Top Stories

Search here...

News

ଖୋଲିଲା ପୁରୀ ଶ୍ରୀମନ୍ଦିର; ଜାଣନ୍ତୁ ଦର୍ଶନ ପାଇଁ କଣ ରହିଛି ନିୟମ

Posted On - 1 minute ago
Edited By Team BbsrReporters
LAST UPDATED Aug 12, 2021 09:53 AM

୬୫ ବର୍ଷରୁ ଊର୍ଦ୍ଧ୍ୱ, ୧୦ ବର୍ଷରୁ କମ୍ ବର୍ଷର ଶିଶୁ, ଗର୍ଭବତୀ ଆଦିଙ୍କୁ ଶ୍ରୀମନ୍ଦିର ନ ଆସିବାକୁ ମନ୍ଦିର ପ୍ରଶାସନ ନିବେଦନ କରିଛି ।

 

BBSR Reporters

 

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ତଥା ମହାପ୍ରଭୁଙ୍କ ଦର୍ଶନ ପାଇଁ ପୂର୍ବ ବର୍ଷର କୋଭିଡ୍ କଟକଣାର ପୁନରାବୃତ୍ତି କରିଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରଥମେ ସେବାୟତ ପରିବାର, ପରେ ପୁରୀବାସୀ ଓ ଶେଷରେ ସର୍ବସାଧାରଣ ଦର୍ଶନ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ସେହି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସ୍ଓପି ଅନୁଯାୟୀ ଶ୍ରୀମନ୍ଦିର ଖୋଲିଛି । 

 

ପ୍ରଥମ ଦୁଇଦିନ ଅର୍ଥାତ୍ ଅଗଷ୍ଟ ୧୨ ଓ ୧୩ ତାରିଖ ସେବାୟତ ପରିବାରଙ୍କୁ ଦର୍ଶନ ସୁଯୋଗ ମିଳିବ । ଶନିବାର ଓ ରବିବାର ସଟ୍ଡାଉନ୍ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବାପରେ ଅଗଷ୍ଟ ୧୬ରୁ ୨୦ ତାରିଖ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନ କରିବେ । ଅଗଷ୍ଟ ୨୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ପ୍ରତିଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ୧୨ ଘଣ୍ଟା ଖୋଲା ରହିବ । ଅଗଷ୍ଟ ୩୦ ତାରିଖ ଜନ୍ମାଷ୍ଟମୀ ଓ ସେପ୍େଟମ୍ବର ୧୦ ତାରିଖ ଗଣେଶ ପୂଜାରେ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି କୁହାଯାଇଛି ।

 

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ଏସ୍ଓପି ଅନୁଯାୟୀ, ସେବକ ପରିବାରଙ୍କ ଦର୍ଶନ ପାଇଁ ମଙ୍ଗଳ ଆଳତିଠାରୁ ରାତ୍ର ପହୁଡ଼ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲାରହିବ । ସେବାୟତ ପରିବାରର ପରିଚୟପତ୍ର ଭାବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଦତ୍ତ ସ୍ୱାସ୍ଥ୍ୟ ବୀମାକାର୍ଡ ଅବା ଅନ୍ୟ ପରିଚୟପତ୍ର ସହ ଆଧାରକାର୍ଡ ଆଦି ଦେଖାଇବା ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ପୁରୀ ସହରବାସୀ ହୁଅନ୍ତୁ କି ଜିଲ୍ଲା ଅବା ଜିଲ୍ଲା ବାହାର ଭକ୍ତ, ସମସ୍ତଙ୍କ ଦର୍ଶନ ପାଇଁ ସକାଳ ୭ରୁ ରାତି ୭ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଖୋଲାରହିବ । ପୁରୀ ସହରବାସୀ ପରିଚୟପତ୍ର ଭାବେ ଆଧାରକାର୍ଡ ଅବା ଅନ୍ୟ ପ୍ରମାଣପତ୍ର ଦେଖାଇ ଦର୍ଶନ କରିପାରିବେ । ପରିବାର ପିଛା ଯେତେ ଜଣ ଦର୍ଶନ ପାଇଁ ଯିବେ, ସମସ୍ତଙ୍କୁ ପରିଚୟପତ୍ର ଦେଖାଇବାକୁ ପଡ଼ିବ । କୋଭିଡ୍ ନେଗେଟିଭ୍ ରିପୋର୍ଟ ଅବା କୋଭିଡ୍ ଡବଲ୍ ଡୋଜ୍ର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବନି ।

