Top Stories

Search here...

News

ମନେ ରଖିବାରେ ଅସୁବିଧା ହେଉଛି କି ? ଜାଣନ୍ତୁ କିପରି ବଢାଇବେ ସ୍ମରଣ ଶକ୍ତି

Posted On - 8 minutes ago
Edited By Team BbsrReporters
LAST UPDATED Aug 09, 2021 12:30 PM

ସବୁ ବିଷୟ ମନେ ରଖିବା ପାଇଁ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଉପାୟ ।

 

BBSR Reporters


ଭୁବନେଶ୍ୱର: ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସବୁ କିଛି ମନେ ରଖିବା ମଣିଷ ପକ୍ଷେ ସମ୍ବବ ହେଉ ନାହିଁ । ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମନେ ରଖିବା ସବୁଠୁ ଅଧିକ ଆବଶ୍ୟକ  ।  ସାଧାରଣ ଭାବେ ପଢ଼ିବା ଆଉ ମନେ ରଖିବା ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି । କାରଣ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାବେଳେ ଭଲ ନମ୍ବର, ଭଲ ଅନୁଷ୍ଠାନ, ଭଲ ଚାକିରି ଆଦି ଅନେକ ଚାପର ବଶବର୍ତ୍ତୀ ହେବାକୁ ପଡ଼ିଥାଏ । ଆଉ ଏହି ଚାପ ହିଁ ସିଧାସଳଖ ସ୍ମରଣଶକ୍ତି ଉପରେ ପ୍ରଭାବ ପକାଇଥାଏ । ତେଣୁ ଏଭଳି ପରିସ୍ଥିତିରେ ସ୍ଥିର ଚିତ୍ତ ହୋଇ ସ୍ମୃତିଶକ୍ତିକୁ ଦୃଢ଼ୀଭୂତ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ କଥା । 


ପଢୁଥିବା ବିଷୟ ଗୁଡ଼ିକ ଯଦି ମନେ ରହୁନାହିଁ ତା’ହେଲେ ସେହି ବିଷୟଟିକୁ ଦୈନନ୍ଦିନ ଜୀବନ ସହିତ ଯୋଡ଼ିଦିଅନ୍ତୁ । ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା ଜିନିଷ ସହିତ ଜଡ଼ିତ ଥିବା ବିଷୟକୁ ସହଜରେ ମନେ ରଖିହେବ । ଏପରି କୌଶଳକୁ କୁହାଯାଏ ‘ମାଇଣ୍ଡ ପ୍ୟାଲେସ୍ ପ୍ରକ୍ରିୟା’ । ‘ଦି ସାଟାନିକ୍ ଭର୍ସେସ୍’ର ଲେଖକ ହେଉଛନ୍ତି ସଲମାନ୍ ରସଡି । ଧରାଯାଉ ଆମର ସଲମାନ୍ ରସଡି ନାମଟି ମନେ ରହୁନାହିଁ । ଆମେ ଯଦି ନାୟକ ସଲମାନ୍ ଖାଁ ସହିତ ସଲମାନ୍ ରସଡିଙ୍କ ନାମକୁ ଆମ ମସ୍ତିଷ୍କରେ ସଂଯୋଗ କରିଦେବା ତା’ହେଲେ ଆମେ ସହଜରେ ସଲମାନ୍ ଖାଁଙ୍କୁ ମନେ ପକେଇପାରିବା । କାରଣ ସେ ଜଣେ ଲୋକପ୍ରିୟ ତାରକା । ଆଉ ସାଲମାନ୍ ଶବ୍ଦଟି ଆସିଗଲେ ଆମେ ସମ୍ପୂର୍ଣ୍ଣ ‘ସଲମାନ୍ ରସଡି’ନାମଟିକୁ ମନେ ପକେଇପାରିବା । ମନେ ରଖିବାର ଏହା ଏକ ଅତି ଉପାଦେୟ ତରିକା ବୋଲି ପରୀକ୍ଷଣ କରାଯାଇଛି ।


