Top Stories

Search here...

News

ନୂଆ କଂଗ୍ରେସମୁଖିଆଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ; ବିଧାୟକ ଦଳଙ୍କୁ ମନାଇପାରିବେ ତ ଶରତ ପଟ୍ଟନାୟକ ?

Posted On - 6 minutes ago
Edited By Jyotirmayee Patanaik
LAST UPDATED May 23, 2022 08:36 PM

ଦଳର ଦୁଇ ଜଣ ପ୍ରଭାବଶାଳୀ ବିଧାୟକଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଶରତଙ୍କୁ ପିସିସି ମୁଖିଆ ଭାବେ ଦାୟିତ୍ୱ ମିଳିବା ସେହି ଦୁଇ ନେତାଙ୍କୁ ଶକ୍ତ ଧକ୍କା ଲାଗିଛି । ବିଧାୟକମାନଙ୍କୁ ଶରତ ମନାଇପାରିବେ କି ନାହିଁ ତାକୁ ନେଇ ଆଶଙ୍କା ଉପୁଜିଛି । 

 

BBSR Reporters


ଭୁବନେଶ୍ୱର: ଶରତ ପଟ୍ଟନାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭାବେ ନିଯୁକ୍ତି ମିଳିବା ପରେ ରାଜ୍ୟ କଂଗ୍ରେସର ଭାଗ୍ୟ ଓ ଭବିଷ୍ୟତ ଆଗାମୀ ଦିନରେ ସୁଧୁରିବ ନା ଅଧିକ ବିଗିଡ଼ିବ ତାକୁ ନେଇ ଆଶଙ୍କା ଦେଖାଦେଇଛି  । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସଂଗଠନକୁ ସୁଦୃଢ଼ ଓ ସଜାଡ଼ିବା ଲକ୍ଷ୍ୟରେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ମିଳିଥିବା ରାଜନୀତିକ ମହଲରେ ଆକଳନ କରାଯାଉଛି । ପଶ୍ଚିମ ଓଡ଼ିଶାକୁ ଗୁରୁତ୍ୱ ଦେଇଈ ଭୋଟ ହାତେଇବାକୁ ପ୍ରୟାସ କରିଛି ଦଳ । 

 

ତେବେ ଓଡ଼ିଶା ଇତିହାସରେ କଂଗ୍ରେସରେ ଜାରି ରହିଥିବା ‘ଗୋଡ଼ଟଣା ନୀତି’ ଓ ‘ତୀବ୍ର ଗୋଷ୍ଠୀକନ୍ଦଳ’କୁ ଏଡ଼ାଇ ଦଳ ପାଇଁ ସଫଳତା ଆଣିବା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ ହୋଇଛି  । ଏପଟେ ଦଳର ଦୁଇ ଜଣ ପ୍ରଭାବଶାଳୀ ବିଧାୟକଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଶରତଙ୍କୁ ପିସିସି ମୁଖିଆ ଭାବେ ଦାୟିତ୍ୱ ମିଳିବା ସେହି ଦୁଇ ନେତାଙ୍କୁ ଶକ୍ତ ଧକ୍କା ଲାଗିଛି । ବିଧାୟକମାନଙ୍କୁ ଶରତ ମନାଇପାରିବେ କି ନାହିଁ ତାକୁ ନେଇ ଆଶଙ୍କା ଉପୁଜିଛି । 

 

ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ପରେ ବଲାଙ୍ଗିରର ଦୁଇଥରର ପୂର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ତାଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇପାରେ ବୋଲି ସୂଚନା ମିଳିଥିଲା  । ତେବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଖୋଲାଖୋଲି ଶରତ ପଟ୍ଟନାୟକଙ୍କ ପିସିସି ସଭାପତି ନିଯୁକ୍ତିକୁ ବିରୋଧ କରିବା ଓ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ରାଜ୍ୟର ପରବର୍ତ୍ତୀ ପିସିସି ସଭାପତି ପଦରେ ଜଣେ ବିଧାୟକଙ୍କୁ ଦାୟିତ୍ୱ ଦେବାକୁ ଦାବି କରି ଆସୁଥିବାରୁ ଶରତଙ୍କ ନିଯୁକ୍ତିକୁ ନେଇ ଆଶଙ୍କା ଲାଗି ରହିଥିଲା  । 

 

