Top Stories
Search here...
News
ଭାରତରେ ପ୍ରସ୍ତୁତ ହୋଇଥିବା ବିଶ୍ୱର ପ୍ରଥମ ଡିଏନ୍ଏ ଭିତ୍ତିକ କରୋନା ଟିକା ଜାଇକୋଭ-ଡି ଖୁବଶୀଘ୍ର ବଜାରକୁ ଆସିବ
Posted On - 3 months ago
ବୁଧବାର ଠାରୁ କମ୍ପାନୀ ଭାରତ ସରକାରଙ୍କୁ ଏହି ଟିକା ଯୋଗାଣ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଭାରତ ସରକାର ଏହାକୁ ଗ୍ରହଣ କରିବା ପରେ ଲୋକଙ୍କୁ ଦେବା ପାଇଁ ବିଭିନ୍ନ ରାଜ୍ୟକୁ ପଠାଇବେ।
BBSR Reporters
ନୂଆଦିଲ୍ଲୀ: ଭାରତରେ ପ୍ରସ୍ତୁତ ହୋଇଥିବା ବିଶ୍ୱର ପ୍ରଥମ ଡିଏନ୍ଏ ଭିତ୍ତିକ କରୋନା ଟିକା ଜାଇକୋଭ-ଡି ଖୁବଶୀଘ୍ର ବଜାରକୁ ଆସିବ। କାରଣ ବୁଧବାର ଠାରୁ କମ୍ପାନୀ ଭାରତ ସରକାରଙ୍କୁ ଏହି ଟିକା ଯୋଗାଣ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଭାରତ ସରକାର ଏହାକୁ ଗ୍ରହଣ କରିବା ପରେ ଲୋକଙ୍କୁ ଦେବା ପାଇଁ ବିଭିନ୍ନ ରାଜ୍ୟକୁ ପଠାଇବେ।
ଜାୟଡସ କାଡିଲା ଟିକା ପାଇଁ ସରକାର ବହୁ ଆଗରୁ କମ୍ପାନୀକୁ ଅର୍ଡର ଦେଇ ସାରିଥିଲେ। ଏବେ ଅର୍ଡର ଅନୁସାରେ କମ୍ପାନୀ ଟିକା ପଠାଇବା ଆରମ୍ଭ କରିଛି। ଏଥିସହ କମ୍ପାନୀ ପକ୍ଷରୁ ବିଭିନ୍ନ ଘରୋଇ କ୍ଷେତ୍ରକୁ ଟିକା ସପ୍ଲାଏ କରିବାକୁ ମଧ୍ୟ ଯୋଜନା କରାଯାଇଛି। ଜାୟଡସ କାଡିଲା ପକ୍ଷରୁ କୁହାଯାଇଛି ଯେ “ଜାଇକୋଭ-ଡି ଟ୍ରିପଲ ଡୋଜ୍ ଭିତ୍ତିକ ଟିକା। ଟିକା ନେବା ପାଇଁ କୌଣସି ଛୁଞ୍ଚିର ବ୍ୟବହାର କରାଯିବ ନାହିଁ। ଟିକା ଦେବା ପାଇଁ ସ୍ୱତନ୍ତ୍ର ଛୁଞ୍ଚିହୀନ ଆପ୍ଲିକେଟର ବ୍ୟବହାର କରାଯିବ। ଟିକାର ଡୋଜ୍ ପିଛା ଦାମ ୨୬୫ ଟଙ୍କା ରହିଥିବା ବେଳେ ଆପ୍ଲିକେଟର ଦାମ ୯୩ ଟଙ୍କା ରହିଛି। ଏହି ଦରରେ ଜିଏସ୍ଟିକୁ ସାମିଲ କରାଯାଇନି।” ଅର୍ଥାତ ଜିଏସ୍ଟି ଲାଗିଲେ ଏହାର ଦାମ ଆହୁରି ଅଧିକ ହେବାର ସମ୍ଭାବନା ରହିଛି।
ବିଶ୍ୱର ପ୍ରଥମ ଡିଏନ୍ଏ ଭିତ୍ତିକ କରୋନା ଟିକା ହେଉଛି ଜାଇକୋଭ-ଡି। ଏହା ସଂପୂର୍ଣ୍ଣ ଭାବେ ଭାରତୀୟ ଜ୍ଞାନକୌଶଳରେ ତିଆରି କରାଯାଇଛି। ଗୋଟିଏ ଡୋଜ୍ ନେବାର ୨୮ ଦିନରେ ଆଉ ଗୋଟିଏ ଡୋଜ୍ ଓ ୫୬ ଦିନ ପରେ ତୃତୀୟ ଡୋଜ୍ ନେବାକୁ ପଡ଼ିବ। ଟିକା ଡିଏନଏ ଭିତ୍ତିକ ହୋଇଥିବାରୁ ଭାଇରସର ସବୁ ପ୍ରକାରର ଷ୍ଟ୍ରେନ ସହ ଲଢ଼େଇ କରିବ। ୨୫ ଡିଗ୍ରୀ ସେଲସିୟସରେ ଜାଇକୋଭ-ଡିକୁ ୩ ମାସ ଯାଏ ସୁରକ୍ଷିତ କରି ରଖିହେବ।
ଅହମଦାବାଦରେ ଅବସ୍ଥାପିତ ଜାୟଡସ କାଡିଲା ଟିକାର ଉତ୍ପାଦନ ପାଇଁ ଶିଳ୍ପା ମେଡିକେୟାର ଲିଃ ସହ ଚୁକ୍ତି କରିଛନ୍ତି। ଏହି କମ୍ପାନୀ କାଡିଲା ସହ ମିଶି ଜାଇକୋଭ-ଡି ଟିକା ଉତ୍ପାଦନ କରିବ। ଏଥିସହ କମ୍ପାନୀ କୋରିଆର Enzychem Lifesciences ସହ ମଧ୍ୟ ଗୋଟିଏ ଚୁକ୍ତି କରିଛି। ଡିଏନ ଭିତ୍ତି ଟିକାର ଟେକ୍ନୋଲଜିର ଟ୍ରାନ୍ସଫର ପାଇଁ ଏପରି ଚୁକ୍ତି କରାଯାଇଥିବା ଜଣାପଡ଼ିଛି।
ଅଗଷ୍ଟ ୨୦ରେ ଭାରତ ସରକାର ଜାୟଡସ କାଡିଲା ପ୍ରସ୍ତୁତ କରିଥିବା ଜାଇକୋଭ-ଡିକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଏହାକୁ ୧୨ ବର୍ଷ ଓ ତା’ଠାରୁ ଅଧିକ ବୟସ୍କଙ୍କୁ ଦିଆଯିବ। ଏହାର ଅର୍ଥ ଭାରତରେ ୧୮ ବର୍ଷରୁ କମ ବୟସ୍କ ପିଲାଙ୍କ ପାଇଁ ଜାଇକୋଭ-ଡି ପ୍ରଥମ କରୋନା ଟିକା।