ସୌର ଜଗତର ଗ୍ରହମାନଙ୍କର ନାମକରଣ ଯଥାକ୍ରମେ ମନେ ରଖିବା ଛୋଟ ପିଲାଙ୍କ କ୍ଷେତ୍ରରେ ସେତେଟା ସହଜ ହୋଇ ନଥାଏ । ସେଥିଲାଗି ଗୁରୁଜୀ ଗୋଟିଏ ନୂଆ ଉପାୟ ବାହାର କରିଥାନ୍ତି । ତାହା ହେଉଛି ପ୍ରତ୍ୟେକ ଗ୍ରହର ଶେଷ ଅକ୍ଷରଟିକୁ ନେଇ ଗୋଟିଏ ମଜାଦାର ବାକ୍ୟ କରିଦେଇଥାନ୍ତି ଯାହା ସମସ୍ତେ ମନେ ରଖିଦେଇ ପାରନ୍ତି । ସେହି ବାକ୍ୟଟି ହେଉଛି: ଧକ୍ରବୀଳ ତିନିସ ନଟୋ । ଧ-ବୁଧ, କ୍ର-ଶୁକ୍ର, ବୀ-ପୃଥିବୀ, ଳ-ମଙ୍ଗଳ, ତି-ବୃହସ୍ପତି, ନି-ଶନି, ସ-ୟୁରାନ୍ସ, ନ-ନେପଚ୍ୟୁନ ଏବଂ ଟୋ-ପ୍ଲୁଟୋ (ଅବଶ୍ୟ ‘ପ୍ଲୁଟୋ’କୁ ଏବେ ଗ୍ରହ ଭାବରେ ଗଣନା କରାଯାଉନାହିଁ) । ଏହା ହେଉଛି ଗୋଟିଏ ମାତ୍ର ଉଦାହରଣ । ତେବେ ମନେ ରହୁ ନଥିବା ବିଷୟକୁ ଏଭଳି ପଙ୍କ୍ତି, କବିତା ବା ରାଇମ୍ରେ ରୂପାନ୍ତରିତ କରି ମନେ ରଖାଯାଇପାରିବ ।

 

ସାଧାରଣତଃ ପଢୁଥିବା ଲୋକର ମନେ ରହେନି । ମାତ୍ର ଯିଏ ପଢ଼ାଏ ତା’ର ସବୁକିଛି ମନେ ରହିଥାଏ । ଏହା ଏକ ମନସ୍ତାତ୍ତ୍ୱିକ ଅବସ୍ଥା । ତେଣୁ କୌଣସି ବିଷୟକୁ ନିଜେ ପଢ଼ିବା ପରେ ଆଇନା ସାମନାରେ ଠିଆ ହୋଇ ନିଜକୁ ନିଜେ ପଢ଼ାନ୍ତୁ । ଭାବି ନିଅନ୍ତୁ, ଆପଣ ହେଉଛନ୍ତି ଶିକ୍ଷକ । ଆଇନାରେ ଯିଏ ଅଛି ସେ ହେଉଛି ଆପଣଙ୍କ ଛାତ୍ର । ପୁଣି ଏକଥା ଭାବି ନିଅନ୍ତୁ ଯେ, ଆଇନାରେ ଥିବା ଆପଣଙ୍କ ଛାତ୍ରକୁ ଆପଣ ସରଳ ଭାବରେ ବୁଝାଇବାର ଅଛି । ବାସ୍, ଦେଖିବେ କେମିତି ଆପଣଙ୍କ ଭିତରେ ଅନେକ ଜିନିଷ ମନେ ରହିଯିବ । ସେତିକି ନୁହେଁ, ଜଣକୁ ବୁଝାଇବା ବେଳେ ସେହି ବିଷୟ ନେଇ ଅନେକ କିଛି ମୁଣ୍ଡକୁ ପଶିଆସିବ । ଏହା ଆପଣଙ୍କ ସ୍ମରଣଶକ୍ତିକୁ ଆହୁରି ମଜଭୁତ କରିବ । ପରୀକ୍ଷା କରି ଜଣାଯାଇଛି ଯେ, ଜଟିଳ ପାଠକୁ ମନେ ରଖିବାର ଏହା ହେଉଛି ସବୁଠାରୁ ଏକ ଉତ୍ତମ ଉପାୟ ।

 

