Top Stories

Search here...

News

ବିବାହ କଲେ ଦୁଇ ମାଓବାଦୀ; ଡିଆଇଜି ଓ ଏସପିଙ୍କ ଉପସ୍ଥିତିରେ ପଡିଲା ହାତଗଣ୍ଠି

Posted On - 2 months ago
Edited By Jyotirmayee Patanaik
LAST UPDATED Jun 30, 2022 12:44 PM

ଦୁଇ ମାଓବାଦୀ ସଂଗଠନ ଛାଡି ୨୦୨୦ ଫେବୃୟାରୀ ୧୮ ତାରିଖରେ କଳାହାଣ୍ଡି ଏସ୍ପି ବାତୁଲା ଗଙ୍ଗାଧରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।

 

BBSR Reporters

 

ଭୁବନେଶ୍ୱର : ପ୍ରଥମେ ମାଓବାଦୀଙ୍କ ଆହ୍ୱାନରେ ନିଜ ପରିବାର ଓ ଘରଦ୍ୱାର ଛାଡ଼ି ମାଓ ସଂଗଠନରେ ସାମିଲ ହୋଇଥିଲେ  । ପରେ ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି  । ସରକାରଙ୍କର ବିଭିନ୍ନ ସୁବିଧା ସୁଯୋଗ ପାଇ ସାଧାରଣ ବ୍ୟକ୍ତି ଭାବରେ ଜୀବନ ଯାପନ କଟାଉଥିବା ଦୁଇଜଣ ପୂର୍ବତନ ମାଓବାଦୀ ପୁଲିସ ହେପାଜତରେ ଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ପରେ ଉଭୟ ପରିବାରର ସ୍ୱୀକୃତିକ୍ରମେ ଆଜି ଏହି ଦୁଇ ପୂର୍ବତନ ମାଓବାଦୀଙ୍କର ବିବାହ ଅନୁଷ୍ଠିତ ହୋଇଛି  ।

 

ଛତିଶଗଡ଼ର ବିଜାପୁର ଜିଲ୍ଲା ଗୋପାଲପାଟନା ଥାନା ଅଧିନସ୍ଥ ପାଲସେଗୁଣ୍ଡାପୁର ଗ୍ରାମର ରାମଦାସ ଓରଫ କେଶବ ଭେଲାଦି ଓରଫ ଦୀପକଙ୍କ ସହ କଳାହାଣ୍ଡି ଜିଲ୍ଲା ଜୁଗସାଇପାଟଣା ପଞ୍ଚାୟତର ତଳ ପଞ୍ଚକୁଲ ଗ୍ରାମର ମାଲତ ମାଝୀଙ୍କ ଝିଅ କଲମଦେଇ ଓରଫ କାଲାମାଡି ମାଝୀଙ୍କ ବିବାହ ହୋଇଛି  । କେଶବ ୨୦୨୦ରେ ଆତ୍ମସମର୍ପଣ କରିଥିବା ବେଳେ କାଲାମାଡି ୨୦୧୬ରେ ଆତ୍ମସମର୍ପଣ କରିଥିଲେ ।


ସୂଚନା ଅନୁଯାୟୀ,  ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲାର ଗୋପାଲପାଟନା ଥାନା ଅଧିନସ୍ଥ ପାଲସେଗୁଣ୍ଡାପୁର ଗ୍ରାମର ରାମଦାସ ଓରଫ କେଶବ ଭେଲାଦି ଓରଫ ଦୀପକ(୨୮) ମାଓବାଦୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଗତ ୨୦୦୯ରେ ବାଣ୍ଡେଡ୍ ସଂଗଠନରେ ସାମିଲ ହୋଇଥିଲେ । ପରବର୍ତ୍ତୀ ସମୟରେ ମାଓବାଦୀ କେନ୍ଦ୍ରୀୟ କମିଟିର ସଦସ୍ୟ ଜାନପାନଙ୍କ ନିଦେ୍ର୍ଧଶକ୍ରମେ ୨୦୧୧ ମସିହାରୁ ୨୦୧୮ ପର୍ୟ୍ୟନ୍ତ କରଙ୍ଗା ନଦୀ ଏରିଆ କମିଟିର ଏସିଏମ୍ ଭାବେ ପଦୋନ୍ନତୀ ପାଇବା ସହିତ ଇନ୍ସାଫ ରାଇଫେଲ ଚଲାଇବାର କୌଶଳ ପାଇଥିଲେ । ପରବର୍ତ୍ତୀ ସମୟରେ ସେ କଳାହାଣ୍ଡି ଜିଲ୍ଲାରେ ମଦନପୁର ରାମପୁର ଓ କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅଧିନରେ କାର୍ଯ୍ୟ କରୁଥିବା ରାହୁଲ ଏରିଆ କମିଟି ଦାୟିତ୍ୱରେ ରହିଥିଲେ । ରାମଦାସ ଅନେକ ମାଓ କାର୍ଯ୍ୟ କଳାପରେ ସାମିଲ ଥିଲେ ।

 

ରାଜ୍ୟ ସରକାର ସେହି ମାଓବାଦୀ ରାମଦାସ ନାମରେ ୪ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ମଧ୍ୟ କରିଥିଲେ । କିନ୍ତୁ କିଛି ଦିନପରେ ରାମଦାସ ଓରଫ କେଶବ ଭେଲାଦି ମାଓ କାର୍ଯ୍ୟକଳାପ ଓ ମାଓନେତାଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ପଡ଼ିଥିଲେ । ମାଓବାଦୀ ଆତ୍ମସମର୍ପଣ କଲେ ସେମାନଙ୍କୁ ଥଇଥାନ କରିବା ପାଇଁ ଓଡ଼ିଶା ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗରେ ଆକୃଷ୍ଟ ହୋଇ ସେ ମାଓବାଦୀ ସଂଗଠନ ଛାଡି ୨୦୨୦ ଫେବୃୟାରୀ ୧୮ ତାରିଖରେ କଳାହାଣ୍ଡି ଏସ୍ପି ବାତୁଲା ଗଙ୍ଗାଧରଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।