 

ଅଗଷ୍ଟ ୨୩ରୁ ସର୍ବସାଧାରଣ ଦର୍ଶନ ପାଇଁ ନିୟମ ପରିବର୍ତ୍ତନ କରାଯାଇଛି । ପୁରୀବାସୀ ହୁଅନ୍ତୁ କି ଜିଲ୍ଲା ବାହାର ଭକ୍ତ, ଏହିଦିନଠାରୁ ସମସ୍ତଙ୍କୁ ଆଧାରକାର୍ଡ ଭଳି ପରିଚୟପତ୍ର ସାଙ୍ଗକୁ ୯୬ ଘଣ୍ଟାର କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର କିମ୍ବା କୋଭିଡ୍ ଡବଲ୍ ଡୋଜ୍ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ବିନା ପରିଚୟପତ୍ର ଓ ପ୍ରମାଣପତ୍ରରେ ଶ୍ରୀମନ୍ଦିର ପ୍ରବେଶ ନିଷେଧ କରାଯାଇଛି । ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ସହ ଶ୍ରୀମନ୍ଦିର ଭିତରେ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ପର୍ଶରେ କଟକଣା ଲଗାଯାଇଛି । ଶ୍ରୀମନ୍ଦିରକୁ ଦୀପ, ଧୂପ, ଫୁଲ, ଭୋଗ ଆଦି ନେବା ସହ ଦୀପ ଲଗାଇବାରେ କଟକଣା ଜାରି କରାଯାଇଛି । ଆନନ୍ଦ ବଜାର ହେଉ କି ଶ୍ରୀମନ୍ଦିର ବେଢ଼ା, ଭକ୍ତମାନେ ମହାପ୍ରସାଦ ସେବନ କରିପାରିବେନି । 

 

ଭକ୍ତମାନେ କେବଳ ମହାପ୍ରସାଦ କିଣିପାରିବେ । ଶ୍ରୀମନ୍ଦିର ଭିତରେ ପାନ, ଗୁଟ୍ଖା ସେବନ ଉପରେ କଟକଣା ଜାରି ହୋଇଛି । ଅମାନିଆଙ୍କୁ ୫ ଶହ ଟଙ୍କା ଜରିମାନା ନିଦେ୍ର୍ଧଶ ଦିଆଯାଇଛି । ପଲିଥିନ୍ ବ୍ୟବହାର ନିଷେଧ କରାଯାଇଛି । ଯଦି କେହି ପଲିଥିନ୍ ନେଇ ଧରାପଡ଼ନ୍ତି, ଶହେ ଟଙ୍କା ଜରିମାନା କରାଯିବ । ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ପାଇଁ ଜଗନ୍ନାଥ ବଲ୍ଲଭ ସହ ଅନ୍ୟାନ୍ୟ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ୬୫ ବର୍ଷରୁ ଊର୍ଦ୍ଧ୍ୱ, ୧୦ ବର୍ଷରୁ କମ୍ ବର୍ଷର ଶିଶୁ, ଗର୍ଭବତୀ ଆଦିଙ୍କୁ ଶ୍ରୀମନ୍ଦିର ନ ଆସିବାକୁ ମନ୍ଦିର ପ୍ରଶାସନ ନିବେଦନ କରିଛି ।
 

Related News
satta king tw