ଅଭ୍ୟାସଠାରୁ ବଡ଼ ଆଉ କିଛି ନାହିଁ । ଅଭ୍ୟାସ ବଳରେ ସବୁକିଛି ସାଧନ କରାଯାଇପାରିବ । ସ୍ମରଣ ରଖିବା ବା ମନେ ରଖିବାର ସବୁଠୁ ବଡ଼ ଉପାୟ ହେଲା ବାରମ୍ବାର ଅଭ୍ୟାସ କରିବା । ଅର୍ଥାତ୍, ବାରମ୍ବାର ପଢ଼ିବା । ଯାହାକୁ ପଢୁଛନ୍ତି ତାହାର ପୁନରାବୃତ୍ତି କରିବା । ଯଦି ଆପଣ ଉପର ବର୍ଣ୍ଣିତ ତିନିଟି ପ୍ରକ୍ରିୟାରେ କୌଣସି ବିଷୟକୁ ମନେ ରଖିଛନ୍ତି, ତା’ହେଲେ କିଛି ସମୟ ପରେ ଆପଣ ପୁନର୍ବାର ସେହି ପ୍ରସଙ୍ଗକୁ ପୁନରାବୃତ୍ତି କରନ୍ତୁ । ପୁନରାବୃତ୍ତି ପରେ ଜାଣିହେବ ଯେ ସ୍ମରଣ ଶକ୍ତି କେତେମାତ୍ରାରେ ପ୍ରଖର ଅଛି । ଯଦି ଆପଣ ମାଇଣ୍ଡ ପ୍ୟାଲେସ୍ କୌଶଳ ବ୍ୟବହାର କରିଛନ୍ତି, ତେବେ ଧ୍ୟାନ ଦିଅନ୍ତୁ ଯେ ଆପଣ ଯାହା ମନେ ରଖିଛନ୍ତି ତାହା ପୁନରାବୃତ୍ତି କରିବାକୁ କେତେ ସମୟ ଲାଗୁଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମନେ ପକେଇବାକୁ ସମୟ ଟିକେ ଅଧିକ ଲାଗିବ । ହେଲେ ଧୀରେ ଧୀରେ ସମୟସୀମା ହ୍ରାସ ପାଇବ ।

 

ସୁସ୍ଥ ଶରୀରକୁ ସୁସ୍ଥ ମନର ଚାବିକାଠି ବୋଲି କୁହାଯାଇଛି । ଆଉ ଶରୀରକୁ ସୁସ୍ଥ ରଖିବାକୁ ହେଲେ ସୁଷମ ଖାଦ୍ୟ ସାଙ୍ଗକୁ ଖେଳ କସରତର ଏକ ବଡ଼ ଆବଶ୍ୟକତା ରହିଛି । ତେଣୁ ପ୍ରଥମେ ସ୍ୱାସ୍ଥ୍ୟ ପ୍ରତି ଯନôଶୀଳ ହୁଅନ୍ତୁ । ଚେସ୍, ସୁଡୋକୁ ଓ ପଜଲ୍୍ ଇତ୍ୟାଦି କେତେକ ଖେଳ ରହିଛି, ଯାହାକି ଆପଣଙ୍କ ଏକାଗ୍ରତା ଶକ୍ତି ବଢ଼ାଇଥାଏ । ସ୍ମାର୍ଟଫୋନ୍ ଜରିଆରେ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ଏହି ଖେଳ ଖେଳି ଏକାଗ୍ରତା ବଢ଼ାଇପାରିବେ । ଫଳରେ ସ୍ମରଣଶକ୍ତିର ବୃଦ୍ଧି ଘଟିବ । ସେହିପରି ଶାରୀରିକ ବ୍ୟାୟାମ ତଥା ସୁଷମ ଖାଦ୍ୟ ଖାଆନ୍ତୁ । ଏରୋବିକ୍ ବ୍ୟାୟାମ ଯେପରିକି ଜମ୍ପ୍ ଜ୍ୟାକ୍ ଆଦି ଦ୍ୱାରା ମସ୍ତିଷ୍କରେ ଅମ୍ଳଜାନର ମାତ୍ରା ବୃଦ୍ଧି ପାଇଥାଏ । ସ୍ମରଣ ଶକ୍ତି ଉପରେ ଏହାର ସୁପ୍ରଭାବ ପଡ଼ିଥାଏ ।

Related News
satta king tw