥି ପାଇଁ ତ ଏ ବୟସରେ ମଧ୍ୟ ଅଜିତର ସେମାନେ ଅତି ଅନ୍ତରଙ୍ଗ ।
**
ଅଧ୍ୟକ୍ଷା, ରାଜଧାନୀ ବିଜ୍ଞାନ, କଳା ଓ ବାଣିଜ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ଭୁବନେଶ୍ୱର
ଦୁରଭାଷା- ୯୪୩୮୧୩୩୬୧୨