ଏପରିକି ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କୁ ଓଡ଼ିଶାର ବରିଷ୍ଠ କଂଗ୍ରେସ ନେତାମାନେ ସାକ୍ଷାତ କରିବାବେଳେ ସେ ନରସିଂହ ମିଶ୍ରଙ୍କୁ ଅଧିକ ଗୁରୁତ୍ୱ ଦେଇଥିବାରୁ ପିସିସି ସଭାପତି ନିଯୁକ୍ତିରେ ତାଙ୍କ କଥାକୁ ରହିପାରେ ବୋଲି କଂଗ୍ରେସରେ ଚର୍ଚ୍ଚା ହେଉଥିଲା  । ମାତ୍ର ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶରତଙ୍କୁ ପିସିସି ମୁଖିଆ ଭାବେ ଅବସ୍ଥାପିତ କରାଯାଇଛି  । ଏହାସହିତ ୨୦୧୯ ସାଧାରଣ ନିର୍ବାଚନ ପରେ ପିସିସି ସଭାପତି ପଦରୁ ଇସ୍ତଫା ଚାହୁଁଥିବା ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ପିସିସିରୁ ଦାୟିତ୍ୱ ମୁକ୍ତ କରାଯାଇଛି  । 

 

କଂଗ୍ରେସର ଜଣେ ବରିଷ୍ଠ ନେତା ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଓଡ଼ିଶା ପିସିସି ପ୍ରଭାରୀ ଏ ଚେଲାକୁମାର ରାଜ୍ୟର ବିଭିନ୍ନ ଦଳର ନେତାମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ସମୟରେ ରାଜ୍ୟରେ କଂଗ୍ରେସର କାହିଁକି ଅଧପତନ ହେଉଛି ତାହା ସେମାନଙ୍କଠୁ ଜାଣିବାକୁ ଚାହିଁଥିଲେ  । ଆଉ ସେମାନଙ୍କ ମତାମତ ଆଧାରରେ ବିଜେଡି ସହ ଲିଙ୍କରେ ରହିଥିବା ବିଧାୟକମାନଙ୍କ ଅସଲ ଚେହେରାକୁ ଜାଣିବାକୁ ସୁଯୋଗ ପାଇଥିଲେ  । ଆଉ ସେହି କାରଣ ପାଇଁ ଶରତ ପଟ୍ଟନାୟକଙ୍କ ସପକ୍ଷରେ ଶ୍ରୀ ଚେଲାକୁମାର ନିଜର ପ୍ରସ୍ତାବ ଦେଇଥିଲେ  । ଏପରିକି ବଲାଙ୍ଗିର ଜିଲ୍ଲାର ଦୁଇ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଅଧିରାଜ ପାଣିଗ୍ରାହୀ ମଧ୍ୟ ଖୋଲାଖୋଲି ଭାବେ ଶରତଙ୍କୁ ପିସିସି ସଭାପତି ପଦରେ ନିଯୁକ୍ତି ସପକ୍ଷରେ ଦୀର୍ଘଦିନ ଧରି ମତ ଦେଇ ଆସୁଥିଲେ ।

 

ତେବେ ପ୍ରଶ୍ନ ଉଠୁଛି, ଶରତଙ୍କୁ ପିସିସି ସଭାପତି ପଦରେ ନିଯୁକ୍ତି ନଦେବାକୁ ଚାପ ପକାଇ ଆସୁଥିବା ବିଧାୟକମାନଙ୍କ ସ୍ଥିତି ଓ ଆଭିମୁଖ୍ୟ ଏବେ କ’ଣ ରହିବ? ଯେଉଁ କଂଗ୍ରେସ ନେତାମାନେ ପିସିସି ସଭାପତି ପଦରେ ଜଣେ ବିଧାୟକଙ୍କୁ ବସାଇବାକୁ କହୁଥିଲେ ସେମାନେ କ’ଣ ଶରତଙ୍କୁ ସହଯୋଗର ହାତ ବଢ଼ାଇବେ କି? ନା’ ସେଭଳି ବିରୋଧାଭାସ ଲାଗି ରହିବ  । ଅବଶ୍ୟ ଏହା ସତ୍ୟ ଯେ, ଶରତଙ୍କୁ ପିସିସି ସଭାପତି ପଦରେ ନିଯୁକ୍ତି ଦେଇ କଂଗ୍ରେସ ହାଇକମାଣ୍ଡ ପରୋକ୍ଷରେ ଏହି ତଥାକଥିତ ବିଧାୟକମାନଙ୍କ ମାମଲାତି ଉପରେ ଶକ୍ତ ପ୍ରହାର ଦେଇଛନ୍ତି  । ବିଜେଡି ସହ ଭିତରି ବୁଝାମଣାରେ ଥିବା ବିଧାୟକମାନଙ୍କ ଅସଲ ଚେହେରା ବି ଉଜାଗର ହୋଇସାରିଛି ।

 

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ନିମନ୍ତେ କଂଗ୍ରେସ ହାଇକମାଣ୍ଡ ଚାହୁଁଥିବାରୁ ଦଳୀୟ ବ୍ୟାପାରରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ କଠୋର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଦିଲ୍ଲୀ ଗସ୍ତରେ ଯାଇଥିବା ନେତାମାନଙ୍କୁ ରାହୁଲ ଗାନ୍ଧି ରୋକଠୋକ୍  କହିଛନ୍ତି । 
 

Related News
satta king tw