 

ରାମଦାସଙ୍କ ପରି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ ଅଧିନସ୍ଥ ଜୁଗସାଇପାଟଣା ପଞ୍ଚାୟତର ତଳ ପଞ୍ଚକୁଲ ଗ୍ରାମର ମାଲତ ମାଝୀଙ୍କ ଝିଅ କଲମଦେଇ ଓରଫ କାଲାମାଡି ମାଝୀ(୨୫) ମାଓ ପ୍ରଲୋଭନର ଶିକାର ହୋଇ ମାଓ ସଂଗଠନରେ ସାମିଲ ହୋଇଥିଲେ । ପରେ ବରିଷ୍ଠ ମାଓନେତାମାନଙ୍କ ଦ୍ୱାରା ଅମାନୁସିକ ଭାବେ ଶାରୀରିକ ଓ ମାନସିକ ନିର୍ୟ୍ୟାତନାରେ ଅତିଷ୍ଠ ହେବା ସହିତ ମାଓବାଦୀଙ୍କ ମିଥ୍ୟା ନୀତି ଆଦର୍ଶ ପ୍ରତି ବିତୃଷ୍ଣା ହୋଇ ୨୦୧୬ରେ କଳାହାଣ୍ଡି ପୁଲିସ ନିକଟରେ ଆତ୍ମ ସମର୍ପଣ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଓବାଦୀ ଆତ୍ମ ସମର୍ପଣ ଯୋଜନାରେ ସମସ୍ତ ସୁବିଧା ପାଇଛନ୍ତି ।


ମାଓବାଦୀଙ୍କ ଆତ୍ମସମର୍ପଣ ପରେ କଳାହାଣ୍ଡିର ବର୍ତ୍ତମାନ ଏସ୍ପି ଡ. ଶ୍ରବଣ ବିବେକ ଏମ୍.ଙ୍କ ତତ୍ତ୍ୱାବଧାନରେ ପୁଲିସ ରିଜର୍ଭରେ ରହି ଆସୁଥିଲେ । ପୁଲିସ ହେପାଜତରେ ଏହି ଦୁଇ ମାଓବାଦୀ ରହିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ଦୁହେଁ ବିବାହ ପାଇଁ ସ୍ଥିର କରିବା ପରେ ସେମାନେ ଏ ସଂପର୍କରେ କଳାହାଣ୍ଡି ଏସ୍ପି. ଡ. ଶ୍ରବଣ ବିବେକ ଏମ୍.ଙ୍କୁ ଜଣାଇବା ସହିତ ଉଭୟ ସେମାନଙ୍କ ପରିବାରଙ୍କୁ ଜଣାଇଥିଲେ । ଉଭୟ ପରିବାର ସଦସ୍ୟଙ୍କ ସହମତି ପରେ ଶେଷରେ ଆଜି କଳାହାଣ୍ଡି ଏସ୍ପି. ଡ. ଶ୍ରବଣ ବିବେକ ଏମ୍.ଙ୍କ ତତ୍ତ୍ୱାବଧାନରେ କଳାହାଣ୍ଡି ପୁଲିସ ସହଯୋଗରେ ଭବାନୀପାଟଣା ରିଜର୍ଭ ପୁଲିସ ପରିସରରେ ଥିବା ଶିବ ମନ୍ଦିର ପ୍ରାଙ୍ଗଣରେ ଆନୁଷ୍ଠାନିକ ଭାବେ ଉଭୟ ପରିବାର ସଦସ୍ୟ, ବନ୍ଧୁ ବାନ୍ଧବ ଏବଂ ସାହି ପଡ଼ିଶାଙ୍କ ଉପସ୍ଥିତରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି ।


ଆଉ ଏହି ବିବାହରେ ଡିଆଇଜି ରାଜେଶ ପଣ୍ଡିତ, ସିଆରପିଏଫ୍ ୬୪ ବେଟାଲିୟନ୍ କମାଣ୍ଡେଣ୍ଟ ବିପ୍ଲବ ସରକାର, ଏସ୍ପି ଡ. ଶ୍ରବଣ ବିବେକ ଏମ୍., ସିଆର୍ପିଏଫ୍ ଏଏସ୍ପି ହୃଷିକେଶ ବରାଳ, କେସିଙ୍ଗା ଏସ୍ଡିପିଓ ଅଭିନବ ସୋନକର ଆଇପିଏସ୍, ଅତିରିକ୍ତ ଏସ୍ପି ସମେତ ସମସ୍ତ ଥାନା ଅଧିକାରୀ ଓ ଫୋର୍ସ ଉପସ୍ଥିତ ଥିଲେ । ଏହି ଅବସରରେ କଳାହାଣ୍ଡି ଏସ୍ପି ନକ୍ସଲମାନଙ୍କୁ ବନ୍ଧୁକ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ସହିତ ସରକାରଙ୍କ ଆତ୍ମସମର୍ପଣ ଯୋଜନାର ଲାଭ ପାଇବାକୁ ଆହ୍ୱାନ ଦେଇଛନ୍ତି ।
 

Related News
satta king tw